ଭାରତୀୟ ବାୟୁସେନା (IAF)ର ନୂଆ ତଥା ୫୧ତମ ଉପ-ପ୍ରମୁଖ ବା ଡେପୁଟି ଚିଫ୍ ଅଫ୍ ଦି ଏୟାର ଷ୍ଟାଫ୍ ଭାବେ ଏୟାର ମାର୍ଶଲ ଆଶୁତୋଷ ଦୀକ୍ଷିତ ବୁଧବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସେ ଏୟାର ମାର୍ଶଲ ନାଗେଶ କପୁରଙ୍କ ସ୍ଥାନ ନେଇଛନ୍ତି। ବାୟୁସେନାରେ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇବା ପୂର୍ବରୁ ସେ ସମନ୍ୱିତ ପ୍ରତିରକ୍ଷା କର୍ମଚାରୀ ର ମୁଖ୍ୟ ଏବଂ ସେଣ୍ଟ୍ରାଲ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭାବେ ସଫଳତାର ସହ କାର୍ଯ୍ୟ କରିସାରିଛନ୍ତି।

କାର୍ଗିଲ ଯୁଦ୍ଧରେ ଶତ୍ରୁପକ୍ଷର ଛାତି ଥରାଇଥିଲେ
ଏୟାର ମାର୍ଶଲ ଆଶୁତୋଷ ଦୀକ୍ଷିତଙ୍କ ସାମରିକ କ୍ୟାରିୟର ଅତ୍ୟନ୍ତ ଗୌରବମୟ ରହିଛି। ୧୯୯୯ ମସିହାରେ ହୋଇଥିବା ଐତିହାସିକ କାର୍ଗିଲ ଯୁଦ୍ଧ ସମୟରେ ବାୟୁସେନାର ଦୁଇଟି ପ୍ରମୁଖ ଅପରେସନ— ‘ଅପରେସନ ରକ୍ଷକ’ ଏବଂ ‘ଅପରେସନ ସଫେଦ ସାଗର’ରେ ସେ ସକ୍ରିୟ ଭାବେ ଅଂଶଗ୍ରହଣ କରି ଶତ୍ରୁପକ୍ଷକୁ ଧୂଳି ଚଟାଇଥିଲେ। ସେ ନବମ ସ୍କ୍ୱାଡ୍ରନର କମାଣ୍ଡିଂ ଅଫିସର ଭାବେ ନିଜର ଦକ୍ଷ ନେତୃତ୍ୱ ପ୍ରଦର୍ଶନ କରିଥିଲେ।
୩ ଦଶନ୍ଧିର ଅଭିଜ୍ଞତା ଓ ୩୩୦୦ ଘଣ୍ଟାର ଉଡ଼ାଣ
![]()
ଦୀର୍ଘ ୩ ଦଶନ୍ଧିରୁ ଅଧିକ ସମୟର ସାମରିକ ସେବା ମଧ୍ୟରେ ଏୟାର ମାର୍ଶଲ ଦୀକ୍ଷିତଙ୍କ ପାଖରେ ବିଭିନ୍ନ ପ୍ରକାରର ଯୁଦ୍ଧ ବିମାନ ଚଳାଇବାର ୩,୩୦୦ ଘଣ୍ଟାରୁ ଅଧିକ ବ୍ୟାପକ ଅଭିଜ୍ଞତା ରହିଛି। ସେ ନିଜ କ୍ୟାରିୟରରେ HPT-32, AN-32, AVRO, କିରଣ, ଜାଗୁଆର, IL-78 ଏବଂ ହକ୍ (Hawk) ଭଳି ଅତ୍ୟାଧୁନିକ ଓ ଶକ୍ତିଶାଳୀ ବିମାନ ସଫଳତାର ସହ ଉଡ଼ାଇଛନ୍ତି। ସେ ୧ ଅକ୍ଟୋବର ୨୦୨୨ରେ ଏୟାର ମାର୍ଶଲ ପଦବୀକୁ ପଦୋନ୍ନତି ପାଇବା ପରେ ସାଉଥ୍ ୱେଷ୍ଟର୍ଣ୍ଣ ଏୟାର କମାଣ୍ଡର ବରିଷ୍ଠ ଅଧିକାରୀ ଭାବେ ମଧ୍ୟ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି।
ବାୟୁସେନାର ଆଧୁନିକୀକରଣରେ ବଡ଼ ଭୂମିକା

ନୂଆ ଉପ-ପ୍ରମୁଖ ଆଶୁତୋଷ ଦୀକ୍ଷିତ ବାୟୁସେନାରେ ଭବିଷ୍ୟତର ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ତଥା ସେନାର ସାମରିକ ଆଧୁନିକୀକରଣ ଉପରେ ସବୁବେଳେ ଜୋର୍ ଦେଇ ଆସିଛନ୍ତି। ବିଶେଷ କରି ଭାରତର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧବିମାନ ପ୍ରକଳ୍ପ ଯଥା— LCA ମାର୍କ-୧ଏ (Mark-1A), ମାର୍କ-୨ ଏବଂ ଏଏମସିଏ (AMCA) ପ୍ରକଳ୍ପକୁ ଆଗକୁ ବଢ଼ାଇବା ଦିଗରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ବର୍ତ୍ତମାନର ବଦଳୁଥିବା ସାମରିକ ରଣନୀତି ମଧ୍ୟରେ ବାୟୁସେନାକୁ ଅଧିକ ଶକ୍ତିଶାଳୀ କରିବା ଦିଗରେ ତାଙ୍କର ଏହି ନୂଆ ନିଯୁକ୍ତି ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।


