ଗଣତନ୍ତ୍ରରେ ଜଣେ ସାଂସଦଙ୍କର ସବୁଠାରୁ ବଡ଼ ଦାୟିତ୍ୱ କ’ଣ? ନିଜ ସଂସଦୀୟ କ୍ଷେତ୍ରର ସମସ୍ୟାକୁ ଦିଲ୍ଲୀ ଦରବାରରେ ଉଠାଇବା ଏବଂ ନିଜ ଅଞ୍ଚଳର ଗାଁ, ଗଣ୍ଡା, ସହରର ବିକାଶ ପାଇଁ କାମ କରିବା। ଏହି କାମ ପାଇଁ କେନ୍ଦ୍ର ସରକାର ପ୍ରତ୍ୟେକ ସାଂସଦଙ୍କୁ ପ୍ରତିବର୍ଷ ୫ କୋଟି ଟଙ୍କାର ‘ଏମପିଲାଡ’ (MPLAD) ବା ସାଂସଦ ଆଞ୍ଚଳିକ ବିକାଶ ପାଣ୍ଠି ଯୋଗାଇ ଦିଅନ୍ତି।
ଦେଶର ଅନ୍ୟ ରାଜ୍ୟର ସାଂସଦମାନେ ଦାବି କରୁଛନ୍ତି ଯେ— “ଏହି ୫ କୋଟି ଟଙ୍କା ଆମ ଅଞ୍ଚଳ ପାଇଁ କମ୍ ପଡ଼ୁଛି, ଏହାକୁ ୧୦ କିମ୍ବା ୧୫ କୋଟିକୁ ବୃଦ୍ଧି କରାଯାଉ।” କିନ୍ତୁ ଆମ ଓଡ଼ିଶାର କାହାଣୀ ସମ୍ପୂର୍ଣ୍ଣ ଓଲଟା! ଆମ ରାଜ୍ୟର ସାଂସଦମାନଙ୍କ ପାଖକୁ ଯେତିକି ଟଙ୍କା ଆସୁଛି, ସେତିକି ବି ସେମାନେ ଖର୍ଚ୍ଚ କରିପାରୁନାହାନ୍ତି। କୋଟି କୋଟି ଟଙ୍କା ଫାଇଲ୍ ତଳେ ଚାପି ହୋଇ ପଡ଼ିରହିଛି, ଆଉ ଅନ୍ୟପଟେ ଆମ ଗାଁଗୁଡ଼ିକ ବିକାଶ ପାଇଁ ଛଟପଟ ହେଉଛନ୍ତି।
ଲୋକସଭା ସାଂସଦଙ୍କ ରିପୋର୍ଟ କାର୍ଡ (ସୀମିତ ଖର୍ଚ୍ଚର ସତ୍ୟ)
ଏମ୍ପପାୱାର୍ଡ ଇଣ୍ଡିଆନ ନାମକ ଏକ ସଂସ୍ଥା ଆମ ଦେଶର ସାଂସଦମାନଙ୍କର ହାତପାଣ୍ଠି ଖର୍ଚ୍ଚର ହିସାବ ପ୍ରକାଶ କରିଛି। ଏଥିରେ ଆମ ଦେଶର ଲୋକସଭା ଓ ରାଜ୍ୟସଭା ସାଂସଦମାନଙ୍କୁ କେତେଟଙ୍କା ହାତପାଣ୍ଠି ମିଳିଛି ଓ ସେଥିରୁ ବିକାଶମୂଳକ କାମ ପାଇଁ କେତେ ଖର୍ଚ୍ଚ କରାଯାଇଛି ତାର ହିସାବ ରହିଛି।
ପ୍ରଥମେ ନଜର ପକାଇବା ଆମ ଲୋକସଭା ସାଂସଦମାନଙ୍କ କାର୍ଯ୍ୟକଳାପ ଉପରେ। ଏମ୍ପପାୱାର୍ଡ ଇଣ୍ଡିଆନର ତଥ୍ୟ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ତାଲିକାର ଶୀର୍ଷରେ ଅଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା। ତାଙ୍କ ପାଖରେ ମୋଟ ୨୭ କୋଟି ଟଙ୍କାର ପାଣ୍ଠି ରହିଥିବାବେଳେ, ସେ ୫୮୯ଟି ପ୍ରକଳ୍ପ ପାଇଁ ମାତ୍ର ୬ କୋଟି ୨୦ ଲକ୍ଷ ଟଙ୍କା ଦେଇଛନ୍ତି। ଅର୍ଥାତ୍ ୨୦ କୋଟିରୁ ଅଧିକ ଟଙ୍କା ଅବ୍ୟବହୃତ!
ସେହିପରି ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ତାଙ୍କ ପାଖରେ ୧୪ କୋଟି ୭୦ ଲକ୍ଷ ଟଙ୍କା ଥିବାବେଳେ ସେ ୧୯୪ଟି ପ୍ରକଳ୍ପ ପାଇଁ ମାତ୍ର ୫ କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିଛନ୍ତି।
- କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ୧୯ କୋଟି ୧୦ ଲକ୍ଷରୁ ମାତ୍ର ୪ କୋଟି ୭୦ ଲକ୍ଷ ଟଙ୍କା ୨୯୭ଟି ପ୍ରକଳ୍ପ ପାଇଁ ଦେଇଛନ୍ତି।
- କଳାହାଣ୍ଡି ସାଂସଦ ମାଳବିକା ଦେବୀ ୧୪ କୋଟି ୭୦ ଲକ୍ଷରୁ ୩୨୦ଟି ପ୍ରକଳ୍ପ ପାଇଁ ମାତ୍ର ୪ କୋଟି ୨୦ ଲକ୍ଷ ଟଙ୍କା ଦେଇଛନ୍ତି।
- କୋରାପୁଟ, କନ୍ଧମାଳ, କଳାହାଣ୍ଡି ଭଳି ଅଞ୍ଚଳରେ ଯେଉଁଠି ଆଜି ବି ପାନୀୟ ଜଳ, ଭଲ ରାସ୍ତା, ଓ ସ୍କୁଲ ଗୃହର ଆବଶ୍ୟକତା ସବୁଠାରୁ ବେଶୀ, ସେଠାରେ ସାଂସଦମାନେ କୋଟି କୋଟି ଟଙ୍କା ପାଖରେ ଥାଇ ବି ଖର୍ଚ୍ଚ ନ କରି ବସିଛନ୍ତି!
ଏବେ ଆସନ୍ତୁ ରାଜ୍ୟର ଅନ୍ୟ ବଡ଼ ବଡ଼ ସଂସଦୀୟ କ୍ଷେତ୍ରକୁ
• ପୁରୀ ସାଂସଦ ସମ୍ବିତ ପାତ୍ର: ୧୪ କୋଟି ୭୦ ଲକ୍ଷରୁ ୭୦୦ଟି ପ୍ରକଳ୍ପ ପାଇଁ ମାତ୍ର ୩ କୋଟି ୫୦ ଲକ୍ଷ ଟଙ୍କା ଦେଇଛନ୍ତି।
• କଟକ ସାଂସଦ ଭର୍ତ୍ତୃହରି ମହତାବ: ୧୪ କୋଟି ୭୦ ଲକ୍ଷରୁ ୪୫୭ଟି ପ୍ରକଳ୍ପ ପାଇଁ ମାତ୍ର ୩ କୋଟି ୧୦ ଲକ୍ଷ ଟଙ୍କା ବ୍ୟବହାର କରିଛନ୍ତି।
• ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ: ୧୪ କୋଟି ୮୦ ଲକ୍ଷରୁ ମାତ୍ର ୩ କୋଟି ୧୦ ଲକ୍ଷ ଟଙ୍କା।
• କେନ୍ଦୁଝର ସାଂସଦ ଅନନ୍ତ ନାୟକ: ୧୪ କୋଟି ୭୦ ଲକ୍ଷରୁ ମାତ୍ର ୨ କୋଟି ୫୦ ଲକ୍ଷ ଟଙ୍କା।
• ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ: ୧୪ କୋଟି ୭୦ ଲକ୍ଷରୁ ମାତ୍ର ୨ କୋଟି ୬୦ ଲକ୍ଷ ଟଙ୍କା।
ସେମାନେ ଶତାଧିକ ପ୍ରକଳ୍ପ ସୁପାରିଶ କରିଛନ୍ତି ସତ, କିନ୍ତୁ ଦିଆଯାଉଥିବା ଟଙ୍କାର ପରିମାଣ ଏତେ କମ୍ ଯେ ପ୍ରକଳ୍ପଗୁଡ଼ିକ କେବଳ ନାମକୁ ମାତ୍ର ହୋଇ ରହିଯାଉଛି।
ଚିନ୍ତାଜନକ ଓ ଶୋଚନୀୟ ପ୍ରଦର୍ଶନ
କାହାଣୀ ଏତିକିରେ ସରିନାହିଁ। ଏବେ ଯେଉଁ ସାଂସଦମାନଙ୍କ ବିଷୟରେ ଆମେ କହିବାକୁ ଯାଉଛୁ, ସେମାନଙ୍କର ପାଣ୍ଠି ବ୍ୟବହାର ୧୫ ପ୍ରତିଶତରୁ ବି କମ୍!
• ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ: ୧୪ କୋଟି ୭୦ ଲକ୍ଷରୁ ମାତ୍ର ୧ କୋଟି ୯୦ ଲକ୍ଷ ଟଙ୍କା।
• ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ: ୧୪ କୋଟି ୭୦ ଲକ୍ଷରୁ ମାତ୍ର ୧ କୋଟି ୫୦ ଲକ୍ଷ ଟଙ୍କା।
• କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା: ୧୪ କୋଟି ୭୦ ଲକ୍ଷରୁ ମାତ୍ର ୧ କୋଟି ୪୦ ଲକ୍ଷ ଟଙ୍କା।
• ଆସ୍କା ସାଂସଦ ଅନୀତା ଶୁଭଦର୍ଶିନୀ: ୧୪ କୋଟି ୭୦ ଲକ୍ଷରୁ ମାତ୍ର ୧ କୋଟି ୩୦ ଲକ୍ଷ ଟଙ୍କା।
• ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ: ୧୪ କୋଟି ୭୦ ଲକ୍ଷରୁ ମାତ୍ର ୧ କୋଟି ୨୦ ଲକ୍ଷ ଟଙ୍କା।
• ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ: ୧୪ କୋଟି ୭୦ ଲକ୍ଷରୁ ମାତ୍ର ୧ କୋଟି ୨୦ ଲକ୍ଷ ଟଙ୍କା।
• ଯାଜପୁର ସାଂସଦ ରବି ନାରାୟଣ ବେହେରା: ୧୪ କୋଟି ୭୦ ଲକ୍ଷରୁ ମାତ୍ର ୮୬ ଲକ୍ଷ ୭୦ ହଜାର ଟଙ୍କା।
ଆମ ରାଜ୍ୟର କେତେକ ଅତି ହାଇପ୍ରୋଫାଇଲ୍ ନେତାଙ୍କ ସ୍ଥିତି!
- କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ! ତାଙ୍କ ଏମପିଲାଡ ପାଣ୍ଠି ୧୭ କୋଟି ୩୦ ଲକ୍ଷ ଟଙ୍କାରୁ ସେ ମାତ୍ର ୬୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି!
ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ— ୧୪ କୋଟି ୭୦ ଲକ୍ଷରୁ ମାତ୍ର ୨୫ ଲକ୍ଷ ୩୦ ହଜାର ଟଙ୍କା!
- ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି— ୧୫ କୋଟି ୫୦ ଲକ୍ଷରୁ ମାତ୍ର ୨୬ ଲକ୍ଷ ୩୦ ହଜାର ଟଙ୍କା!
- ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ— ୧୪ କୋଟି ୭୦ ଲକ୍ଷରୁ ମାତ୍ର ୩୨ ଲକ୍ଷ ୯୦ ହଜାର ଟଙ୍କା!
ଶେଷରେ ଆସୁଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ। ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ସେ ତାଙ୍କ ପାଣ୍ଠିରୁ ଟଙ୍କାଟିଏ ବି ଖର୍ଚ୍ଚ କରିନାହାନ୍ତି! ଶୂନ୍ୟ ଟଙ୍କା! ଯେଉଁ ଗଞ୍ଜାମ ଏବଂ ବ୍ରହ୍ମପୁରରେ ପାନୀୟ ଜଳର ସଙ୍କଟ, ଉପକୂଳିଆ ବିପର୍ଯ୍ୟୟ ଏବଂ ଗ୍ରାମୀଣ ରାସ୍ତାର ଦୁରବସ୍ଥା ନେଇ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି, ସେଠାରେ ସାଂସଦ ନିଜ ସରକାରୀ ପାଣ୍ଠିକୁ ଛୁଇଁ ବି ନାହାନ୍ତି!
ରାଜ୍ୟସଭା ସାଂସଦଙ୍କ ସ୍ଥିତି
ଯଦି ଆପଣ ଭାବୁଛନ୍ତି କେବଳ ପ୍ରତ୍ୟକ୍ଷ ନିର୍ବାଚିତ ଲୋକସଭା ସାଂସଦମାନେ ଏପରି କରୁଛନ୍ତି, ତେବେ ରୁହନ୍ତୁ! ରାଜ୍ୟସଭା ସାଂସଦମାନଙ୍କ ରିପୋର୍ଟ କାର୍ଡ ଆହୁରି ନିରାଶଜନକ।
• ଶୁଭାଶୀଷ ଖୁଣ୍ଟିଆ: ୧୪ କୋଟି ୭୦ ଲକ୍ଷରୁ ମାତ୍ର ୨୭ ଲକ୍ଷ ୧୦ ହଜାର ଟଙ୍କା।
• ମାନସ ରଞ୍ଜନ ମଙ୍ଗରାଜ: ୧୯ କୋଟି ୬୦ ଲକ୍ଷରୁ ମାତ୍ର ୧ କୋଟି ୩୦ ଲକ୍ଷ ଟଙ୍କା।
• କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ: ୨୬ କୋଟି ୬୦ ଲକ୍ଷ ଟଙ୍କାରୁ ମାତ୍ର ୧ କୋଟି ୩୦ ଲକ୍ଷ ଟଙ୍କା ୧୫ଟି ପ୍ରକଳ୍ପ ପାଇଁ ଦେଇଛନ୍ତି।
• ସସ୍ମିତ ପାତ୍ର: ୧୯ କୋଟି ୬୦ ଲକ୍ଷରୁ ମାତ୍ର ୨ କୋଟି ୮୦ ଲକ୍ଷ ଟଙ୍କା।
• ତୁଳନାତ୍ମକ ଭାବେ ସୁଲତା ଦେଓ ୧୯ କୋଟି ୬୦ ଲକ୍ଷରୁ ୮ କୋଟି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରି କିଞ୍ଚିତ୍ ଆଗରେ ଅଛନ୍ତି।
• କିନ୍ତୁ ସୁଜିତ କୁମାର… ୪ କୋଟି ୯୦ ଲକ୍ଷ ଟଙ୍କାରୁ କିଛି ବି ଟଙ୍କା ଖର୍ଚ୍ଚ କରିନାହାନ୍ତି!
• ଅନ୍ୟ ସାଂସଦ ମନମୋହନ ସାମଲ, ଦିଲ୍ଲୀପ ରାୟ, ଦେବାଶୀଷ ସାମନ୍ତରାୟ ଓ ସଂତୃପ୍ତ ମିଶ୍ରଙ୍କ ସମ୍ପରେ କୌଣସି ତଥ୍ୟ ନାହିଁ।
ଏହି ସବୁ ତଥ୍ୟ କେବଳ କିଛି ସଂଖ୍ୟା କିମ୍ବା ଫାଇଲ୍ର କାଗଜ ନୁହେଁ। ଏହା ଆମ ଓଡ଼ିଶା ପ୍ରତି ହେଉଥିବା ବଡ଼ ଅବହେଳାର ଜ୍ୱଳନ୍ତ ପ୍ରମାଣ।
ଟିକିଏ ଗମ୍ଭୀରତାର ସହ ଚିନ୍ତା କରନ୍ତୁ— ଆମ ଓଡ଼ିଶାର ଗାଁ ଗାଁରେ ଆଜି ବି ଆମ୍ବୁଲାନ୍ସ ପହଞ୍ଚିବା ପାଇଁ ପକ୍କା ରାସ୍ତା ନାହିଁ। ବହୁ ବିଦ୍ୟାଳୟରେ ପିଲାଙ୍କ ପାଇଁ ଶୌଚାଳୟ କିମ୍ବା ପାନୀୟ ଜଳର ସୁବିଧା ନାହିଁ। କ୍ରୀଡ଼ାବିତ୍ମାନଙ୍କ ପାଇଁ ଗାଁରେ ଛୋଟ ଖେଳପଡ଼ିଆଟିଏ ନାହିଁ, କି ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକୀୟ ଯନ୍ତ୍ରପାତି ନାହିଁ। ଏସବୁ ଛୋଟ ଛୋଟ କାମ ପାଇଁ କେନ୍ଦ୍ର ସରକାର ସାଂସଦମାନଙ୍କୁ ସିଧାସଳଖ ପାଣ୍ଠି ଦିଅନ୍ତି, ଯେପରି ସେମାନେ କୌଣସି ଅମଲାତନ୍ତ୍ରର ଜାଲରେ ନ ଫସି ସିଧାସଳଖ ଲୋକଙ୍କ ସେବା କରିପାରିବେ।
କିନ୍ତୁ ଆମ ସାଂସଦମାନେ କ’ଣ କରୁଛନ୍ତି? ନିର୍ବାଚନ ସମୟରେ ହାତ ଯୋଡ଼ି ଭୋଟ୍ ମାଗିବା, ବଡ଼ ବଡ଼ ଭାଷଣ ଦେବା, ଆଉ ଜିତିଲା ପରେ ଦିଲ୍ଲୀ କିମ୍ବା ଭୁବନେଶ୍ୱରରେ ବସି ନିଜ ନିଜର ଦଳୀୟ ରାଜନୀତି କରିବା— ଏତିକିରେ କ’ଣ ସେମାନଙ୍କ ଦାୟିତ୍ୱ ସରିଗଲା?
ଯଦି ଟଙ୍କା ଖର୍ଚ୍ଚ କରିବା ପାଇଁ ଯୋଜନା ନାହିଁ, ଯଦି ନିଜ ଅଞ୍ଚଳର ସମସ୍ୟା କ’ଣ ସେ ବିଷୟରେ ଜ୍ଞାନ ନାହିଁ, ତେବେ ଏହି ନେତାମାନଙ୍କୁ ଜିତାଇ ଆମେ ସଂସଦକୁ ପଠାଉଛେ କାହିଁକି? ଦେଶର ଅନ୍ୟ ରାଜ୍ୟର ସାଂସଦମାନେ ନିଜ ଅଞ୍ଚଳର ବିକାଶ ପାଇଁ କେନ୍ଦ୍ରରୁ ଅଧିକ ପାଣ୍ଠି ଆଣିବାକୁ ଲଢ଼େଇ କରୁଛନ୍ତି, ଆଉ ଆମ ସାଂସଦମାନେ ମିଳିଥିବା ଟଙ୍କାକୁ ବି ବ୍ୟବହାର ନକରି ଫେରାଇ ଦେବାକୁ ବସିଛନ୍ତି!
ଏହା କ’ଣ ଆମ ରାଜ୍ୟର ଅଗ୍ରଗତିରେ ପ୍ରତିବନ୍ଧକ ନୁହେଁ? ଏହା କ’ଣ ସେହି ଆଶାୟୀ ଓଡ଼ିଆ ଜନସାଧାରଣଙ୍କ ସହ ବିଶ୍ୱାସଘାତକତା ନୁହେଁ, ଯେଉଁମାନେ ଗୋଟିଏ ଭୋଟ୍ ଦେଇ ସେମାନଙ୍କୁ ସଂସଦକୁ ପଠାଇଥିଲେ?
ଆଜି ସମୟ ଆସିଛି, ପ୍ରଶ୍ନ ପଚାରିବାର। ନିଜ ନିଜ ଅଞ୍ଚଳର ସାଂସଦଙ୍କୁ ଘେରିବାକୁ ପଡ଼ିବ ଏବଂ ପଚାରିବାକୁ ପଡ଼ିବ— “ଆମ ବିକାଶ ପାଇଁ ଆସିଥିବା ଟଙ୍କା କୁଆଡ଼େ ଗଲା?”


