ଓଡ଼ିଶା ରାଜନୀତିର ଇତିହାସ କେବଳ କ୍ଷମତାର ଇତିହାସ ନୁହେଁ, ଏହା ହେଉଛି ବ୍ୟକ୍ତିତ୍ୱ, ଆଦର୍ଶ ଏବଂ ସମୟକ୍ରମେ ସେହି ଆଦର୍ଶରୁ ହୋଇଥିବା ବିଚ୍ୟୁତିର ଏକ ଦୀର୍ଘ କାହାଣୀ। ରାଜ୍ୟର ସର୍ବବୃହତ୍ ଆଞ୍ଚଳିକ ଦଳ— ବିଜୁ ଜନତା ଦଳ ବା ବିଜେଡି। ଦଳର ନାଁଟି କାହାର? ଓଡ଼ିଶାର ଗର୍ବ, ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନାମ। ୧୯୯୭ ମସିହାରେ ଯେତେବେଳେ ଏହି ଦଳ ଜନ୍ମ ନେଲା, ସେତେବେଳେ ରାଜ୍ୟବାସୀଙ୍କୁ କୁହାଯାଇଥିଲା— ଏହି ଦଳ ବିଜୁ ପଟ୍ଟନାୟକଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବ। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଦଳର ସର୍ବମୟ କର୍ତ୍ତା ହୋଇ ରହିଛନ୍ତି ବିଜୁ ପଟ୍ଟନାୟକଙ୍କ ସାନ ପୁଅ ନବୀନ ପଟ୍ଟନାୟକ।
କିନ୍ତୁ ଆଜି, ୨୦୨୬ ମସିହାରେ ଠିଆ ହୋଇ ଯେତେବେଳେ ଆମେ ରାଜ୍ୟର ସ୍ଥିତିକୁ ଦେଖୁଛୁ, ଗୋଟିଏ ବିରାଟ ବଡ଼ ପ୍ରଶ୍ନ ସାମ୍ନାକୁ ଆସୁଛି— ନବୀନ ପଟ୍ଟନାୟକ କ’ଣ ବାସ୍ତବରେ ବିଜୁ ପଟ୍ଟନାୟକଙ୍କ ରାସ୍ତାରେ ଚାଲିଛନ୍ତି? ନା ବିଜୁ ପଟ୍ଟନାୟକ ଯାହା କହୁଥିଲେ, ଯାହା ଚାହୁଁଥିଲେ, ନବୀନ ପଟ୍ଟନାୟକ ତାର ଠିକ୍ ଓଲଟା କାର୍ଯ୍ୟ କରିଚାଲିଛନ୍ତି? ବିଜୁ ପଟ୍ଟନାୟକଙ୍କ ନୀତି ଓ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀ ମଧ୍ୟରେ ଥିବା ଏହି ଆକାଶ-ପାତାଳ ଫରକ ଆଜି କାହିଁକି ଏତେ ଚର୍ଚ୍ଚାରେ?
ନେତୃତ୍ୱ ଓ ସହଯୋଗୀଙ୍କ ପ୍ରତି ବ୍ୟବହାର— ନେତା ବନାମ ପଟ୍ଟନାୟକରାଜ
ରାଜନୀତିରେ ନୀତି ଯେତିକି ଗୁରୁତ୍ୱପୂର୍ଣ୍ଣ, ମଣିଷ ଚିହ୍ନିବା ଏବଂ ସହଯୋଗୀଙ୍କୁ ସମ୍ମାନ ଦେବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ବିଜୁ ପଟ୍ଟନାୟକଙ୍କ ସମୟକୁ ଥରେ ମନେ ପକାନ୍ତୁ। ବିଜୁ ପଟ୍ଟନାୟକ ଥିଲେ ଜଣେ ଜନନେତା। ସେ ନେତାମାନଙ୍କୁ ଭଲ ପାଉଥିଲେ, ଲୋକଙ୍କ ସହ ଯୋଡ଼ି ହୋଇଥିବା ମାଟିର ମଣିଷଙ୍କୁ ଗଢ଼ୁଥିଲେ। ବିଜୟ ମହାପାତ୍ର ହୁଅନ୍ତୁ, ନଳିନୀ ମହାନ୍ତି ହୁଅନ୍ତୁ, ଡାକ୍ତର ଦାମୋଦର ରାଉତ, ପ୍ରସନ୍ନ ଆଚାର୍ଯ୍ୟ କିମ୍ବା ରଣେନ୍ଦ୍ର ପ୍ରତାପ ସ୍ୱାଇଁ— ଏହିମାନେ ଥିଲେ ବିଜୁ ପଟ୍ଟନାୟକଙ୍କ ହାତଗଢ଼ା ସେନାପତି। ବିଜୁ ପଟ୍ଟନାୟକ ସେମାନଙ୍କୁ ସ୍ନେହ କରୁଥିଲେ, ସେମାନଙ୍କ କଥା ଶୁଣୁଥିଲେ ଏବଂ ସେମାନଙ୍କୁ ରାଜନୈତିକ ଶକ୍ତି ଦେଉଥିଲେ।
କିନ୍ତୁ ନବୀନ ପଟ୍ଟନାୟକ କ୍ଷମତାକୁ ଆସିବା ପରେ କ’ଣ କଲେ?
ଇତିହାସ ସାକ୍ଷୀ ଅଛି— ନବୀନ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ବିଜୁ ପଟ୍ଟନାୟକଙ୍କ ଅତ୍ୟନ୍ତ ପ୍ରିୟ ଓ ବିଶ୍ୱସ୍ତ ନେତାମାନଙ୍କୁ ଦଳରୁ କାଟି କାଟି ବାହାର କରିଦେଲେ। ଯେଉଁମାନେ ରାଜରାସ୍ତାରେ ଝାଳ ବୁହାଇ ବିଜୁ ଜନତା ଦଳକୁ ପ୍ରତିଷ୍ଠା କରିଥିଲେ, ଯେଉଁମାନେ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଚେୟାରରେ ବସାଇଥିଲେ, ସେମାନଙ୍କୁ ଅତି ନିର୍ଦ୍ଦୟ ଭାବରେ ରାଜନୈତିକ ନିର୍ବାସନକୁ ପଠାଇ ଦିଆଗଲା। ବିଜୟ ମହାପାତ୍ରଙ୍କ ଟିକେଟ୍ କାଟିବାଠାରୁ ଆରମ୍ଭ କରି ଦାମୋଦର ରାଉତଙ୍କୁ ବହିଷ୍କାର କରିବା ପର୍ଯ୍ୟନ୍ତ— ସବୁଠି ଦେଖିବାକୁ ମିଳିଲା ଏକ ଅଦ୍ଭୁତ କ୍ରୂରତା। ଯଦିଓ ଦଳରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରସନ୍ନ ଆଚାର୍ଯ୍ୟ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦଳରେ ଅଛନ୍ତି କିନ୍ତୁ ଗୁରୁତ୍ୱ ନାହିଁ।
ଏବେ ଦେଖନ୍ତୁ ଶାସନ ପ୍ରଣାଳୀର ଫରକ: ବିଜୁ ପଟ୍ଟନାୟକ ସବୁବେଳେ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ପ୍ରାଧାନ୍ୟ ଦେଉଥିଲେ। ଅଫିସରମାନେ ନୀତି ନିର୍ଦ୍ଧାରଣରେ ସହଯୋଗ କରୁଥିଲେ ସତ, କିନ୍ତୁ ଅନ୍ତିମ କ୍ଷମତା ଥିଲା ଜନତାଙ୍କ ଦ୍ୱାରା ନିର୍ବାଚିତ ନେତାଙ୍କ ହାତରେ। ବିଜୁ ପଟ୍ଟନାୟକ ଓଡ଼ିଆ ଅଫିସରଙ୍କ ସ୍ୱାଭିମାନ ଓ ଦକ୍ଷତାକୁ ସମ୍ମାନ ଦେଉଥିଲେ।
ଅନ୍ୟପଟେ ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନ କାଳରେ କ’ଣ ହେଲା? ନେତାମାନେ ପାଲଟିଗଲେ ଶକ୍ତିହୀନ ସନ୍ତକ। ମନ୍ତ୍ରୀ ଓ ବିଧାୟକମାନଙ୍କର କୌଣସି ମୂଲ୍ୟ ରହିଲା ନାହିଁ। କ୍ଷମତା କେନ୍ଦ୍ରୀଭୂତ ହେଲା କିଛି ହାତଗଣତି ଅଣ-ଓଡ଼ିଆ ଅଫିସରଙ୍କ ହାତରେ। ଓଡ଼ିଶାର ଶାସନ ବ୍ୟବସ୍ଥାକୁ ଏକ କର୍ପୋରେଟ୍ ଅଫିସ୍ ଭଳି ଚଳାଗଲା, ଯେଉଁଠି ମାଟିର ନେତାଙ୍କ ସ୍ୱର ଶୁଣିବାକୁ କେହି ନଥିଲେ। ବାପା ଯେଉଁଠି ନେତାଙ୍କୁ ଆଗକୁ ନେଉଥିଲେ, ପୁଅ ସେଇଠି ଅଫିସରଙ୍କ ହାତରେ ରାଜ୍ୟକୁ ଟେକିଦେଲେ।
୧୯୯୦ ଦଶକର ଇତିହାସ ଓ ଖଣିଜ ଉଦାରୀକରଣର ସତ୍ୟ
ଏବେ ଆସନ୍ତୁ ଆଜିର ସବୁଠାରୁ ବଡ଼ ପ୍ରସଙ୍ଗ ଉପରକୁ— ଯାହାକୁ ନେଇ ଓଡ଼ିଶାରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ତାହା ହେଉଛି: ଖଣି ନୀତି ଏବଂ ଏମଏମଡିଆର (MMDR) ଆଇନ ସଂଶୋଧନ।
ଆଜି ନବୀନ ପଟ୍ଟନାୟକ ଖଣି ସଂସ୍କାର ବିରୋଧରେ ରାଜରାସ୍ତାକୁ ଓହ୍ଲାଉଛନ୍ତି। କିନ୍ତୁ ଏହାର ପ୍ରକୃତ ଇତିହାସ କ’ଣ? ଏହାକୁ ବୁଝିବାକୁ ହେଲେ ଆମକୁ ୩୦ ବର୍ଷ ପଛକୁ, ଅର୍ଥାତ୍ ୧୯୯୦ ଦଶକକୁ ଯିବାକୁ ପଡ଼ିବ।
୧୯୯୧ ମସିହାରେ ଯେତେବେଳେ କେନ୍ଦ୍ରରେ ପି.ଭି. ନରସିଂହ ରାଓଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଆସିଲା, ସେତେବେଳେ ଦେଶରେ ‘ଅର୍ଥନୈତିକ ଉଦାରୀକରଣ’ ବା Liberalization ଆରମ୍ଭ ହେଲା। ଦେଶର ବନ୍ଦ ଅର୍ଥନୀତିକୁ ଖୋଲି ଦିଆଗଲା। ଏହାର ଅଂଶବିଶେଷ ଭାବେ ୧୯୯୩ ମସିହାରେ ଆସିଲା “ଜାତୀୟ ଖଣିଜ ନୀତି” (National Mineral Policy 1993)।
ଏହି ନୀତିର ଉଦ୍ଦେଶ୍ୟ କ’ଣ ଥିଲା? ୧୯୯୩ ପୂର୍ବରୁ ଦେଶର ଅଧିକାଂଶ ପ୍ରମୁଖ ଖଣି କେବଳ ସରକାରୀ କମ୍ପାନୀ ବା PSU ମାନଙ୍କ ପାଇଁ ସଂରକ୍ଷିତ ଥିଲା। ଫଳସ୍ୱରୂପ, ଖଣିଜ ସମ୍ପଦ ମାଟି ତଳେ ହିଁ ପଡ଼ିରହୁଥିଲା। ନା ଶିଳ୍ପ ହେଉଥିଲା, ନା ରାଜସ୍ୱ ମିଳୁଥିଲା, ନା ଲୋକଙ୍କୁ ଚାକିରି ମିଳୁଥିଲା। ନରସିଂହ ରାଓ ସରକାର ଏହି ଖଣିଗୁଡ଼ିକୁ ଡି-ରିଜର୍ଭ (De-reserve) କଲେ, ଯାହାଫଳରେ ଘରୋଇ ଓ ବିଦେଶୀ କମ୍ପାନୀମାନେ ପୁଞ୍ଜିନିବେଶ କରି ଖଣି ଉତ୍ତୋଳନ ଓ ଶିଳ୍ପ ସ୍ଥାପନ କରିପାରିବେ। ୧୯୯୪ ଜାନୁଆରୀ ୨୫ରେ ଏହାକୁ ଏମଏମଡିଆର ଆଇନ ସଂଶୋଧନ ଭାବେ ସାରା ଦେଶରେ ଲାଗୁ କରାଗଲା।
ଏଠାରେ ଆଉ ଏକ ମଜାଦାର କଥା ଦେଖନ୍ତୁ— ଯେଉଁ କଂଗ୍ରେସ ଦଳ ୧୯୯୩-୯୪ରେ ଏହି ସଂସ୍କାର ଆଣିଥିଲା, ଆଜି ସେହି କଂଗ୍ରେସ ନିଜ ଆଦର୍ଶରୁ ଓହରିଯାଇ ରାହୁଲ ଗାନ୍ଧୀଙ୍କଠାରୁ ଆରମ୍ଭ କରି ଓଡ଼ିଶାର ଭକ୍ତ ଚରଣ ଦାସଙ୍କ ପର୍ଯ୍ୟନ୍ତ ଏହାକୁ ବିରୋଧ କରୁଛନ୍ତି। ରାଜନୀତିରେ କଂଗ୍ରେସର ଏଭଳି ଦୋମୁହାଁ ନୀତି ନୂଆ ନୁହେଁ। କିନ୍ତୁ ଆଜି ଆମର ପ୍ରଶ୍ନ ହେଉଛି ବିଜୁ ଜନତା ଦଳକୁ ନେଇ!
ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଶିଳ୍ପ ଓ ଖଣି ଦର୍ଶନ
୧୯୯୩-୯୪ରେ ଯେତେବେଳେ କେନ୍ଦ୍ର ସରକାର ଏହି ଖଣି ଉଦାରୀକରଣ ଆଣିଲେ, ସେତେବେଳେ ଓଡ଼ିଶାରେ କାହାର ସରକାର ଥିଲା? ସେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ଖୋଦ୍ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକ! ଏବଂ ସବୁଠାରୁ ବଡ଼ କଥା ହେଉଛି, ରାଜ୍ୟ ଇସ୍ପାତ ଓ ଖଣି ବିଭାଗର ଦାୟିତ୍ୱ ମଧ୍ୟ ତାଙ୍କରି ହାତରେ ଥିଲା।
ସେତେବେଳେ ବିଜୁ ପଟ୍ଟନାୟକ କ’ଣ କହିଥିଲେ? ସେ କ’ଣ କେନ୍ଦ୍ର ସରକାରଙ୍କ ବିରୋଧରେ ଧାରଣା ଦେଇଥିଲେ? ବିରୋଧ କରିଥିଲେ? ବିଲକୁଲ୍ ନୁହେଁ!
ବିଜୁ ପଟ୍ଟନାୟକ ଜଣେ ଦୂରଦୃଷ୍ଟିସମ୍ପନ୍ନ ନେତା ଥିଲେ। ସେ ଜାଣିଥିଲେ ଯେ ମାଟି ତଳେ ଲୁହାପଥର ଓ ବକ୍ସାଇଟ୍ ସାଇତି ରଖିଦେଲେ ଓଡ଼ିଶାର ଲୋକଙ୍କ ପେଟ ପୂରିବ ନାହିଁ। ଓଡ଼ିଶାରୁ ଦାରିଦ୍ର୍ୟ ଦୂର କରିବାକୁ ହେଲେ ଖଣିଜ ସମ୍ପଦକୁ ଉତ୍ତୋଳନ କରିବାକୁ ପଡ଼ିବ, ବିରାଟ ବିରାଟ ଇସ୍ପାତ ଓ ଆଲୁମିନିୟମ କାରଖାନା ବସାଇବାକୁ ପଡ଼ିବ, ଏବଂ ଲକ୍ଷ ଲକ୍ଷ ଓଡ଼ିଆ ଯୁବକଙ୍କ ପାଇଁ ରୋଜଗାର ସୃଷ୍ଟି କରିବାକୁ ହେବ।
ସେଥିପାଇଁ ବିଜୁ ପଟ୍ଟନାୟକ ଖଣି ଉଦାରୀକରଣକୁ କେବଳ ସମର୍ଥନ କରିନଥିଲେ, ବରଂ ନିଜେ ଲଣ୍ଡନ ଯାଇ ଆନ୍ତର୍ଜାତୀୟ ଶିଳ୍ପପତି ସ୍ୱରାଜ ପଲ୍ (Swraj Paul)ଙ୍କୁ ନିମନ୍ତ୍ରଣ କରି ଓଡ଼ିଶା ଆଣିଥିଲେ। ଯାଜପୁରର ଦୈତାରୀ-କଳିଙ୍ଗନଗରରେ ଦ୍ୱିତୀୟ ବୃହତ୍ ଇସ୍ପାତ କାରଖାନା ପାଇଁ ନିଜେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେତେବେଳର ବିରୋଧୀ ଦଳ ନେତା ଜାନକୀ ବଲ୍ଲଭ ପଟ୍ଟନାୟକ ମଧ୍ୟ ରାଜ୍ୟର ସ୍ୱାର୍ଥ ଦେଖି ଏହାକୁ ସ୍ୱାଗତ କରିଥିଲେ। ଦକ୍ଷିଣ କୋରିଆର ବିରାଟ କମ୍ପାନୀ ‘ପୋସ୍କୋ’ (POSCO) ଓଡ଼ିଶା ଆସିବା ପଛରେ ମଧ୍ୟ ପ୍ରଥମ ମଞ୍ଜି ବିଜୁ ପଟ୍ଟନାୟକଙ୍କ ସମୟରେ ହିଁ ବୁଣା ଯାଇଥିଲା।
ବିଜୁ ପଟ୍ଟନାୟକ କେବେ ସଂକୀର୍ଣ୍ଣ ଦଳୀୟ ରାଜନୀତି କରିନଥିଲେ। କେନ୍ଦ୍ରରେ କଂଗ୍ରେସ ଥାଉ କି ବିଜେପି, ଯଦି କୌଣସି ପଲିସି ଓଡ଼ିଶାର ବିକାଶ ଓ ଶିଳ୍ପାୟନ ପାଇଁ ସହାୟକ ହେଉଥିଲା, ବିଜୁ ପଟ୍ଟନାୟକ ତାକୁ ଖୋଲା ହୃଦୟରେ ଆପଣେଇ ନେଉଥିଲେ।
କିନ୍ତୁ ପରବର୍ତ୍ତୀ ସମୟରେ ନବୀନ ପଟ୍ଟନାୟକଙ୍କ ଶାସନରେ କ’ଣ ହେଲା? ପୋସ୍କୋ ଏବଂ ଆର୍ସେଲର ମିତ୍ତଲ ଭଳି ବିଶ୍ୱସ୍ତରୀୟ ଶିଳ୍ପ ସଂସ୍ଥା ବୁଝାମଣା ପତ୍ର ସ୍ୱାକ୍ଷର କରି ମଧ୍ୟ କାହିଁକି ଫେରିଗଲେ? ଅଫିସରମାନଙ୍କ ଟାଳଟୁଳ ନୀତି ଏବଂ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଓଡ଼ିଶାର ହାତରୁ ଲକ୍ଷ ଲକ୍ଷ କୋଟି ଟଙ୍କାର ନିବେଶ ଚାଲିଗଲା।
୨୦୧୫, ୨୦୨୧ ବନାମ ୨୦୨୬— ନବୀନଙ୍କ ରାଜନୈତିକ ୟୁ-ଟର୍ଣ୍ଣ
ଏବେ ଆସନ୍ତୁ ସବୁଠାରୁ ରୋଚକ ତଥ୍ୟ ଉପରକୁ। ୨୪ ବର୍ଷ କ୍ଷମତାରେ ରହିବା ପରେ, ବିରୋଧୀ ଆସନରେ ବସିଲା କ୍ଷଣି ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟ କିପରି ୧୮୦ ଡିଗ୍ରୀ ବଦଳିଗଲା?
ଏହି ତାରିଖଗୁଡ଼ିକୁ ଧ୍ୟାନ ଦେଇ ଦେଖନ୍ତୁ:
- ୨୦୧୫ ମସିହା: କେନ୍ଦ୍ରର ମୋଦୀ ସରକାର ଯେତେବେଳେ MMDR ଆଇନରେ ଐତିହାସିକ ସଂଶୋଧନ ଆଣି ଖଣିଗୁଡ଼ିକର ‘ନିଲାମ’ (Auction) ପ୍ରକ୍ରିୟା ଆରମ୍ଭ କଲେ, ନବୀନ ପଟ୍ଟନାୟକ ଓ ବିଜେଡି ତାକୁ ସଂସଦରେ ପୂର୍ଣ୍ଣ ସମର୍ଥନ କଲେ।
- ୨୦୨୧ ମସିହା: ଯେତେବେଳେ ଖଣି ନିୟମାବଳୀକୁ ଆହୁରି ସରଳ କରାଗଲା, ସେତେବେଳେ ମଧ୍ୟ ବିଜେଡି ସମର୍ଥନ କଲା। ସେତେବେଳେ ବିଜେଡିର ମନ୍ତ୍ରୀ ଓ ସାଂସଦମାନେ ଗର୍ବର ସହ କହୁଥିଲେ ଯେ— ଏହି ସଂସ୍କାର ଯୋଗୁଁ ଓଡ଼ିଶାର ଖଣି ରାଜସ୍ୱ ୫ ହଜାର କୋଟିରୁ ବୃଦ୍ଧି ପାଇ ୫୦ ହଜାର କୋଟିରେ ପହଞ୍ଚିଛି!
କିନ୍ତୁ ଆଜି ୨୦୨୬ରେ ଏମିତି କ’ଣ ବଦଳିଗଲା?
ଯେତେବେଳେ ବିଜେଡି କ୍ଷମତାରୁ ବାହାରି ବିରୋଧୀ ଦଳ ଆସନରେ ବସିଲା, ହଠାତ୍ ସେହି ଖଣି ସଂସ୍କାର ନବୀନ ପଟ୍ଟନାୟକଙ୍କ ପାଇଁ ‘ଓଡ଼ିଶା ବିରୋଧୀ’ ହୋଇଗଲା! ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖା ଚାଲିଛି, ରାସ୍ତାରେ ପ୍ରତିବାଦ ହେଉଛି, ପ୍ରେସ୍ ମିଟ୍ କରି ବିଷୋଦଗାର କରାଯାଉଛି।
ପ୍ରଶ୍ନ ଉଠୁଛି— ଯେଉଁ ଖଣି ସଂସ୍କାର ଶାସନରେ ଥିବାବେଳେ ୨୦୧୫ ଓ ୨୦୨୧ରେ ରାଜ୍ୟ ପାଇଁ ଲାଭଜନକ ଥିଲା, ୨୦୨୬ରେ କ୍ଷମତା ହରାଇବା ପରେ ତାହା ହଠାତ୍ ରାଜ୍ୟର ସ୍ୱାର୍ଥ ବିରୋଧୀ କିପରି ହୋଇଗଲା? ଏହା କ’ଣ ବିଜୁ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ଆଦର୍ଶ, ନା ବିରୋଧୀ ଦଳ ଭାବେ ତିଷ୍ଠି ରହିବା ପାଇଁ ଏକ ସୁବିଧାବାଦୀ ରାଜନୈତିକ ଷ୍ଟଣ୍ଟ?
ଆଜି ରାଜ୍ୟବାସୀ ପଚାରୁଛନ୍ତି— ନବୀନ ପଟ୍ଟନାୟକ ଯାହା କହୁଛନ୍ତି, ତାହା ତାଙ୍କର ନିଜସ୍ୱ ବିଚାର ତ? ନା ପରଦା ପଛରେ ଥାଇ ଏବେ ବି କୌଣସି ଅଦୃଶ୍ୟ ଶକ୍ତି ବା ପରାମର୍ଶଦାତା ନିଜ ସ୍ୱାର୍ଥ ପାଇଁ ଦଳକୁ ଏଭଳି ପରିଚାଳିତ କରୁଛନ୍ତି?
ବିଜୁ ପଟ୍ଟନାୟକ କେବଳ ଜଣେ ରାଜନେତା ନଥିଲେ, ସେ ଥିଲେ ଏକ ଚିନ୍ତାଧାରା। ସେ ଥିଲେ ସାହସ, ସ୍ୱାଭିମାନ ଏବଂ ବିକାଶର ପ୍ରତୀକ। ସେ ନିଜ ଜୀବନସାରା ଓଡ଼ିଶାର ଖଣିଜ ସମ୍ପଦକୁ ଉପଯୋଗ କରି ଏକ ଶିଳ୍ପ ସମୃଦ୍ଧ, ଆତ୍ମନିର୍ଭରଶୀଳ ଓଡ଼ିଶା ଗଢ଼ିବାକୁ ଚାହୁଁଥିଲେ।
କିନ୍ତୁ ଆଜି ବିଜୁ ପଟ୍ଟନାୟକଙ୍କ ନାମରେ ଗଢ଼ା ହୋଇଥିବା ଦଳ ଯେତେବେଳେ ଖଣି ସଂସ୍କାରକୁ ବିରୋଧ କରି ରାଜନୈତିକ ଫାଇଦା ଖୋଜୁଛି, ସେତେବେଳେ ସ୍ପଷ୍ଟ ଜଣାପଡୁଛି ଯେ ବିଜେଡି ଆଜି ବିଜୁ ପଟ୍ଟନାୟକଙ୍କ ମୂଳ ଆଦର୍ଶରୁ କେତେ ଦୂରକୁ ଚାଲିଆସିଛି। ବାପା ଯେଉଁଠି ଓଡ଼ିଶାର ଭବିଷ୍ୟତ ପାଇଁ ସଂସ୍କାରକୁ ସ୍ୱାଗତ କରୁଥିଲେ, ପୁଅ ସେଇଠି କ୍ଷମତା ହରାଇବା ପରେ ସେହି ସଂସ୍କାରର ରାସ୍ତାରେ କଣ୍ଟା ସାଜୁଛନ୍ତି।
ରାଜ୍ୟର ଖଣିଜ ସମ୍ପଦକୁ ନେଇ କ୍ଷମତା ପାଇଁ ରାଜନୀତି ହେବା ଉଚିତ, ନା ବିଜୁ ପଟ୍ଟନାୟକଙ୍କ ଭଳି ଉଦାର ମନୋଭାବ ରଖି ଓଡ଼ିଶାର ଆର୍ଥିକ ଭବିଷ୍ୟତ ନିର୍ମାଣ ହେବା ଉଚିତ— ଏହା ହିଁ ଆଜିର ସବୁଠାରୁ ବଡ଼ ପ୍ରଶ୍ନ।


