Odisha: ରାଜ୍ୟ ବାହାରେ କର୍ମନିଯୁକ୍ତି ସୃଷ୍ଟି ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସହାୟକ ହେବ ।
ଓଡ଼ିଶା ସରକାରଙ୍କ ‘ଯୋଜନା ଓ ସଂଯୋଜନ ବିଭାଗ’ ଏବଂ ‘ଦି କନଭରଜେନ୍ସ ଫାଉଣ୍ଡେସନ(ଟିସିଏଫ୍)’, ମୁଖ୍ୟାଳୟ-ନୂଆଦିଲ୍ଲୀ ମଧ୍ୟରେ କର୍ମ ନିଯୁକ୍ତି ଏବଂ ଉତ୍ପାଦନକ୍ଷମ ରୋଜଗାର ସୃଷ୍ଟି( ଜବ୍ କ୍ରିଏସନ ଆଣ୍ଡ ପ୍ରଡକ୍ଟିଭ ଏମ୍ପଲ୍ଏମେଣ୍ଟ) ସଂପର୍କିତ ଏକ ବୁଝାମଣାପତ୍ର (ଏମଓୟୁ) ଗୁରୁବାର ଲୋକସେବା ଭବନରେ ସ୍ୱାକ୍ଷରିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଉପସ୍ଥିତିରେ ରାଜ୍ୟସରକାରଙ୍କ ପକ୍ଷରୁ ଶିଳ୍ପବିଭାଗ ଅତିରିକ୍ତ ମୁଖ୍ୟଶାସନସଚିବ ହେମନ୍ତ ଶର୍ମାଏବଂ ଟିସିଏଫର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶିଷ ଧାୱନଙ୍କ ମଧ୍ୟରେ ଏହି ଏମଓୟୁ ସ୍ୱାକ୍ଷରିତ ହେବା ସହ ଏହିସହଯୋଗକୁ ଆନୁଷ୍ଠାନିକ ରୂପ ଦିଆଯାଇଛି ।
ଏହି ବୁଝାମଣାପତ୍ର ଦ୍ୱାରା ଓଡ଼ିଶା ସରକାରଙ୍କ ରହିଥିବା ବିଭିନ୍ନ ବିକାଶମୂଳକ ନୀତି ଏବଂ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ଦିଗରେ ରଣନୈତିକ ସହାୟତା ଉପଲବ୍ଧ ହେବ, ଯାହା ରାଜ୍ୟର ଉତ୍ପାଦନକ୍ଷମ ନିଯୁକ୍ତି ସୃଷ୍ଟି ଆଭିମୁଖ୍ୟକୁ ଫଳପ୍ରସୂ କରିବ । ଉତ୍ପାଦନ ଏବଂ ସେବାକ୍ଷେତ୍ରରେ ନିଯୁକ୍ତି ସୃଷ୍ଟି , କୃଷି ଉତ୍ପାଦକତା ଓ ଜୀବିକା ବୃଦ୍ଧି, ମହିଳାମାନଙ୍କ ପାଇଁ ସ୍ଥାୟୀ ଜୀବିକା ବିକଶିତ କରିବା, ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଏବଂ ରାଜ୍ୟର କୁଶଳୀ ପ୍ରତିଭାମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ସହ ରାଜ୍ୟ ଏବଂ ରାଜ୍ୟ ବାହାରେ କର୍ମନିଯୁକ୍ତି ସୃଷ୍ଟି ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସହାୟକ ହେବ ।
କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ,ରାଜ୍ୟର ଦୃତ ଅର୍ଥନୈତିକ ଅଭିବୃଦ୍ଧିସହ ଅଧିକରୁ ଅଧିକ ରୋଜଗାର ସୃଷ୍ଟି ପାଇଁ ରାଜ୍ୟ ସରକାର ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି। ଦୀର୍ଘମିଆଦୀ ନିରନ୍ତର ଅଭିବୃଦ୍ଧି ହାସଲ କରିବା ପାଇଁ ରାଜ୍ୟକୁ ତଥ୍ୟଭିତ୍ତିକ ବୈଷୟିକ ପରାମର୍ଶର ଆବଶ୍ୟକତା ରହିଛି, ଯାହାଦ୍ୱାରା ଅଭିବୃଦ୍ଧି ପାଇଁ ଏକ ସାମଗ୍ରିକ ରୋଡ଼ମ୍ୟାପ ବିକଶିତ ହେବ । ଏଥିପାଇଁ ଟିସିଏଫ୍ ତରଫରୁ ଗୁରୁତ୍ୱପୂର୍ଣ୍ଣ ସହଯୋଗ ମିଳିବ।
କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଏହି ବୁଝାମଣା ପତ୍ର ସ୍ୱାକ୍ଷରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରି କହିଲେ ଯେ, ରାଜ୍ୟ ସରକାର ୨୦୩୬ସୁଦ୍ଧା ବିକଶିତ ଓଡ଼ିଶା ସହ ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ରଖି କାର୍ଯ୍ୟ କରୁଛନ୍ତି । ରାଜ୍ୟରେ ରହିଥିବା ବନ୍ଦରଭିତ୍ତିକ ବିକାଶର ସୁଯୋଗ ସହ ରାଜ୍ୟର ଅଭିବୃଦ୍ଧି, କର୍ମ ନିଯୁକ୍ତି, ସମସ୍ତଙ୍କ ପାଇଁ ମୌଳିକ ସୁବିଧା, ସୁଶାସନ, ଗ୍ରାମ୍ୟ ଉନ୍ନୟନ ଭଳି ପ୍ରମୁଖ କ୍ଷେତ୍ରରେ ବିକାଶ ଲକ୍ଷ୍ୟ ଉପରେ ଗୁରୁତ୍ୱାରୋପ କରିବା ସହିତ ଏହି ବୁଝାମଣା ପତ୍ର ରାଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସେ କହିଥିଲେ ।
ଦି କନଭର୍ଜେନ୍ସ ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଧାଓ୍ୱନ କହିଲେ ଯେ, ତାଙ୍କ ଅନୁଷ୍ଠାନ ଭାରତର ସାମାଜିକ-ଅର୍ଥନୈତିକ ବିକାଶର ନିର୍ଦ୍ଦିଷ୍ଟ କ୍ଷେତ୍ରସହ ବିଦ୍ୟାଳୟ ଶିକ୍ଷା ଏବଂ ଶାସନଠାରୁ ଆରମ୍ଭ କରି ମହିଳାଙ୍କ ଅର୍ଥନୈତିକ ସଶକ୍ତୀକରଣ ଏବଂ ରପ୍ତାନି ପ୍ରତିଯୋଗିତା ପର୍ଯ୍ୟନ୍ତ କ୍ଷେତ୍ରଉପରେ ଗୁରୁତ୍ୱଦେଉଛି । ଟିସିଏଫର ସହଯୋଗୀଗଠନଗୁଡ଼ିକ ୧୩ରୁ ଅଧିକ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଅନେକ ମନ୍ତ୍ରାଳୟକୁ ସହଯୋଗିତା କରୁଛନ୍ତି । ସଂଗଠନ ଏହାର ସହଯୋଗୀ ସଂସ୍ଥା “ଫାଉଣ୍ଡେସନ୍ ଫର୍ ଇକୋନୋମିକ୍ ଡେଭଲପମେଣ୍ଟ ( ଏଫଇଡି)”, ଜରିଆରେ ଟେକ୍ସଟାଇଲ୍ ଓ ପୋଷାକ ଉତ୍ପାଦନ , ପର୍ଯ୍ୟଟନ ଓ ଶିଳ୍ପର ବିକାଶକୁ ବୃଦ୍ଧି କରିବା ପାଇଁ କାର୍ଯ୍ୟ କରୁଛି, ଯାହାକି ରାଜ୍ୟ ପାଇଁ ଲାଭଦାୟକ ହେବ । ଏହାର ଅନ୍ୟତମ ସହଯୋଗୀ “ପ୍ରସ୍ପରିଟି”, ଗୃହ ନିର୍ମାଣ ଏବଂ ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗ ସହ କାର୍ଯ୍ୟକରୁଛନ୍ତି ଯାହା ଶ୍ରମ ନିୟମାବଳୀ ପ୍ରଣୟନ ଓ ସଂସ୍କାରରେ ସହାୟକ ହୋଇପାରିବ ।
ସେହପରି ଏହାର ଅନ୍ୟ ଏକ ସହଯୋଗୀ “ଏସଏସଏ” କ୍ରୀଡ଼ାନୀତି ଓ ଓଡ଼ିଶାରେ କ୍ରୀଡ଼ା କ୍ଷେତ୍ରରେ ବିକାଶ ଲକ୍ଷ୍ୟ ହାସଲରେ ଉଲ୍ଲେଖନୀୟ ସହାୟତା ଦେବ । ସେହିପରି ଅନୁଷ୍ଠାନର ଅନ୍ୟ ଏକ ସହଯୋଗୀ “ଉଦୈତି” ମହିଳା ଅର୍ଥନୈତିକ ସଶକ୍ତୀକରଣ (ଡବ୍ଲ୍ୟୁଇଇ) ସୂଚକାଙ୍କ ପ୍ରସ୍ତୁତ କରିବା ଏବଂ ସେମାନଙ୍କ କାର୍ଯ୍ୟର ପ୍ରକୃତ ପରିସର ଚୂଡ଼ାନ୍ତ କରିବା ପାଇଁ ରାଜ୍ୟ ମହିଳା ଓ ଶିଶୁ ବିଭାଗସହ କାର୍ଯ୍ୟ କରୁଛନ୍ତି । ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ପରେ ଟିସିଏଫ ଏବଂ ଏହାର ସହଯୋଗୀ ସଂଗଠନଗୁଡିକ ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧି , ଅନ୍ତର୍ଭୁକ୍ତି ବିକାଶ ଏବଂ ନିଯୁକ୍ତି ସୃଷ୍ଟି କରିବା ପାଇଁ ଚିହ୍ନଟ ହୋଇଥିବା ବିଭାଗ ଗୁଡିକ ସହିତ ସେମାନଙ୍କର ସହଯୋଗକୁ ତ୍ୱରାନ୍ୱିତ କରିବ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ତଥା ଶକ୍ତି ବିଭାଗ ଶାସନ ପ୍ରମୁଖ ଶାସନ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ, କ୍ରୀଡ଼ା ଓ ଯୁବ ସେବା ବିଭାଗର ପ୍ରମୁଖ ଶାସନ ସଚିବ, ବାଣିଜ୍ୟ ଓ ପରିବହନ, ନଗର ଉନ୍ନୟନ ଏବଂ ଗୃହ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ, ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବଙ୍କ ସମେତ ଯୋଜନା ଓ ସଂଯୋଜନ ବିଭାଗର ବରିଷ୍ଠ ପଦାଧିକାରୀ ଏବଂ ଟିସିଏଫର ବିଭିନ୍ନ ଶାଖାର କର୍ମକତ୍ତାମାନେ ଯୋଗଦେବା ପୂର୍ବକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
previous article:https://purvapaksa.com/bjd-has-spent-the-highest-4-4-per-cent-of-the-state-gsdp-on-free-schemes/
ରାଜ୍ୟ ଜିଡିପର ସର୍ବାଧିକ ୪.୪ ପ୍ରତିଶତ ମାଗଣା ଯୋଜନାରେ ବିଜେଡି ଖର୍ଚ୍ଚ କରିଛି


