Chernobyl: ଆମ ପୃଥିବୀରେ ଅନେକ ରହସ୍ୟମୟ ସ୍ଥାନ ରହିଛି । ଯାହା ବିଷୟରେ ଆମେ ଏ ପର୍ଯ୍ୟନ୍ତ ଅବଗତ ହୋଇ ପାରିନାହୁଁ।
ଏପରି ଅନେକ ସ୍ଥାନ ରହିଛି ଯେଉଁଠାରେ ଯିବା ପାଇଁ ଆଜିବି ଲୋକମାନେ ଡରୁଛନ୍ତି । ସେହିପରି ଏମିତି ଅନେକ ସ୍ଥାନ ଅଛି ଯାହାର ସୌନ୍ଦର୍ଯ୍ୟକୁ ଅନୁଭବ କରିବା ପାଇଁ ଲୋକମାନେ ଅନେକ ରାସ୍ତା ଅତିକ୍ରମ କରି ଆସିଥାନ୍ତି । ହେଲେ ଆପଣ ଦୁନିଆର ଏପରି ସ୍ଥାନ ବିଷୟରେ ଶୁଣିଛନ୍ତି କି, ଯେଉଁଠାରେ ପହଞ୍ଚିବା ପରେ ମାତ୍ର ୧୦ ମିନିଟରେ ଆପଣଙ୍କ ଶରୀର ତରଳିବା ଆରମ୍ଭ କରିବ।
ଆମେ ଆପଣଙ୍କୁ ଦୁନିଆର ସେହି ସ୍ଥାନ ବିଷୟରେ କହୁଛୁ ଯେଉଁଠି ଅନେକ ଦଶନ୍ଧି ପୂର୍ବେ ଘଟିଥିବା ଏକ ଘଟଣା ଆଜି ବି ସମସ୍ତଙ୍କୁ ସେଠାକୁ ଯିବାକୁ ଡରାଉଛି ।
ସମଗ୍ର ବିଶ୍ୱର ଦେଶମାନେ ନିରନ୍ତର ପ୍ରଗତି କରୁଛନ୍ତି ଏବଂ ନିଜକୁ ସଶକ୍ତ କରିବା ପାଇଁ ପ୍ରୟାସ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଦୁନିଆ ଆଜି ବି ଏମିତି ଏକ ବାରୁଦ ଉପରେ ବସିଛି ଯାହା ଯେ କୌଣସି ମୁହୂର୍ତ୍ତରେ ସମଗ୍ର ମାନବଜାତିକୁ ଧ୍ୱଂସ କରିପାରେ ।
ପୃଥିବୀର ଅନେକ ଦେଶରେ ଆମେ ଅନେକ ବର୍ଷ ପୂର୍ବେ ଏଭଳି ଜିନିଷ ଦେଖିଛୁ, ଯେଉଁଠି ବିପଜ୍ଜନକ ବିକିରଣ ଏକ ମୁହୂର୍ତ୍ତରେ ଲକ୍ଷ ଲକ୍ଷ ଲୋକଙ୍କୁ ଗିଳି ଦେଇଥିଲା ଏବଂ ଯେଉଁଠାରେ ପରମାଣୁ ବୋମା ଅନେକ ପିଢ଼ିର ଲୋକଙ୍କୁ ଟାର୍ଗେଟ କରିଥିଲା ।
ଏପରି ଏକ ସ୍ଥାନ ୟୁକ୍ରେନରେ ଅବସ୍ଥିତ, ଯାହାକୁ ଲୋକେ ଚେର୍ନୋବିଲ ନାମରେ ଜାଣନ୍ତି । ୧୯୮୬ ମସିହାରେ ସେଠାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା। ସେଠାରେ ଥିବା ଚେର୍ନୋବିଲ ନ୍ୟୁକ୍ଲିୟର ପ୍ଲାଣ୍ଟରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ପରେ ବାୟୁରେ ରେଡିଓଆକ୍ଟିଭ୍ ବିଷ ବ୍ୟାପିଯାଇଥିଲା, ଯାହାଫଳରେ କାରଖାନାରେ ଉପସ୍ଥିତ ଥିବା ପ୍ରାୟ ୪୦ ଜଣଙ୍କର ମୃତ୍ୟୁ ହୋଇଥିଲା ।
କିଭଳି ହୋଇଥିଲା ବିସ୍ଫୋରଣ:
୧୯୮୬ ମସିହା ଏପ୍ରିଲ ୨୬ ତାରିଖରେ ଚେର୍ନୋବିଲ ନ୍ୟୁକ୍ଲିୟର ପ୍ଲାଣ୍ଟରେ ନିୟମିତ ରକ୍ଷଣାବେକ୍ଷଣ ଯାଞ୍ଚ ଚାଲିଥିବା ବେଳେ ବିସ୍ଫୋରଣ ଘଟିଥିଲା। ପ୍ଲାଣ୍ଟର ଅପରେଟରମାନେ ବିଦ୍ୟୁତ ସିଷ୍ଟମ୍ ପରୀକ୍ଷା କରିବାକୁ ଚାହୁଁଥିଲେ, ତେଣୁ ସେମାନେ ଅତ୍ୟାବଶ୍ୟକ ନିୟନ୍ତ୍ରଣ ବ୍ୟବସ୍ଥାକୁ ବନ୍ଦ କରିଦେଇଥିଲେ, ଯାହା ନିରାପତ୍ତା ନିୟମ ବିରୁଦ୍ଧରେ ଥିଲା। ଫଳରେ ରିଏକ୍ଟରଟି ବିପଜ୍ଜନକ ଭାବେ ଅସ୍ଥିର ହୋଇପଡ଼ିଥିଲା। ନିରାପତ୍ତା ସମ୍ବନ୍ଧୀୟ ଜ୍ଞାନକୌଶଳ ପରୀକ୍ଷା ପାଇଁ ରିଏକ୍ଟର-୪କୁ ବନ୍ଦ କରି ଦିଆଯାଇଥିଲା। ସେହି ସମୟରେ ଏହି ବିସ୍ଫୋରଣ ଘଟିଥିଲା। ଅତ୍ୟଧିକ ବାଷ୍ପ ଓ ହାଇଡ୍ରୋଜେନ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କିଛି ଲୋକ ଅନୁମାନ କରୁଛନ୍ତି।
ଚେର୍ନୋବିଲ ବିପର୍ଯ୍ୟୟ ପରେ ୫ ନିୟୁତ ଲୋକ ବିକିରଣ ସଂସ୍ପର୍ଶରେ ଆସି କର୍କଟ ଭଳି ବିପଜ୍ଜନକ ରୋଗରେ ପୀଡ଼ିତ ହୋଇପଡ଼ିଥିଲେ, ଯାହାଫଳରେ ୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।
ଏହି ବିକିରଣ ଏତେ ବିପଜ୍ଜନକ ଯେ ୧୦ ବର୍ଷ ପର୍ଯ୍ୟନ୍ତ ସେହି ସ୍ଥାନରେ ଏହାର ପ୍ରଭାବ ରହିଥିଲା । ସେଥିପାଇଁ ଧୀରେ ଧୀରେ ଏହା ଜନଶୂନ୍ୟ ହୋଇଯାଇଥିଲା । ଚେର୍ନୋବିଲରେ ଯଦି ଆପଣ ୧୦ ମିନିଟ୍ ପାଇଁ ଠିଆ ହୁଅନ୍ତି, ତେବେ ଅଳ୍ପ ସମୟ ମଧ୍ୟରେ ଆପଣଙ୍କ ଶରୀର ନଷ୍ଟ ହୋଇଯିବ। କାରଣ ଏଠାରେ ଏବେ ବି କୋଟି କୋଟି ଗୁଣ ଅଧିକ ବିକିରଣ ରହିଛି।
ଚେର୍ନୋବିଲ ଆଜି କେମିତି ଅଛି?
ନ୍ୟାସନାଲ ଜିଓଗ୍ରାଫିକ ଅନୁଯାୟୀ, ଚର୍ନୋବିଲ ନ୍ୟୁକ୍ଲିୟର ପ୍ଲାଣ୍ଟର ଆଖପାଖ ଅଞ୍ଚଳ, ଯାହାକୁ ବହିଷ୍କାର ଅଞ୍ଚଳ କୁହାଯାଏ, ମାନବ ଉପସ୍ଥିତି ଅଭାବରୁ ବିଭିନ୍ନ ପ୍ରଜାତିର ବନ୍ୟଜନ୍ତୁଙ୍କ ଦ୍ୱାରା ପରିପୂର୍ଣ୍ଣ ରହିଛି । ସେଠାରେ ପ୍ରାୟତଃ ବାଘ, ହରିଣ, ଶିଆଳ, ଭାଲୁ, ଇଗଲ ଓ ଏଲକ୍ ଭଳି ପ୍ରାଣୀ ଦେଖିବାକୁ ମିଳେ। ଏବେ ସେହି ପ୍ଲାଣ୍ଟ ଚାରିପଟେ ଘଞ୍ଚ ଜଙ୍ଗଲ ସୃଷ୍ଟି ହୋଇଥିବାରୁ ସେମାନଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି।
ଏଠାକାର ଗଛ ଓ ଜୀବଜନ୍ତୁଙ୍କ ଶରୀରରେ ଅଧିକ ମାତ୍ରାରେ ସିସିୟମ-୧୩୭ ବିକିରଣ ରହିଥାଏ। ୨୦୧୯ରେ ୩୦ରୁ ୪୦ ପ୍ରତିଶତ ଅଧିକ ଲୋକ ଅର୍ଥାତ୍ ପର୍ଯ୍ୟଟକ ମାନେ ଏହି ଅଞ୍ଚଳକୁ ଆସି ଦୁର୍ଘଟଣାକୁ ବୁଝିବା ସହ ସାମ୍ପ୍ରତିକ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆସିଥିଲେ।