ଜଣେ ବ୍ୟକ୍ତିଙ୍କ ନାମ ଓଡ଼ିଶାର ବିକାଶ ରାଜନୀତିରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ସେ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ, ପ୍ରବୀଣ ରାଜନୀତିଜ୍ଞ ତଥା ଜଣେ ଅସାଧାରଣ ପଣ୍ଡିତ— ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ। ଚଳିତ ବର୍ଷ ତାଙ୍କର ଜନ୍ମ ଶତବାର୍ଷିକ।
କିନ୍ତୁ ଆଜି ଏକ ବଡ଼ ପ୍ରଶ୍ନ ଉଠୁଛି— ଆଜିର ଓଡ଼ିଆ ନେତାମାନେ କ’ଣ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସେହି ବିଶାଳ ପରମ୍ପରା ଏବଂ ଗରିମାମୟ ଉତ୍ତରାଧିକାରକୁ ଭୁଲିଗଲେଣି? ଯେଉଁ ବ୍ୟକ୍ତି ଓଡ଼ିଶାରେ ରାଜନୈତିକ ଅସ୍ଥିରତାରେ ସ୍ଥିର ଶାସନ ଦେଇଥିଲେ, ଓଡ଼ିଶାର ଶିଳ୍ପାୟନର ମୂଳଦୁଆ ପକାଇଥିଲେ, ଯିଏ ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ, ତାଙ୍କ ସ୍ମୃତି ଆଜି କେବଳ ଫଟୋ ଓ ପୁଷ୍ପମାଲ୍ୟରେ ସୀମିତ କି? ତାଙ୍କ କାର୍ଯ୍ୟକାଳ ଏକ ଦୃଢ଼, କେନ୍ଦ୍ରୀକୃତ ପ୍ରଶାସନିକ ଶୈଳୀ ଦ୍ୱାରା ଚିହ୍ନିତ ହୋଇଥିଲା ଯାହାକୁ ପ୍ରାୟତଃ “ଜେବି ଯୁଗ” କୁହାଯାଏ।
ଆଜିର ପ୍ରଶ୍ନ — ଓଡ଼ିଶାର ରାଜନୀତିରେ କେହି ଅଛନ୍ତି କି, ଯିଏ ଆଜି ମଧ୍ୟ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ସ୍ମରଣ କରୁଛନ୍ତି? କି ତାଙ୍କର ନାମ କେବଳ ଇତିହାସ ପୁସ୍ତକରେ ସୀମିତ ହୋଇଗଲା?
ସବୁଠାରୁ ବଡ଼ ପ୍ରଶ୍ନ —ଆଜିର ନେତାମାନେ କାହିଁକି ଭୁଲିଗଲେ ଜଣେ ବିଦ୍ୱାନ ମୁଖ୍ୟମନ୍ତ୍ରୀଙ୍କ ଲିଗାସୀକୁ?
୧୯୮୦ ଦଶକର ଓଡ଼ିଶାକୁ ମନେ ପକାନ୍ତୁ। ଯେତେବେଳେ ରାଜ୍ୟରେ ରାଜନୈତିକ ଅସ୍ଥିରତା ଲାଗି ରହିଥିଲା ସେତିକିବେଳେ ସେ ରାଜ୍ୟକୁ ସ୍ଥିର ଶାସନ ଦେଇ ଉଦାହରଣ ସୃଷ୍ଟି କରିଥିଲେ। ସେ ଦୁଇଟି ପର୍ଯ୍ୟାୟରେ ୧୪ ବର୍ଷ ୧୮୦ ଦିନ ମୁଖ୍ୟମନ୍ତ୍ରୀ ଥିଲେ। ଯାହାକି ନବୀନ ପଟ୍ଟନାୟକଙ୍କ ପରେ ଜାନକୀ ବଲ୍ଲଭ ପଟ୍ଟନାୟକ ଦ୍ୱିତୀୟ ସର୍ବାଧିକ ଦିନ ମୁଖ୍ୟମନ୍ତ୍ରୀ ତାଲିକାରେ ଅଛନ୍ତି। ରାଜ୍ୟରେ ଯେତେବେଳେ ଶିଳ୍ପାୟନର କୌଣସି ନାମଗନ୍ଧ ନ ଥିଲା, ସେତେବେଳେ ଜାନକୀ ବଲ୍ଲଭ ପଟ୍ଟନାୟକ ଏକ ସାହସିକ ଡାକରା ଦେଇଥିଲେ— “ହଜାରେ ଦିନରେ ହଜାରେ ଶିଳ୍ପ”। ଲୋକେ ହୁଏତ ସେତେବେଳେ ଏହାକୁ ଏକ କଳ୍ପନା ବୋଲି ଭାବୁଥିଲେ, କିନ୍ତୁ ସେ କରି ଦେଖାଇଥିଲେ।
ନିଳାଚଳ ଇସ୍ପାତ ନିଗମ ହେଉ, ପାରାଦୀପ ଫସପେଟ, ଅପର ଇନ୍ଦ୍ରାବତୀ କିମ୍ବା ନାଲକୋ ପ୍ରତିଷ୍ଠା କରି ଓଡ଼ିଶାର ଅର୍ଥନୈତିକ ମେରୁଦଣ୍ଡକୁ ସଜାଡ଼ିବା ଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ। କିନ୍ତୁ ଦୁର୍ଭାଗ୍ୟର ବିଷୟ, ଆଜି ଯେତେବେଳେ ଶିଳ୍ପାୟନ ପାଇଁ ବଡ଼ ବଡ଼ ସମ୍ମିଳନୀ ହେଉଛି, ସେଠାରେ ଏହି ମୂଳଦୁଆ ପକାଇଥିବା ବ୍ୟକ୍ତିଙ୍କୁ କେତେଜଣ ମନେପକାଉଛନ୍ତି? ଆଜିର ରାଜନୈତିକ ବାତାବରଣରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସେହି ‘ବିଜନାରୀ’ ଦୂରଦୃଷ୍ଟିର ଅଭାବ ସ୍ପଷ୍ଟ ବାରି ହୋଇପଡ଼ୁଛି।
କିନ୍ତୁ ବଲ୍ଲଭ ପଟ୍ଟନାୟକଙ୍କୁ ବଦନାମ କରି କ୍ଷମତାକୁ ଆସିଥିବା ସରକାର ସେହିସବୁ ଶିଳ୍ପାଞ୍ଚଳରେ ଶିକ୍ଷାନୁଷ୍ଠାନ, ଆବାସିକ ବହୁତଳ କୋଠା, ଡାକ୍ତରଖାନା କରିବାକୁ ଅନୁମତି ଦେଇ ଶିଳ୍ପ ବିପ୍ଳବକୁ ଧ୍ୱଂସ କରିଦେଲେ। କେବଳ ଶିଳ୍ପ ନୁହେଁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶାସନ କାଳରେ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ସବୁଠାରୁ ଉନ୍ନତ ଥିଲା। କିନ୍ତୁ ବିଜେଡି ସରାକାରକୁ ଆସିବା ପରେ ପ୍ରଥମେ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ କରି ଘରୋଇ ସଂସ୍ଥାରେ ପାଠପଢ଼ିବା ଓ ସ୍ୱାସ୍ଥ୍ୟ ସେବା ପାଇଁ ବାଟ ଖୋଲି ଦିଆଗଲା।
ଜାନକୀ ବଲ୍ଲଭ ପଟ୍ଟନାୟକ କେବଳ ଜଣେ ଶାସକ ନ ଥିଲେ, ସେ ଥିଲେ ସାହିତ୍ୟର ସାଗର। ସଂସ୍କୃତ ସାହିତ୍ୟରେ ତାଙ୍କର ପାଣ୍ଡିତ୍ୟ ଏବଂ ମହାଭାରତ ଓ ରାମାୟଣର ଓଡ଼ିଆ ଅନୁବାଦ ତାଙ୍କୁ ଜଣେ ଋଷିତୁଲ୍ୟ ବ୍ୟକ୍ତିତ୍ୱ ଭାବେ ପ୍ରତିଷ୍ଠିତ କରିଥିଲା। ସେ କହୁଥିଲେ, “ଯେଉଁ ଜାତି ନିଜ ଭାଷା ଓ ସଂସ୍କୃତିକୁ ସମ୍ମାନ ଦିଏ ନାହିଁ, ସେ କେବେ ବି ଆଗକୁ ବଢ଼ିପାରେ ନାହିଁ।”
ଆଜିର ଓଡ଼ିଆ ନେତାମାନେ ହୁଏତ ରାଜନୀତିରେ ସଫଳ, କିନ୍ତୁ ସଂସ୍କୃତି ଓ ଭାଷା ପ୍ରତି ଜାନକୀ ବାବୁଙ୍କ ଭଳି ସେହି ଆତ୍ମିକ ସମ୍ପର୍କ କ’ଣ ଆଜି ଦେଖିବାକୁ ମିଳୁଛି? ଅନେକ ସମୟରେ ଆମ ନେତାମାନେ ଓଡ଼ିଆରେ ଭାଷଣ ଦେବାକୁ କିମ୍ବା ଓଡ଼ିଆ ସାହିତ୍ୟ ବିଷୟରେ ଜାଣିବାକୁ ମଧ୍ୟ ଅନିଚ୍ଛା ପ୍ରକାଶ କରୁଛନ୍ତି। ଜାନକୀ ବାବୁଙ୍କ ସେହି ‘ଓଡ଼ିଆ ଅସ୍ମିତା’ର ବିଚାରଧାରା ଆଜି କେଉଁଠି ହଜିଯାଇଛି।
ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ରାଜନୀତିରେ ଏକ ବିଶେଷତ୍ୱ ଥିଲା— ସେ ବିରୋଧୀଙ୍କୁ ମଧ୍ୟ ସମ୍ମାନ ଦେଉଥିଲେ। ସେ ସର୍ବଦା ମତଭେଦକୁ ଗ୍ରହଣ କରୁଥିଲେ, କିନ୍ତୁ କେବେ ବି ମନଭେଦ ହେବାକୁ ଦେଉନଥିଲେ। ସେତେବେଳର ବିଧାନସଭାରେ ଯୁକ୍ତିତର୍କ ହେଉଥିଲା, କିନ୍ତୁ ସେଥିରେ ଏକ ପ୍ରକାରର ଶାଳୀନତା ଥିଲା।
ଆଜିର ରାଜନୀତିରେ ଆମେ କ’ଣ ଦେଖୁଛୁ? କାଦୁଅ ଫିଙ୍ଗାଫିଙ୍ଗି, ବ୍ୟକ୍ତିଗତ ଆକ୍ଷେପ ଏବଂ ଶାସକ-ବିରୋଧୀଙ୍କ ମଧ୍ୟରେ ଏକ ଅଦୃଶ୍ୟ କାନ୍ଥ। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସେହି ‘ରାଜଧର୍ମ’ ଏବଂ ସମନ୍ୱୟର କଳାକୁ ଓଡ଼ିଶାର ବର୍ତ୍ତମାନର ନେତୃତ୍ୱ ଭୁଲିଯାଇଛନ୍ତି। ଶାସନରେ ସୌଜନ୍ୟତା କିପରି ରକ୍ଷା କରାଯାଏ, ତାହା ଶିଖିବାକୁ ହେଲେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୀବନୀ ପଢ଼ିବା ଆବଶ୍ୟକ।
ଏବେ ଦେଖାଯାଉଛି ଯେ, ଯେଉଁ ନେତାମାନେ ତାଙ୍କ ହାତ ଧରି ରାଜନୀତି ଶିଖିଲେ, ସେମାନେ ମଧ୍ୟ ଆଜି ତାଙ୍କ ନାମ ନେବାକୁ କୁଣ୍ଠାବୋଧ କରୁଛନ୍ତି। କ’ଣ ଜାନକୀ ପଟ୍ଟନାୟକଙ୍କ ନାମ ନେଲେ କାହାର ଭୋଟ୍ କମିଯିବ? ନା ଏହା କେବଳ ଏକ ‘ରାଜନୈତିକ ବିସ୍ମୃତି’? ଏହାର ଶ୍ରେଷ୍ଠ ଉଦାହରଣ ହେଉଛନ୍ତି ତାଙ୍କ ଜ୍ୱାଇଁ ସୌମ୍ୟରଞ୍ଜନ ପଟ୍ଟନାୟକ। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହାୟତାରେ ସେ ପ୍ରଥମେ ଭୁବନେଶ୍ୱର ଭଳି ମର୍ଯ୍ୟାଦାଜନକ ଲୋକସଭା ଆସନରୁ ନିର୍ବାଚନ ଜିତି ସାଂସଦ ହୋଇଥିଲେ। ଏହାପରେ ରାଜନୀତିରେ ତାଙ୍କର ସମ୍ମାନ ବଢ଼ିଥିଲା। କିନ୍ତୁ ସେ ଏହାକୁ ତ୍ୟାଗ କରି ବିଜେଡିକୁ ଯାଇ ଯେଉଁ ହଟହଟ୍ଟା ହୋଇଛନ୍ତି ତାହାକୁ ରାଜ୍ୟବାସୀ ଦେଖିଛନ୍ତି। ଏହାପରେ ବି ସେ ଏବେ ବିଜୁ ଲିଗାସୀ ଦୌଡ଼ରେ ସାମିଲ ହୋଇଛନ୍ତି।
ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶାସନ କାଳରେ ମହିଳାମାନେ ସୁରକ୍ଷିତ ନୁହଁନ୍ତି ବୋଲି ବିଜେଡି ପ୍ରଚାର କରି କ୍ଷମତାକୁ ଆସିଥିଲା। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶାସନରେ ଛବିରାଣୀ ଓ ଅଞ୍ଜନା ମିଶ୍ର ମାମଲା ଘଟିଥିଲେ ବି ବିଜୁ ପଟ୍ଟନାୟକଙ୍କ ଶାସନ କାଳରେ ମଧ୍ୟ ନାରୀ ନିର୍ଯ୍ୟାତନା ମଧ୍ୟ ହୋଇଥିଲା। ଏପରିକି ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳର ଜଣେ ବରିଷ୍ଠ ସଦସ୍ୟଙ୍କ ବିରୋଧରେ ଯୌନକେଲେଙ୍କାରୀ ମାମଲା ଉଠିଥିଲେ ବି ସେ ତାହାଙ୍କୁ ଅଣ୍ଡିରି ପୁଅ କହି ମାମଲାକୁ ଏଡ଼ାଇ ଯାଇଥିଲେ। ଏପରିକି ନବୀନଙ୍କ ଶାସନ କାଳରେ ପ୍ରତିଦିନ ଶହ ଶହ ନାରୀ ନିର୍ଯ୍ୟାତନା ହୋଇଥିଲେ ବି କେହି ତାକୁ ମନେ ରଖି ନାହାନ୍ତି।
ମଦ ଆଜି ରାଜ୍ୟରେ ସରକାରୀ ପାନୀୟରେ ପରିଣତ ହୋଇଛି। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶାସନ କାଳରେ ମଦର ପ୍ରଳନ ଏତେ ବ୍ୟାପକ ନ ଥିଲା। କିନ୍ତୁ ବିଜେଡି ଶାସନ କାଳରେ ଏବେ ଘରେ ଘରେ ମଦ ବିକ୍ରି ହେଉଛି। ଯାହାକୁ ବିଜେପି ସରକାର ବନ୍ଦ କରିବା ପରିବର୍ତ୍ତେ ବଢ଼ାଇବାରେ ଲାଗିଛନ୍ତି।
ବିଜେଡି ଓ ବିଜେପି ସରକାରଙ୍କ ସମୟରେ ଲୋକମାନଙ୍କୁ ମାଗଣା ସଂସ୍କୃତି ପ୍ରଭାବିତ କରାଯାଉଛି। କିନ୍ତୁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶାସନ କାଳରେ ଏଭଳି ମାଗଣା ସଂସ୍କୃତି ନ ଥିଲା। ଲୋକଙ୍କ ହାତକୁ କାମ ମିଳୁଥିଲା ଯାହା ଫଳରେ ସେମାନେ ସମ୍ମାନର ସହିତ ନିଜର ଗୁଜୁରାଣ ମେଣ୍ଟାଉଥିଲେ।
ଜାନକୀ ବଲ୍ଲଭ ପଟ୍ଟନାୟକ ଓଡ଼ିଶାର ଜଣେ ଯୁଗପୁରୁଷ ଥିଲେ। ତାଙ୍କୁ କୌଣସି ଏକ ନିର୍ଦ୍ଦିଷ୍ଟ ଦଳର ସୀମା ଭିତରେ ବାନ୍ଧି ରଖିବା ତାଙ୍କ ପ୍ରତି ଅପମାନ ହେବ। ଆଜିର ଓଡ଼ିଆ ନେତାମାନେ ଯଦି ସତରେ ଓଡ଼ିଶାର ଉନ୍ନତି ଚାହାଁନ୍ତି, ତେବେ ଜାନକୀ ବାବୁଙ୍କ ସେହି ‘ଶିଳ୍ପ, ସାହିତ୍ୟ ଏବଂ ଶାଳୀନତା’ର ମନ୍ତ୍ରକୁ ପୁଣିଥରେ ଆପଣାଇବା ଆବଶ୍ୟକ।
AlsoRead; https://purvapaksa.com/who-is-rcbs-secret-weapon-navneeta-gautam/
ଆରସିବିର ‘ସିକ୍ରେଟ୍ ଓ୍ୱେପନ୍’ ନବନୀତା ଗୌତମ କିଏ? || Who is RCB’s ‘secret weapon’ Navneeta Gautam?


