ରାଜଧାନୀ ଭୁବନେଶ୍ୱରର ସବୁଠାରୁ ବ୍ୟସ୍ତବହୁଳ ବାଣିଜ୍ୟିକ କେନ୍ଦ୍ର ୟୁନିଟ୍-୨ ମାର୍କେଟ୍ ବିଲ୍ଡିଂ ପରିସରରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ଏହି ବଡ଼ ଧରଣର ଅଗ୍ନିକାଣ୍ଡରେ ମାର୍କେଟ୍ ବିଲ୍ଡିଂରେ ଥିବା ପ୍ରାୟ ୧୫ରୁ ଅଧିକ ଦୋକାନ ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଦେଖୁ ଦେଖୁ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଜଳି ନଷ୍ଟ ହୋଇଯାଇଛି ।
/odishatv/media/media_files/2026/06/30/bhubaneswar-market-building-fire-2026-06-30-10-38-49.png)
ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ମାର୍କେଟ୍ ବିଲ୍ଡିଂ ପରିସରରେ ଥିବା ଏକ ଦୋକାନରୁ ପ୍ରଥମେ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । କିଛି ସମୟ ମଧ୍ୟରେ ଏହି ନିଆଁ ଉଗ୍ରରୂପ ଧାରଣ କରି ପାଖାପାଖି ଥିବା ଅନ୍ୟାନ୍ୟ କପଡ଼ା, ଜୋତା ଏବଂ ପ୍ରସାଧନ ସାମଗ୍ରୀ ଦୋକାନକୁ ବ୍ୟାପି ଯାଇଥିଲା । ଖବର ପାଇ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀର ଏକାଧିକ ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଅପରେସନ୍ ଆରମ୍ଭ କରିଥିଲେ ।
ଅଗ୍ନିଶମ ବାହିନୀର କଠିନ ପରିଶ୍ରମ
ମାର୍କେଟ୍ ବିଲ୍ଡିଂ ଭିତରେ ରାସ୍ତା ସଂକୀର୍ଣ୍ଣ ଥିବାରୁ ଏବଂ ଚାରିଆଡ଼େ ଧୂଆଁମୟ ହୋଇଯାଇଥିବାରୁ ଅଗ୍ନିଶମ କର୍ମଚାରୀଙ୍କୁ ନିଆଁ ଲିଭାଇବା କାର୍ଯ୍ୟରେ ବେଶ୍ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପ୍ରାୟ ୩ ରୁ ୪ ଘଣ୍ଟାର କଠିନ ପରିଶ୍ରମ ଏବଂ କେତେକ ଦୋକାନର ସଟରକୁ କଟର ସାହାଯ୍ୟରେ କାଟିବା ପରେ ଯାଇ ଅଗ୍ନିଶମ ବାହିନୀ ନିଆଁକୁ ସମ୍ପୂର୍ଣ୍ଣ ଭାବେ କାବୁ କରିବାରେ ସଫଳ ହୋଇଥିଲା । ଏହି ଅଗ୍ନିକାଣ୍ଡରେ କେତେକ ପକ୍କା ଦୋକାନ ସହ ସେଠାରେ ଥିବା କିଛି ଅସ୍ଥାୟୀ କେବିନ୍ ମଧ୍ୟ ପୋଡ଼ି ଯାଇଛି ।

ସର୍ଟ ସର୍କିଟ୍ରୁ ଅଗ୍ନିକାଣ୍ଡ ଆଶଙ୍କା
ପ୍ରାଥମିକ ତଦନ୍ତରୁ ଏହି ଅଗ୍ନିକାଣ୍ଡ ବିଦୂତ ତାର ସର୍କିଟ୍ ଯୋଗୁଁ ହୋଇଥିବା ଅନୁମାନ କରାଯାଉଛି । ରାତିରେ ସମସ୍ତ ଦୋକାନ ବନ୍ଦ ଥିବାରୁ ଏଥିରେ କୌଣସି ଜୀବନହାନି ଘଟିନାହିଁ, ଯାହା ଏକ ବଡ଼ ଆଶ୍ୱସ୍ତିର ବିଷୟ । ମାତ୍ର ବ୍ୟବସାୟୀଙ୍କ କହିବା ଅନୁସାରେ, ଆଗକୁ ପାର୍ବଣ ଋତୁ ଥିବାରୁ ଦୋକାନୀମାନେ ପ୍ରଚୁର ନୂଆ ସାମଗ୍ରୀ ମହଜୁଦ ରଖିଥିଲେ, ଯାହା ସମ୍ପୂର୍ଣ୍ଣ ଜଳିଯାଇଛି । ଏହାଫଳରେ ବ୍ୟବସାୟୀମାନେ ବ୍ୟାପକ କ୍ଷତି ସହିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବଂ କ୍ଷୟକ୍ଷତିର ଆକଳନ ପାଇଁ ତଦନ୍ତ ଜାରି ରଖିଛି ।
Also read : https://purvapaksa.com/power-outage-in-sundargarh-escalates-angry-people-surround-tpwdl-office/


