ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ହୋଇ ଶ୍ରୀମନ୍ଦିରର ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁ ଅଣସର ଘରେ ପନ୍ଦର ଦିନ ଧରି ଗୁପ୍ତ ସେବାରେ ରହୁଥିବାରୁ ଶ୍ରୀମନ୍ଦିରରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହି ସମୟରେ ପୁରୀ ଜିଲ୍ଲା ବ୍ରହ୍ମଗିରି ସ୍ଥିତ ପ୍ରସିଦ୍ଧ ଶ୍ରୀ ଅଲାରନାଥ ପୀଠରେ ଚତୁର୍ଦ୍ଧାମୂର୍ତ୍ତି ନାରାୟଣ ରୂପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଅଣସର ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ ଜଗନ୍ନାଥଙ୍କ ଦର୍ଶନ ସମାନ ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଥିବାରୁ ପୀଠରେ ଶ୍ରୀଜୀଉଙ୍କୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ଜମିବାରେ ଲାଗିଛି ।

ଅଣସର ପ୍ରଥମ ଦିନରୁ ହିଁ ଶ୍ରୀ ଅଲାରନାଥ ମନ୍ଦିରରେ ମଙ୍ଗଳ ଆଳତି, ଅବକାଶ, ବଲ୍ଲଭ ଆଦି ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି । ମହାପ୍ରଭୁଙ୍କ ଚତୁର୍ଦ୍ଧାମୂର୍ତ୍ତି ଅଲାରନାଥଙ୍କ ପୀଠରେ ବିରାଜମାନ କରିଥିବାରୁ ଭୋର ସମୟରୁ ହିଁ ହଜାର ହଜାର ଭକ୍ତ ଧାଡ଼ିରେ ରହି ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରୁଛନ୍ତି । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ, ମନ୍ଦିର କମିଟି ଏବଂ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଅଲାରନାଥଙ୍କ ପ୍ରସିଦ୍ଧ ‘କ୍ଷୀରି ଭୋଗ’

ଅଣସର ସମୟରେ ଶ୍ରୀ ଅଲାରନାଥ ପୀଠର ମୁଖ୍ୟ ଆକର୍ଷଣ ହେଉଛି ମହାପ୍ରଭୁଙ୍କ ଅମୃତ ମଣୋହି ବା ପ୍ରସିଦ୍ଧ ‘କ୍ଷୀରି ଭୋଗ’। ମହାପ୍ରଭୁଙ୍କ ଏହି ସ୍ୱତନ୍ତ୍ର କ୍ଷୀରି ପ୍ରସାଦ ପାଇବା ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳୁଛି । ବିଶ୍ୱାସ ରହିଛି ଯେ ଏହି କ୍ଷୀରି ଭୋଗ ସ୍ୱୟଂ ଭଗବାନଙ୍କ ଅତି ପ୍ରିୟ ଏବଂ ଏହାକୁ ପାଇବା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଚୁର ପରିମାଣରେ କ୍ଷୀରି ପ୍ରସାଦ ପ୍ରସ୍ତୁତିର ବ୍ୟବସ୍ଥା କରାଯାଇଛି ।
ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା

ଭକ୍ତମାନେ ଯେପରି ଗ୍ରୀଷ୍ମ ପ୍ରବାହ ଓ ଗରମରୁ ରକ୍ଷା ପାଇବେ, ସେଥିପାଇଁ ମନ୍ଦିର ବାହାରେ ସ୍ୱତନ୍ତ୍ର ବ୍ୟାରିକେଡ୍, ସେଡ୍ (ଛାଉଣୀ) ଏବଂ ମ୍ୟାଟ୍ ର ବ୍ୟବସ୍ଥା କରାଯାଇଛି । ବାରମ୍ବାର ମ୍ୟାଟ୍ ଉପରେ ପାଣି ସିଞ୍ଚନ କରାଯାଉଛି ଯେପରି ଶ୍ରଦ୍ଧାଳୁଙ୍କ ପାଦ ପୋଡ଼ିବ ନାହିଁ । ଏହା ସହିତ ପାନୀୟ ଜଳ ଓ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ପାଇଁ ମଧ୍ୟ ମେଡିକାଲ ଟିମ୍ ମୁତୟନ ରହିଛନ୍ତି । ଆଗାମୀ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ଏହିଭଳି ଭାବେ ପ୍ରତିଦିନ ହଜାର ହଜାର ଭକ୍ତ ବ୍ରହ୍ମଗିରି ପୀଠକୁ ଆସିବେ, ଯାହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି ।


