ଆମ ଓଡ଼ିଶାରେ ଗୋଟିଏ ପୁରୁଣା ଢଗ ଅଛି— “ଶତ୍ରୁ ସହିତ ଲଢ଼ିବାକୁ ହେଲେ ନିଜ ଭାଇ ପାଖରେ ଥିବା ଦରକାର।”
ଯଦି ଆପଣଙ୍କ ନିଜ ଭାଇ କିମ୍ବା ନିଜର ଲୋକ ଆପଣଙ୍କ ପଛରେ ଛିଡ଼ା ହୋଇନାହାଁନ୍ତି, ତେବେ ଆପଣ ରାବଣ ପରି ଶକ୍ତିଶାଳୀ ହୁଅନ୍ତୁ କି ଦୁର୍ଯ୍ୟୋଧନ ପରି ମହାବଳୀ— ଯୁଦ୍ଧ ଜିତିବା ତ ଦୂରର କଥା, ନିଜକୁ ବଞ୍ଚାଇବା ବି କଷ୍ଟକର ହୋଇପଡ଼େ।
ଆପଣ ଭାବୁଥିବେ ଆଜି ହଠାତ୍ ଏହି ରାମାୟଣ-ମହାଭାରତର କଥା କାହିଁକି? ଆଜି ତ ଓଡ଼ିଶାରେ କୌଣସି ଯୁଦ୍ଧ ହେଉନାହିଁ!
କିନ୍ତୁ ସୀମାରେ ଯୁଦ୍ଧ ହେଉନଥିଲେ ବି, ଓଡ଼ିଶାର ରାଜନୈତିକ ମଇଦାନରେ ଏବେ ଯେଉଁ ‘ପେଞ୍ଚ-ପାଞ୍ଚ’ ଏବଂ କ୍ଷମତା ହାସଲର ଗୁପ୍ତ ଖେଳ ଚାଲିଛି, ତାହା କୌଣସି ମହାଭାରତ ଯୁଦ୍ଧଠାରୁ କମ୍ ନୁହେଁ।
ସଦ୍ୟ ସଦ୍ୟ ଓଡ଼ିଶାରେ ସରକାର ବଦଳିଛି। ୨୪ ବର୍ଷର ବିଜେଡି ଶାସନର ଅନ୍ତ ଘଟାଇ ବିଜେପି ନିଜର ପ୍ରଥମ ସରକାର ଗଢ଼ିଛି। ଲୋକଙ୍କ ମନରେ ଆଶା ଥିଲା, ନୂଆ ସରକାର ଆସିବ, ନୂଆ ଦିଗଦର୍ଶନ ମିଳିବ। କିନ୍ତୁ ସରକାର ଗଠନର ଅଳ୍ପ କେଇଟା ମାସ ଭିତରେ ଭୁବନେଶ୍ୱରର ରାଜନୈତିକ ଗଳିକନ୍ଦିରୁ ଯେଉଁ ଖବର ସବୁ ଛାଣି ହୋଇ ଆସୁଛି, ତାହା ସତରେ ଚମକାଇ ଦେବା ଭଳି!
ଜଣେ ଶାନ୍ତ, ସରଳ, ନିରୀହ ଓ ଆଦିବାସୀ ଚେହେରା, ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କିପରି ଅତିଶୀଘ୍ର ବଦନାମ କରାଯିବ? କିପରି ତାଙ୍କୁ ଜନସାଧାରଣଙ୍କ ନଜରରେ ଅକ୍ଷମ ପ୍ରମାଣିତ କରି ସେହି ସର୍ବୋଚ୍ଚ କୁର୍ସିରୁ ହଟାଯିବ?
ଏହି ଚର୍ଚ୍ଚା ଏବେ କେବଳ ବିରୋଧୀ ଦଳ ଭିତରେ ନୁହେଁ, ବରଂ ବିଜେପିର ରାଜ୍ୟ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଜିଲ୍ଲା ସ୍ତରର ନେତା, କର୍ମୀ ଏବଂ ସେକ୍ରେଟେରିଏଟ୍ର ବରିଷ୍ଠ ଅଫିସରମାନଙ୍କ ମୁହଁରେ ଗୁଞ୍ଜରିତ ହେଉଛି!
ଗୋଟିଏ କଥା ଏବେ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି—
“ମନ୍ତ୍ରୀ-ଅଫିସର ଧର୍ମେନ୍ଦ୍ରଙ୍କର… ଆଉ ବଦନାମୀ ମୋହନଙ୍କର!”
କିପରି ସେହି ଷଡ଼ଯନ୍ତ୍ର ରଚାଯାଇଛି ଆଜିର ପଲଟିକାଲ ଭାଗବତରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା।
କୁର୍ସିର ମୋହ ଓ ଅସଫଳ ଉଦ୍ୟମ
୨୦୨୪ ନିର୍ବାଚନ ଫଳାଫଳ ଆସିବା ପରେ ସମସ୍ତେ ଭାବୁଥିଲେ, ବୋଧହୁଏ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିଁ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେବେ। ନିଜେ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମନେ ମନେ ବିଶାଳ ଆଶା ବାନ୍ଧି ବସିଥିଲେ। କିନ୍ତୁ ଦିଲ୍ଲୀର କେନ୍ଦ୍ରୀୟ ନେତୃତ୍ୱ— ଅର୍ଥାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଗଣିତ କିଛି ଅଲଗା ଥିଲା। ସେମାନେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶା ଶାସନର ଡୋରି ନଦେଇ, ଦଳର ଜଣେ ନିଷ୍ଠାପର, ଗ୍ରାଉଣ୍ଡ ଲେଭେଲ୍ର ନେତା, ୪ ଥରର ବିଧାୟକ ମୋହନ ଚରଣ ମାଝୀଙ୍କ ମୁଣ୍ଡରେ ମୁକୁଟ ପିନ୍ଧାଇଦେଲେ।
ଏହି ନିଷ୍ପତ୍ତି ହୁଏତ ଅନେକଙ୍କ ପାଇଁ ହଜମ କରିବା ସହଜ ନଥିଲା
ତେଣୁ ସରକାର ଗଠନର ପ୍ରଥମ ଦିନରୁ ହିଁ ଚେଷ୍ଟା ଚାଲିଲା— ମୋହନ ମାଝୀଙ୍କୁ କିପରି ନିଜ କବ୍ଜାରେ ରଖାଯିବ? ମୁଖ୍ୟମନ୍ତ୍ରୀଙ୍କୁ ନିଜର ‘ରବର ଷ୍ଟାମ୍ପ’ ବନାଇ ତାଙ୍କ ମାଧ୍ୟମରେ ନିଜର ପରୋକ୍ଷ ଶାସନ କିପରି ଚଲାଯିବ?
ଏଥିପାଇଁ କ’ଣ କରାଗଲା ଜାଣନ୍ତି?
ଧର୍ମେନ୍ଦ୍ର ପ୍ରଧାନ ନିଜର ଦୁଇ ଅତି ବିଶ୍ୱସ୍ତ ଅନୁଗତ— ଗୋଲକ ମହାପାତ୍ର ଏବଂ ଠାକୁର ରଣଜିତ ଦାସଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସଦାସର୍ବଦା ବସାଇ ରଖିଲେ। ଲକ୍ଷ୍ୟ ଗୋଟିଏ— ମୁଖ୍ୟମନ୍ତ୍ରୀ କାହାକୁ ଭେଟୁଛନ୍ତି? କ’ଣ ନିଷ୍ପତ୍ତି ନେଉଛନ୍ତି? କେଉଁ ଫାଇଲ ସାଇନ୍ ହେଉଛି? ତାହାର ଟିକିନିଖି ଖବର ଆଣି ‘ଆକା’ଙ୍କ ପାଖରେ ପହଞ୍ଚାଇବା।
କିନ୍ତୁ ମୋହନ ମାଝୀ କେବଳ ଜଣେ ସରଳ ଆଦିବାସୀ ନେତା ନୁହନ୍ତି, ସେ ଜଣେ ସ୍ୱାଭିମାନୀ ରାଜନେତା। ଯେତେବେଳେ ସେ ବୁଝିପାରିଲେ ଯେ ତାଙ୍କ ଉପରେ ନଜର ରଖାଯାଉଛି, ତାଙ୍କ ସ୍ୱାଧୀନତାରେ ହସ୍ତକ୍ଷେପ କରାଯାଉଛି, ସେ ଆଉ ନୀରବ ରହିଲେ ନାହିଁ। ସେ ବିରକ୍ତ ହେଲେ ଏବଂ ସୂଚାଇ ଦେଲେ ଯେ ସେ କାହାର ହାତପାଣ୍ଡି ହେବାକୁ ଆସିନାହାଁନ୍ତି। ସିଧାସଳଖ ନିର୍ଦ୍ଦେଶ ଦିଆଗଲା— ଏହି ଅନୁଗତମାନଙ୍କୁ ଲୋକସେବା ଭବନର ‘ତୃତୀୟ ମହଲା’ ଅର୍ଥାତ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସିବାକୁ ବାରଣ କରିଦିଆଗଲା!
ନୂଆ ଚକ୍ରବ୍ୟୁହ – ଗଣଶିକ୍ଷା ବିଭାଗ ଓ NEP ଭୁଲ୍
ବର୍ତ୍ତମାନ ପ୍ରଶ୍ନ ଉଠୁଛି, ତୃତୀୟ ମହଲାରୁ ଦ୍ୱାର ବନ୍ଦ ହୋଇଯିବା ପରେ କ’ଣ ଖେଳ ବନ୍ଦ ହୋଇଗଲା?
ନା! ରାଜନୀତିର ଖେଳ ଏତେ ସହଜରେ ବନ୍ଦ ହୁଏନା। ଗୋଟିଏ ଦ୍ୱାର ବନ୍ଦ ହେଲେ ଅନ୍ୟ ଗୋପନ ଦ୍ୱାର ଖୋଲାଯାଏ।
ତୃତୀୟ ମହଲାରୁ ପ୍ରତ୍ୟାଖ୍ୟାତ ହେବା ପରେ, ଯୋଜନା ବଦଳିଗଲା। ଏଥର ଟାର୍ଗେଟ୍ ହେଲା— ‘ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ’।
ଏହି ବିଭାଗରେ ସେଟିଂ କିପରି ହେଲା, ଟିକିଏ ଧ୍ୟାନ ଦେଇ ଶୁଣନ୍ତୁ:
1. ବିଭାଗର ମନ୍ତ୍ରୀ ଅଟନ୍ତି ନିତ୍ୟାନନ୍ଦ ଗଣ୍ଡ— ଯିଏ କି ଧର୍ମେନ୍ଦ୍ର ପ୍ରଧାନଙ୍କର ଜଣେ ଅତି ଅନୁଗତ ନେତା।
2. ବିଭାଗର ଅତିରିକ୍ତ ସଚିବ ହେଉଛନ୍ତି OAS ଅଫିସର ମନୋଜ ପାଢ଼ୀ— ଯିଏ କି ଅନ୍ୟ କେହି ନୁହନ୍ତି, ସ୍ୱୟଂ ଧର୍ମେନ୍ଦ୍ର ପ୍ରଧାନଙ୍କର ଉତ୍କଳ ବିଶ୍ୱବିଦ୍ୟାଳୟେର ପାଠପଢ଼ା ସମୟରୁ ପୁରୁଣା ସହପାଠୀ!
ଏବେ ଚିତ୍ରଟି ଆପଣଙ୍କ ସାମ୍ନାରେ ସ୍ପଷ୍ଟ ହେଉଥିବ। ମନ୍ତ୍ରୀ ବି ଆପଣଙ୍କର, ସଚିବ/ଅଫିସର ବି ଆପଣଙ୍କର! ତା’ପରେ ଯୋଜନା କାର୍ଯ୍ୟକାରୀ କରିବାରେ ଆଉ କି ଅସୁବିଧା ଥାଇପାରେ?
ରାଜ୍ୟରେ ନୂଆ ଶିକ୍ଷା ନୀତି (NEP 2020) ଲାଗୁ କରିବାକୁ ସ୍ଥିର ହେଲା। କଥାଟି ବହୁତ ଭଲ ଥିଲା। କିନ୍ତୁ NEP ଅଧୀନରେ କୋମଳମତି ଶିଶୁମାନଙ୍କ ପାଇଁ ଯେଉଁ ନୂଆ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଗଲା, ସେଥିରେ କୌଣସି ବୁଦ୍ଧିଜୀବୀ, ଶିକ୍ଷାବିତ୍ କିମ୍ବା ବିଜ୍ଞ ବ୍ୟକ୍ତିଙ୍କୁ ସାମିଲ କରାଗଲା ନାହିଁ। ନିଜ ମନଇଚ୍ଛା, ଆପଣା ସୁବିଧାରେ ବିଷୟ ସ୍ଥିର କରାଗଲା।
ଫଳାଫଳ କ’ଣ ହେଲା?
ଯେଉଁ ପାଠ୍ୟପୁସ୍ତକ ଛପା ହୋଇ କୋମଳମତି ଛାତ୍ରଛାତ୍ରୀଙ୍କ ହାତକୁ ଗଲା, ସେହି ବହିଗୁଡ଼ିକର ପ୍ରଥମ ପୃଷ୍ଠାରୁ ଆରମ୍ଭ କରି ଶେଷ ପୃଷ୍ଠା ପର୍ଯ୍ୟନ୍ତ କେବଳ ଭୁଲ୍, ଭୁଲ୍ ଆଉ ଭୁଲ୍! ସାଧାରଣ ବ୍ୟାକରଣଠାରୁ ଆରମ୍ଭ କରି ତଥ୍ୟଗତ ଭୁଲ୍ରେ ଭରିଗଲା ଶିକ୍ଷା ପୋଥି।
ବେତଣ୍ଡା ଯୁକ୍ତି ଓ ବଦନାମୀର ଚକ୍ରାନ୍ତ
ଯେତେବେଳେ ଏହି ମହାଭୁଲ୍ ଗଣମାଧ୍ୟମ ଓ ଶିକ୍ଷାବିତ୍ମାନଙ୍କ ନଜରକୁ ଆସିଲା, ଚାରିଆଡ଼େ ହଙ୍ଗାମା ସୃଷ୍ଟି ହେଲା। ସାଧାରଣରେ ଦାବି ହେଲା— ଏହି ଭୁଲ୍ ଭରା ବହିଗୁଡ଼ିକୁ ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ।
କିନ୍ତୁ ବିଭାଗୀୟ ମନ୍ତ୍ରୀ ଓ ଅଫିସରମାନେ କ’ଣ କଲେ?
ନିଜର ଭୁଲ୍ ସ୍ୱୀକାର କରିବା ବଦଳରେ, ସେମାନେ ଜିଦ୍ରେ ଅଡ଼ି ବସିଲେ। ବେତଣ୍ଡା ଯୁକ୍ତି କଲେ ଯେ ବହି ପ୍ରତ୍ୟାହାର ହେବ ନାହିଁ! ବରଂ ତା’ ବଦଳରେ ଗୋଟିଏ ‘ସଂଶୋଧିତ PDF’ ଯୋଗାଇ ଦିଆଯିବ।
ଅଦ୍ଭୁତ କଥା! ଗୋଟିଏ ପଟେ କୋମଳମତି ପିଲାଙ୍କ ହାତରେ ଭୁଲ୍ ବହି ଧରାଇ ଦିଆଗଲା, ଆଉ ଅନ୍ୟପଟେ କୁହାଗଲା PDF ଦେଖି ପଢ଼! ଆଉ ଚମତ୍କାର କଥା ହେଉଛି— ଯେଉଁ ସଂଶୋଧିତ PDF ଦିଆଗଲା, ସେଥିରେ ମଧ୍ୟ ପ୍ରଥମରୁ ହିଁ ଭୁଲ୍ ରହିଛି!
ଏହାର ସିଧାସଳଖ ଅର୍ଥ କ’ଣ?
ଏହାର ଅର୍ଥ ହେଉଛି— ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୁଧୁରିବାର ନାଁ ହିଁ ନେଉନାହିଁ। କୋମଳମତି ଶିଶୁଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଉଛି।
- ଆଉ ଏହି ସବୁ କାରନାମାର ଚୂଡ଼ାନ୍ତ ଫଳାଫଳ କ’ଣ ହେଉଛି?
- ସାଧାରଣ ଜନତା, ଶିକ୍ଷାବିତ୍ ଓ ଅଭିଭାବକମାନେ କାହାକୁ ଦୋଷ ଦେଉଛନ୍ତି?
ସେମାନେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କିମ୍ବା ଅଫିସର ମନୋଜ ପାଢ଼ୀଙ୍କୁ ନୁହେଁ, ବରଂ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଡ଼କୁ! ଲୋକେ କହୁଛନ୍ତି— “ମୋହନ ମାଝୀଙ୍କ ଶାସନରେ ଶିକ୍ଷା ବ୍ୟବସ୍ଥାର ଏ ଅବସ୍ଥା?”
ଅର୍ଥାତ୍, ଯୋଜନା ସମ୍ପୂର୍ଣ୍ଣ ସଫଳ!
ଅଫିସର ଆଉ ମନ୍ତ୍ରୀ ହେଉଛନ୍ତି ଧର୍ମେନ୍ଦ୍ରଙ୍କର… ଆଉ ବଦନାମୀ ଓ ଅପଯଶ ସବୁ ମୁଣ୍ଡାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ!
ଏହା କେବଳ ଗୋଟିଏ ବିଭାଗର କାହାଣୀ ନୁହେଁ। ଏହା ହେଉଛି ଓଡ଼ିଶା ବିଜେପି ଭିତରେ ଚାଲିଥିବା ସେହି ଗୁପ୍ତ କ୍ଷମତା ଯୁଦ୍ଧର ଗୋଟିଏ ଛୋଟ ଝଲକ। ଏଭଳି ଅନେକ କାହାଣୀ ଆଇନ, ଅବକାରୀ, ପୂର୍ତ୍ତ, ଉଚ୍ଚଶିକ୍ଷା, ପଞ୍ଚାୟତିରାଜ ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଅହାହ ଚାଲିଛି।
ଜଣେ ନିରୀହ, ସରଳ, ଗରିବ ଆଦିବାସୀ ପୁଅ ଯେତେବେଳେ ନିଜ ଯୋଗ୍ୟତାରେ ଓ କେନ୍ଦ୍ରୀୟ ଆଶୀର୍ବାଦରେ ମୁଖ୍ୟମନ୍ତ୍ରୀ ଚେୟାରରେ ବସିଛି, ତାଙ୍କୁ ସହଯୋଗ କରିବା ବଦଳରେ, ତାଙ୍କ ସରକାରକୁ ସଫଳ କରିବା ବଦଳରେ, ନିଜ ଦଳର ହିଁ କିଛି ପ୍ରଭାବଶାଳୀ ଗୋଷ୍ଠୀ ତାଙ୍କ ପାଦ ଟାଣିବାକୁ ଚେଷ୍ଟା କରୁଛନ୍ତି।
ଅଫିସରମାନଙ୍କୁ ସାମ୍ନାକୁ ଆଣି, ମନ୍ତ୍ରୀମାନଙ୍କୁ ନିଜ କବ୍ଜାରେ ରଖି, ନିଷ୍ପତ୍ତିରେ ଭୁଲ୍ କରାଇ, ମୁଖ୍ୟମନ୍ତ୍ରୀଙ୍କ ପ୍ରତିମୂର୍ତ୍ତିକୁ ଜନସାଧାରଣଙ୍କ ସାମ୍ନାରେ ଖରାପ କରିବାକୁ ଗୋଟିଏ ବଡ଼ ନକ୍ସା ପ୍ରସ୍ତୁତ କରାଯାଇଛି।
କିନ୍ତୁ ପ୍ରଶ୍ନ ଉଠୁଛି:
• ଏହି କ୍ଷମତା ଯୁଦ୍ଧରେ କ୍ଷତି କାହାର ହେଉଛି?
• ରାଜନେତାଙ୍କର ନା ଓଡ଼ିଶାର କୋମଳମତି ଭବିଷ୍ୟତ ଅର୍ଥାତ୍ ସେହି ଛୋଟ ଛୋଟ ପିଲାମାନଙ୍କର?
• ମୋହନ ମାଝୀ କ’ଣ ଏହି ଚକ୍ରବ୍ୟୁହକୁ ଭାଙ୍ଗି ବାହାରି ପାରିବେ?
• ନା ନିଜ ଦଳ ଭିତରର ଏହି ‘ଅଦୃଶ୍ୟ ଶତ୍ରୁ’ମାନଙ୍କ ଶିକାର ହୋଇ ସେ ବଦନାମୀର ବୋଝ ବୋହିଚାଲିବେ?
ଏହି ପ୍ରଶ୍ନର ଉତ୍ତର ଆଗାମୀ ସମୟ ଦେବ। କିନ୍ତୁ ଏତିକି ନିଶ୍ଚିତ ଯେ, ଯଦି ନିଜ ଘରର ଭାଇ ହିଁ ଶତ୍ରୁ ସାଜିବ, ତେବେ ସେହି ଯୁଦ୍ଧର ପରିଣାମ କେବେ ବି ଶୁଭଙ୍କର ହୋଇନପାରେ।
AlsoRead; https://purvapaksa.com/balasore-under-water-again-city-submerged-in-torrential-rain/


