ବାଂଶପାଳ ବ୍ଳକ୍ ର କୋଡିପଶା ପଞ୍ଚାୟତ । ତା’ରି ଭିତରେ ପାହାଡ ତଳେ ବଣ ଜଙ୍ଗଲ ମଧ୍ୟରେ ଏକ ଛୋଟ ଗାଁ – ଘୁଙ୍ଗି । ଆଦିମ ଜନଜାତି ଜୁଆଙ୍ଗ ଲୋକଙ୍କ ବସତି । ମୋଟ ପରିବାର ସଂଖ୍ୟା ଛତିଶ ହେବ । ଏଇଠୁ ଆସିଛନ୍ତି ମୋହନ ମାଝୀ, ଲୋକଙ୍କ ମୁଖ୍ୟମନ୍ତ୍ରୀ । ଏଇମାନଙ୍କ ବିଧାୟକ । ଏଠି ସମସ୍ତ ଗରିବଙ୍କ ଧାର୍ଯ୍ୟ ସୀମା ରେଖା ତଳେ। । ତେନ୍ଦୁଲକର କମିଟିର ମତ ଅନୁସାରେ ଗ୍ରାମାଞ୍ଚଳରେ ଯେଉଁ ଲୋକ ଦିନକୁ ସତେଇଶ ଟଙ୍କା ପର୍ଯ୍ୟନ୍ତ ଖାଇବା ପାଇଁ ଖର୍ଚ୍ଚ କରିପାରେ ନାହିଁ ସେ ଗରିବ। ଏଠି ତ ଅର୍ଥନୀତି ପୁରା ଅଲଗା। ଏଠି ଖାଇବାକୁ ଖର୍ଚ୍ଚ କରିବାର କଥା ନାହିଁ, ପାରିବାର କଥା ନାହିଁ, ଏଠି ମିଳିଲେ ଖାଇବ, ନହେଲେ ନାହିଁ । ମଜୁରୀ ମିଳିଲେ, ପଇସା ଆସିବ । ପଇସା ଆସିଲେ ଖାଇବା ଆସିବ। ଯଦି ତେନ୍ଦୁଲକର କମିଟି ଏମାନଙ୍କୁ ଦେଖିଥାନ୍ତା ହୁଏତ ତା’ଙ୍କ ରିପୋର୍ଟ କିଛି ଭିନ୍ନ ହୋଇଥାନ୍ତା।

ଦେଖନ୍ତୁ ଏ ଆଦିବାସୀ ବୁଢ଼ୀଙ୍କୁ ତାଙ୍କ ଚେହେରାକୁ । ତାଙ୍କ ଦେହରେ ଲମ୍ବିଥିବା କପଡାକୁ । ତାଙ୍କ ମୁଣ୍ଡର କେଶକୁ ।ସର୍ବନିମ୍ନ ଖାଦ୍ୟ, ବସ୍ତ୍ର, ବାସ ଏମାନଙ୍କ ପାଖରେ ଅପହଞ୍ଚ । ତାକୁ ଅନ୍ୟ ଅର୍ଥରେ କହିହେବ – ନିତିଦିନ ଜୀବନ ବଞ୍ଚିବାକୁ ଆବଶ୍ୟକ ଅର୍ଥର ରୋଜଗାର ପନ୍ଥା ବି ଅପହଞ୍ଚ। ଏମାନଙ୍କୁ ଭେଟିଛି ସ୍ଵେଚ୍ଛାସେବୀ ଅନୁଷ୍ଠାନ ” ଆଶା” । ଆଶାର ପ୍ରତିଷ୍ଠାତା ଶ୍ରୀ ଡମ୍ବରୁଧର ଘଣା ପ୍ରଶ୍ନ କରିଛନ୍ତି ।
୧) ଏ ଆଦିମ ଜନଜାତି ଜୁଆଙ୍ଗଙ୍କ ବିକାଶ ପାଇଁ ୧୯୭୯ ରୁ ଗଠିତ JDA କ’ଣ ବିଫଳ?
୨) ଏମାନଙ୍କୁ ରୋଜଗାର ଯୋଗାଇ ଦେବାରେ ବ୍ଲକ୍/ ଜିଲ୍ଲା କତୃପକ୍ଷ ଅବହେଳା କରିଛି ବୋଲି କ’ଣ କେହି ମାନିନେବେ?
୩) ଆଦିବାସୀ ବିଧାୟକଙ୍କ ଆଗରେ ଆଦିବାସୀଙ୍କ କଲ୍ୟାଣ କ’ଣ ଗୈ।ଣ ହୋଇଯାଇଛି?
ଯଦି ଏହାହିଁ ଚିତ୍ର, ତେବେ ଜନଜାତିଙ୍କ ବିକାଶ ଆମର ପ୍ରାଥମିକତା ବୋଲି କହୁଥିବା ସରକାରଙ୍କ ଉକ୍ତି କେତେ ଭରସା ଯୋଗ୍ୟ ଓ ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ରକ୍ଷା ପାଇଁ ଆମେ ବଦ୍ଧପରିକର – ଏହା ଭାଷଣ, ନା ସରକାରଙ୍କ ଆନ୍ତରିକତା ବୋଲି ସେ ପ୍ରଶ୍ନ କରିଛନ୍ତି।
“ଆଶା” ନଜରକୁ ଆସିଛନ୍ତି ଏମାନେ। ଆଶା ତରଫରୁ ଏହାରି ଭିତରେ କେତେକଙ୍କୁ ଶାଲ୍, କମ୍ବଳ ଯୋଗାଇ ଦିଆଯାଇଛି। କେତେକ ପରିବାରକୁ ପୋଷାକ, ସ୍ଵେଟର, ଚପଲ, ଡାଲି, ତେଲ, ସାବୁନ୍, ଚୁଡା, ଗୁଡ, ଆଳୁ, ପିଆଜ, ବିସ୍କୁଟ ଇତ୍ୟାଦି ଯୋଗାଇ ଦିଆ ଯାଇଛି। ଏ ଆଦିବାସୀ ଗରିବ ବୁଢୀ ମାନଙ୍କୁ କମ୍ବଳ ଯୋଗାଇ ଦିଆଯାଇଛି। ଅନ୍ତତଃ ଏବର୍ଷର ପ୍ରବଳ ଶୀତ ଦାଉରୁ କିଛି ତ ନିସ୍ତାର ମିଳିବ ଏମାନଙ୍କୁ। ” ଆଶା” ସରକାରଙ୍କୁ ଲେଖିଛି। ଜିଲ୍ଲାପାଳଙ୍କୁ ଜଣାଇଛି। ଏଠାକାର ଗରିବ ବିଧବାଙ୍କୁ ଭତ୍ତା, ଭିନ୍ନକ୍ଷମଙ୍କ ଚିକିତ୍ସା, ବୃଦ୍ଧ ବୃଦ୍ଧାଙ୍କୁ ଭତ୍ତା ଯୋଗାଇଦେବାକୁ ଦରଖାସ୍ତ ଦେଇଛି। ସ୍ଵର୍ଗତ ଈଶ୍ୱର ଜୁଆଙ୍ଗର ବାପ, ମା’ ଛେଉଣ୍ଡ ପିଲାଙ୍କ ପାଇଁ ଘର, ଅନୁକମ୍ପା ମୂଳକ ରାଶି ଯୋଗାଇ ଦେବା ସହିତ ସେମାନଙ୍କ ପଢ଼ା ଦାୟିତ୍ୱ ନେବାକୁ “ଆଶା” ଦାବି ରଖିଛି। ଇତିମଧ୍ୟରେ ତିନି ଚାରି ମାସ ବିତିଯାଇଥିଲେ ମଧ୍ୟ, କେହି କିଛି ପଦକ୍ଷେପ ନେଇ ନାହାନ୍ତି।
also read https://purvapaksa.com/is-the-spirit-of-bangladeshs-liberation-now-under-attack/
Is the spirit of Bangladesh’s liberation now under attack? ବାଂଲାଦେଶ ମୁକ୍ତିର ଆତ୍ମା କି ଏବେ ଅଭିଯୁକ୍ତ?


