କେନ୍ଦ୍ରର ମୋଦୀ ସରକାରଙ୍କ ଭୁଲ୍ ନୀତି ଯୋଗୁଁ ବିଶ୍ୱ ଦରବାରରେ ଭାରତର ସମ୍ମାନ ଏବଂ ପ୍ରତିଷ୍ଠା ହ୍ରାସ ପାଉଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଢ଼ଗେ। ବିଶ୍ୱ ପାସପୋର୍ଟ ସୂଚକାଙ୍କ ରେ ଭାରତର ସ୍ଥିତି ଲଗାତାର ତଳକୁ ଖସୁଥିବା ନେଇ ସେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ଏକ ପୋଷ୍ଟ କରି ଖଢ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦୧୮ ମସିହାର ଏକ ବୟାନକୁ ମନେ ପକାଇ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ପାସପୋର୍ଟ ମାନ୍ୟତା ହ୍ରାସ ନେଇ ବର୍ଷିଲେ
ଖଢ଼ଗେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, “୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ମୋଦୀ ଦାବି କରିଥିଲେ ଯେ ବିଦେଶରେ ଯାତ୍ରା କରୁଥିବା ଏବଂ ରହୁଥିବା ଭାରତୀୟମାନେ ଆଜି ଭାରତୀୟ ପାସପୋର୍ଟର ସମ୍ମାନ ଓ ଶକ୍ତି ବିଷୟରେ ଜାଣିଛନ୍ତି। କିନ୍ତୁ ବାସ୍ତବତା ତାଙ୍କ ଦାବିକୁ ଭୁଲ୍ ପ୍ରମାଣିତ କରୁଛି। ସେହି ଶକ୍ତି ଆଜି କେଉଁଠି ଦେଖାଯାଉଛି?”
ୱାର୍ଲ୍ଡ ଇକୋନୋମିକ ଫୋରମ୍ (WEF) ର ରିପୋର୍ଟକୁ ଉଦ୍ଧୃତ କରି କଂଗ୍ରେସ ସଭାପତି ଦର୍ଶାଇଛନ୍ତି ଯେ, ଗ୍ଲୋବାଲ ପାସପୋର୍ଟ ର଼୍ୟାଙ୍କିଙ୍ଗରେ ଭାରତ ୨୦୧୩ ମସିହାରେ ୭୪ତମ ସ୍ଥାନରେ ଥିବା ବେଳେ ୨୦୨୬ ଜୁନ୍ ସୁଦ୍ଧା ଏହା ୮୦ତମ ସ୍ଥାନକୁ ଖସି ଆସିଛି। ସେହିପରି ‘ଗ୍ଲୋବାଲ ସିଟିଜେନ୍ ସଲ୍ୟୁସନ୍ସ’ର ସୂଚକାଙ୍କ ଅନୁସାରେ ଭାରତ ଅତି ନୈରାଶ୍ୟଜନକ ଭାବେ ୧୨୫ତମ ସ୍ଥାନକୁ ଚାଲିଯାଇଛି।
![]()
ସେବା ନାହିଁ, କିନ୍ତୁ ଫିସ୍ ବୃଦ୍ଧି ଅତ୍ୟଧିକ
ଖଢ଼ଗେ ଅଭିଯୋଗ କରିଛନ୍ତି ଯେ, ପାସପୋର୍ଟ ସେବାରେ କୌଣସି ଆଖିଦୃଶିଆ ସଂସ୍କାର ନଆଣି ମୋଦୀ ସରକାର ଏହାକୁ ଆହୁରି ମହଙ୍ଗା କରିଦେଇଛନ୍ତି। ସାଧାରଣ ପାସପୋର୍ଟ ଫିସକୁ ୧,୫୦୦ ଟଙ୍କାରୁ ବଢ଼ାଇ ୨,୫୦୦ ଟଙ୍କା କରାଯାଇଥିବା ବେଳେ ତତ୍କାଳ ସେବା ପାଇଁ ଏହା ୫,୦୦୦ ଟଙ୍କାରେ ପହଞ୍ଚିଛି। ଏହାସହ ଭାରତର ସରକାରୀ ଭିସା ପୋର୍ଟାଲ ଏବେ ମଧ୍ୟ ଅତ୍ୟନ୍ତ ପୁରୁଣା ଏବଂ ଜଟିଳ ହୋଇ ରହିଛି, ଯାହା ୧୯୯୦ ଦଶକର ଶେଷ ଭାଗର ଏକ ୱେବସାଇଟ୍ ଭଳି ଦେଖାଯାଉଛି।
ପର୍ଯ୍ୟଟନ କ୍ଷେତ୍ରରେ ବିଫଳତା ଲୁଚାଉଛନ୍ତି ସରକାର
Modi Govt’s policies are responsible for hurting India’s global reputation.
PM Modi claimed in 2018: “People travelling and living abroad know the respect and strength of the Indian passport today.” Where is that “strength” reflected? Facts bely his assertions.
✈️In one global… pic.twitter.com/GWcWu1kXrp
— Mallikarjun Kharge (@kharge) July 6, 2026
ଭାରତକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କୋଭିଡ୍ ପୂର୍ବ ସ୍ଥିତିକୁ ଫେରିପାରି ନାହିଁ ବୋଲି ସେ କହିଛନ୍ତି। ୨୦୧୯ରେ ଦେଶକୁ ୧୦.୯୩ ମିଲିୟନ ପର୍ଯ୍ୟଟକ ଆସିଥିବା ବେଳେ ୨୦୨୪ରେ ଏହା ୯.୯୫ ମିଲିୟନକୁ ହ୍ରାସ ପାଇଛି। ଏହି ବିଫଳତାକୁ ଲୁଚାଇବା ପାଇଁ ସରକାରNRI ମାନଙ୍କ ଯାତ୍ରା ତଥ୍ୟକୁ ବିଦେଶୀ ପର୍ଯ୍ୟଟକଙ୍କ ତଥ୍ୟ ସହ ମିଶାଇ ଦେଖାଉଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ‘ଅତିଥି ଦେବୋ ଭବ’ର ଏହି ଦେଶରେ ପର୍ଯ୍ୟଟକମାନଙ୍କୁ ଏଭଳି ସେବା ଦେଇ ସ୍ୱାଗତ କରାଯାଇପାରିବ ନାହିଁ।
ଶେଷରେ ସେ କହିଛନ୍ତି ଯେ, “ଯଦି ଦେଶର ପାସପୋର୍ଟ ଦୁର୍ବଳ ହେଉଛି, ପର୍ଯ୍ୟଟନ କ୍ଷେତ୍ର ସୁଧୁରୁ ନାହିଁ ଏବଂ ନିମ୍ନମାନର ସେବା ପାଇଁ ନାଗରିକମାନେ ଅଧିକ ଟଙ୍କା ଗଣୁଛନ୍ତି, ତେବେ ସରକାର ପ୍ରଚାର କରୁଥିବା ସେହି ବିଶ୍ୱସ୍ତରୀୟ ସମ୍ମାନ ଗଲା କୁଆଡ଼େ? ବାସ୍ତବତା ଅତ୍ୟନ୍ତ ପିତା ଏବଂ ମୋଦୀ ସରକାରଙ୍କ ଯୋଗୁଁ ହିଁ ଭାରତର ପ୍ରତିଷ୍ଠା ହାନି ହେଉଛି।”
Also read : https://purvapaksa.com/flood-situation-in-chenab-river-india-opens-gates-of-baglihar-dam-pakistan-in-crisis/


