ସମୁଦ୍ରରେ ଚୀନର ବଢ଼ୁଥିବା ଦବଦବା ଏବଂ ଭାରତ ମହାସାଗର ଅଞ୍ଚଳରେ ରଣନୈତିକ ସ୍ଥିତିକୁ ଆହୁରି ମଜବୁତ କରିବା ପାଇଁ ଭାରତୀୟ ନୌସେନା ଏକ ବଡ଼ ଧରଣର ଯୋଜନା ପ୍ରସ୍ତୁତ କରିଛି। ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ଆତ୍ମନିର୍ଭରଶୀଳତାକୁ ବଡ଼ ପ୍ରୋତ୍ସାହନ ଦେଇ ନୌସେନା ପକ୍ଷରୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ବ୍ୟୟରେ ତିନୋଟି ବିଶାଳ ସ୍ୱଦେଶୀ ଯୁଦ୍ଧପୋତ ପ୍ରକଳ୍ପ ଆରମ୍ଭ କରାଯିବାକୁ ଯାଉଛି। ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଏହାକୁ ଏକ ବଡ଼ ଏବଂ ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି।

ପ୍ରତିରକ୍ଷା ମନ୍ତ୍ରଣାଳୟର ସବୁଜ ସଙ୍କେତ
ସୂତ୍ର ଅନୁଯାୟୀ, ନୌସେନାର ଯୁଦ୍ଧ କ୍ଷମତାକୁ ବହୁଗୁଣିତ କରିବା ପାଇଁ ଖୁବ୍ଶୀଘ୍ର ଏହି ପ୍ରକଳ୍ପଗୁଡ଼ିକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ର ବୈଠକରେ ଆନୁଷ୍ଠାନିକ ମଞ୍ଜୁରୀ ମିଳିବାକୁ ଯାଉଛି। ଏହି ବିଶାଳ ଯୋଜନାରେ ନୂତନ ପିଢ଼ିର ଅତ୍ୟାଧୁନିକ ଡେଷ୍ଟ୍ରୋୟର୍ , ଷ୍ଟେଲ୍ଥ ଫ୍ରିଗେଟ୍ସ ଏବଂ ଅନ୍ୟାନ୍ୟ ସହାୟକ ଯୁଦ୍ଧପୋତ ସାମିଲ ରହିଛି। ଏହି ସମସ୍ତ ଯୁଦ୍ଧପୋତର ସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ଭାରତର ବିଭିନ୍ନ ସରକାରୀ ଓ ବେସରକାରୀ ସିପ୍ୟାର୍ଡ ମାଧ୍ୟମରେ କରାଯିବ।
ଚୀନର ଆହ୍ୱାନ ଓ ଭାରତର ରଣନୀତି
![]()
ସମ୍ପ୍ରତି ହିନ୍ଦ ମହାସାଗରରେ ଚୀନ ନୌସେନାର ବାରମ୍ବାର ଅନୁପ୍ରବେଶ ଏବଂ ଉପସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏହି ରଣନୈତିକ ପଦକ୍ଷେପ ନେଇଛି। ଏହି ପ୍ରକଳ୍ପ ଅଧୀନରେ ନିର୍ମିତ ହେବାକୁ ଥିବା ଯୁଦ୍ଧପୋତଗୁଡ଼ିକ ଅତ୍ୟାଧୁନିକ ମିସାଇଲ୍ ସିଷ୍ଟମ୍, ଶତ୍ରୁ ରାଡାରକୁ ଚକମା ଦେବାର କ୍ଷମତା ଏବଂ ଆଣ୍ଟି-ସବ୍ମେରିନ୍ ୱାର୍ଫେୟାର ଟେକ୍ନୋଲୋଜିରେ ସଜ୍ଜିତ ହେବ। ଏହାଦ୍ୱାରା ନୌସେନା ସୁଦୂର ସମୁଦ୍ରରେ ମଧ୍ୟ ଦୀର୍ଘ ସମୟ ଧରି ନିଜର ପାରଦର୍ଶିତା ପ୍ରଦର୍ଶନ କରିପାରିବ।
ସ୍ଥାନୀୟ ଶିଳ୍ପ ଓ ନିଯୁକ୍ତିକୁ ମିଳିବ ବଡ଼ ପ୍ରୋତ୍ସାହନ
୧ ଲକ୍ଷ କୋଟି ଟଙ୍କାର ଏହି ମେଗା ଡିଲ୍ କେବଳ ଭାରତୀୟ ସେନାର ସାମରିକ ଶକ୍ତି ବଢ଼ାଇବ ନାହିଁ, ବରଂ ଦେଶର ଘରୋଇ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଏକ ବିପ୍ଳବ ଆଣିବ। ଏହାଦ୍ୱାରା ଶହ ଶହ ସ୍ଥାନୀୟ ମାଇକ୍ରୋ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଉପକୃତ ହେବେ। ଏହାସହିତ ଇଞ୍ଜିନିୟରିଂ ଏବଂ ସିପ୍ବିଲ୍ଡିଂ କ୍ଷେତ୍ରରେ ହଜାର ହଜାର ସଂଖ୍ୟାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ବ୍ୟାପକ ପ୍ରକଳ୍ପ ଦ୍ୱାରା ମହାସାଗରୀୟ ସୀମା ସୁରକ୍ଷା କ୍ଷେତ୍ରରେ ଭାରତୀୟ ନୌସେନା ଆଗାମୀ ଦଶନ୍ଧି ପାଇଁ ନିଜର ସୁରକ୍ଷା ପ୍ରାଚୀରକୁ ଅଧିକ ଦୃଢ଼ କରିପାରିବ।
Also read : https://purvapaksa.com/congress-rjd-and-dmks-mega-plan-to-overthrow-the-government-on-july-19/


