ଆଫଗାନିସ୍ତାନର ଜନସାଧାରଣଙ୍କ ସଙ୍କଟ ସମୟରେ ପୁଣି ଥରେ ସହାୟତାର ହାତ ବଢ଼ାଇଛି ଭାରତ। ପାକିସ୍ତାନରୁ ବାଧ୍ୟ ହୋଇ ନିଜ ଦେଶକୁ ଫେରୁଥିବା ହଜାର ହଜାର ଆଫଗାନ ଶରଣାର୍ଥୀଙ୍କ ଥଇଥାନ ଓ ପୁନର୍ବାସ ପାଇଁ ଭାରତ ସରକାରଙ୍କ ପକ୍ଷରୁ ମାନବୀୟ ସହାୟତା ଯୋଗାଇ ଦିଆଯାଇଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଫଗାନିସ୍ତାନର ‘ଶରଣାର୍ଥୀ ଏବଂ ପୁନର୍ବାସ ମନ୍ତ୍ରଣାଳୟ’ କୁ ଶରଣାର୍ଥୀ ପରିବାରଗୁଡ଼ିକର ରହିବା ପାଇଁ ବହୁ ସଂଖ୍ୟାରେ ତମ୍ବୁ ହସ୍ତାନ୍ତର କରାଯାଇଛି, ଯଦ୍ୱାରା ନିରାଶ୍ରୟ ଲୋକମାନେ ତୁରନ୍ତ ମୁଣ୍ଡ ଗୁଞ୍ଜିବାକୁ ଆଶ୍ରୟ ପାଇପାରିବେ।

ପାକିସ୍ତାନରୁ ବେ-ଘର ହୋଇ ଫେରୁଛନ୍ତି ଲକ୍ଷ ଲକ୍ଷ ଆଫଗାନୀ
ବର୍ତ୍ତମାନ ପାକିସ୍ତାନରୁ ବହୁ ସଂଖ୍ୟାରେ ଆଫଗାନିସ୍ତାନ ନାଗରିକ ନିଜ ଦେଶକୁ ଫେରିବାକୁ ବାଧ୍ୟ ହେଉଛନ୍ତି। ପାକିସ୍ତାନ ସରକାର ସେଠାରେ ବେଆଇନ ଭାବେ ରହୁଥିବା ଏବଂ ବୈଧ ଦଲିଲ୍ ନଥିବା ଶରଣାର୍ଥୀଙ୍କୁ ଦେଶରୁ ବାହାର କରିବା ପ୍ରକ୍ରିୟାକୁ ଅତି ଜୋରଦାର କରିଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ବୈଧ ଭିସା ନଥିବା ଆଫଗାନୀମାନଙ୍କୁ ସ୍ୱେଚ୍ଛାକୃତ ଭାବେ ଦେଶ ଛାଡ଼ିବା ପାଇଁ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ସମୟସୀମା ଦିଆଯାଇଥିଲା। ଏହି ସମୟସୀମା ଶେଷ ହେବା ପରେ ପାକିସ୍ତାନ ପ୍ରଶାସନ ସେମାନଙ୍କୁ ଜବରଦସ୍ତ ତଡ଼ିବା ଆରମ୍ଭ କରିଛି।

ତାଲିବାନର ‘ହାଇ କମିଶନ ଫର ଆଡ୍ରେସିଂ ରିଟର୍ଣ୍ଣିଜ୍ ଇସ୍ୟୁଜ୍’ର ସଚିବାଳୟ ସୂତ୍ରରୁ ଜଣାପଡ଼ିଛି ଯେ, ନିକଟରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ୪,୦୦୦ ରୁ ଅଧିକ ଆଫଗାନ ନାଗରିକଙ୍କୁ ପାକିସ୍ତାନରୁ ଜବରଦସ୍ତ ଘଉଡ଼ାଇ ଦିଆଯାଇଛି।
ମହିଳା ଓ ଶିଶୁଙ୍କ ଅଧିକାରକୁ ନେଇ ଜାତିସଂଘର ଚିନ୍ତା
ଅନ୍ୟପଟେ, ପାକିସ୍ତାନରେ ଥିବା ଜାତିସଂଘ ଶରଣାର୍ଥୀ ଉଚ୍ଚାୟୁକ୍ତର ପ୍ରବକ୍ତା କୈସର ଖାନ ଆଫ୍ରିଦି ପାକିସ୍ତାନ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, UNHCR ବିଶେଷ କରି ସେହି ମହିଳା ଓ ନାବାଳିକା ଝିଅମାନଙ୍କ ସୁରକ୍ଷାକୁ ନେଇ ଚିନ୍ତିତ, ଯେଉଁମାନଙ୍କୁ ବାଧ୍ୟତାମୂଳକ ଭାବେ ଏଭଳି ଏକ ଦେଶକୁ ପଠାଯାଉଛି ଯେଉଁଠାରେ ସେମାନଙ୍କର ମାନବାଧିକାର ଅତି ବିପଜ୍ଜନକ ସ୍ଥିତିରେ ରହିଛି।
ଏହାସହ ଅନ୍ୟ କେତେକ ସଂଖ୍ୟାଲଘୁ ଗୋଷ୍ଠୀ ମଧ୍ୟ ଆଫଗାନିସ୍ତାନ ଫେରିବା ପରେ ବଡ଼ ଧରଣର ଜୀବନ ଓ ନିରାପତ୍ତାର ଆହ୍ୱାନର ସାମ୍ନା କରିବାର ଆଶଙ୍କା ରହିଛି। ଏଭଳି ଏକ ମାନବୀୟ ସଙ୍କଟ ସମୟରେ ଭାରତ ଦ୍ୱାରା ଯୋଗାଇ ଦିଆଯାଇଥିବା ଏହି ଆଶ୍ରୟ ସହାୟତା ଆଫଗାନିସ୍ତାନର ସାଧାରଣ ଲୋକଙ୍କ ପାଇଁ ବେଶ୍ ଉପାଦେୟ ସାବ୍ୟସ୍ତ ହେବ।


