୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ର ପୂର୍ବତନ ଅଧିକାରୀ ଆର. ଭି. ଏସ. ମଣି ଏକ ଚାଞ୍ଚଲ୍ୟକର ତଥା ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଆକ୍ରମଣ ସମୟରେ ମୁମ୍ବାଇ ପୋଲିସର ବୀର ଯବାନ ସହୀଦ ତୁକାରାମ ଓମ୍ବଲେ ଯଦି ନିଜ ଜୀବନକୁ ବାଜି ଲଗାଇ ପାକିସ୍ତାନୀ ଆତଙ୍କବାଦୀ ଅଜମଲ କସାବ୍କୁ ଜୀବନ୍ତ ଧରିନଥାନ୍ତେ, ତେବେ ସେହି ସମୟର କିଛି ପ୍ରଭାବଶାଳୀ ବ୍ୟକ୍ତି ଓ ରଣନୀତିକାର ଏହି ସମ୍ପୂର୍ଣ୍ଣ ଆକ୍ରମଣକୁ ‘ହିନ୍ଦୁ ଆତଙ୍କବାଦ’ ଆଖ୍ୟା ଦେଇଥାନ୍ତେ।
କାହିଁକି ରଚାଯାଇଥିଲା କାଳ୍ପନିକ ହିନ୍ଦୁ ଆତଙ୍କବାଦର କାହାଣୀ ?
ଏକ ସାକ୍ଷାତକାରରେ ପୂର୍ବତନ ଅଧିକାରୀ ଶ୍ରୀ ମଣି କହିଛନ୍ତି ଯେ, ସେହି ସମୟରେ ଦେଶର ରାଜନୈତିକ ବାତାବରଣରେ ଜାଣିଶୁଣି ‘ହିନ୍ଦୁ ଆତଙ୍କବାଦ’ର ଏକ ନୂଆ କାହାଣୀ ପ୍ରସ୍ତୁତ କରିବାକୁ ଚେଷ୍ଟା କରାଯାଉଥିଲା। ଏହି ଷଡ଼ଯନ୍ତ୍ରର ଅଂଶସ୍ୱରୂପ ମୁମ୍ବାଇ ଆକ୍ରମଣ କରିବାକୁ ଆସିଥିବା ସମସ୍ତ ପାକିସ୍ତାନୀ ଆତଙ୍କବାଦୀଙ୍କ ହାତରେ ହିନ୍ଦୁ ପବିତ୍ର ସୂତା ବା କାଲଭା ବନ୍ଧାଯାଇଥିଲା। ଏହାସହିତ ସେମାନଙ୍କ ପାଖରୁ ଭାରତୀୟ ପରିଚୟ ପତ୍ର ମଧ୍ୟ ମିଳିଥିଲା, ଯେଉଁଥିରେ ସେମାନଙ୍କର ହିନ୍ଦୁ ନାମ ଉଲ୍ଲେଖ ଥିଲା।

ତାଙ୍କ କହିବା ଅନୁଯାୟୀ, ଯଦି ସମସ୍ତ ଆତଙ୍କବାଦୀ ମୃତ୍ୟୁବରଣ କରିଥାନ୍ତେ, ତେବେ ପାକିସ୍ତାନ ଏବଂ ଭାରତର କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏହାକୁ ହିନ୍ଦୁ ଉଗ୍ରବାଦୀଙ୍କ କାର୍ଯ୍ୟ ବୋଲି ପ୍ରମାଣିତ କରିବାରେ ସଫଳ ହୋଇଥାନ୍ତେ। କିନ୍ତୁ କସାବ୍ ଜୀବନ୍ତ ଧରାପଡ଼ିବା ପରେ ପାକିସ୍ତାନର ଏହି ବଡ଼ ଷଡ଼ଯନ୍ତ୍ର ଏବଂ ଆତଙ୍କବାଦର ପ୍ରକୃତ ଚେହେରା ବିଶ୍ୱ ଦରବାରରେ ସମ୍ପୂର୍ଣ୍ଣ ଉନ୍ମୋଚିତ ହୋଇଗଲା।
ଆଇଏସଆଇ ର ସାଟେଲାଇଟ୍ ଫୋନ୍ ଡାଟା ଉପରେ ଖୁଲାସା
ଆର. ଭି. ଏସ. ମଣି ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ, ଆକ୍ରମଣ ସମୟରେ ପାକିସ୍ତାନର ଗୁପ୍ତଚର ସଂସ୍ଥା ISI ର ଜଣେ ମେଜର ରାଙ୍କର ଅଧିକାରୀ ଭାରତୀୟ ସୀମା ମଧ୍ୟରେ ଥିବା ଏକ ସାଟେଲାଇଟ୍ ଫୋନ୍ ସହ କ୍ରମାଗତ ଭାବେ ଯୋଗାଯୋଗରେ ଥିଲେ। ଏହି ଫୋନ୍ଟି ଭାରତ ଭିତରେ କାହା ପାଖରେ ଥିଲା ଏବଂ କିଏ ସୀମା ଆରପାରିକୁ ଗୁପ୍ତ ତଥ୍ୟ ଯୋଗାଉଥିଲା, ତାହାକୁ ନେଇ ସେ ସମୟରେ ଅଧିକ ଗଭୀର ତଦନ୍ତ କରାଯାଇନଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ଜାତୀୟ ସୁରକ୍ଷା କ୍ଷେତ୍ରରେ କିଛି ଲୋକ ନିଜର ବ୍ୟକ୍ତିଗତ ରାଜନୈତିକ ଫାଇଦା ପାଇଁ ଦେଶର ଛବିକୁ କଳଙ୍କିତ କରିବାକୁ ପ୍ରୟାସ କରିଥିବା ସେ ନିଜ ବୟାନରେ ଦର୍ଶାଇଛନ୍ତି।


