Housefull-5: ଖୁବ୍ଶୀଘ୍ର ଆସିବାକୁ ଯାଉଛି ହାଉସ୍ଫୁଲ ଫ୍ରାଞ୍ଚାଇଜର ଆଉ ଏକ ସିରିଜ ‘ହାଉସ୍ଫୁଲ-୫’ ।
ଯାହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଦର୍ଶକ । ଏହି ଫ୍ରାଞ୍ଚାଇଜର ସବୁ ସିରିଜରେ କେତେକ କଳାକାରଙ୍କୁ ବଦଳାଇ ଦିଆଯାଇଥିଲା । ସେହିପରି ଏହି ସିରିଜରେ କେଉଁ କେଉଁ କଳାକାର ନଜର ଆସିବେ ତାକୁ ନେଇ ଫ୍ୟାନ୍ସମାନେ ଅପେକ୍ଷା କରିଥିଲେ । ନିକଟରେ ଏହି ଫିଲ୍ମର ନିର୍ମାତା ଏହା ଉପରୁ ପରଦା ଉଠାଇଛନ୍ତି ।

ସୋସିଆଲ ମିଡ଼ିଆରେ ଏକ ଫଟୋ ପୋଷ୍ଟ କରି ସମସ୍ତ କଳାକାରଙ୍କର ଝଲକ ଦେଖାଇଛନ୍ତି । ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର, ରିତେଶ ଦେଶମୁଖ, ଅଭିଷେକ ବଚ୍ଚନ, ଫରଦିନ ଖାନ, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ, ସୋନମ ବାଜୱା, ନର୍ଗିସ, ସଞ୍ଜୟ ଦତ୍ତ, ଜ୍ୟାକି ଶ୍ରଫ, ନାନା ପାଟେକର, ଚଙ୍କି ପାଣ୍ଡେ ଏବଂ ଶ୍ରେୟାସ ତାଲପଡ଼େ ପ୍ରମୁଖ ଅଭିନୟ କରିଛନ୍ତି । ବର୍ତ୍ତମାନ ଏହି ଫ୍ରାଞ୍ଚାଇଜ୍ ସୁଟିଂ ଶେଷହେବାକୁ ଯାଉଥିବା ବେଳେ ସମ୍ପୂର୍ଣ୍ଣ ଟିମ ଏହାକୁ ସେଲିବ୍ରେଟ କରିଛନ୍ତି ।

‘ହାଉସଫୁଲ୍’ ଫ୍ରାଞ୍ଚାଇଜର ପ୍ରତ୍ୟେକ ସିରିଜଗୁଡ଼ିକ ବକ୍ସ ଅଫିସରେ ଭଲ ରୋଜଗାର କରିଛି । ଏହି ସିରିଜକୁ ନେଇ ମଧ୍ୟ ନିର୍ମାତା ସାଜିଦ ନାଡ଼ିଆଡ଼ୱାଲା ଏବଂ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଏହି ଚଳଚ୍ଚିତ୍ରଟି କମେଡ଼ି ପ୍ରସଙ୍ଗରେ ତିଆରି କରାଯାଇଛି । ଅକ୍ଷୟ ଏବଂ ରିତେଶ ପୂର୍ବରୁ ମୁକ୍ତିଲାଭ କରିଥିବା ‘ହାଉସଫୁଲ୍’ ସିରିଜରେ ନଜର ଆସିଥିଲେ । ଉଭୟଙ୍କ କମେଡ଼ିକୁ ଦର୍ଶକ ପସନ୍ଦ କରନ୍ତି ।

‘ହାଉସ୍ଫୁଲ-୫’ ଚଳଚ୍ଚିତ୍ରରେ ଜ୍ୟାକଲିନ୍ ଏବଂ ନର୍ଗିସ୍ କମେଡ଼ି ସହିତ ଗ୍ଲାମର ତଡ଼କା ଲଗେଇବା ବେଳେ ଏହି ସିରିଜରେ ଆଉ ଏକ ନୂଆ ଅଭିନେତ୍ରୀଙ୍କୁ ଦେଖିବେ ଦର୍ଶକ । ପଞ୍ଜାବୀ ଚଳଚ୍ଚିତ୍ରର ଜଣାଶୁଣା ନାମ ସୋନମ ବାଜୱା ମଧ୍ୟ ‘ହାଉସ୍ଫୁଲ୍-୫’ର ଏକ ଅଂଶ ହେବେ । ସେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ପଞ୍ଜାବୀ ଚଳଚ୍ଚିତ୍ର ଏବଂ ଗୀତରେ ଅଭିନୟ କରିଛନ୍ତି। ଏହି ଫିଲ୍ମରୁ ହିନ୍ଦୀ ଚଳଚ୍ଚିତ୍ରରେ ଡେବ୍ୟୁ କରିବେ ସୋନମ ବାଜୱା । ଏହି ଚଳଚ୍ଚିତ୍ରଟି ୬ ଜୁନ୍ ୨୦୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ପୂର୍ବ ଫିଲ୍ମ ପରି ଏହି ଫିଲ୍ମ ମଧ୍ୟ ବକ୍ସ ଅଫିସରେ ଧମାକା କରିବ ବୋଲି ଆଶା କରାଯାଉଛି ।

