ଇତିହାସ ନିଜକୁ ଦୋହରାଏ, କିନ୍ତୁ ବେଳେବେଳେ ଏହା ଏମିତି ଏକ ଶିକ୍ଷା ଦେଇଯାଏ ଯାହାକୁ ଭୁଲିବା ଜାତି ପାଇଁ ସାଂଘାତିକ ହୋଇପାରେ। ଆଜି ଯେତେବେଳେ ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବଢ଼ୁଛି, ସେତେବେଳେ ଭାରତର ମଧ୍ୟବିତ୍ତ ଶ୍ରେଣୀ କେବଳ ପେଟ୍ରୋଲ ଦର ବୃଦ୍ଧିକୁ ନେଇ ଚିନ୍ତିତ। କିନ୍ତୁ ଆଜିର ପିଢ଼ି ପାଇଁ ୧୯୯୦-୯୧ର ସେହି ସମୟକୁ ମନେ ପକାଇବା ଜରୁରୀ, ଯେତେବେଳେ ଭାରତ କେବଳ ମହଙ୍ଗା ମାଡ଼ ନୁହେଁ, ବରଂ ଦେବାଳିଆ ହେବାର ଦ୍ୱାରଦେଶରେ ଛିଡ଼ା ହୋଇଥିଲା। ରାଜକୋଷ ଖାଲି ଥିଲା, ବିଦେଶୀ ମୁଦ୍ରା ଭଣ୍ଡାର ଶୁଖି ଯାଇଥିଲା ଏବଂ ଦେଶର ସମ୍ମାନ “ସୁନା”କୁ ବିଦେଶୀ ବ୍ୟାଙ୍କରେ ବନ୍ଧା ରଖିବାକୁ ପଡ଼ିଥିଲା।
ସଦ୍ଦାମଙ୍କ ଅଭିଳାଷ ଏବଂ ବିଶ୍ୱର ପ୍ରଥମ ‘ତେଲ ଯୁଦ୍ଧ’
୨ ଅଗଷ୍ଟ ୧୯୯୦। ଇରାକର ତତ୍କାଳୀନ ଶାସକ ସଦ୍ଦାମ ହୁସେନ୍ ନିଜର ଶକ୍ତିଶାଳୀ ସେନା ସହିତ କ୍ଷୁଦ୍ର ପଡ଼ୋଶୀ ଦେଶ କୁଏତ ଉପରେ ଆକ୍ରମଣ କଲେ। ସଦ୍ଦାମଙ୍କ ଯୁକ୍ତି ଥିଲା ଯେ କୁଏତ ଓପେକ୍ (OPEC)ର ନିୟମ ଭାଙ୍ଗି ଅଧିକ ତେଲ ଉତ୍ପାଦନ କରୁଛି, ଯାହା ଫଳରେ ଆନ୍ତର୍ଜାତୀକ ବଜାରରେ ତେଲ ଦର କମିଯାଉଛି। ଏହା ଫଳରେ ଇରାକକୁ ବାର୍ଷିକ ୭ ବିଲିୟନ୍ ଡଲାରର କ୍ଷତି ସହିବାକୁ ପଡ଼ୁଥିଲା। କିନ୍ତୁ ଅସଲ ଲକ୍ଷ୍ୟ ଥିଲା କୁଏତର ଅପର୍ଯ୍ୟାପ୍ତ ତେଲ ଭଣ୍ଡାର ଉପରେ ନିଜର ମାଲିକାନା ଜାହିର କରିବା।
ଯୁଦ୍ଧ ଆରମ୍ଭ ହେବାମାତ୍ରେ ମିଳିତ ଜାତିସଂଘ ଇରାକ ଉପରେ କଠୋର କଟକଣା ଲଗାଇଲା। ଫଳସ୍ୱରୂପ, ବିଶ୍ୱ ବଜାରକୁ ଆସୁଥିବା ଦୈନିକ ୪ରୁ ୫ ମିଲିୟନ୍ ବ୍ୟାରେଲ୍ ତେଲର ଯୋଗାଣ ହଠାତ୍ ବନ୍ଦ ହୋଇଗଲା। ମାତ୍ର କିଛି ମାସ ମଧ୍ୟରେ ତେଲ ଦର ବ୍ୟାରେଲ୍ ପିଛା ୧୫ ଡଲାରରୁ ବଢ଼ି ୪୦ ଡଲାର ପାର୍ ହୋଇଗଲା। ଏହା ଥିଲା ଆଧୁନିକ ଇତିହାସର ସବୁଠାରୁ ଭୟଙ୍କର ‘ପ୍ରାଇସ୍ ସ୍ପାଇକ୍’ ।
ଭାରତର ଅର୍ଥନୈତିକ ମେରୁଦଣ୍ଡରେ ଶକ୍ତ ଆଘାତ
ସେହି ସମୟରେ ଭାରତୀୟ ଅର୍ଥନୀତି ଆଜି ଭଳି ଶକ୍ତିଶାଳୀ ନ ଥିଲା। ଭାରତ ତାର ଆବଶ୍ୟକତାର ପ୍ରାୟ ୭୦-୮୦% ତେଲ ଗଲ୍ଫ ଦେଶମାନଙ୍କରୁ ଆମଦାନୀ କରୁଥିଲା। ଯୁଦ୍ଧ ଯୋଗୁଁ ଆମଦାନୀ ବିଲ୍ ଦୁଇଗୁଣରୁ ଅଧିକ ହୋଇଗଲା। ଦେଶରେ ବିଦେଶୀ ମୁଦ୍ରା ଭଣ୍ଡାର (Forex Reserve) ଏତେ ଦ୍ରୁତ ଗତିରେ ଖସିଲା ଯେ, ୧୯୯୧ ଜୁନ୍ ମାସ ସୁଦ୍ଧା ଭାରତ ପାଖରେ ମାତ୍ର ୧.୧ ବିଲିୟନ୍ ଡଲାର ବାକି ଥିଲା। ଏହି ଟଙ୍କା ମାତ୍ର ଦୁଇ ସପ୍ତାହର ଆମଦାନୀ ପାଇଁ ବି ଯଥେଷ୍ଟ ନ ଥିଲା।
ସଙ୍କଟ କେବଳ ତେଲରେ ସୀମିତ ନଥିଲା। କୁଏତ ଏବଂ ଇରାକରେ ଲକ୍ଷ ଲକ୍ଷ ଭାରତୀୟ ଶ୍ରମିକ କାମ କରୁଥିଲେ। ଯୁଦ୍ଧ ଯୋଗୁଁ ସେମାନଙ୍କୁ ଦେଶକୁ ଫେରାଇ ଆଣିବାକୁ ପଡ଼ିଲା (ବିଶ୍ୱର ସବୁଠାରୁ ବଡ଼ ଏୟାରଲିଫ୍ଟ)। ଏହା ଫଳରେ ବିଦେଶରୁ ଆସୁଥିବା ଟଙ୍କା ବା ରେମିଟାନ୍ସ ବନ୍ଦ ହୋଇଗଲା, ଯାହା ଅର୍ଥନୀତିକୁ ସମ୍ପୂର୍ଣ୍ଣ ଭୁଶୁଡ଼ାଇ ଦେଲା।
ଯେତେବେଳେ ଦେଶର ସମ୍ମାନ ସୁନା ବନ୍ଧା ପଡ଼ିଲା
୧୯୯୧ ମସିହା। ଦେଶରେ ଚନ୍ଦ୍ରଶେଖରଙ୍କ ନେତୃତ୍ୱରେ ଏକ ଅସ୍ଥିର ସରକାର ଚାଲିଥିଲା। ଭାରତ ପାଖରେ ବିଦେଶୀ ଋଣ ସୁଝିବା ପାଇଁ ଟଙ୍କା ନ ଥିଲା। ବିଶ୍ୱ ସ୍ତରରେ ଭାରତ ‘ଡିଫଲ୍ଟର’ ହେବା ପରିସ୍ଥିତି ଉପୁଜିଲା। ଏହି ଅପମାନରୁ ରକ୍ଷା ପାଇବା ପାଇଁ ସରକାର ଏକ କଠୋର ନିଷ୍ପତ୍ତି ନେଲେ। ରିଜର୍ଭ ବ୍ୟାଙ୍କରୁ ପ୍ରାୟ ୪୭ ଟନ୍ ସୁନା ଲଣ୍ଡନ ଏବଂ ୨୦ ଟନ୍ ସୁନା ସୁଇଜରଲାଣ୍ଡ ବ୍ୟାଙ୍କରେ ବନ୍ଧା ରଖାଗଲା। କେବଳ ଏହି ସୁନା ବଦଳରେ ଆନ୍ତର୍ଜାତୀକ ମୁଦ୍ରା ପାଣ୍ଠି (IMF) ଭାରତକୁ ଜରୁରୀକାଳୀନ ଋଣ ପ୍ରଦାନ କଲା।
ଶିକ୍ଷା ଏବଂ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭର ଜନ୍ମ
ସେହି ସମୟରେ ଭାରତୀୟ ରକ୍ଷା ବିଶେଷଜ୍ଞ ଏବଂ ଅର୍ଥନୀତିଜ୍ଞମାନେ ଅନୁଭବ କଲେ ଯେ, ଆମେ ସମ୍ପୂର୍ଣ୍ଣ ଭାବେ ‘ଜଷ୍ଟ-ଇନ୍-ଟାଇମ୍’ ଆମଦାନୀ ଉପରେ ନିର୍ଭରଶୀଳ। ଯଦି କାଲି ସକାଳେ ଯୁଦ୍ଧ ହୁଏ, ଆମ ଗାଡ଼ି ଏବଂ ସେନାର ଟ୍ୟାଙ୍କ ଚାଲିବା ପାଇଁ ତେଲ ରହିବ ନାହିଁ। ଏହି ଚିନ୍ତାଧାରାରୁ ହିଁ ଜନ୍ମ ନେଲା ‘ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ’ (SPR) ର କନସେପ୍ଟ।
୧୯୯୮ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଏହାକୁ ଜାତୀୟ ସୁରକ୍ଷାର ଅଂଶ ଭାବେ ଗ୍ରହଣ କଲେ। ବାଜପେୟୀ ସରକାର ହିଁ ଭାରତରେ ମାଟି ତଳେ ବିରାଟ ତେଲ ଗୋଦାମ ନିର୍ମାଣ କରିବାର ନକ୍ସା ପ୍ରସ୍ତୁତ କରିଥିଲେ। ଆଜି ବିଶାଖାପାଟଣା, ମାଙ୍ଗାଲୋର ଏବଂ ପଦୁରଠାରେ ଭାରତ ପାଖରେ ପ୍ରାୟ ୯ ରୁ ୧୦ ଦିନର ଅତିରିକ୍ତ ତେଲ ଭଣ୍ଡାର ମାଟି ତଳେ ଗଚ୍ଛିତ ଅଛି।
ଆଜିର ଭାରତ: କେତେ ପ୍ରସ୍ତୁତ, କେତେ ବିପଦ?
ଆଜି ଭାରତ ପାଖରେ ୭୦୦ ବିଲିୟନ୍ ଡଲାରରୁ ଅଧିକ ବିଦେଶୀ ମୁଦ୍ରା ଭଣ୍ଡାର ଅଛି। ଆମେ କେବଳ ଗଲ୍ଫ ଦେଶ ନୁହେଁ, ବରଂ ରୁଷିଆ ଏବଂ ଆମେରିକାରୁ ମଧ୍ୟ ତେଲ ଆମଦାନୀ କରୁଛୁ। କିନ୍ତୁ ଏହା ସତ୍ତ୍ୱେ ବିପଦ ସମ୍ପୂର୍ଣ୍ଣ ଟଳିନାହିଁ। ଆଜି ବି ଭାରତ ୮୫% ତେଲ ଆମଦାନୀ କରୁଛି। ଯଦି ହରମୁଜ୍ ଜଳସନ୍ଧି (Strait of Hormuz) ଯୁଦ୍ଧ ଯୋଗୁଁ ବନ୍ଦ ହୋଇଯାଏ, ତେବେ ତେଲ ଦର ପୁଣି ୧୦୦ ଡଲାର ପାର୍ କରିପାରେ।
୧୯୯୦ର ସଙ୍କଟ ଭାରତକୁ ଏକ ବଡ଼ ଶିକ୍ଷା ଦେଇଥିଲା – “ଶକ୍ତି ନିରାପତ୍ତା ହିଁ ଜାତୀୟ ନିରାପତ୍ତା”। ସେହି ସଙ୍କଟ ପରେ ହିଁ ଭାରତ ନିଜର ବଜାର ଖୋଲିଲା ଏବଂ ଆଜି ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। କିନ୍ତୁ ପୁଣି ଥରେ ଇତିହାସ ନ ଦୋହରାଇବା ପାଇଁ ଆମକୁ ତେଲ ଉପରୁ ନିର୍ଭରଶୀଳତା କମାଇ ସବୁଜ ଶକ୍ତି ଏବଂ ବୈଦ୍ୟୁତିକ ଯାନ ଉପରେ ଗୁରୁତ୍ୱ ଦେବାକୁ ହେବ। ୧୯୯୦ର ସେହି ରକ୍ତାକ୍ତ ସମୟ ଆମ ପାଇଁ କେବଳ ଏକ ଇତିହାସ ନୁହେଁ, ବରଂ ଏକ ସତର୍କ ଘଣ୍ଟି।
ALSOREAD; https://purvapaksa.com/the-theft-of-pandian-dharmendra/
ପାଣ୍ଡିଆନ-ଧର୍ମେନ୍ଦ୍ରଙ୍କ ଚୋରା ପିରତି ? || The theft of Pandian-Dharmendra?


