ନିକଟରେ ରିଲିଜ ହୋଇଛି ଫିଲ୍ମ ‘କଙ୍ଗୁଭା’। ଏହି ଫିଲ୍ମରେ ପ୍ରଥମ ଥର ପାଇଁ ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ସହ ସାଉଥ ସୁପରଷ୍ଟାର ସୂର୍ଯ୍ୟଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି । ସମସ୍ତ କଳାକାର ଏହି ଫିଲ୍ମର ସଫଳତାକୁ ଅନୁଭବ କରୁଥିବା ବେଳେ ଅଭିନେତ୍ରୀ ଦିଶା ପାଟାନୀଙ୍କ ସହ ଘଟି ଯାଇଛି ଏକ ବଡ ଘଟଣା ।
ଅଭିନେତ୍ରୀ ଦିଶା ପଟାନୀଙ୍କ ପିତାଙ୍କ ସହ ଏକ ବଡ଼ ଠକେଇ ଘଟିଛି । ୫ ଜଣିଆ ଗୋଷ୍ଠୀ ଅଭିନେତ୍ରୀଙ୍କ ପିତା ଜଗଦୀଶ ସିଂ ପଟାନୀଙ୍କୁ ଏକ ସରକାରୀ ଆୟୋଗରେ ଏକ ଉଚ୍ଚ ପଦବୀ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ସଂପର୍କରେ ସେ ଅଭିନେତ୍ରୀଙ୍କ ପିତାଙ୍କୁ ୨୫ ଲକ୍ଷ ଟଙ୍କା ଠକିଥିଲେ। ଅବସରପ୍ରାପ୍ତ ଡେପୁଟି ଏସପି ଜଗଦୀଶ ସିଂ ପଟାନୀ ଠକେଇ ମାମଲାରେ ନଭେମ୍ବର ୧୫ ରେ ବରେଲି କୋଟୱାଲୀ ପୋଲିସ ଷ୍ଟେସନରେ ଏକ ଏଫଆଇଆର ପଞ୍ଜିକୃତ କରିଛନ୍ତି।
ଜଗଦୀଶ ପାଟନୀ ଅଭିଯୋଗରେ କହିଛନ୍ତି ଯେ, ଶିବନ୍ଦ୍ର ପ୍ରତାପ ସିଂ ତାଙ୍କୁ ଦିୱାକର ଗର୍ଗ ଏବଂ ଆଚାର୍ଯ୍ୟ ଜୟପ୍ରକାଶ ନାମକ ଲୋକଙ୍କ ସହ ପରିଚିତ କରାଇଥିଲେ । ଏହି ଅଭିଯୁକ୍ତମାନେ ଦାବି କରିଛନ୍ତି ଯେ ସେମାନଙ୍କର ମଜବୁତ ରାଜନୈତିକ ସଂଯୋଗ ଅଛି ଏବଂ ସେମାନେ ଜଗଦୀଶ ପଟାନୀଙ୍କୁ ଚେୟାରମ୍ୟାନ୍, ଭାଇସ ଚେୟାରମ୍ୟାନ୍ କିମ୍ବା ସରକାରୀ ଆୟୋଗରେ କିମ୍ବା ଅନ୍ୟ କୌଣସି ସିନିଅର ପଦରେ ତାଙ୍କୁ ନିୟୋଜିତ କରାଇବେ। ଏହି ପ୍ରତିଶ୍ରୁତି ସହିତ ଅଭିଯୁକ୍ତ ପଟାନୀଙ୍କ ଠାରୁ ୨୫ ଲକ୍ଷ ଟଙ୍କା ନେଇଥିଲେ।
ଜଗଦୀଶ ପଟାନୀ ଅଭିଯୁକ୍ତଙ୍କୁ ୫ ଲକ୍ଷ ଟଙ୍କା ନଗଦ ଏବଂ ୨୦ ଲକ୍ଷ ଟଙ୍କା ତିନୋଟି ଭିନ୍ନ ଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିଥିଲେ । ତିନିମାସ ପର୍ଯ୍ୟନ୍ତ କାମ ନ ହେଲେ ଅଭିଯୁକ୍ତ ଟଙ୍କା ଫେରସ୍ତ କରିବାକୁ ପ୍ରତିଶୃତି ମଧ୍ୟ ଦେଇଥିଲେ । କିନ୍ତୁ ଯେତେବେଳେ ପଟାନି ତାଙ୍କୁ ଟଙ୍କା ଫେରସ୍ତ ମାଗିଥିଲେ, ସେତେବେଳେ ସେ ତାଙ୍କୁ ଧମକ ଦେବା ଆରମ୍ଭ କରିଥିଲେ।
ପିଟିଆଇ ଅନୁଯାୟୀ, କୋଟୱାଲୀ ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ଡି.କେ ଶର୍ମା କହିଛନ୍ତି, ‘ଶିବନ୍ଦ୍ର ପ୍ରତାପ ସିଂ, ଦୀପକ ଗର୍ଗ, ଜୁନା ଆଖାରାର ଆଚାର୍ଯ୍ୟ ଜୟପ୍ରକାଶ, ପ୍ରୀତି ଗର୍ଗ ଏବଂ ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଠକେଇ, ଅପରାଧିକ ଧମକ ଓ ନିର୍ଯାତନା ମାମଲା ରୁଜୁ ହୋଇଛି। ଅଭିଯୁକ୍ତକୁ ଗିରଫ କରିବା ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଦ୍ୟମ ଜାରି ରହିଛି।
PREVIOUS POST: https://purvapaksa.com/entertainment-kanguva/

