Pakistan: ଅନ୍ୟପକ୍ଷରେ ଇଣ୍ଡିଗୋ କଜାକିସ୍ତାନର ଆଲମାଟି ଏବଂ ଉଜବେକିସ୍ତାନର ତାସକେଣ୍ଟକୁ ମେ ୭ ତାରିଖ ପର୍ଯ୍ୟନ୍ତ ଉଡାଣ ବାତିଲ କରିଛି।
ଭାରତୀୟ ବିମାନପାଇଁ ପାକିସ୍ତାନ ତା’ର ଆକାଶପଥ ବନ୍ଦ କରିଦେଇଥିବାରୁ ଏହି ବିମାନଗୁଡ଼ିକ ଉତ୍ତର ଆମେରିକା, ବ୍ରିଟେନ୍, ୟୁରୋପ ଏବଂ ମଧ୍ୟପ୍ରାଚ୍ୟରେ ଥିବା ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ଲମ୍ବା ମାର୍ଗ ଅତିକ୍ରମ କରିବାକୁ ବାଧ୍ୟ ହୋଇଛନ୍ତି। ଯାତ୍ରୀମାନେ ନିଜ ବିମାନ ଭିତରେ ଅଧିକ ସମୟ ବିତାଇବାକୁ ବାଧ୍ୟ ହେବେ ଏବଂ ବିଳମ୍ବରେ ଗନ୍ତବ୍ୟସ୍ଥଳରେ ପହଞ୍ଚିବେ। ଭଡ଼ା ବୃଦ୍ଧି ହେବାର ସମ୍ଭାବନା ଅଛି କିନ୍ତୁ ଶୁକ୍ରବାର ରାତି ପର୍ଯ୍ୟନ୍ତ କୌଣସି ବିମାନ କମ୍ପାନୀ ଏ ବିଷୟରେ କିଛି ମନ୍ତବ୍ୟ ଦେଇନାହାନ୍ତି।
ଅନ୍ୟପକ୍ଷରେ ଇଣ୍ଡିଗୋ କଜାକିସ୍ତାନର ଆଲମାଟି ଏବଂ ଉଜବେକିସ୍ତାନର ତାସକେଣ୍ଟକୁ ମେ ୭ ତାରିଖ ପର୍ଯ୍ୟନ୍ତ ଉଡାଣ ବାତିଲ କରିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆରବ ସାଗର ଦେଇ ବିମାନ ଚଳାଚଳ କରିବାକୁ ପଡ଼ିବ। ଅନ୍ୟ କୌଣସି ବିକଳ୍ପ ନାହିଁ। ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଯାତ୍ରୀଙ୍କ ପାଇଁ ନିଶ୍ଚିତ ଭାବେ ଅଧିକ ସମୟ ଲାଗିବ ଏବଂ ଏୟାରଲାଇନ୍ସ ଗୁଡ଼ିକ ପାଇଁ ଓଭରହେଡ୍ ଖର୍ଚ୍ଚ ହେବ।
ଲମ୍ବା ରାସ୍ତାରେ ଯିବାକୁ ଥିବା ବେଳେ ଏଥିରେ ଲାଗିଥିବା ଇନ୍ଧନ ଖର୍ଚ୍ଚକୁ ଏୟାରଲାଇନ୍ସ ବିଶେଷ ପସନ୍ଦ କରିନଥିବା ସୂତ୍ରରୁ ଜଣାପଡ଼ିଛି। ବର୍ଦ୍ଧିତ ମାର୍ଗରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ପାଇଁ ପ୍ରୋତ୍ସାହନ ପାଇଁ ଏୟାରଲାଇନ୍ସର ପ୍ରତିନିଧିମାନେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହିତ ଲବି କରିବାରେ ବ୍ୟସ୍ତ ଅଛନ୍ତି।
୨୦୧୯ରେ ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ତା’ର ଆକାଶମାର୍ଗ ବନ୍ଦ କରିବା ପରେ ଏୟାରଲାଇନ୍ସ ଗୁଡ଼ିକ ମଧ୍ୟ ସମାନ କାର୍ଯ୍ୟ କରିଥିଲେ। ଏୟାର ଇଣ୍ଡିଆ, ଇଣ୍ଡିଗୋ, ଏୟାର ଇଣ୍ଡିଆ ଏକ୍ସପ୍ରେସ, ସ୍ପାଇସ୍ ଜେଟ୍ ଏବଂ ଆକାସା ଏୟାର ଏହି ପଦକ୍ଷେପ ଦ୍ୱାରା ପ୍ରଭାବିତ ହେବାକୁ ଯାଉଛି।
ଇଣ୍ଡିଗୋ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ପାକିସ୍ତାନର ଆକାଶମାର୍ଗ ବନ୍ଦ ହୋଇଯାଇଥିବାରୁ ଇଣ୍ଡିଗୋ ଦ୍ୱାରା ପରିଚାଳିତ ପ୍ରାୟ ୫୦ଟି ଅନ୍ତର୍ଜାତୀୟ ମାର୍ଗପାଇଁ ଲମ୍ବା ସେକ୍ଟରର ଆବଶ୍ୟକତା ପଡ଼ିବ ଏବଂ ସେଥିପାଇଁ ସାମାନ୍ୟ କାର୍ଯ୍ୟସୂଚୀ ସଂଶୋଧନ ହୋଇପାରେ।
ସମାନ ପ୍ରତିବନ୍ଧକ ଏବଂ ସୀମିତ ରିରୁଟିଂ ବିକଳ୍ପ ସହିତ ଦୁର୍ଭାଗ୍ୟବଶତଃ ଅଲମାଟି ଏବଂ ତାସକେଣ୍ଟ ଇଣ୍ଡିଗୋର ବର୍ତ୍ତମାନର ଫ୍ଲିଟ୍ ର କାର୍ଯ୍ୟକ୍ଷମ ସୀମା ବାହାରେ ଅଛନ୍ତି। ତେଣୁ ଏପ୍ରିଲ ୨୭ତାରିଖରୁ ମେ’ ୭ ତାରିଖ ପର୍ଯ୍ୟନ୍ତ ଆଲମାଟିକୁ ଏବଂ ଏପ୍ରିଲ ୨୮ତାରିଖରୁ ୨୦୨୫ ମେ’ ୭ ତାରିଖ ପର୍ଯ୍ୟନ୍ତ ତାସକେଣ୍ଟକୁ ବିମାନ ଉଡ଼ାଣ ବାତିଲ କରାଯାଇଛି।
ସ୍ପାଇସ୍ ଜେଟ୍ ର ମୁଖପାତ୍ର କହିଛନ୍ତି, ଉତ୍ତର ଭାରତରୁ ୟୁଏଇକୁ ଆମର ବିମାନ ବିକଳ୍ପ ମାର୍ଗ ଦେଇ ଚଳାଚଳ କରିବ। ଫଳରେ ଏହି ବିମାନଗୁଡ଼ିକ ଅଧିକ ସମୟ ଉଡ଼ାଣ ସମୟ ପାଇଁ ଅତିରିକ୍ତ ଇନ୍ଧନ ପରିବହନ କରିବେ।
ବିକଳ୍ପ ବିସ୍ତାରିତ ବିମାନ ମାର୍ଗ
ଯାତ୍ରୀମାନଙ୍କୁ ବିଳମ୍ବ ଆଶା କରିବାକୁ ଅନୁରୋଧ କରି ଏୟାର ଇଣ୍ଡିଆ କହିଛି, ସମସ୍ତ ଭାରତୀୟ ଏୟାରଲାଇନ୍ସ ପାଇଁ ପାକିସ୍ତାନ ଆକାଶପଥ ଉପରେ କଟକଣା ଘୋଷଣା କରାଯାଇଥିବାରୁ ଉତ୍ତର ଆମେରିକା, ବ୍ରିଟେନ ୟୁରୋପ ଏବଂ ମଧ୍ୟପ୍ରାଚ୍ୟକୁ ଆସୁଥିବା ଏୟାର ଇଣ୍ଡିଆର କିଛି ବିମାନ ବିକଳ୍ପ ବିସ୍ତାରିତ ମାର୍ଗ ଆପଣାଇବ ବୋଲି ଆଶା କରାଯାଉଛି ।
Also read: https://purvapaksa.com/un-security-council-strongly-condemns-pahalgam-terror-attack/
ପହଲଗାମ ଆତଙ୍କବାଦୀ ଆକ୍ରମଣ: ଦୃଢ଼ ନିନ୍ଦା କଲା ଜାତିସଂଘ ସୁରକ୍ଷା ପରିଷଦ
