ଗୋଟିଏ ଫୋନ୍ କଲରୁ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ବିଗିଡ଼ି ଯାଇଥିଲା । ଟ୍ରମ୍ପଙ୍କ ଗୋଟିଏ ପ୍ରସ୍ତାବ ମୋଦିଙ୍କ ମୁଡ୍ ଅଫ୍ କରିଥିଲା । ଫୋନରେ ସେ ସଫାସଫା ଟ୍ରମ୍ପଙ୍କୁ ଭାରତ ସେମିତି କିଛି କରିବ ନାହିଁ ବୋଲି କହିଥିଲେ । ଏହା ସହିତ ଭାରତ-ପାକିସ୍ତାନ ଯୁଦ୍ଧବିରତୀରେ ଆମେରିକାର କୌଣସି ଭୂମିକା କେବେ ମଧ୍ୟ ନଥିଲା ବୋଲି ମୋଦି ଟ୍ରମ୍ପଙ୍କୁ ଶୁଣାଇ ଦେଇଥିଲେ । ଏହି ଫୋନ୍ କଲ ପରେ ଟ୍ରମ୍ପ ଖପା ହୋଇ ଭାରତ ବିରୋଧରେ ଟାରିଫ୍ ଯୁଦ୍ଧ ଆରମ୍ଭ କରିଥିଲେ । ଏଭଳି ଦାବି କରିଛି ନ୍ୟୁୟର୍କ ଟାଇମ୍ସ । ନ୍ୟୁୟର୍କ ଟାଇମ୍ସର ଏହି ରିପୋର୍ଟ ଭାରତରେ ମୋଦି ବିରୋଧିଙ୍କୁ ମଧ୍ୟ ଶକ୍ତ ଝଟକା ଦେବାକୁ ଯାଉଛି ।
ମୋତେ ନୋବେଲ ପାଇଁ ନାମାଙ୍କିତ କର,ମୋଦି କହିଲା ‘ନା’
ନ୍ୟୁୟର୍କ ଟାଇମ୍ସ ଏକ ବଡ଼ ଖୁଲାସା କରି ସେହି ଦିନର କଥା ବର୍ଣ୍ଣନା କରିଛି, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ କାନାଡାରେ ଆୟୋଜିତ ଜି7 ଶିଖର ସମ୍ମେଳନ ସମୟରେ ଟେଲିଫୋନରେ କଥାବାର୍ତ୍ତା ହୋଇଥିଲା। ୧୭ଜୁନରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ ପ୍ରାୟ ୩୫ ମିନିଟର ଟେଲିଫୋନ କଥାବାର୍ତ୍ତା ହୋଇଥିଲା ଏବଂ ଏହି ସମୟରେ ଟ୍ରମ୍ପ ମୋଦୀଙ୍କୁ ତାଙ୍କୁ ନୋବେଲ ପୁରସ୍କାର ପାଇଁ ନାମାଙ୍କନ କରିବାକୁ କହିଥିଲେ। ନ୍ୟୁୟର୍କ ଟାଇମ୍ସ ଖୁଲାସା କରିଛି ଯେ ଡୋନାଲ୍ଡ ଟ୍ରମ୍ପ ନୋବେଲ ପୁରସ୍କାର ପାଇଁ ବାରମ୍ବାର ଭାରତ ଓ ପାକିସ୍ତାନ ମଧ୍ୟରେ ଚାରି ଦିନ ଧରି ଚାଲିଥିବା ସଂଘର୍ଷକୁ ଶେଷ କରାଇଥିବା କଥା କହୁଛନ୍ତି।
ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ,୧୭ ଜୁନରେ ଟେଲିଫୋନରେ ଟ୍ରମ୍ପ ମୋଦୀଙ୍କୁ କହିଥିଲେ ଯେ ପାକିସ୍ତାନ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ନାମାଙ୍ଐନ କରିବାକୁ ଯାଉଛି ଏବଂ ଭାରତ-ପାକିସ୍ତାନ ମଧ୍ୟରେ ସୈନ୍ୟ ତଣାବ ଶେଷ କରାଇବା ପାଇଁ ତାଙ୍କୁ ଗର୍ବ ଅନୁଭବ ହେଉଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଏହି ମାମଲା ସହ ଜଡ଼ିତ ଅଧିକାରୀଙ୍କ କଥା ଅନୁସାରେ, ଟ୍ରମ୍ପ ଟେଲିଫୋନରେ ମୋଦୀଙ୍କୁ ଆଗକୁ କହିଥିଲେ ଯେ ଭାରତ ମଧ୍ୟ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ନାମାଙ୍କନ କରିବା ଉଚିତ, କିନ୍ତୁ ମୋଦୀ ଟେଲିଫୋନରେ ହିଁ ଏପରି କରିବାକୁ ସ୍ପଷ୍ଟ ଭାବେ ମନା କରିଦେଇଥିଲେ।
ଟ୍ରମ୍ପଙ୍କ କଥାର ମୋଦି ରାଗି ଗଲେ
ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ, ଡୋନାଲ୍ଡ ଟ୍ରମ୍ପଙ୍କ ଏହି କଥାଗୁଡ଼ିକରେ ଭାରତୀୟ ନେତା ରାଗିଯାଇଥିଲେ। ସେ ଟେଲିଫୋନରେ ଟ୍ରମ୍ପଙ୍କୁ କହିଥିଲେ ଯେ ନିକଟରେ ହୋଇଥିବା ଯୁଦ୍ଧବିରତିରେ ଡୋନାଲ୍ଡ ଟ୍ରମ୍ପ ଓ ଆମେରିକାର କୌଣସି ଭୂମିକା ନାହିଁ। ଯୁଦ୍ଧବିରତି ଭାରତ ଓ ପାକିସ୍ତାନ ମଧ୍ୟରେ ସିଧାସଳଖ ନିଷ୍ପତ୍ତି ହୋଇଥିଲା। ନ୍ୟୁୟର୍କ ଟାଇମ୍ସ କହିଛି ଯେ ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଅନେକ ପ୍ରକାରର କଥାବାର୍ତ୍ତା ହୋଇଥିଲା, କିନ୍ତୁ ମୋଦୀଙ୍କର ସ୍ପଷ୍ଟ କଥା ଯେ ଭାରତ-ପାକିସ୍ତାନ ଯୁଦ୍ଧବିରାମରେ ଟ୍ରମ୍ପଙ୍କ କୌଣସି ଭୂମିକା ନାହିଁ ବୋଲି ମୋଦୀ ସ୍ପଷ୍ଟ କହିବା ଆମେରିକାର ରାଷ୍ଟ୍ରପତିଙ୍କୁ ନାରାଜ କରିଥିଲା ଏବଂ ଏହା ପରେ ହିଁ ଦୁଇ ନେତାଙ୍କ ମଧ୍ୟରେ ସମ୍ପର୍କ ଖରାପ ହେବା ଆରମ୍ଭ ହୋଇଥିଲା। ଏହା ପରେ ଭାରତ ଓ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଆଲୋଚନା ବିଫଳ ହୋଇଥିଲା ଏବଂ ଶେଷରେ ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇଥିଲା। ନ୍ୟୁୟର୍କ ଟାଇମ୍ସ ଦାବି କରିଛି ଯେ, ଓ୍ଵାଶିଂଟନ ଓ ନୂଆଦିଲ୍ଲୀରେ ୧୨ ରୁ ଅଧିକ ଅଧିକାରୀଙ୍କ ସହ କଥାବାର୍ତ୍ତା ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।
ଏହି କଥାବାର୍ତ୍ତାରୁ ଜଣାଯାଇଛି ଯେ ଟ୍ରମ୍ପ ମୋଦୀଙ୍କୁ ଚଳିତ ବର୍ଷ ଶେଷରେ QUAD ଶିଖର ସମ୍ମେଳନ ପାଇଁ ଭାରତ ଆସିବାକୁ କହିଥିଲେ, କିନ୍ତୁ ବର୍ତ୍ତମାନ ଡୋନାଲ୍ଡ ଟ୍ରମ୍ପଙ୍କର ଭାରତ ଆସିବାର କୌଣସି ଯୋଜନା ନାହିଁ। ଏହା ହେତୁ QUAD ର ଭବିଷ୍ୟତ ଅନିଶ୍ଚିତ ହୋଇପଡ଼ିଛି। ନ୍ୟୁୟର୍କ ଟାଇମ୍ସ କହିଛି ଯେ ଡୋନାଲ୍ଡ ଟ୍ରମ୍ପ ନୋବେଲ ପୁରସ୍କାର ପାଇଁ ଅଭିଯାନ ଚଲାଉଛନ୍ତି ଏବଂ ଭାରତୀୟ ନେତାଙ୍କ ମନା କରିବା ପରେ ତାଙ୍କର ଏହି ଅଭିଯାନ ବାଧାପ୍ରାପ୍ତ ହୋଇଥିଲା ଏବଂ ଏହାର ପ୍ରଭାବ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଉପରେ ପଡ଼ିଥିଲା। ନ୍ୟୁୟର୍କ ଟାଇମ୍ସ ଖୁଲାସା କରିଛି ଯେ ଟ୍ରମ୍ପ ପରି ମୋଦୀ ମଧ୍ୟ ଏକ ଦୃଢ଼ମନା ନେତା ଅଟନ୍ତି ଏବଂ ଟ୍ରମ୍ପଙ୍କ ଯୁଦ୍ଧବିରତି କରାଇଥିବା କଥା ସ୍ୱୀକାର କରିବା ଭାରତର ଆତ୍ମସମର୍ପଣ ପରି ଦେଖାଯାଉଥିଲା ଏବଂ ଏହି କଥା ଭାରତୀୟ ପ୍ରଧାନମନ୍ତ୍ରୀ ଓ ଅଧିକାରୀମାନଙ୍କୁ ବେଶ୍ ରଗାଇଥିଲା ଯାହାର ପରିଣାମ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଲା।
ମୁନିର-ମୋଦୀଙ୍କ ହାତ ମିଳାଇବାର ଟ୍ରମ୍ପଙ୍କ ଯୋଜନା
ଏହା ସହିତ, କଥାବାର୍ତ୍ତାରୁ ଜଣାଯାଇଛି ଯେ ଟ୍ରମ୍ପ ଟେଲିଫୋନ କଥାବାର୍ତ୍ତା ସମୟରେ ମୋଦୀଙ୍କୁ ହ୍ୱାଇଟ ହାଉସକୁ ଆସିବାକୁ ନିମନ୍ତ୍ରଣ କରିଥିଲେ। ଏହା ଏକ ବଡ଼ ଯୋଜନାର ଅଂଶ ଥିଲା, କାରଣ ସେହି ଦିନ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଅସିମ ମୁନିର ମଧ୍ୟ ଡୋନାଲ୍ଡ ଟ୍ରମ୍ପଙ୍କ ସହ ହୁଆଇଟ ହାଉସରେ ରାତ୍ରିଭୋଜ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। ଟ୍ରମ୍ପ ଚାହୁଁଥିଲେ ଯେ ହୁଆଇଟ ହାଉସରେ ମୋଦୀ ଓ ଅସିମ ମୁନିରଙ୍କ ମଧ୍ୟରେ ହାତ ମିଳାଇବାର କାର୍ଯ୍ୟକ୍ରମ ହେଉ ଏବଂ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏହାକୁ ଆମେରିକାର ବିଜୟ ଭାବେ ପ୍ରଚାର କରାଯାଉ। କିନ୍ତୁ ମୋଦୀଙ୍କ ଦୃଢ଼ ମନା କରିବା ଦ୍ୱାରା ଟ୍ରମ୍ପଙ୍କୁ ବଡ଼ ଝଟକା ଲାଗିଥିଲା ଏବଂ ମୋଦୀ-ମୁନିର ହାତ ମିଳାଇବାର ଯୋଜନା ଅଧୁରା ରହିଗଲା।
ALSO READ https://purvapaksa.com/if-lawyers-have-a-license-they-are-not-allowed-to-do-any-other-business/


