ଦେଶରେ ଆଇଏସଆଇଏସ ଏବଂ ଏକ୍ୟୁଆଇଏସ ଭଳି ଆତଙ୍କବାଦୀ ସଂଗଠନର ବିଚାରଧାରାକୁ ବିସ୍ତାର କରିବା ଏବଂ ଅନଲାଇନ୍ ମାଧ୍ୟମରେ ଯୁବପିଢ଼ିଙ୍କୁ ଉଗ୍ରପନ୍ଥୀ ବା ଆତଙ୍କବାଦ ଆଡ଼କୁ ଆକର୍ଷିତ କରୁଥିବା ଏକ ବଡ଼ ମଡ୍ୟୁଲ୍ ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା ବୁଧବାର ଦିନ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦେଶରେ ହିଂସାତ୍ମକ ‘ଜିହାଦ୍’ ମାଧ୍ୟମରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରଙ୍କୁ ଓଲଟାଇବା ଏବଂ ଭାରତରେ ‘ଇସଲାମିକ୍ ଷ୍ଟେଟ୍’ ପ୍ରତିଷ୍ଠା କରିବା ପାଇଁ ରଚାଯାଉଥିବା ଏହି ଆନ୍ତଃରାଜ୍ୟ ଷଡ଼ଯନ୍ତ୍ର ମାମଲାରେ ଏନଆଇଏ ଦେଶର ୯ଟି ରାଜ୍ୟର ୨୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି।

ଦେଶର ଏହି ସବୁ ସ୍ଥାନରେ ଚଢ଼ାଉ
ଏନଆଇଏ ଏହି ମାମଲାର ତଦନ୍ତ ଅଧୀନରେ ଉତ୍ତରପ୍ରଦେଶରେ ୫ଟି, ଆନ୍ଧ୍ରପ୍ରଦେଶରେ ୪ଟି, ମହାରାଷ୍ଟ୍ରରେ ୩ଟି, ଦିଲ୍ଲୀରେ ୨ଟି ଏବଂ ବିହାର, ରାଜସ୍ଥାନ, କର୍ଣ୍ଣାଟକ, ଗୁଜରାଟ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରେ ଗୋଟିଏ ଲେଖାଏଁ ସ୍ଥାନ ସମେତ ମୋଟ ୨୦ଟି ଠିକଣାରେ ତଲାସୀ ଅଭିଯାନ ଚଲାଇଥିଲା। ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ପଚରାଉଚରା ଏବଂ ବୈଷୟିକ ବିଶ୍ଳେଷଣ ଆଧାରରେ ଏହି ସବୁ ସ୍ଥାନଗୁଡ଼ିକୁ ଚିହ୍ନଟ କରାଯାଇ ଚଢ଼ାଉ କରାଯାଇଥିଲା।
କ’ଣ ଥିଲା ପୂରା ମାମଲା?
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ମେ ୧୩ ତାରିଖରେ ଏନଆଇଏର ବିଶାଖାପାଟଣା ଶାଖା ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ପୋଲିସଠାରୁ ଏହି ମାମଲାର ଦାୟିତ୍ୱ ନିଜ ହାତକୁ ନେଇଥିଲା ଏବଂ ଏକ ନୂତନ ଏଫଆଇଆର ରୁଜୁ କରିଥିଲା। ଏହି ମାମଲାର ଆରମ୍ଭ ଚଳିତ ବର୍ଷ ମାର୍ଚ୍ଚ ମାସରେ ହୋଇଥିଲା, ଯେତେବେଳେ ମୁଖ୍ୟ ଅଭିଯୁକ୍ତ ରହମତୁଲ୍ଲା ସରିଫ୍ ମହମ୍ମଦଙ୍କ ଘରୁ ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ବିଭିନ୍ନ ସାମଗ୍ରୀ ଏବଂ ଦସ୍ତାବେଜ ଜବତ କରାଯାଇଥିଲା।
ସୋସିଆଲ ମିଡିଆ ଜରିଆରେ ଯୁବପିଢ଼ିଙ୍କ ବ୍ରେନୱାଶ୍

ଏନଆଇଏର ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ସୋସିଆଲ ମିଡିଆ ଏବଂ ଇଣ୍ଟରନେଟ୍ ମାଧ୍ୟମରେ ଦେଶର ସରଳ ଯୁବକମାନଙ୍କୁ ଭ୍ରମିତ କରୁଥିଲେ ଏବଂ ସେମାନଙ୍କର ବ୍ରେନୱାଶ୍ କରି ଆତଙ୍କବାଦୀ ସଂଗଠନ ଆଡ଼କୁ ଟାଣୁଥିଲେ। ଏହି ଭାରତ-ବିରୋଧୀ ଷଡ଼ଯନ୍ତ୍ର ପାଇଁ ସେମାନେ ବିଦେଶରେ ବସିଥିବା ସେମାନଙ୍କର ଆକା ବା ହ୍ୟାଣ୍ଡଲରମାନଙ୍କ ସହ କ୍ରମାଗତ ଭାବେ ଯୋଗାଯୋଗରେ ଥିଲେ।
ମୋବାଇଲ୍, ଲାପଟପ୍ ଜବତ;ଫୋରେନସିକ୍ ଯାଞ୍ଚ ହେବ
ଏହି ଚଢ଼ାଉ ସମୟରେ ତଦନ୍ତକାରୀ ଦଳ ଅନେକ ମୋବାଇଲ୍ ଫୋନ୍, ଲାପଟପ୍ ଭଳି ଡିଜିଟାଲ୍ ଡିଭାଇସ୍ ଏବଂ ଗୁରୁତ୍ୱପୂର୍ଣ୍ଣ ଦସ୍ତାବେଜ ଜବତ କରିଛନ୍ତି। ଅନଲାଇନ୍ ଜିହାଦର ଏହି ସାରା ଜାଲକୁ ସମ୍ପୂର୍ଣ୍ଣ ରୂପେ ପଦାରେ ପକାଇବା ଏବଂ ଏଥିରେ ଜଡ଼ିତ ଅନ୍ୟାନ୍ୟ ଚେହେରାକୁ ଚିହ୍ନଟ କରିବା ପାଇଁ ଏହି ସବୁ ଜବତ ସାମଗ୍ରୀର ଫୋରେନସିକ୍ ଯାଞ୍ଚ କରାଯିବ ବୋଲି ଏନଆଇଏ ପକ୍ଷରୁ ସୂଚନା ଦିଆଯାଇଛି।
Also read : https://purvapaksa.com/bjp-congresss-tussle-over-rti-data-of-old-headquarters-at-24-akbar-road-revealed/


