ଲୋକତନ୍ତ୍ରରେ ସରକାର ସମ୍ବିଧାନ, ନୀତି ଓ ଦାୟିତ୍ୱରେ ଚାଲେ। କିନ୍ତୁ ଯେତେବେଳେ ରାଜନୈତିକ ଆକାଂକ୍ଷା, ବ୍ୟକ୍ତିଗତ ପ୍ରଭାବ ଓ ପ୍ରଶାସନିକ ଅହଂକାର ଏକାଠି ହୋଇଯାଏ, ସେତେବେଳେ ଶାସନ ବ୍ୟବସ୍ଥାରେ ଅସ୍ଥିରତା ସୃଷ୍ଟି ହୁଏ। ଆଜି ଓଡ଼ିଶାର ପ୍ରଶାସନିକ ଓ ରାଜନୈତିକ ପରିବେଶକୁ ଦେଖିଲେ ଏହି ଅସ୍ଥିରତା ସ୍ପଷ୍ଟ ଭାବେ ଦୃଶ୍ୟମାନ।

ରାଜ୍ୟ ପ୍ରଶାସନରେ ଦୀର୍ଘ ସମୟ ଧରି ଏକ “ସଫଳ ଆଇଏଏସ ଯୋଡ଼ି” ଭାବେ ପରିଚିତ ଡ. ଅରବିନ୍ଦ କୁମାର ପାଢ଼ୀ ଓ ଉଷା ପାଢ଼ୀ—ଏହି ଦୁଇ ନାଁ ଆଜି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ପୂର୍ବରୁ ଯେଉଁଠାରେ ଏମାନଙ୍କ ନାମ ସହିତ ନିରପେକ୍ଷତା, କାର୍ଯ୍ୟଦକ୍ଷତା ଓ ଶୃଙ୍ଖଳା ଯୋଡ଼ା ଥିଲା, ଆଜି ସେଠାରେ ବିବାଦ, ଅସନ୍ତୋଷ ଓ ରାଜନୈତିକ ବିବ୍ରତାର ଛାୟା ପଡ଼ିଛି। ଏହି ବିବାଦ କେବଳ ଦୁଇଜଣ ଅଧିକାରୀଙ୍କୁ ନେଇ ନୁହେଁ; ଏହା ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱ, ତାଙ୍କର ନିୟନ୍ତ୍ରଣ ଓ ସରକାରୀ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଉଛି।
ଶ୍ରୀମନ୍ଦିର ପ୍ରଶାସନ: ଆସ୍ଥାର ସ୍ଥାନରେ ଅନାସ୍ଥା
ଡ. ଅରବିନ୍ଦ କୁମାର ପାଢ଼ୀ ବର୍ତ୍ତମାନ ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱରେ ଅଛନ୍ତି। ଏହା କୌଣସି ସାଧାରଣ ପଦବୀ ନୁହେଁ। ଶ୍ରୀମନ୍ଦିର ଓଡ଼ିଆ ଅସ୍ମିତା, ଆସ୍ଥା ଓ ସଂସ୍କୃତିର କେନ୍ଦ୍ର। ଏଠାରେ ଗୋଟିଏ ଭୁଲ ନିଷ୍ପତ୍ତି ମାତ୍ର ପ୍ରଶାସନିକ ନୁହେଁ, ସାମାଜିକ ଓ ଧାର୍ମିକ ଅସନ୍ତୋଷ ସୃଷ୍ଟି କରେ।
୨୦୨୪ ରଥଯାତ୍ରା ପରେ ଦ୍ୱିତୀୟ ଥର ପାଇଁ ଦାୟିତ୍ୱ ନେବା ପରେ ଅରବିନ୍ଦ ପାଢ଼ୀ ଆଶାନୁରୂପ ସଫଳତା ଆଣିପାରିନାହାନ୍ତି—ଏମିତି ଧାରଣା ଧୀରେ ଧୀରେ ଶକ୍ତିଶାଳୀ ହେଉଛି। ରତ୍ନଭଣ୍ଡାର, ରତ୍ନଗଣତି–ମଣତି, ଧାଡ଼ି ଦର୍ଶନ, ଚାରି ଦ୍ୱାର ଖୋଲିବା, ମନ୍ଦିର ସୁରକ୍ଷା—ଏହି ସବୁ ସଂବେଦନଶୀଳ ବିଷୟରେ ତାଙ୍କର ବୟାନ ବାରମ୍ବାର ପରିବର୍ତ୍ତିତ ହୋଇଥିବା ଅଭିଯୋଗ ଉଠୁଛି।
ଏହି ଅସ୍ଥିରତାର ମୂଳ କ’ଣ? ଶାସନର ଅଭିଯୋଗ ହେଉଛି—ବିଭାଗୀୟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଖୁସି କରିବା ପାଇଁ ମୁଖ୍ୟ ପ୍ରଶାସକ ପ୍ରଶାସନିକ ସୀମା ଛାଡ଼ି ରାଜନୈତିକ ବୟାନ ଦେଉଛନ୍ତି। ଫଳସ୍ୱରୂପ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଓ ଅଧିକାରୀ—ଉଭୟଙ୍କ ଉପରେ ଅସନ୍ତୁଷ୍ଟ ବୋଲି ପାୱାର କରିଡରରେ ଆଲୋଚନା।
ପ୍ରଶ୍ନ ହେଉଛି—ଶ୍ରୀମନ୍ଦିର ପ୍ରଶାସନ କ’ଣ ଏକ ରାଜନୈତିକ ଇମେଜ୍ ମ୍ୟାନେଜମେଣ୍ଟ ସେଲ୍? ନା ଏହା ଏକ ସ୍ୱାଧୀନ, ଦାୟିତ୍ୱଶୀଳ ଓ ଆସ୍ଥା ସମ୍ମାନୀୟ ପ୍ରତିଷ୍ଠାନ?
ଉଷା ପାଢ଼ୀ ଓ “ଆମ ବସ”: ଏବେ ମରଣ ଯନ୍ତ୍ର?

ଡ. ଅରବିନ୍ଦ ପାଢ଼ୀଙ୍କ ଧର୍ମପତ୍ନୀ ଉଷା ପାଢ଼ୀ ବର୍ତ୍ତମାନ ନଗର ଉନ୍ନୟନ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ। ଏହି ଦୁଇଟି ବିଭାଗ ରାଜ୍ୟର ସହରୀୟ ଜୀବନର ନାଡ଼ି। ରାସ୍ତା, ପରିବହନ, ସୁରକ୍ଷା—ସବୁ କିଛି ଏହା ସହିତ ଜଡ଼ିତ। କିନ୍ତୁ ଆଜି “ଆମ ବସ” ପ୍ରକଳ୍ପ ସହରବାସୀଙ୍କ ପାଇଁ ସୁବିଧା ନୁହେଁ, ଯମ ଦୂତ ଭାବରେ ପରିଣତ ହୋଇଯାଇଛି। ତଥ୍ୟ କହୁଛି—୨୦୨୪ ଜୁନ୍ରୁ ୨୦୨୫ ଡିସେମ୍ବର ମଧ୍ୟରେ, ମାତ୍ର ୧୮ ମାସରେ, ଆମ ବସ ଦ୍ୱାରା ୨୫ରୁ ଅଧିକ ଭୟଙ୍କର ଦୁର୍ଘଟଣା ଘଟିଛି। ପ୍ରାୟ ୧୦ ଜଣ ନିରୀହ ଲୋକ ପ୍ରାଣ ହରାଇଛନ୍ତି, ଅନେକ ଗୁରୁତର ଆହତ ହୋଇ ସାରାଜୀବନ ପାଇଁ ଅକର୍ମଣ୍ୟ ହୋଇଯାଇଛନ୍ତି। ୨୦୨୬ ବର୍ଷର ଆରମ୍ଭ ମଧ୍ୟ ଆଶାଜନକ ଉନ୍ନତି ହୋଇନାହିଁ। ଜାନୁଆରୀ ୩ ତାରିଖର ମାରାତ୍ମକ ଦୁର୍ଘଟଣା ସ୍ପଷ୍ଟ କରିଦେଇଛି—ସୁରକ୍ଷା ବ୍ୟବସ୍ଥାରେ ଗଭୀର ବ୍ୟବଧାନ ରହିଛି।
ବାର୍ଷିକ ହାରାହାରି ୧୫–୨୦ ଦୁର୍ଘଟଣା ଓ ୬–୮ ଜଣଙ୍କ ମୃତ୍ୟୁ—ଏହା କ’ଣ ଗୋଟିଏ ସରକାରୀ ପରିବହନ ସଂସ୍ଥା ପାଇଁ ଗ୍ରହଣୀୟ? ଯେଉଁଠାରେ ରାଜ୍ୟର ସାମଗ୍ରୀକ ଦୁର୍ଘଟଣା ମୃତ୍ୟୁହାର ଜାତୀୟ ହାରଠାରୁ ଅଧିକ, ସେଠାରେ ସରକାରୀ ବସ ସେବାର ଏହି ଅବସ୍ଥା ଅତ୍ୟନ୍ତ ଚିନ୍ତାଜନକ।
ମନ୍ତ୍ରୀ ବନାମ ମୁଖ୍ୟମନ୍ତ୍ରୀ: ନିୟନ୍ତ୍ରଣର ପ୍ରଶ୍ନ
ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମାତ୍ର ନୁହେଁ, ପରିବହନ ମନ୍ତ୍ରୀ ବିଭୁତି ଜେନା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ ଦଳୀୟ ମହଲରେ ଘୁରି ବୁଲୁଛି। ଏହା ଗୋଟିଏ ଗମ୍ଭୀର ପ୍ରଶ୍ନ ଉଠାଏ—ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ କ’ଣ କେବଳ ଔପଚାରିକ?
ଦଳୀୟ ସୂତ୍ର ଅନୁଯାୟୀ, ଏହି ଦୁଇଜଣ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ଆଲୋଚନା ଚାଲିଛି। ଯଦି ଏହା ସତ୍ୟ, ତେବେ ଏହା କେବଳ ଦଳୀୟ ଶିଷ୍ଟାଚାରର ଭଙ୍ଗ ନୁହେଁ, ରାଜ୍ୟ ପ୍ରଶାସନର ସ୍ଥିରତା ପାଇଁ ଏକ ଗଭୀର ଆଶଙ୍କା। ଏହି ମନ୍ତ୍ରୀମାନଙ୍କ ବିଭାଗରେ ଥିବା ପ୍ରଭାବଶାଳୀ ଆଇଏଏସ “ପବ୍ଲିକ ସର୍ଭାଣ୍ଟ” ମାନେ ମଧ୍ୟ ଯଦି ଏହି ଷଡ଼ଯନ୍ତ୍ରର ଅଂଶ ବୋଲି ଧାରଣା ହେଉଛି, ତେବେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସ୍ଥିତି ଅଧିକ ଜଟିଳ।
ଏହା କେବଳ ବିବାଦ ନୁହେଁ, ଏହା ଏକ ସତର୍କ ସଙ୍କେତ
ଡ. ଅରବିନ୍ଦ ପାଢ଼ୀ ଓ ଉଷା ପାଢ଼ୀଙ୍କ ବିବାଦ କେବଳ ଦୁଇଜଣ ଆଇଏଏସ ଅଧିକାରୀଙ୍କ କାର୍ଯ୍ୟଦକ୍ଷତାକୁ ନେଇ ନୁହେଁ। ଏହା ଓଡ଼ିଶାର ଶାସନ ବ୍ୟବସ୍ଥାର ଏକ ବଡ଼ ପ୍ରଶ୍ନକୁ ଉଠାଉଛି—
• ପ୍ରଶାସନ କ’ଣ ରାଜନୈତିକ ଚାପରୁ ମୁକ୍ତ?
• ମନ୍ତ୍ରୀମାନେ କ’ଣ ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ?
• ଦାୟିତ୍ୱ ନିର୍ଦ୍ଧାରଣ କେବେ ହେବ?
ଲୋକଙ୍କ ସରକାରର ମୂଲ୍ୟାୟନ ସ୍ଲୋଗାନରେ ନୁହେଁ, ନିଷ୍ପତ୍ତିରେ ହୁଏ। ଯଦି ଆସ୍ଥାର କେନ୍ଦ୍ର ଶ୍ରୀମନ୍ଦିରରେ ବିବ୍ରତା ଓ ସହରରେ ପରିବହନ “ମରଣ ଯନ୍ତ୍ର” ହୋଇଯାଏ, ତେବେ ଦାୟିତ୍ୱ ନିଶ୍ଚୟ ନିର୍ଦ୍ଧାରଣ ହେବା ଦରକାର।
ଲୋକ ଆଜି ଚୁପ୍ ଥାଇପାରନ୍ତି।
କିନ୍ତୁ ଲୋକଙ୍କ ସ୍ମୃତି ଦୀର୍ଘ।
ଏବଂ ଇତିହାସ—ସେ କେବେ କ୍ଷମା କରେ ନାହିଁ।
ALSO READ https://purvapaksa.com/pollution-curbs-in-talcher/
https://purvapaksa.com/pollution-curbs-in-talcher/


