୨୦୨୬ ବର୍ଷର ପ୍ରଥମ ସଂସଦୀୟ ଅଧିବେଶନକୁ ସମ୍ବୋଧିତ କରି ମାନ୍ୟବର ରାଷ୍ଟ୍ରପତି ଦେଶର ଦ୍ରୁତ ବିକାଶ, ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ଆତ୍ମନିର୍ଭର ଭବିଷ୍ୟତର ଏକ ଗୌରବମୟ ଚିତ୍ର ଉପସ୍ଥାପନ କରିଛନ୍ତି । ତାଙ୍କ ଅଭିଭାଷଣରେ ସେ ୨୦୪୭ ସୁଦ୍ଧା ଭାରତକୁ ଏକ ସମ୍ପୂର୍ଣ୍ଣ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ସରକାର ନେଇଥିବା ପଦକ୍ଷେପ ଓ ଦୃଢ଼ ସଂକଳ୍ପକୁ ଗୁରୁତ୍ୱ ସହ ଉପସ୍ଥାପନ କରିଛନ୍ତି।
)
ରାଷ୍ଟ୍ରପତି କହିଛନ୍ତି ଯେ ଦେଶର ବିକାଶ କେବଳ ଆର୍ଥିକ ଉନ୍ନତିରେ ସୀମିତ ନୁହେଁ ବରଂ ସାମାଜିକ ନ୍ୟାୟ, ସମାନତା ଓ ଗରିବ କଲ୍ୟାଣ ସହ ଗଭୀର ଭାବରେ ସଂପୃକ୍ତ । ସେ ଉଲ୍ଲେଖ କରିଛନ୍ତି ଯେ ଗତ ଦଶନ୍ଧି ମଧ୍ୟରେ ସରକାର ପ୍ରାୟ ୨୫ କୋଟି ନାଗରିକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବାରେ ସଫଳ ହୋଇଛନ୍ତି, ଯାହା ଭାରତର ସାମାଜିକ ପରିବର୍ତ୍ତନର ଏକ ଐତିହାସିକ ଉଦାହରଣ ।
ମହିଳା ସଶକ୍ତିକରଣକୁ ନେଇ ରାଷ୍ଟ୍ରପତି ବିଶେଷ ଭାବେ ଗୁରୁତ୍ୱ ଦେଇ କହିଛନ୍ତି ଯେ ଆଜି ଦେଶରେ ‘ଲକ୍ଷପତି ଦିଦି’ଙ୍କ ସଂଖ୍ୟା ୨ କୋଟି ଟପିଛି । ‘ନମୋ ଡ୍ରୋନ୍ ଦିଦି’ ଯୋଜନା ମାଧ୍ୟମରେ କୃଷି କ୍ଷେତ୍ରରେ ମହିଳାମାନେ ଆଧୁନିକ ପ୍ରଯୁକ୍ତି ସହ ଜୁଡ଼ି ନିଜେ ଆତ୍ମନିର୍ଭର ହେଉଛନ୍ତି। ଏହା ସହ ପ୍ରଥମ ଥର ପାଇଁ ନ୍ୟାସନାଲ ଡିଫେନ୍ସ ଏକାଡେମୀ (NDA)ରୁ ମହିଳା କ୍ୟାଡେଟ୍ମାନେ ସଫଳତାର ସହ ଉତ୍ତୀର୍ଣ୍ଣ ହେବାକୁ ନେଇ ସେ ଗର୍ବ ପ୍ରକାଶ କରିଛନ୍ତି।

ଭିତ୍ତିଭୂମି ବିକାଶ ଓ ଆଧୁନିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତର ଅଗ୍ରଗତି ଉପରେ ମଧ୍ୟ ରାଷ୍ଟ୍ରପତି ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ ଦେଶରେ ଏବେ ୧୫୦ରୁ ଅଧିକ ବନ୍ଦେ ଭାରତ ଟ୍ରେନ୍ ଚାଲୁଥିବା ବେଳେ, ମେଟ୍ରୋ ନେଟୱାର୍କରେ ଭାରତ ବିଶ୍ୱର ତୃତୀୟ ସ୍ଥାନରେ ପହଞ୍ଚିଛି। ମୋବାଇଲ ନିର୍ମାଣ କ୍ଷେତ୍ରରେ ଭାରତ ଏବେ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ଦେଶ ହୋଇଉଠିଛି ଏବଂ ଆସାମରେ ହେବାକୁ ଯାଉଥିବା ସେମିକଣ୍ଡକ୍ଟର ଚିପ୍ ନିର୍ମାଣ ଭବିଷ୍ୟତରେ ବିଶ୍ୱ ବଜାରରେ ଭାରତକୁ ଏକ ଶକ୍ତିଶାଳୀ ଦେଶ ଭାବେ ପ୍ରତିଷ୍ଠା କରିବ।
ଅନ୍ତରୀକ୍ଷ କ୍ଷେତ୍ରରେ ମଧ୍ୟ ଭାରତର ସଫଳତାକୁ ସେ ଉଲ୍ଲେଖ କରି କହିଛନ୍ତି ଯେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ର ପରିଦର୍ଶନ ଓ ଗଗନଯାନ ମିଶନ ଦେଶର ବଢୁଥିବା ବୈଜ୍ଞାନିକ ସାମର୍ଥ୍ୟର ପରିଚୟ।ସୁରକ୍ଷା ଓ ବୈଦେଶିକ ନୀତି କ୍ଷେତ୍ରରେ ରାଷ୍ଟ୍ରପତି କହିଛନ୍ତି ଯେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାରେ ବଡ଼ ସଫଳତା ମିଳିଛି। ମାଓବାଦୀ ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୨୬ରୁ କମି ମାତ୍ର ୮ରେ ପହଞ୍ଚିଛି। ଅନ୍ତର୍ଜାତୀୟ ସ୍ତରରେ ଭାରତ ଆଜି ‘ଗ୍ଲୋବାଲ ସାଉଥ୍’ର ଏକ ଶକ୍ତିଶାଳୀ ସ୍ୱର ଭାବେ ଉଭା ହୋଇଛି। ଅଭିଭାଷଣର ଶେଷରେ ରାଷ୍ଟ୍ରପତି କହିଛନ୍ତି ଯେ “ବିକଶିତ ଭାରତର ସ୍ୱପ୍ନ କେବଳ ଗୋଟିଏ ସରକାର କିମ୍ବା ଗୋଟିଏ ପିଢ଼ିର ନୁହେଁ, ଏହା ଏକ ନିରନ୍ତର ଯାତ୍ରା।” ସେ ଦେଶର ସମଗ୍ର ବିକାଶ ପାଇଁ ସମସ୍ତ ସାଂସଦଙ୍କୁ ଦଳମତ ନିର୍ବିଶେଷରେ ଏକଜୁଟ ହୋଇ କାମ କରିବାକୁ ଆହ୍ୱାନ ଜଣାଇଛନ୍ତି।
also read https://purvapaksa.com/petrol-diesel-price-today-2/
Petrol Diesel Price Today।। କମିଲା ତେଲ ରେଟ୍, ଓଡ଼ିଶାରେ ଲିଟର ପିଛା କେତେ ?


