ପଡ଼ୋଶୀ ଦେଶ ପାକିସ୍ତାନରୁ ଏକ ବଡ଼ ଏବଂ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସୁଛି। ପାକିସ୍ତାନ ନିଜ ଭୂଖଣ୍ଡରେ ଗୃହଯୁଦ୍ଧ ଭଳି ପରିସ୍ଥିତିର ସାମ୍ନା କରୁଛି। ଗୋଟିଏ ପଟେ ଅର୍ଥନୈତିକ ସଙ୍କଟ ଏବଂ ଅନ୍ୟପଟେ ନିଜ ନାଗରିକଙ୍କ ଆକ୍ରୋଶ— ଏହି ଦୁଇଟି ଭିତରେ ଗତି କରୁଥିବା ପାକିସ୍ତାନ ସେନା ଏବେ ନିଜ ଦେଶର ଲୋକଙ୍କ ଉପରେ ଅତ୍ୟାଚାରର ସବୁ ସୀମା ପାର୍ କରିଦେଇଛି।
ଖବର ମିଳୁଛି, ପାକିସ୍ତାନ ସେନା ବଲୁଚିସ୍ତାନ ଏବଂ ଖୈବର ପଖତୁନଖ୍ୱା (KP) ପ୍ରଦେଶରେ ଏକ ବ୍ୟାପକ ସାମରିକ ଅଭିଯାନ କ୍ରମରେ ଭୟାନକ ହମଲା କରିଛି। ଗତ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ହୋଇଥିବା ଏହି ଆକ୍ରମଣରେ ଅତି କମରେ ୩୨ ଜଣଙ୍କର ମୃତ୍ୟୁ ଘଟିଛି। ପାକିସ୍ତାନି ସେନାର ମିଡିଆ ୱିଙ୍ଗ୍ ଆଇଏସପିଆର (Inter-Services Public Relations) ଦାବି କରିଛି ଯେ ମୃତକମାନେ ସମସ୍ତେ ଆତଙ୍କବାଦୀ ଏବଂ ଦେଶବିରୋଧୀ ଉପାଦାନ ଥିଲେ।
କିନ୍ତୁ ସ୍ଥାନୀୟ ବାସିନ୍ଦା ଏବଂ ମାନବାଧିକାର ସଂଗଠନଗୁଡ଼ିକର କହିବା କଥା ସମ୍ପୂର୍ଣ୍ଣ ଭିନ୍ନ! ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ସେନା ଆତଙ୍କବାଦୀଙ୍କ ନାଁରେ ବଲୁଚ୍ ଏବଂ ପସ୍ତୁନ୍ ସାଧାରଣ ନାଗରିକଙ୍କ ଉପରେ ନିଷ୍ଠୁର ଭାବେ ବୋମାବର୍ଷଣ କରୁଛି, ଯେଉଁଥିରେ ଅନେକ ନିରୀହ ଲୋକ ନିଜର ଜୀବନ ହରାଇଛନ୍ତି।
ବଲୁଚିସ୍ତାନରେ ବାସ୍ତବରେ କଣ ଚାଲିଛି?
କେମିତି ନିଜ ଲୋକଙ୍କ ରକ୍ତରେ ହୋଲି ଖେଳୁଛି ପାକ୍ ସେନା, ଏବଂ କାହିଁକି ଏହି ସଂକଟ ପାକିସ୍ତାନର ଅନ୍ତିମ ପତନର କାରଣ ସାଜିବାକୁ ଯାଉଛି।
ଏହି ଆକ୍ରମଣ ପରେ ପାକିସ୍ତାନ ସେନାର ପ୍ରଚାର ତନ୍ତ୍ର (Propaganda Machinery) ପୁଣି ସକ୍ରିୟ ହୋଇଉଠିଛି। ପାକିସ୍ତାନୀ ସେନାର ମିଡିଆ ୱିଙ୍ଗ୍ ଆଇଏସପିଆର ନିଜର ବିଜ୍ଞପ୍ତିରେ ଏହି ଅପରେସନକୁ ସଫଳ ବୋଲି ଦର୍ଶାଇବା ସହ ଏକ ଅଜବ ନୂଆ ଶବ୍ଦାବଳୀର ବ୍ୟବହାର କରିଛି।
ସେମାନେ ତେହେରିକ୍-ଏ-ତାଲିବାନ୍ ପାକିସ୍ତାନ (TTP) କୁ ‘ଫିତ୍ନା-ଅଲ୍-ଖୱାରିଜ୍’ (Fitna-al-Khawarij) ଏବଂ ବଲୁଚିସ୍ତାନରେ ସକ୍ରିୟ ଥିବା ସଂଗଠନଗୁଡ଼ିକୁ, ବିଶେଷ କରି ବଲୁଚିସ୍ତାନ ଲିବରେସନ୍ ଆର୍ମି (BLA) କୁ ‘ଫିତ୍ନା-ଅଲ୍-ହିନ୍ଦୁସ୍ତାନ’ (Fitna-al-Hindostan) ର ଆଖ୍ୟା ଦେଇଛନ୍ତି।
ଏହା ପଛରେ ପାକିସ୍ତାନର ଉଦ୍ଦେଶ୍ୟ କ’ଣ?
ଉଦ୍ଦେଶ୍ୟ ଅତି ସ୍ପଷ୍ଟ। ନିଜ ଗୃହ ମାଟିରେ ଆଇନ ଶୃଙ୍ଖଳା ରକ୍ଷା କରିବାରେ ବିଫଳ ହେବା ପରେ, ପାକିସ୍ତାନ ସେନା ସବୁବେଳେ ଭାରତ ଆଡ଼କୁ ଆଙ୍ଗୁଠି ଦେଖାଇ ନିଜ ନାଗରିକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରେ। ପାକିସ୍ତାନ ଦାବି କରୁଛି ଯେ ଏହି ଗୋଷ୍ଠୀଗୁଡ଼ିକୁ ଭାରତ ଏବଂ ଆଫଗାନିସ୍ତାନରୁ ସହାୟତା ମିଳୁଛି। କିନ୍ତୁ ବିଶ୍ୱ ଦରବାରରେ ପାକିସ୍ତାନର ଏହି ଅବାସ୍ତବ ଦାବିକୁ କେହି ଗ୍ରହଣ କରୁନାହାନ୍ତି।
ବିଶ୍ଳେଷକମାନଙ୍କ ମତରେ, ଯେତେବେଳେ ବି ପାକିସ୍ତାନ ଭିତରେ ସେନା ବିରୋଧରେ ଜନଆକ୍ରୋଶ ବଢ଼େ, ସେତେବେଳେ ଜିନ୍ନାଙ୍କ ଦେଶର ଶାସକମାନେ “ଭାରତୀୟ ଷଡ଼ଯନ୍ତ୍ର” ର ମିଥ୍ୟା କାହାଣୀ ରଚନା କରି ନିଜ ଦୋଷ ଲୁଚାଇବାକୁ ଚେଷ୍ଟା କରନ୍ତି।
ବଲୁଚିସ୍ତାନ ଏବଂ ଖୈବର ପଖତୁନଖ୍ୱାର ପ୍ରକୃତ ପରିସ୍ଥିତି
ପାକିସ୍ତାନ ସେନା କହିଛି ଯେ, ଜୁଲାଇ ୨୮ ଏବଂ ୨୯ ତାରିଖରେ ଗୁପ୍ତଚର ସୂଚନା ଆଧାରରେ (Intelligence-Based Operations) ଦୁଇଟି ପ୍ରଦେଶରେ ଟାର୍ଗେଟେଡ୍ ଅପରେସନ୍ କରାଯାଇଥିଲା। ଏହି ସମୟରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଏବଂ ଆଇଇଡି (IED) ଜବତ କରାଯାଇଥିବା ଦାବି କରାଯାଇଛି।
ପାକିସ୍ତାନର ସୁରକ୍ଷା ବାହିନୀ ସରକାରଙ୍କ ‘ଅଜ୍ମବ-ଏ-ଇସ୍ତେହକାମ୍’ (Operation Azm-e-Istehkam) ଅଭିଯାନ ଅଧୀନରେ ଆତଙ୍କବାଦ ନିରୋଧୀ କାର୍ଯ୍ୟାନୁଷ୍ଠାନକୁ ଆହୁରି ଜୋରଦାର କରିବେ ବୋଲି ଘୋଷଣା କରିଛନ୍ତି।
ଗ୍ରାଉଣ୍ଡ ରିପୋର୍ଟର ସମ୍ପୂର୍ଣ୍ଣ ସ୍ୱତନ୍ତ୍ର କାହାଣୀ
‘ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଫୋର୍ କନ୍ଫ୍ଲିକ୍ଟ ଏଣ୍ଡ ସିକ୍ୟୁରିଟି ଷ୍ଟଡିଜ୍’ (PICSS) ର ତଥ୍ୟ ଅନୁଯାୟୀ, ଗତ ମେ’ ମାସ ପରଠାରୁ ପାକିସ୍ତାନର ସୁରକ୍ଷା ପରିସ୍ଥିତି କ୍ରମାଗତ ଭାବେ ବିଗିଡ଼ିବାରେ ଲାଗିଛି।
• କେବଳ ବଲୁଚିସ୍ତାନ ପ୍ରଦେଶରେ ଗୋଟିଏ ମାସ ମଧ୍ୟରେ ୭୧ ରୁ ଅଧିକ ଆକ୍ରମଣ ଏବଂ ସଂଘର୍ଷର ଘଟଣା ରେକର୍ଡ କରାଯାଇଛି, ଯାହା ପୂର୍ବ ମାସଗୁଡ଼ିକ ତୁଳନାରେ ଦ୍ୱିଗୁଣିତ!
• ଖୈବର ପଖତୁନଖ୍ୱାରେ ପ୍ରତିଦିନ ସେନା ଚେକ୍ ପୋଷ୍ଟ, ପୋଲିସ ଥାନା ଏବଂ ସାମରିକ କାଫିଲା ଉପରେ ଆକ୍ରମଣ ହେଉଛି।
ଏଠାରେ ପ୍ରଶ୍ନ ଉଠୁଛି— ବଲୁଚିସ୍ତାନ ଏବଂ ଖୈବର ପଖତୁନଖ୍ୱାର ଲୋକମାନେ କାହିଁକି ପାକିସ୍ତାନ ସେନା ବିରୋଧରେ ଅସ୍ତ୍ର ଉଠାଇଛନ୍ତି?
ଏହାର ଉତ୍ତର ହେଉଛି— ବର୍ଷ ବର୍ଷର ଶୋଷଣ, ବଞ୍ଚନା ଏବଂ ସେନାର ଅତ୍ୟାଚାର!
ପ୍ରଥମତଃ— ସମ୍ପଦର ଲୁଟ୍: ବଲୁଚିସ୍ତାନ ହେଉଛି ପାକିସ୍ତାନର ସବୁଠାରୁ ବଡ଼ ପ୍ରଦେଶ ଏବଂ ପ୍ରାକୃତିକ ସମ୍ପଦରେ ସବୁଠାରୁ ଧନୀ। ସୁନା, ତମ୍ବା, ପ୍ରାକୃତିକ ଗ୍ୟାସର ବିଶାଳ ଭଣ୍ଡାର ଏଠାରେ ଅଛି। କିନ୍ତୁ ଏହାର ଫାଇଦା ବଲୁଚିସ୍ତାନର ନାଗରିକଙ୍କୁ ମିଳେନାହିଁ। ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡୋର୍ (CPEC) ନାଁରେ ଚୀନ୍ ଏବଂ ପାକିସ୍ତାନ ସେନା ଏହି ପ୍ରଦେଶର ସମ୍ପଦକୁ ଲୁଟିବାରେ ଲାଗିଛନ୍ତି, ଯେଉଁଥିପାଇଁ ବାଲୋଚ୍ ଲୋକମାନେ ନିଜକୁ ଗୁଲାମ ଅନୁଭବ କରୁଛନ୍ତି।
ଦ୍ୱିତୀୟତଃ— ପଞ୍ଜାବୀ ସେନାର ପ୍ରାଧାନ୍ୟ (Punjabi Dominance): ବାଲୋଚ୍ ଏବଂ ପଶ୍ଚୁନ୍ ଆନ୍ଦୋଳନକାରୀଙ୍କ ଅଭିଯୋଗ ହେଉଛି ଯେ ପାକିସ୍ତାନର ସମସ୍ତ ପ୍ରଶାସନିକ ଏବଂ ସାମରିକ ସଂସ୍ଥାରେ କେବଳ ‘ପଞ୍ଜାବୀ ଏଲିଟ୍’ କିମ୍ବା ପଞ୍ଜାବୀ ଭାଷାଭାଷୀଙ୍କର ସାମ୍ରାଜ୍ୟ ଚାଲିଛି। ବାଲୋଚ୍ ଓ ପଶ୍ଚୁନ୍ ଲୋକଙ୍କୁ ଦ୍ୱିତୀୟ ଶ୍ରେଣୀର ନାଗରିକ ଭାବେ ଦେଖାଯାଉଛି।
ତୃତୀୟତଃ— ‘ବଳପୂର୍ବକ ଗାୟବ’ (Enforced Disappearances): ପାକିସ୍ତାନ ସେନା ଓ ଗୁପ୍ତଚର ସଂସ୍ଥା ଆଇଏସଆଇ ଦ୍ୱାରା ହଜାର ହଜାର ବାଲୋଚ ଯୁବକ, ବୁଦ୍ଧିଜୀବୀ, ସାମ୍ବାଦିକ ଏବଂ ଛାତ୍ରଙ୍କୁ ବଳପୂର୍ବକ ଉଠାଇ ନିଆଯାଉଛି। ସେମାନଙ୍କର କୌଣସି ପତ୍ତା ମିଳୁନାହିଁ। ଏହାକୁ ନେଇ ବଲୁଚିସ୍ତାନର ମା’ ଓ ଭଉଣୀମାନେ ରାଜପଥରେ ଆନ୍ଦୋଳନ କରୁଛନ୍ତି।
କେବଳ ବଲୁଚିସ୍ତାନ କି ଖୈବର ପଖତୁନଖ୍ୱା ନୁହେଁ, ପାକିସ୍ତାନ ଦ୍ୱାରା ଅବୈଧ ଭାବେ ଦଖଲ କରାଯାଇଥିବା ପାକ୍ ଅଧିକୃତ କାଶ୍ମୀର (PoK) ରେ ମଧ୍ୟ ସ୍ଥିତି ଅତ୍ୟନ୍ତ ସଙ୍ଗୀନ।
ସେଠାରେ ସାଧାରଣ ନାଗରିକମାନେ ପାକିସ୍ତାନ ସେନା ଏବଂ ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। “ଆମ ଜମି, ଆମ ଶାସନ” (Our Land, Our Rule) ନାରା ଦେଇ ମୁଜଫରାବାଦ ଆଡ଼କୁ ବିଶାଳ ମାର୍ଚ୍ଚ କରାଯାଉଛି। ପାକିସ୍ତାନ ସେନା ସେଠାରେ ଅସହାୟ ଲୋକଙ୍କ ଉପରେ ଗୁଳିଚାଳନା କରିଛି, ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ପିଓକେର ଲୋକମାନେ ଏବେ ସ୍ପଷ୍ଟ ଭାବେ କହିଲେଣି ଯେ, ପାକିସ୍ତାନ ସେନା ସେମାନଙ୍କ ପାଇଁ ଶୋଷକ ଏବଂ ସେମାନେ ଏହି କବ୍ଜାରୁ ମୁକ୍ତି ଚାହାଁନ୍ତି।
ସେପଟେ, ପାକିସ୍ତାନର ପାର୍ଲାମେଣ୍ଟରେ ମଧ୍ୟ ଏହି ସଙ୍କଟକୁ ନେଇ କମ୍ପନ ସୃଷ୍ଟି ହୋଇଛି। ପାକିସ୍ତାନର ଜଣେ ବରିଷ୍ଠ ସାଂସଦ ସଂସଦ ଭିତରେ ଚେତାବନୀ ଦେଇଛନ୍ତି ଯେ, ସେନାପ୍ରମୁଖ ଆସିମ୍ ମୁନୀର୍ ଏବଂ ପ୍ରଧାନମନ୍ତ୍ରୀ ଶେହବାଜ୍ ସରୀଫଙ୍କ ଭୁଲ ନୀତି ଯୋଗୁଁ “ପାକିସ୍ତାନ ଭାଙ୍ଗିବାକୁ ଯାଉଛି”।
ଏହା ସ୍ପଷ୍ଟ ପାକିସ୍ତାନ ନିଜ ନିଆଁରେ ନିଜେ ଜଳୁଛି
ଯେଉଁ ଆତଙ୍କବାଦୀ ସଂଗଠନଗୁଡ଼ିକୁ ପାକିସ୍ତାନ ଦିନେ ଭାରତ ବିରୋଧରେ ବ୍ୟବହାର କରିବା ପାଇଁ ପୋଷିଥିଲା, ଆଜି ସେହି ଅସ୍ତ୍ର ନିଜେ ପାକିସ୍ତାନ ଆଡ଼କୁ ମୁହାଁଇଛି।
ପାକିସ୍ତାନୀ ସେନା ବଲୁଚିସ୍ତାନ ଓ ଖୈବର ପଖତୁନଖ୍ୱାରେ ୩୨ ଜଣଙ୍କୁ ମାରି ଅପରେସନ୍ ସଫଳ ହୋଇଛି ବୋଲି ଦାବି କରିପାରେ, କିନ୍ତୁ ବାସ୍ତବତା ହେଉଛି— ବୋମା ଓ ଗୁଳି ଦ୍ୱାରା ନିଜ ନାଗରିକଙ୍କ ଆୱାଜକୁ ଦବାଇବା ସମ୍ଭବ ନୁହେଁ। ପାକିସ୍ତାନ ସେନାର ଏହି ଦମନକାରୀ ନୀତି ଯୋଗୁଁ ବିଦ୍ରୋହ ଆହୁରି ତୀବ୍ର ହେବାରେ ଲାଗିଛି।
ଭାରତ ପାଇଁ ଏହି ସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ସୀମାରେ କଡ଼ା ନଜର ରଖିଛନ୍ତି। ପାକିସ୍ତାନ ନିଜ ଅଭ୍ୟନ୍ତରୀଣ ବିଫଳତାକୁ ଲୁଚାଇବା ପାଇଁ ସୀମାରେ କୌଣସି ପ୍ରକାରର ଦୁଃସାହସ କରିପାରେ, କିନ୍ତୁ ଭାରତୀୟ ସେନା ଯେକୌଣସି ପରିସ୍ଥିତିର ମୋହତୋଡ଼ ଜବାବ ଦେବାକୁ ପ୍ରସ୍ତୁତ ଅଛି।
ପାକିସ୍ତାନର ଏହି ଗୃହଯୁଦ୍ଧ ଭଳି ପରିସ୍ଥିତି କେଉଁ ମୋଡ଼ ନେବ? ପାକିସ୍ତାନ ସେନା କ’ଣ ବଲୁଚ୍ ଓ ପସ୍ତୁନ୍ ଆନ୍ଦୋଳନକୁ ଦବାଇବାରେ ସଫଳ ହେବ, ନା ପାକିସ୍ତାନ ଆଉ ଗୋଟିଏ ବିଭାଜନ ଆଡ଼କୁ ଗତି କରୁଛି?
AlsoRead; https://purvapaksa.com/rainfall-to-decrease-in-the-state-possibility-of-rain-again-from-august-2/

