ଧୂମ୍ରପାନ କିମ୍ବା ସିଗାରେଟ୍ ଟାଣିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ସମସ୍ତେ ଜାଣନ୍ତି। ସାଧାରଣତଃ ଲୋକେ ଭାବନ୍ତି ଯେ ଧୂମ୍ରପାନ କେବଳ ଫୁସଫୁସ ଏବଂ ହୃଦୟକୁ ନଷ୍ଟ କରିଥାଏ। ମାତ୍ର ଚିକିତ୍ସା ବିଜ୍ଞାନ ଏବଂ ସର୍ବଶେଷ ଗବେଷଣାରୁ ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଅତ୍ୟଧିକ ସିଗାରେଟ୍ ଟାଣିବା ଦ୍ୱାରା ହାଡ଼ର ସ୍ୱାସ୍ଥ୍ୟ ଗମ୍ଭୀର ଭାବେ ପ୍ରଭାବିତ ହେବା ସହ ଗଣ୍ଠି ବାତ ବା ‘ରୁମାଟଏଡ୍ ଆର୍ଥ୍ରାଇଟିସ୍’ ର ଆଶଙ୍କା ବହୁ ପରିମାଣରେ ବୃଦ୍ଧି ପାଇଥାଏ। ଏହି ଅଭ୍ୟାସ କେବଳ ରୋଗ ସୃଷ୍ଟି କରେନାହିଁ, ବରଂ ଶରୀରରେ ବାତର ଲକ୍ଷଣଗୁଡ଼ିକୁ ଆହୁରି ଯନ୍ତ୍ରଣାଦାୟକ ଓ ଭୟଙ୍କର କରିଦିଏ।

ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ କୁପ୍ରଭାବ
ଡାକ୍ତରୀ ବିଶେଷଜ୍ଞଙ୍କ ଅନୁସାରେ, ସିଗାରେଟ୍ ଧୂଆଁରେ ହଜାର ହଜାର ପ୍ରକାରର କ୍ଷତିକାରକ ରାସାୟନିକ ପଦାର୍ଥ ଥାଏ। ଏହି କେମିକାଲ୍ସ ଶରୀର ଭିତରକୁ ପ୍ରବେଶ କରିବା ମାତ୍ରେ ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ସିଷ୍ଟମ୍ କୁ ଦୁର୍ବଳ ଓ ବିଭ୍ରାନ୍ତ କରିଦିଏ। ଫଳରେ ଏକ ଅସ୍ୱାଭାବିକ ପ୍ରତିକ୍ରିୟା ଆରମ୍ଭ ହୁଏ, ଯାହାକୁ ଅଟୋଇମ୍ୟୁନ ରେସପନ୍ସକୁହାଯାଏ। ସିଗାରେଟ୍ ଧୂଆଁ ସଂସ୍ପର୍ଶରେ ଆସିବା ଦ୍ୱାରା ଶରୀରରେ ଥିବା କେତେକ ପ୍ରୋଟିନ୍ ‘ସିଟ୍ରୁଲିନେଟେଡ୍’ ହୋଇଯାନ୍ତି, ଅର୍ଥାତ୍ ସେମାନଙ୍କର ପ୍ରାକୃତିକ ସଂରଚନା ବଦଳିଯାଏ। ଆମର ଇମ୍ୟୁନିଟି ସିଷ୍ଟମ୍ ଏହି ପରିବର୍ତ୍ତିତ ପ୍ରୋଟିନ୍ଗୁଡ଼ିକୁ ବାହାର ଶତ୍ରୁ ଭାବି ନିଜ ଶରୀରର ସୁସ୍ଥ କୋଷ ଓ ଗଣ୍ଠିଗୁଡ଼ିକ ଉପରେ ଆକ୍ରମଣ କରିବା ଆରମ୍ଭ କରେ। ଏହି ପ୍ରକ୍ରିୟା ହିଁ ରୁମାଟଏଡ୍ ଆର୍ଥ୍ରାଇଟିସ୍ର ମୂଳ କାରଣ ସାଜିଥାଏ।

ଜେନେଟିକ୍ ସମସ୍ୟା ଥିଲେ ବିପଦ ଦୁଇଗୁଣ
ରିପୋର୍ଟ ଅନୁଯାୟୀ, ସମସ୍ତ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କୁ ଆର୍ଥ୍ରାଇଟିସ୍ ହୁଏନାହିଁ, ମାତ୍ର ଯେଉଁମାନଙ୍କ ପରିବାରରେ ପୂର୍ବରୁ ଏହି ରୋଗର ଇତିହାସ ରହିଛି ବା ଯେଉଁମାନଙ୍କ ଶରୀରରେ କେତେକ ବିଶେଷ ଆନୁବଂଶିକ ବଦଳ ରହିଥାଏ, ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ମାରାତ୍ମକ। ବିଶେଷ କରି ଶରୀରରେ ‘HLA-DRB1’ ଜିନ୍ର କିଛି ଭେରିଏଣ୍ଟ ଥିବା ବ୍ୟକ୍ତି ଯଦି ସିଗାରେଟ୍ ଟାଣନ୍ତି, ତେବେ ସେମାନଙ୍କ କ୍ଷେତ୍ରରେ ଗଣ୍ଠି ବାତ ହେବାର ସମ୍ଭାବନା ଅନ୍ୟମାନଙ୍କ ତୁଳନାରେ ଅନେକ ଗୁଣ ବୃଦ୍ଧି ପାଇଥାଏ।
ଔଷଧର ପ୍ରଭାବକୁ କମାଇ ଦିଏ ଧୂମ୍ରପାନ
ନ୍ୟାସନାଲ୍ ରୁମାଟଏଡ୍ ଆର୍ଥ୍ରାଇଟିସ୍ ସୋସାଇଟି ଅନୁସାରେ, ଧୂମ୍ରପାନ କରୁଥିବା ରୋଗୀଙ୍କ କ୍ଷେତ୍ରରେ ଆର୍ଥ୍ରାଇଟିସ୍ର ଲକ୍ଷଣ ଯେପରିକି ଗଣ୍ଠି ଯନ୍ତ୍ରଣା, ଫୁଲିଯିବା ଏବଂ ସକାଳ ସମୟରେ ଗଣ୍ଠି ଶକ୍ତ ହୋଇଯିବା ଭଳି ସମସ୍ୟା ଅଧିକ ତୀବ୍ର ହୋଇଥାଏ। ସବୁଠାରୁ ଚିନ୍ତାଜନକ କଥା ହେଉଛି, ଧୂମ୍ରପାନ ଶରୀରର ମେଟାବୋଲିଜିମ୍କୁ ପ୍ରଭାବିତ କରୁଥିବାରୁ, ବାତ ରୋଗ ପାଇଁ ଦିଆଯାଉଥିବା ଆଣ୍ଟି-ଇନ୍ଫ୍ଲାମେଟୋରୀ ଏବଂ ମେଥୋଟ୍ରେକ୍ସେଟ୍ ଭଳି ଜୀବନରକ୍ଷାକାରୀ ଔଷଧଗୁଡ଼ିକ ଶରୀରରେ ଉପଯୁକ୍ତ ଭାବେ କାମ କରିପାରନ୍ତି ନାହିଁ। ଫଳରେ ଚିକିତ୍ସା ପ୍ରକ୍ରିୟା ଧିମା ହୋଇଯାଏ ଏବଂ ରୋଗୀକୁ କ୍ରମାଗତ କଷ୍ଟ ଭୋଗିବାକୁ ପଡ଼େ।
ତେଣୁ ହାଡ଼ ଏବଂ ଗଣ୍ଠିଗୁଡ଼ିକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ତଥା କାର୍ଯ୍ୟକ୍ଷମ ରଖିବା ପାଇଁ ଆଜି ହିଁ ଧୂମ୍ରପାନ ଅଭ୍ୟାସ ତ୍ୟାଗ କରିବା ଉଚିତ। ଏହା ସହିତ ନିୟମିତ ବ୍ୟାୟାମ, ଯୋଗ ଏବଂ ପ୍ରୋଟିନ୍ ଓ ଫାଇବର ଯୁକ୍ତ ସୁଷମ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଆର୍ଥ୍ରାଇଟିସ୍ର ବିପଦକୁ ବହୁ ପରିମାଣରେ ଏଡ଼ାଇ ଦିଆଯାଇପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।
Also read : https://purvapaksa.com/after-20-petrol-now-the-centres-grand-plan-to-blend-15-isobutenal-in-diesel/


