ରାଜନୀତିରେ ଗୋଟିଏ କଥା ସବୁବେଳେ କୁହାଯାଏ— “ଶତ୍ରୁର ଶତ୍ରୁ ହେଉଛି ମିତ୍ର”। କିନ୍ତୁ ଯେତେବେଳେ ନିଜ ଦଳ ଭିତରେ ହିଁ ଅତିରିକ୍ତ ମିତ୍ରତା ଆଉ ଏକ ନୂଆ ଶତ୍ରୁତାକୁ ଜନ୍ମ ଦିଏ, ସେତେବେଳେ ପୂରା ସଂଗଠନର ଅଡ଼ୁଆ ବଢ଼ିଯାଏ। ଏବେ ଠିକ୍ ଏଭଳି ଏକ ଚାଞ୍ଚଲ୍ୟକର ରାଜନୈତିକ ଚର୍ଚ୍ଚା ଜୋର୍ ଧରିଛି ରାଜ୍ୟ ବିଜେପି ଶିବିରରେ, ବିଶେଷ କରି ଖୋଦ୍ ରାଜଧାନୀ ଭୁବନେଶ୍ୱରରେ।
ଚର୍ଚ୍ଚା ହେଉଛି ଯେ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବେ ରାଜ୍ୟର ମୂଳ ବିଜେପି ସଂଗଠନଠାରୁ ଦୂରେଇବାକୁ ଚାହୁଁଛନ୍ତି। ତେଣୁ ସେ ନିଜର ମନମୁତାବକ ଏକ ସ୍ୱତନ୍ତ୍ର ସଂଗଠନ ନିର୍ମାଣ କରିବା ସହିତ ‘ପ୍ଲାନ-ବି’ କାର୍ଯ୍ୟକାରୀ କରି ନିଜର ସ୍ଥିତିକୁ ମଜଭୁତ କରିବାରେ ଲାଗିଛନ୍ତି।
ଅପରାଜିତାଙ୍କୁ ଏବେ ନିଜ ଦଳର ପୁରୁଣା ନେତା ଓ କର୍ମୀମାନେ ବୋଧହୁଏ ପସନ୍ଦ କରୁନାହାନ୍ତି କିମ୍ବା ଅପରାଜିତା ନିଜେ ସେମାନଙ୍କଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି। ରାଜନୈତିକ ମହଲରେ ତ ଏଭଳି ଆଲୋଚନା ହେଲାଣି ଯେ, ଅପରାଜିତାଙ୍କୁ ଏବେ ବିଜେପିର ମୂଳ ନେତା ଓ କର୍ମୀ ଗନ୍ଧାଉଛନ୍ତି, ସେଥିପାଇଁ ସେ ଦଳୀୟ ସଂଗଠନ ବାହାରେ ନିଜର ଏକ ସମାନ୍ତରାଳ ସଂଗଠନ ଠିଆ କରିବାରେ ଲାଗିଛନ୍ତି।
ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ନିଜର ଏହି ସ୍ୱତନ୍ତ୍ର ଗୋଷ୍ଠୀକୁ ମଜବୁତ କରିବା ପାଇଁ ସେ ବିଜେଡି ନେତାମାନଙ୍କୁ ଆଣି ଗେରୁଆ ଟୋପି ପିନ୍ଧାଉଛନ୍ତି ଏବଂ ବିଜେପି ଭିତରେ ‘ନୀଳବର୍ଣ୍ଣ ଶୃଗାଳ’ ଭଳି ନେତା ତିଆରି କରୁଛନ୍ତି ବୋଲି ଦଳୀୟ ମହଲରେ ଆଲୋଚନା ଆରମ୍ଭ ହେଲାଣି।
ଦଳ ଭିତରର କାହାଣୀ: କାହିଁକି ଉଠିଲା ପ୍ରଶ୍ନ?
ଆସନ୍ତୁ ଜାଣିବା ପ୍ରକୃତରେ ଭିତରର କାହାଣୀ କଣ ଏବଂ କେଉଁ ଘଟଣା ଏହି ଚର୍ଚ୍ଚାକୁ ଶତପ୍ରତିଶତ ସତ ପ୍ରମାଣିତ କରୁଛି। ନିକଟରେ ଭୁବନେଶ୍ୱର ବିଜେପି ରାଜନୀତିରେ ଏକ ବଡ଼ ମିଶ୍ରଣ ପର୍ବ ଦେଖିବାକୁ ମିଳିଥିଲା। ମଧ୍ୟ-ଭୁବନେଶ୍ୱରର ବିଜେଡି ନେତା ରୁଦ୍ର ସାମନ୍ତରାୟ ହଠାତ୍ ବିଜେପିରେ ସାମିଲ ହେଲେ।
କୁହାଯାଉଛି ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବେ ଭୁବନେଶ୍ୱରରେ ତାଙ୍କର ଅନୁଗତ ତଥା ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନଙ୍କୁ ପ୍ରୋତ୍ସାହନ ଦେଉଥିବାବେଳେ, ସେମାନଙ୍କୁ ଏକଘରକିଆ କରିବା ଏବଂ ସେମାନଙ୍କ ପ୍ରଭାବ କମାଇବା ଉଦ୍ଦେଶ୍ୟରେ ହିଁ ଅପରାଜିତା ରୁଦ୍ର ସାମନ୍ତରାୟଙ୍କୁ ଦଳକୁ ଆଣିଛନ୍ତି।
ଖାଲି ରୁଦ୍ର ସାମନ୍ତରାୟ ନୁହଁନ୍ତି, ଏଭଳି ଅନେକ ବିଜେଡି ନେତା ଅଛନ୍ତି ଯେଉଁମାନଙ୍କୁ ଅପରାଜିତା ଦଳୀୟ କର୍ମୀଙ୍କ ତୀବ୍ର ବିରୋଧ ସତ୍ତ୍ୱେ ବିଜେପିରେ ସାମିଲ କରାଉଛନ୍ତି। ଏଥିରେ ବିଶେଷ କରି ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ଦ୍ୱାରା ପରିଚାଳିତ ‘ଓଡ଼ିଶା ମୋ ପରିବାର’ର ସଦସ୍ୟମାନଙ୍କୁ ପ୍ରାଥମିକତା ମିଳୁଥିବା ସାମ୍ନାକୁ ଆସିଛି।
ପ୍ରଶାନ୍ତ ଜଗଦ୍ଦେବ: ଅପରାଜିତାଙ୍କ ‘ହନୁମାନ’
ଆଉ ଅପରାଜିତାଙ୍କର ଏହି ପୂରା ଗେମ୍ ପ୍ଲାନରେ ତାଙ୍କର ସବୁଠାରୁ ବଡ଼ ସହଯୋଗୀ ବା ‘ହନୁମାନ’ ସାଜିଛନ୍ତି ବିଜେଡିରୁ ଆସି ବିଜେପି ଟିକେଟ୍ରେ ଜିତିଥିବା ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ପ୍ରଶାନ୍ତ ଜଗଦ୍ଦେବ ନିଜର ପୁରୁଣା ସମ୍ପର୍କ ଓ ନେଟୱର୍କ ମାଧ୍ୟମରେ ବିଜେଡି ନେତାମାନଙ୍କୁ ବିଜେପିରେ ମିଶିବା ପାଇଁ ପୂରା ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ଏବଂ ତାହାକୁ ଅପରାଜିତାଙ୍କ ମାଧ୍୍ୟମରେ କାର୍ଯ୍ୟକାରୀ ମଧ୍ୟ କରୁଛନ୍ତି।
କିନ୍ତୁ ଏହା ପଛର ଅସଲ କାରଣ କଣ ଜାଣନ୍ତି? ବାସ୍ତବତା ହେଉଛି, ପ୍ରଶାନ୍ତ ଜଗଦ୍ଦେବଙ୍କୁ ମଧ୍ୟ ବିଜେପିର ମୂଳ ନେତା ଓ ପୁରୁଣା ସଂଗଠନ ଆଦୌ ପସନ୍ଦ କରୁନାହାନ୍ତି କିମ୍ବା ସମର୍ଥନ କରୁନାହାନ୍ତି। ତେଣୁ ସେ ନିଜର ରାଜନୈତିକ ଅସ୍ତିତ୍ୱ ବଞ୍ଚାଇବା ପାଇଁ ବିଜେଡି ନେତାମାନଙ୍କ ମାଧ୍ୟମରେ ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛନ୍ତି। ଅପରାଜିତା ଏବଂ ପ୍ରଶାନ୍ତ ଜଗଦ୍ଦେବ— ଉଭୟ ଏବେ ମିଶି ବିଜେପି ଭିତରେ ଏକ ନୂଆ ପାୱାର ସେଣ୍ଟର ତିଆରି କରି ନିଜକୁ ପ୍ରଭାବଶାଳୀ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରୁଛନ୍ତି।
ଅତୀତରେ ଅପରାଜିତା ଷଡ଼ଙ୍ଗୀ ଏପରି ମନୋମୁଖୀ କାରବାର କରୁଥିବାରୁ ତାଙ୍କୁ ଦଳରେ ଗୁରୁତ୍ୱ ଦିଆଯାଉନଥିଲା। ତାଙ୍କୁ ଦଳର କୌଣସି କାର୍ଯ୍ୟକ୍ରମରେ ମଧ୍ୟ ଦେଖିବାକୁ ମିଳୁନଥିଲା। ଅପରାଜିତା ଏକପ୍ରକାରର ଏକଘରକିଆ ହୋଇ ରହିଥିଲେ। ଆଉ ସେ ସମୟରେ ଧର୍ମେନ୍ଦ୍ରଙ୍କ କ୍ୟାମ୍ପର ନେତା ସମୀର ମହାନ୍ତି ରାଜ୍ୟ ସଭାପତି ଥିବାବେଳେ ଗୋଲକ ମହାପାତ୍ର ପ୍ରମୁଖ ଉପ ସଭାପତି ଥିଲେ। ଏହି ନେତାମାନେ ଅପରାଜିତାଙ୍କୁ ପାଖରେ ପୁରାଉନଥିଲେ। ସେ ସମୟରୁ ଅପରାଜିତା ନିଜର ସଂଗଠନ କରିବା ଆରମ୍ଭ କରିଛନ୍ତି।
ମନମୋହନ ସାମଲ ରାଜ୍ୟସଭାପତି ହେବା ପରେ ଅପରାଜିତା ରାଜ୍ୟ କାର୍ଯ୍ୟାଳୟକୁ ଆସିବା ସହିତ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଅନୁଗତମାନଙ୍କ ଉପରେ ପ୍ରତିଶୋଧ ନେବା ଆରମ୍ଭ କରିଛନ୍ତି ବୋଲି ଆଲୋଚନା ହେଉଛି।
ନେତାଙ୍କ ଅସନ୍ତୋଷ: ମଞ୍ଚରୁ ଦୂରେଇ ରହିଲେ ସଭାପତି
କିନ୍ତୁ ଦର୍ଶକବନ୍ଧୁ, ଅପରାଜିତାଙ୍କର ଏହି ମନୋମୁଖୀ କାର୍ଯ୍ୟକଳାପରେ ରାଜ୍ୟ ବିଜେପି ଏବଂ ଆରଏସଏସ୍ (RSS) ବା ସଂଘର ପଦାଧିକାରୀମାନେ ଆଦୌ ସନ୍ତୁଷ୍ଟ ନାହାନ୍ତି। ଏହାର ସ୍ପଷ୍ଟ ପ୍ରମାଣ ରୁଦ୍ର ସାମନ୍ତରାୟଙ୍କ ମିଶ୍ରଣ ପର୍ବ ଦିନ ଜଳଜଳ ହୋଇ ଦେଖାଯାଇଥିଲା।
ସେଦିନ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଖୋଦ୍ ରାଜ୍ୟ ସଭାପତି ମନମୋହନ ସାମଲ ଉପସ୍ଥିତ ଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା, ସେ ସବୁ ଜାଣି ବି ମଞ୍ଚକୁ ଆସିନଥିଲେ! ନିଜେ ନ ଆସି ସେ ତାଙ୍କର ପ୍ରତିନିଧି ସରୋଜ କରଙ୍କୁ ମଞ୍ଚକୁ ପଠାଇ ଦେଇଥିଲେ।
ସେହିପରି ସେହି ସମୟରେ ଏକାମ୍ର ବିଧାୟକ ବାବୁ ସିଂହ ଏବଂ ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର ଭୁବନେଶ୍ୱରରେ ହିଁ ଥିଲେ, କିନ୍ତୁ ସେମାନେ ମଧ୍ୟ ଏହି ମିଶ୍ରଣ ପର୍ବରୁ ସୁଦୂର ଦୂରତ୍ୱ ରକ୍ଷା କରିଥିଲେ। ଦଳର କୌଣସି ଜଣେ ବି ବରିଷ୍ଠ ପଦାଧିକାରୀ ସେଦିନ ମଞ୍ଚରେ ଉପସ୍ଥିତ ନ ଥିଲେ, ଯାହା ସ୍ପଷ୍ଟ ସଙ୍କେତ ଦେଉଛି ଯେ ଅପରାଜିତାଙ୍କ ଏହି ‘ବିଜେଡିକରଣ’ ନିଷ୍ପତ୍ତି ସହ ଦଳର ମୂଳ ନେତାମାନେ ଏକମତ ନୁହଁନ୍ତି।
ଆଗାମୀ ନିର୍ବାଚନରେ କୁପରିଣାମ?
ବିଜେପିର ମୂଳ କର୍ମୀ ଓ ନେତାମାନଙ୍କୁ ନ ପଚାରି, ସେମାନଙ୍କ ଭାବନାକୁ ଶକ୍ତ ଆଘାତ ଦେଇ ଅପରାଜିତା ଯେଉଁଭଳି ଭାବରେ ଦଳକୁ ବିଜେଡି ନେତାଙ୍କ ଦ୍ୱାରା ଭରପୂର କରିବାକୁ ଅପଚେଷ୍ଟା କରୁଛନ୍ତି, ତାହା ଦଳ ପାଇଁ ଆଗକୁ ଆତ୍ମଘାତୀ ସାବ୍ୟସ୍ତ ହୋଇପାରେ। ଦଳୀୟ ମହଲରେ ଏବେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଲାଣି।
ବିଜେପି କ୍ୟାଡରମାନେ ଚୁପ୍ଚାପ୍ ଆଲୋଚନା କରୁଛନ୍ତି ଯେ, ଯଦି ଏହି ସ୍ଥିତି ଜାରି ରହେ, ତେବେ ଆଗାମୀ ବିଏମସି (BMC) ନିର୍ବାଚନ ଏବଂ ସାଧାରଣ ନିର୍ବାଚନରେ ବିଜେପିକୁ ଏହାର ଭୟଙ୍କର କୁପରିଣାମ ଭୋଗିବାକୁ ପଡ଼ିପାରେ।
କାରଣ ଯେଉଁ କର୍ମୀମାନେ ଦଳ ପାଇଁ ଦିନରାତି ଖଟିଛନ୍ତି, ବର୍ଷ ବର୍ଷ ଧରି ବିଜେଡି ବିରୋଧରେ ଲଢ଼େଇ କରିଛନ୍ତି, ସେମାନେ ଯଦି ଆଜି ନିଜକୁ ଅବହେଳିତ ମନେ କରିବେ, ତେବେ ନିର୍ବାଚନବେଳେ ବୁଥ୍ ସ୍ତରରେ ଦଳ ପାଇଁ କାମ କରିବ କିଏ? ଆଉ ଯେଉଁ ବିଜେଡି ନେତାମାନେ ଗେରୁଆ ଟୋପି ପିନ୍ଧି ଆସୁଛନ୍ତି, ସେମାନେ ସଙ୍କଟ ସମୟରେ ଦଳ ସହ ରହିବେ ତ?
ଅପରାଜିତା ଷଡ଼ଙ୍ଗୀଙ୍କର ଏହି ନୂଆ ରଣନୀତି ରାଜ୍ୟ ବିଜେପିକୁ ମଜବୁତ କରୁଛି ନା ଦଳ ଭିତରେ ଗୋଷ୍ଠୀ କନ୍ଦଳକୁ ଆହୁରି ବଢ଼ାଉଛି, ତାହା ସମୟ କହିବ। କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ, ଭୁବନେଶ୍ୱର ବିଜେପି ଭିତରେ ଏବେ ସବୁ କିଛି ଠିକ୍ ଚାଲିନାହିଁ।
AlsoRead; https://purvapaksa.com/annamalais-move-to-form-a-new-party-what-did-she-say/


