ଦେଶରେ ଚାଲିଥିବା ରାଜନୈତିକ ଦଳବଦଳ ଏବଂ ସରକାର ଭାଙ୍ଗିବା ଗଢ଼ିବା ପ୍ରକ୍ରିୟା ଉପରେ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ତଥା ସୁପ୍ରିମକୋର୍ଟ ବାର୍ ଆସୋସିଏସନର ପୂର୍ବତନ ସଭାପତି ଦୁଷ୍ୟନ୍ତ ଦାବେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ, ସମ୍ବିଧାନର ଦଶମ ଅନୁସୂଚୀରେ ଥିବା ‘ଦଳବଦଳ ବିରୋଧୀ ଆଇନ’ ବର୍ତ୍ତମାନର ରାଜନୈତିକ ପରିସ୍ଥିତିରେ ସମ୍ପୂର୍ଣ୍ଣ ବିଫଳ ସାବ୍ୟସ୍ତ ହୋଇଛି। ଗଣତନ୍ତ୍ରର ସୁରକ୍ଷା ପାଇଁ ସୁପ୍ରିମକୋର୍ଟ ନିଜର ଅସୀମ ସାାମ୍ବିଧାନିକ ଶକ୍ତି (ଅନୁଚ୍ଛେଦ ୧୪୨) ର ପ୍ରୟୋଗ କରି ଏ ଦିଗରେ କଡ଼ା ପଦକ୍ଷେପ ନେବାର ସମୟ ଆସିଯାଇଛି।

‘ଅପରେସନ ଲୋଟସ’କୁ ନେଇ ପ୍ରଶ୍ନ
ଏକ ସାକ୍ଷାତକାରରେ ଶ୍ରୀ ଦାବେ କହିଛନ୍ତି ଯେ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ନିକଟରେ ହିମାଚଳ ପ୍ରଦେଶ ଭଳି ରାଜ୍ୟରେ ଯେଉଁଭଳି ଭାବେ ନିର୍ବାଚିତ ସରକାର ଗୁଡ଼ିକୁ ଭାଙ୍ଗିବାକୁ ଚେଷ୍ଟା କରାଗଲା ବା ଭାଙ୍ଗି ଦିଆଗଲା, ତାହା ଗଣତନ୍ତ୍ର ପ୍ରତି ଏକ ବଡ଼ ବିପଦ। ‘ଅପରେସନ ଲୋଟସ’ ମାଧ୍ୟମରେ ବିରୋଧୀ ଦଳର ବିଧାୟକମାନଙ୍କୁ ନିଜ ଆଡ଼କୁ ଆଣି ସରକାର ଗଠନ କରିବାର ଯେଉଁ ଧାରା ଚାଲିଛି, ତାହା ସାଧାରଣ ଜନତାଙ୍କ ଜନାଦେଶ ପ୍ରତି ଏକ ପ୍ରକାର ପ୍ରତାରଣା।

ବାଚସ୍ପତିଙ୍କ ଭୂମିକା ଉପରେ ସନ୍ଦେହ
ବରିଷ୍ଠ ଆଇନଜୀବୀ ଜଣକ ବିଧାନସଭା ବାଚସ୍ପତି ମାନଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ବାଚସ୍ପତିମାନେ ନିରପେକ୍ଷ ଭାବେ କାର୍ଯ୍ୟ କରିବା କଥା, କିନ୍ତୁ ଅଧିକାଂଶ ସମୟରେ ସେମାନେ ଶାସକ ଦଳର ସଦସ୍ୟ ଭଳି କାର୍ଯ୍ୟ କରୁଛନ୍ତି ଏବଂ ଦଳବଦଳ ମାମଲାରେ ଶୁଣାଣିକୁ ମାସ ମାସ ଧରି ବିଳମ୍ବ କରୁଛନ୍ତି। ଆଇନର ଗଳାବାଟ ଦେଇ ବିଧାୟକମାନେ ଇସ୍ତଫା ଦେଉଛନ୍ତି ଏବଂ ପୁଣି ନିର୍ବାଚନ ଜିତି ମନ୍ତ୍ରୀ ବନୁଛନ୍ତି, ଯାହା ଆଇନର ମୂଳ ଉଦ୍ଦେଶ୍ୟକୁ ନଷ୍ଟ କରୁଛି।
ସୁପ୍ରିମକୋର୍ଟ ନିଅନ୍ତୁ କଠୋର ଆଭିମୁଖ୍ୟ

ଦୁଷ୍ୟନ୍ତ ଦାବେ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି ଯେ, ଅଦାଲତ ଏହି ସାମ୍ବିଧାନିକ ସଂକଟକୁ ଗମ୍ଭୀରତାର ସହ ନେବା ଉଚିତ। ଯଦି କୌଣସି ଜନପ୍ରତିନିଧି ଦଳବଦଳ କରୁଛନ୍ତି, ତେବେ ସେମାନଙ୍କୁ କେବଳ ଅଯୋଗ୍ୟ ଘୋଷଣା କରାଯିବା ଯଥେଷ୍ଟ ନୁହେଁ, ବରଂ ସେମାନଙ୍କ ଉପରେ ଆଗାମୀ ୫ ବର୍ଷ ପାଇଁ ନିର୍ବାଚନ ଲଢ଼ିବା ଏବଂ କୌଣସି ସରକାରୀ ପଦବୀ ଗ୍ରହଣ କରିବା ଉପରେ ସମ୍ପୂର୍ଣ୍ଣ ବ୍ୟାନ ଲଗାଯିବା ଦରକାର। ଗଣତନ୍ତ୍ର ଓ ସମ୍ବିଧାନର ରକ୍ଷାକର୍ତ୍ତା ଭାବେ ସର୍ବୋଚ୍ଚ ଅଦାଲତ ଏଥିପାଇଁ ଏକ ନୂଆ ଏବଂ କଡ଼ା ନିର୍ଦ୍ଦେଶନାମା ଜାରି କରିବା ଆବଶ୍ୟକ ବୋଲି ସେ ଦୃଢ଼ ଭାବେ ପ୍ରକାଶ କରିଛନ୍ତି।


