ଭାରତ ନିଜର ପଞ୍ଚମ ପିଢ଼ିର ଆଧୁନିକ ଷ୍ଟେଲ୍ଥ ଫାଇଟର ଜେଟ୍ ‘ଏମକା’ (AMCA – Advanced Medium Combat Aircraft) ପ୍ରକଳ୍ପ ଉପରେ ଦ୍ରୁତ ଗତିରେ କାମ କରୁଛି। ତେବେ ଏହି ଅତ୍ୟାଧୁନିକ ଯୁଦ୍ଧବିମାନ ପାଇଁ ଭାରତକୁ ଆମେରିକାର ପ୍ରସିଦ୍ଧ ଜେନେରାଲ ଇଲେକ୍ଟ୍ରିକ କମ୍ପାନୀର ଇଞ୍ଜିନ ଉପରେ ନିର୍ଭର କରିବାକୁ ପଡ଼ିବ। ରକ୍ଷା ବିଶେଷଜ୍ଞଙ୍କ ଅନୁଯାୟୀ, କେବଳ ଭାରତ ନୁହେଁ, ବରଂ ବିଶ୍ୱର ଅନେକ ଶକ୍ତିଶାଳୀ ଦେଶ ମଧ୍ୟ ନିଜର ଶ୍ରେଷ୍ଠ ଯୁଦ୍ଧବିମାନ ପାଇଁ ଆମେରିକୀୟ ଇଞ୍ଜିନ ବ୍ୟବହାର କରୁଛନ୍ତି।

ଇଞ୍ଜିନ ପ୍ରସ୍ତୁତି ସବୁଠାରୁ ଜଟିଳ କାମ
- ଏକ ସଫଳ ଯୁଦ୍ଧବିମାନ ତିଆରି କରିବା ଯେତିକି କଷ୍ଟକର, ତା’ଠାରୁ ଅନେକ ଗୁଣ ଅଧିକ ଜଟିଳ ହେଉଛି ତା’ର ଶକ୍ତିଶାଳୀ ଜେଟ୍ ଇଞ୍ଜିନ ପ୍ରସ୍ତୁତ କରିବା। ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ମାତ୍ର କିଛି ସୀମିତ ଦେଶ (ଯେପରିକି ଆମେରିକା, ଋଷ, ବ୍ରିଟେନ ଏବଂ ଫ୍ରାନ୍ସ) ପାଖରେ ହିଁ ସଫଳ ମିଲିଟାରୀ ଜେଟ୍ ଇଞ୍ଜିନ ତିଆରି କରିବାର ବୈଷୟିକ ଜ୍ଞାନକୌଶଳ ରହିଛି।
- ଭାରତ ନିଜର ‘କାବେରୀ’ ଇଞ୍ଜିନ ପ୍ରକଳ୍ପ ଉପରେ ଦୀର୍ଘ ଦିନ ଧରି କାମ କରୁଥିଲେ ମଧ୍ୟ ଏହା ଏପର୍ଯ୍ୟନ୍ତ ଫାଇଟର ଜେଟ୍ ପାଇଁ ଆବଶ୍ୟକ ହେଉଥିବା ସମ୍ପୂର୍ଣ୍ଣ ଶକ୍ତି ବା ମୁଖ୍ୟ ବିଦ୍ୟା ହାସଲ କରିପାରି ନାହିଁ। ଏଭଳି ପରିସ୍ଥିତିରେ AMCA ର ପ୍ରାରମ୍ଭିକ ମଡେଲ ପାଇଁ ଆମେରିକାର GE-F414 ଇଞ୍ଜିନ ବ୍ୟବହାର କରିବା ଛଡ଼ା ଭାରତ ପାଖରେ ଅନ୍ୟ କୌଣସି ଉତ୍ତମ ବିକଳ୍ପ ନାହିଁ।
ବିଶ୍ୱର ଅନ୍ୟ ଦେଶ ମଧ୍ୟ ଆମେରିକା ଉପରେ ନିର୍ଭରଶୀଳ
ରିପୋର୍ଟ ଅନୁଯାୟୀ, ବିଶ୍ୱର ଅନେକ ଅତ୍ୟାଧୁନିକ ଫାଇଟର ଜେଟ୍ ଆମେରିକୀୟ ଇଞ୍ଜିନ ସାହାଯ୍ୟରେ ହିଁ ଆକାଶରେ ଉଡ଼ୁଛନ୍ତି। ଉଦାହରଣ ସ୍ୱରୂପ:
- ଦକ୍ଷିଣ କୋରିଆ : ସେମାନଙ୍କର ସଦ୍ୟ ପ୍ରସ୍ତୁତ ପଞ୍ଚମ ପିଢ଼ିର ଯୁଦ୍ଧବିମାନ KF-21 ‘ବୋରାମେ’ ପାଇଁ ଆମେରିକାର GE-F414 ଇଞ୍ଜିନ ବ୍ୟବହାର ହେଉଛି ।
- ତୁର୍କୀ : ତୁର୍କୀର ନିଜସ୍ୱ ପଞ୍ଚମ ପିଢ଼ିର ଷ୍ଟେଲ୍ଥ ଫାଇଟର ଜେଟ୍ ‘କାନ’ର ପ୍ରାରମ୍ଭିକ ଉଡ଼ାଣ ପାଇଁ ମଧ୍ୟ ଆମେରିକାର GE-F110 ଇଞ୍ଜିନ ବ୍ୟବହାର କରାଯାଉଛି।
- ସ୍ୱିଡେନ : ସ୍ୱିଡେନର ପ୍ରସିଦ୍ଧ ‘ଗ୍ରୀପେନ’ ଯୁଦ୍ଧବିମାନ ମଧ୍ୟ ଆମେରିକୀୟ ଇଞ୍ଜିନ ଦ୍ୱାରା ପରିଚାଳିତ।
ଭାରତର ଆଗାମୀ ରଣନୀତି
ଭାରତ କେବଳ ଆମେରିକା ଉପରେ ନିର୍ଭରଶୀଳ ହୋଇ ରହିବାକୁ ଚାହୁଁନାହିଁ। AMCA ପ୍ରକଳ୍ପକୁ ଦୁଇଟି ପର୍ଯ୍ୟାୟରେ ଭାଗ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଆମେରିକୀୟ ଇଞ୍ଜିନ ବ୍ୟବହାର କରାଯିବ। କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭାରତ ,”ଆମେରିକା, ଫ୍ରାନ୍ସ (Safran) କିମ୍ବା ବ୍ରିଟେନ (Rolls-Royce) ର କମ୍ପାନୀ ସହ ମିଶି ଭାରତ ମାଟିରେ ହିଁ ଏକ ନୂଆ ଏବଂ ଅଧିକ ଶକ୍ତିଶାଳୀ ୧୧୦ କିଲୋନିଉଟନ ର ଇଞ୍ଜିନ ଯୌଥଭାବେ ବିକଶିତ କରିବାକୁ ଯୋଜନା କରୁଛି । ଯେଉଁଥିରେ ସମ୍ପୂର୍ଣ୍ଣ ‘ଟେକ୍ନୋଲୋଜି ହସ୍ତାନ୍ତର’ (Transfer of Technology) ସାମିଲ ରହିବ।


