ଓଡ଼ିଶା ରାଜନୀତିର ଇତିହାସରେ ୨୦୨୪ ନିର୍ବାଚନ ଏକ ସ୍ମରଣୀୟ ଅଧ୍ୟାୟ ହୋଇ ରହିବ। ଏହି ନିର୍ବାଚନ କେବଳ ଦଳୀୟ ପରିବର୍ତ୍ତନର ନଥିଲା ବରଂ ଏହା ଥିଲା ‘ଓଡ଼ିଆ ଅସ୍ମିତା’ ବଞ୍ଚାଇବାର ଏକ ଆବେଗପୂର୍ଣ୍ଣ ଆହ୍ୱାନ। ଦୀର୍ଘ ୨୪ ବର୍ଷର ଶାସନକୁ ଗାଦିଚ୍ୟୁତ କରିବା ପାଇଁ ବିଜେପି ଯେଉଁ ଅସ୍ତ୍ର ପ୍ରୟୋଗ କରିଥିଲା ତାହା ଥିଲା “ଅଣଓଡ଼ିଆ ଶାସନରୁ ମୁକ୍ତି”। ତତ୍କାଳୀନ ବିଜେଡି ସରକାରର ସର୍ବେସର୍ବା ସାଜିଥିବା ଜଣେ ଅଣଓଡ଼ିଆ ଅଧିକାରୀଙ୍କୁ କେନ୍ଦ୍ର କରି ସାରା ରାଜ୍ୟରେ ଏକ ଜନମତ ସୃଷ୍ଟି କରାଗଲା ଯେ— “ଓଡ଼ିଆ ଅସ୍ମିତା ବିପଦରେ”। ଲୋକେ ବିଶ୍ୱାସ କଲେ ପରିବର୍ତ୍ତନ ଆସିଲେ ଓଡ଼ିଶାକୁ ଓଡ଼ିଆମାନେ ଚଳାଇବେ । ମାତ୍ର ସରକାର ଗଠନ ପରେ ଯେଉଁ ଚିତ୍ର ସାମ୍ନାକୁ ଆସୁଛି ତାହା କେବଳ ହତାଶାଜନକ ନୁହେଁ ବରଂ ଓଡ଼ିଆ ଜାତି ପ୍ରତି ଏକ ପରିହାସ।

କେଉଁଠୁ ଆରମ୍ଭ ?
ଓଡ଼ିଆ ଅଫିସର ମାରଣ ନୀତି ୨୦୧୪ ପରଠାରୁ ଆରମ୍ଭ ହୋଇଛି। ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେବାପରଠାରୁ ସେ ଓଡ଼ିଆ ଅଫିସରମାନଙ୍କୁ ପ୍ରଶାସନ ଦୂରେଇ ଅଣଓଡ଼ିଆ ଅଫିସରଙ୍କୁ ଗୁରୁତ୍ୱ ଦେଲେ। ସେବେଠାରୁ ଏହି ପରମ୍ପରା ଅଦ୍ୟାବଧି ଚାଲିଛି। ଆଶା କରାଯାଉଥିଲା ବିଜେପି ସରକାରରେ ତାହା ପରିବର୍ତ୍ତନ ହେବ। କିନ୍ତୁ ଏହି ପରମ୍ପରା ବନ୍ଦ ହେବା ପରିବର୍ତ୍ତେ ଏହା ଏବେ ଶୀର୍ଷରେ ପହଞ୍ଚିଛି।
ପ୍ରଶାସନିକ ଶୀର୍ଷରେ ଅଣଓଡ଼ିଆଙ୍କ କବ୍ଜା
ନୂତନ ସରକାର ଗଠନ ପରେ ସବୁଠାରୁ ବଡ଼ ନଜର ରହିଥିଲା ‘ମୁଖ୍ୟ ଶାସନ ସଚିବ’ ପଦବୀ ଉପରେ। ଆଶା କରାଯାଉଥିଲା ଜଣେ ଦକ୍ଷ ଓଡ଼ିଆ ଅଫିସର ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଅଳଂକୃତ କରିବେ। କିନ୍ତୁ ବାସ୍ତବତା ହେଲା, ପ୍ରଥମେ ମନୋଜ ଆହୁଜା ଏବଂ ପରେ ଅନୁ ଗର୍ଗଙ୍କୁ ଏହି ଦାୟିତ୍ୱ ଦିଆଗଲା। ଯଦି ଶାସନର ମଙ୍ଗୁଆଳ ଜଣେ ଓଡ଼ିଆ ହୋଇପାରିଲେ ନାହିଁ, ତେବେ ଅସ୍ମିତାର ନାରା କେଉଁଠି ରହିଲା? ରାଜ୍ୟର ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ଯେଉଁମାନେ ନିଷ୍ପତ୍ତି ନିଅନ୍ତି, ସେମାନେ ଯଦି ଏ ମାଟିର ଭାଷା, ସଂସ୍କୃତି ଓ ଭାବନା ସହ ଜଡ଼ିତ ନୁହନ୍ତି, ତେବେ ଜନ କଲ୍ୟାଣ କେବଳ କାଗଜପତ୍ରରେ ସୀମିତ ରହିବା ସ୍ୱାଭାବିକ।
ସଂଖ୍ୟା କହୁଛି ଅସଲ ସତ୍ୟ: ୫ ବନାମ ୩୫
ରାଜ୍ୟ ପ୍ରଶାସନର ସଂଖ୍ୟାତତ୍ତ୍ୱକୁ ଦେଖିଲେ ଜଣାପଡ଼େ ଯେ ଓଡ଼ିଆ ଅଧିକାରୀମାନେ ନିଜ ରାଜ୍ୟରେ କିଭଳି କୋଣଠେସା ହୋଇ ରହିଛନ୍ତି। ମନ୍ତ୍ରିମଣ୍ଡଳର ୧୬ ଜଣ ମନ୍ତ୍ରୀଙ୍କ ଅଧୀନରେ ୪୦ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିଛି। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ୪୦ଟି ବିଭାଗ ମଧ୍ୟରୁ ମାତ୍ର ୫ଟି ବିଭାଗରେ ଓଡ଼ିଆ ସଚିବ ଅଛନ୍ତି। ବାକି ୩୫ଟି ବିଭାଗରେ ଅଣଓଡ଼ିଆ ସଚିବମାନେ ନିଷ୍ପତ୍ତି ନେଉଛନ୍ତି। ଏହା କ’ଣ ଓଡ଼ିଆ ମାନସିକତା ଉପରେ ଏକ ପ୍ରକାର ପ୍ରଶାସନିକ ଆଧିପତ୍ୟ ନୁହେଁ? ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥିବା ୬ଟି ବିଭାଗରୁ ମାତ୍ର ଗୋଟିଏ (ଅର୍ଥ ବିଭାଗ)ରେ ଓଡ଼ିଆ ସଚିବ ଅଛନ୍ତି। ଯେଉଁଠି ସ୍ୱୟଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଣଓଡ଼ିଆ ଅଧିକାରୀଙ୍କ ଦ୍ୱାରା ପରିଚାଳିତ, ସେଠାରେ ସାଧାରଣ ଓଡ଼ିଆଟିଏ ତା’ର ଅସ୍ମିତା ଖୋଜିବା ପାଇଁ କାହା ପାଖକୁ ଯିବ?
କିଏ କେଉଁଠି ଅଛନ୍ତି ?
୧. ମୁଖ୍ୟ ଶାସନ ସଚିବ- ଅନୁଗର୍ଗ
୨. ଯୋଜନା ଓ ସମନ୍ୱା ବିଭାଗ-ଦେଓ ରଂଜନ କୁମାର ସିଂହ
୩. ସାଧାରଣ ପ୍ରଶାସନ- ସୁରେନ୍ଦ୍ର କୁମାର
୪. ଗୃହ- ହେମନ୍ତ ଶର୍ମା
୫. ଅର୍ଥ- ସଞ୍ଜିବ ମିଶ୍ର (ଓଡ଼ିଆ)
୬. ଜଳ ସମ୍ପଦ- ଶୁଭା ଶର୍ମା
୭. ସୂଚନା ଓ ଲୋକସମ୍ପର୍କ- ହେମନ୍ତ ଶର୍ମା
୮. କୃଷି- ଡ. ଅରବିନ୍ଦ କୁମାର ପାଢ଼ୀ (ଓଡ଼ିଆ)
୯. ଶକ୍ତି- ବିଶାଳ ଦେବ
୧୦. ପର୍ଯ୍ୟଟନ-ବଲବନ୍ତ ସିଂହ
୧୧. ମହିଳା ଓ ଶିଶୁ ବିକାଶ- ଶୁଭା ଶର୍ମା
୧୨. ମିଶନ ଶକ୍ତି- ଗିରିଶ ଏସ. ଏନ.
୧୩. ରାଜସ୍ୱ- ଦେଓ ରଂଜନ କୁମାର ସିଂହ
୧୪. ପଞ୍ଚାୟତିରାଜ ଓ ପାନୀୟ ଜଳ- ଗିରିଶ ଏସ. ଏନ.
୧୫. ଗ୍ରାମ୍ୟ ଉନ୍ନୟନ-ଯାମିନୀ ଷଡ଼ଙ୍ଗୀ
୧୬. ବିଦ୍ୟାଳୟ ଓ ଗଣଶିକ୍ଷା-ଡ. ଏନ ଥିରୁମାଲା ନାଏକ
୧୭. ଏସସି/ଏସଟି-ବି ପରମେଶ୍ୱରନ
୧୮. ଯୋଗାଣ-ସଞ୍ଜୟ କୁମାର ସିଂହ
୧୯. ସାଇନ୍ସ ଆଣ୍ଡ ଟେକ୍ନୋଲଜି-ଚିତ୍ରା ଆରମୁଗମ
୨୦. ଆଇନ-ପବିତ୍ର ମୋହନ ସାମଲ (ଓଡ଼ିଆ)
୨୧. ପୂର୍ତ୍ତ- ସଞ୍ଜୟ କୁମାର ସିଂହ
୨୨. ଅବକାରୀ-ଭାସ୍କରଜ୍ୟୋତି ଶର୍ମା
୨୩. ସ୍ୱାସ୍ଥ୍ୟ-ଏସ ଅଶ୍ୱତୀ
୨୪. ଆଇଟି- ବିଶାଳ ଦେବ
୨୫. ସଂସଦୀୟ ବ୍ୟାପାର-ସୁରେନ୍ଦ୍ର କୁମାର
୨୬. ନଗର ଉନ୍ନୟନ-ଉଷା ପାଢ଼ୀ
୨୭. ପବ୍ଲିକ ଏଣ୍ଟର ପ୍ରାଇଜେସ- ଏନ ବି ଏସ ରାଜପୁତ
୨୮. ଖଣି ଓ ଇସ୍ପାତ- ସୁରେନ୍ଦ୍ର କୁମାର
୨୯. ପରିବହନ- ଉଷା ପାଢ଼ୀ
୩୦. ଜଙ୍ଗଲ ଓ ପରିବେଶ- ଭାସ୍କରଜ୍ୟୋତି ଶର୍ମା
୩୧. ଶ୍ରମ- ଚିତ୍ରା ଆରମୁଗମ
୩୨. କ୍ରିଡ଼ା-ସଚିନ ରାମଚନ୍ଦ୍ର ଜାଧବ
୩୩. ଉଚ୍ଚଶିକ୍ଷା-ଅରବିନ୍ଦ ଅଗ୍ରୱାଲ (ଓଡ଼ିଆ)
୩୪. ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି-ବିଜୟ କେତନ ଉପାଧ୍ୟାୟ (ଓଡ଼ିଆ)
୩୫. ସମବାୟ- ରାଜେଶ ପ୍ରଭାକର ପାଟିଲ
୩୬. ହସ୍ତତନ୍ତ-ପୁନମଗୁହା ତାପସ କୁମାର
୩୭. ମତ୍ସ୍ୟ ଓ ପଶୁପାଳନ-ସୁରେଶ କୁମାର ବଶିଷ୍ଠ
୩୮. ମାଇକ୍ରୋ, ସ୍ମଲ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ-ଜି ପ୍ରଶାନ୍ତ କୁମାର ରେଡ୍ଡୀ
୩୯. ଶିଳ୍ପ- ହେମନ୍ତ ଶର୍ମା
୪୦. ସ୍କିଲ ଡେଭଲପମେଣ୍ଟ-ଭୁପେନ୍ଦ୍ର ସିଂହ ପୁନିଆ
ନିର୍ଦ୍ଦିଷ୍ଟ କିଛି ଅଧିକାରୀଙ୍କ ହାତରେ ସମସ୍ତ କ୍ଷମତା
ପ୍ରଦତ୍ତ ତାଲିକା ଅନୁଯାୟୀ, ପ୍ରଶାସନରେ କ୍ଷମତାର କେନ୍ଦ୍ରୀକରଣ କିଛି ନିର୍ଦ୍ଦିଷ୍ଟ ଅଣଓଡ଼ିଆ ଅଫିସରଙ୍କ ହାତରେ ରହିଛି।
ହେମନ୍ତ ଶର୍ମା: ଗୃହ, ଶିଳ୍ପ, ସୂଚନା ଓ ଲୋକସମ୍ପର୍କ ଭଳି ସମ୍ବେଦନଶୀଳ ବିଭାଗ।
ସୁରେନ୍ଦ୍ର କୁମାର: ସାଧାରଣ ପ୍ରଶାସନ, ସଂସଦୀୟ ବ୍ୟାପାର, ଖଣି ଓ ଇସ୍ପାତ।
ବିଶାଳ ଦେବ: ଶକ୍ତି ଓ ଆଇଟି।
ଦେଓ ରଂଜନ କୁମାର ସିଂହ: ଯୋଜନା, ସମନ୍ୱୟ ଓ ରାଜସ୍ୱ।
ଗିରିଶ ଏସ. ଏନ.: ମିଶନ ଶକ୍ତି, ପଞ୍ଚାୟତିରାଜ
ଏହାଛଡ଼ା ଶୁଭା ଶର୍ମା, ଭାସ୍କର ଜ୍ୟୋତି ଶର୍ମା, ଚିତ୍ରା ଆରମୁଗମଙ୍କ ପାଖରେ ମଧ୍ୟ ଏକାଧିକ ବିଭାଗ ରହିଛି।ଏହି ସୂଚୀ ସ୍ପଷ୍ଟ କରୁଛି ଯେ ରାଜ୍ୟର ଅର୍ଥନୀତି, ଆଇନ ଶୃଙ୍ଖଳା, ଗ୍ରାମୀଣ ବିକାଶ ଏବଂ ଶିଳ୍ପାୟନ ସବୁକିଛି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ନିୟନ୍ତ୍ରଣରେ। ଯଦି ସରକାର ବଦଳିଲେ କିନ୍ତୁ ଶାସନର ଶୈଳୀ ଓ ଚେହେରା ବଦଳିଲା ନାହିଁ, ତେବେ “ପରିବର୍ତ୍ତନ”ର ଅର୍ଥ କ’ଣ? ଲୋକମାନେ କହିଲେଣି ବିଜେପି ସରକାର ହେଉଛି ଶର୍ମାଙ୍କ ସରକାର।
ଓଡ଼ିଆ ଅଧିକାରୀଙ୍କ ଅବହେଳା କାହିଁକି?

ଓଡ଼ିଶା କ୍ୟାଡରରେ କ’ଣ ଦକ୍ଷ ଓଡ଼ିଆ ଅଫିସରଙ୍କ ଅଭାବ ରହିଛି? ଡ. ଅରବିନ୍ଦ କୁମାର ପାଢ଼ୀ କିମ୍ବା ସଞ୍ଜିବ ମିଶ୍ରଙ୍କ ଭଳି କିଛି ହାତଗଣତି ଅଧିକାରୀଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କୁ ଗୌଣ ବିଭାଗ କିମ୍ବା କମ୍ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରଖାଯାଇଛି। ଓଡ଼ିଆ ମାଟିର ପୁଅ-ଝିଅମାନେ ଯଦି ନିଜ ପ୍ରଶାସନରେ ନିଷ୍ପତ୍ତି ନେଇପାରିବେ ନାହିଁ, ତେବେ ସେମାନେ କେଉଁ ଉତ୍ସାହରେ କାମ କରିବେ?
ଉପସଂହାର: ଅସ୍ମିତା କେବଳ ଭୋଟ୍ ପାଇଁ?
ସରକାରଙ୍କ ଏହି ନୀତି ଆଗାମୀ ଦିନରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ନିର୍ବାଚନ ଜିତିବା ପାଇଁ ଅସ୍ମିତାର ନାମ ନେବା ଏବଂ ଶାସନ କରିବା ସମୟରେ ଅସ୍ମିତାକୁ ପାଦରେ ଦଳିଦେବା— ଏହା ଓଡ଼ିଶାବାସୀଙ୍କ ସହ ଏକ ପ୍ରକାର ବିଶ୍ୱାସଘାତକତା। ପ୍ରଶାସନରେ ସନ୍ତୁଳନ ରହିବା ଜରୁରୀ। ଅଣଓଡ଼ିଆ ଅଧିକାରୀମାନେ ଦକ୍ଷ ହୋଇପାରନ୍ତି, କିନ୍ତୁ ମାଟିର ମଣିଷର ଭାବନାକୁ ଶାସନରେ ସ୍ଥାନ ଦେବା ହିଁ ପ୍ରକୃତ ଗଣତନ୍ତ୍ର। ଯଦି ଶୀଘ୍ର ଏହି ସ୍ଥିତିରେ ସୁଧାର ନଆସେ, ତେବେ ଇତିହାସ ପଚାରିବ— ଯେଉଁ ଅସ୍ମିତା ପାଇଁ ଓଡ଼ିଶା ବଦଳିଲା, ସେହି ଅସ୍ମିତା ଆଜି କେଉଁ କାରାଗାରରେ ବନ୍ଦୀ?
also read https://purvapaksa.com/cold-wave-intensifies-across-odisha/


