ତାମିଲନାଡୁର ତିରୁଭଲ୍ଲୁ ଜିଲ୍ଲା ପେରିୟପାଲୟମ ନିକଟସ୍ଥ କନ୍ନିଗାଇପୈରରେ ଥିବା ଏକ ସିଫୁଡ୍ ଏକ୍ସପୋର୍ଟ ଫ୍ୟାକ୍ଟ୍ରୀରେ ରବିବାର ଘଟିଛି ଏକ ଅଭାବନୀୟ କାଣ୍ଡ । ଅପରାହ୍ନ ସମୟରେ କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇ ଘଟିଛି ୭ ଜଣ ଶ୍ରମିକଙ୍କ ମୃତ୍ୟୁ । ଏଥି ସହିତ ୬୭ ଜଣ ଶ୍ରମିକ ଏହା ପାଇଁ ଅସୁସ୍ଥ ହୋଇପଡିଥିବା ସହ ୯ ଜଣଙ୍କ ଅବସ୍ଥା ରହିଛି ଗୁରୁତର । ତେବେ ଏହି ମୃତକ ଶ୍ରମିକ ସମସ୍ତେ ମହିଳା ଥିବା ଜଣାପଡିଛି ।

ତିରୁଭଲ୍ଲୁର ଜିଲ୍ଲାପାଳ କହିଛନ୍ତି ଯେ ,”ଅସୁସ୍ଥଙ୍କ ମଧ୍ୟରୁ ୪୬ ଜଣଙ୍କୁ ୱେଲ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୨୧ ଜଣଙ୍କୁ ଭେଙ୍କଟେଶ୍ୱର ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ୯ ଜଣଙ୍କ ଅବସ୍ଥା ବର୍ତ୍ତମାନ ସୁଦ୍ଧା ଗୁରୁତର ଥିବାରୁ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଚେନ୍ନାଇ ସ୍ଥାନାନ୍ତର କରାଯାଇଛି।”
“ଗ୍ୟାସ ଲିକ୍ ହେବା ପରେ ଶ୍ରମିକମାନଙ୍କ ମଧ୍ୟରୁ କାହାକୁ ନିଃଶ୍ୱାସ ନେବାରେ ଅସୁବିଧା ହୋଇଥିଲା ତ ଆଉ କାହାର ମୁଣ୍ଡ ବୁଲାଉଥିଲା। କେହି କେହି ବାନ୍ତି ମଧ୍ୟ କରିଥିଲେ। ଆଉ କିଛି ଚେତାଶୂନ୍ୟ ହୋଇଯାଇଥିଲେ। ଏହି ଶ୍ରମିକମାନଙ୍କ ମଧ୍ୟରୁ ଅନେକ ଓଡ଼ିଶା, ଝାରଖଣ୍ଡ ଓ ବିହାରର ବୋଲି ଜଣାପଡ଼ିଛି।”

ଏହି ଘଟଣାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଗଭୀର ଶୋକ ପ୍ରକାଶ କରିବା ସହିତ ତଦନ୍ତ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ମୃତକଙ୍କ ପରିବାର ଲୋକଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
![]()
ରାଜ୍ୟର IT ମନ୍ତ୍ରୀ ଆର.କୁମାର କହିଛନ୍ତି ଯେ ,ଏହି ଘଟଣା ନେଇ ତଦନ୍ତର ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି । ୨୪ ଘଣ୍ଟା ମଧ୍ୟରେ ଏକ ଅନ୍ତରୀଣ ରିପୋର୍ଟ ଦେବାକୁ ସେମାନଙ୍କୁ କୁହାଯାଇଛି । ଏହା ସହିତ ୩ ଦିନ ଭିତରେ ବିସ୍ତୃତ ରିପୋର୍ଟ ଦେବା ପାଇଁ କୁହାଯାଇଛି। ତଦନ୍ତ ପରେ ଗ୍ୟାସ୍ କେମିତି ଲିକ୍ ହେଲା, ତାହା ସ୍ପଷ୍ଟ ହୋଇପାରିବ।
ଅନ୍ୟପକ୍ଷରେ ଏହି ଘଟଣା ପରେ ଥାନାରେ ମାମଲା ରୁଜୁ ହୋଇଛି । ପୁଲିସ ଉକ୍ତ ସିଫୁଡ୍ ଏକ୍ସପୋର୍ଟ ଫ୍ୟାକ୍ଟ୍ରୀର ମାଲିକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।


