ଓଡ଼ିଶାରେ ଗୋଟିଏ ବହୁତ ପୁରୁଣା ଆଉ ପ୍ରସିଦ୍ଧ ଢଗ ଅଛି। ଯଦି କିଏ କାହାକୁ ସାଧାରଣ କଥାରେ ଟିକେ ନୀଚା ଦେଖାଇବାକୁ ଚାହେଁ, କିମ୍ବା କାହାର ଅହଂକାର ଭାଙ୍ଗିବାକୁ ଚାହେଁ, ତେବେ ସିଧାସଳଖ ପଚାରିଦିଏ – “ତୁ କ’ଣ ଗଭର୍ଣ୍ଣରର ପୁଅ କି?”
ତେବେ ଏ ହେଉଛନ୍ତି ଏମିତି ଜଣେ ପ୍ରକୃତ ‘ଗଭର୍ଣ୍ଣରଙ୍କ ପୁଅ’ଙ୍କ ବିଷୟରେ କଥା ହେବା, ଯିଏ କାଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପାଇଁ ଦିନବେଳେ ସ୍ୱପ୍ନ ଦେଖୁଛନ୍ତି!
/odishatv/media/post_attachments/uploadimage/library/16_9/16_9_0/recent_photo_1730460175.webp)
ରାଜନୈତିକ କରିଡରରେ ଏବେ ଚର୍ଚ୍ଚା ଜୋର ଧରିଛି ଯେ, ସେ ମୁଙ୍ଗେରିଲାଲ୍ଙ୍କ ଭଳି ହସି ହସି ମୁଖ୍ୟମନ୍ତ୍ରୀ ଚେୟାର୍ରେ ବସିବାକୁ ଗୋଟି ଚାଳନା କରୁଛନ୍ତି। ଆମେ କହୁଛୁ ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ର ପୂର୍ବତନ ଗଭର୍ଣ୍ଣର ବିଶ୍ୱଭୂଷଣ ହରିଚନ୍ଦନଙ୍କ ପୁଅ ତଥା ରାଜ୍ୟର ବର୍ତ୍ତମାନର ଅବକାରୀ, ଆଇନ ଏବଂ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ କଥା।
ବିଜେପି ସରକାର ଗଠନ ହେବା ଦିନଠାରୁ ତାଙ୍କ ମନରେ ମୁଖ୍ୟମନ୍ତ୍ରୀ ହେବାର ଯେଉଁ ଲୁପ୍ତ ନିଶା ଥିଲା, ତାହା ଏବେ ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି। ଆଉ ଏହି ନିଶା ପାଇଁ ଏବେ ନିଜ ସରକାର ଭିତରେ ହିଁ ବିବାଦର ନିଆଁ ଜଳିବା ଆରମ୍ଭ ହେଲାଣି।
ରାଜନୀତିରେ ଆଶା ଆକାଂକ୍ଷା ରହିବା କିଛି ଖରାପ କଥା ନୁହେଁ। କିନ୍ତୁ ଯେତେବେଳେ ଏହି ଆଶା ଅହଂକାର ଏବଂ ନିଜ ସହକର୍ମୀଙ୍କୁ ନୀଚା ଦେଖାଇବା ସ୍ତରକୁ ଚାଲିଯାଏ, ସେତେବେଳେ ତାହା ଦଳ ଏବଂ ସରକାର ଦୁଇଟିଯାକ ପାଇଁ ବିପଦ ସୃଷ୍ଟି କରେ। ପୃଥ୍ୱୀରାଜ ହରିଚନ୍ଦନଙ୍କ ନିକଟତମ ଲୋକ ବା ତାଙ୍କ ସମର୍ଥକମାନେ ଏବେ ଖୋଲାଖୋଲି ଭାବେ ଏକ ଅଜବ ଯୁକ୍ତି ବାଢୁଛନ୍ତି। ସେମାନଙ୍କ କହିବା କଥା ହେଉଛି – “ଯଦି ଜଣେ ସାଧାରଣ ଆଦିବାସୀ ବିଧାୟକ ମୋହନ ଚରଣ ମାଝୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇପାରିଲେ, ତେବେ ଜଣେ ଗଭର୍ଣ୍ଣରଙ୍କ ପୁଅ, ଏତେ ବଡ଼ ରାଜନୈତିକ ପରିବାରର ଦାୟାଦ ପୃଥ୍ୱୀରାଜ ହରିଚନ୍ଦନ କାହିଁକି ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ?”

ଏହି ମାନସିକତା ହିଁ ଦର୍ଶାଉଛି ଯେ, ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କରିବାକୁ କେଉଁଠି ନା କେଉଁଠି ପୃଥ୍ୱୀରାଜଙ୍କ ଗୋଷ୍ଠୀ ସହଜ ମନେ କରୁନାହିଁ। ଏହି ମୁଖ୍ୟମନ୍ତ୍ରୀ ହେବାର ନିଶା ଯୋଗୁଁ, ସରକାର ଆରମ୍ଭ ହେବା ଦିନଠାରୁ ହିଁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରତିଟି ପଦକ୍ଷେପରେ କେମିତି ନୀଚା ଦେଖାଯାଇପାରିବ, ସେଥିପାଇଁ ଭିତରେ ଭିତରେ ଚେଷ୍ଟା ଚାଲିଥିବା ଅଭିଯୋଗ ହେଉଛି।
ସାଧାରଣତଃ ବିରୋଧୀ ଦଳ ସରକାରଙ୍କୁ ଘେରିବା ପାଇଁ ପ୍ରସଙ୍ଗ ଖୋଜନ୍ତି। କିନ୍ତୁ ଏଠାରେ ନିଜ ସରକାରର ଜଣେ ବଡ଼ ମନ୍ତ୍ରୀ ହିଁ ମୁଖ୍ୟମନ୍ତ୍ରୀଙ୍କ ଅଫିସ ବା CMO କୁ କାଠଗଡ଼ାକୁ ଆଣିବାକୁ ଚେଷ୍ଟା କରୁଛନ୍ତି। ଖବର ଆସୁଛି ଯେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଜନସାଧାରଣଙ୍କ ସାମ୍ନାରେ ବଦନାମ କରିବା ପାଇଁ ଏବେ ପୃଥ୍ୱୀରାଜ ହରିଚନ୍ଦନ ଏକ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଶ୍ରୀମନ୍ଦିର ‘ରତ୍ନ ଭଣ୍ଡାର ଚାବି ହଜିବା’ ଏବଂ ପୂର୍ବତନ ମନ୍ତ୍ରୀ ‘ନବ ଦାସ ହତ୍ୟାକାଣ୍ଡର ତଦନ୍ତ ରିପୋର୍ଟ ହଜିବା’ ଭଳି ଦୁଇଟି ଅତ୍ୟନ୍ତ ସ୍ପର୍ଶକାତର ପ୍ରସଙ୍ଗକୁ ଉଠାଇଛନ୍ତି।
ଏହି ଦୁଇଟିଯାକ ବିଷୟ ଓଡ଼ିଶାର ଜନସାଧାରଣଙ୍କ ଭାବନା ସହ ଜଡ଼ିତ। ଯେତେବେଳେ ସରକାରୀ ସ୍ତରରେ ଏଭଳି ଗୁରୁତ୍ଵପୂର୍ଣ୍ଣ ଫାଇଲ୍ ବା ରିପୋର୍ଟ ଗାଏବ ହେବା କଥା ନିଜେ ମନ୍ତ୍ରୀ ଉଠାନ୍ତି, ସେତେବେଳେ ସିଧାସଳଖ ଆଙ୍ଗୁଠି ମୁଖ୍ୟମନ୍ତ୍ରୀଙ୍କ ପ୍ରଶାସନିକ ଦକ୍ଷତା ଉପରକୁ ଉଠିଥାଏ। ରାଜନୈତିକ ସମୀକ୍ଷକମାନଙ୍କ କହିବା ଅନୁସାରେ, ଏହା କୌଣସି ସାଧାରଣ ପ୍ରଶ୍ନ ନୁହେଁ, ବରଂ ମୋହନ ମାଝୀଙ୍କୁ ଜଣେ ଦୁର୍ବଳ ମୁଖ୍ୟମନ୍ତ୍ରୀ ଭାବେ ପ୍ରମାଣିତ କରିବା ପାଇଁ ଏହା ଏକ ସୁଚିନ୍ତିତ ଚାଲ୍। ନିଜ ଦଳର ସରକାର ଥାଇ ମଧ୍ୟ ଏଭଳି ବିବାଦ ସୃଷ୍ଟି କରିବା ପଛର ଉଦ୍ଦେଶ୍ୟ କଣ, ତାହା ଏବେ ସମସ୍ତଙ୍କ ସାମ୍ନାରେ ସ୍ପଷ୍ଟ ହେବାରେ ଲାଗିଛି।

ଏଠାରେ ମୋହନ ଚରଣ ମାଝୀ କେବଳ ଜଣେ ମୁଖ୍ୟମନ୍ତ୍ରୀ ନୁହନ୍ତି, ସେ ହେଉଛନ୍ତି ଓଡ଼ିଶାରେ ବିଜେପିର ସେହି ଆଦିବାସୀ ଚେହେରା ଯାହାଙ୍କୁ ଦଳର କେନ୍ଦ୍ରୀୟ ନେତୃତ୍ଵ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ନିଜେ ବାଛିଛନ୍ତି । ଜଣେ ଗରିବ ଆଦିବାସୀ ଘରର ପୁଅ ଯେତେବେଳେ ରାଜ୍ୟର ସର୍ବୋଚ୍ଚ ଆସନରେ ବସେ, ସେତେବେଳେ ତାଙ୍କୁ ସହଯୋଗ କରିବା ସମସ୍ତଙ୍କର କର୍ତ୍ତବ୍ୟ । କିନ୍ତୁ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମର୍ଥକମାନେ ଯେଉଁଭଳି ଭାବେ ‘ଗଭର୍ଣ୍ଣରଙ୍କ ପୁଅ’ ଏବଂ ‘ଆଦିବାସୀ ବିଧାୟକ’ ଭିତରେ ତୁଳନା କରୁଛନ୍ତି, ତାହା କେଉଁଠି ନା କେଉଁଠି ଏକ ସାମନ୍ତବାଦୀ ମାନସିକତାକୁ ଦର୍ଶାଉଛି ।
ନିଜର ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ଏବଂ ମୁଖ୍ୟମନ୍ତ୍ରୀ ହେବାର ଅହଂକାର ପାଇଁ ସରକାରଙ୍କୁ ଅଡ଼ୁଆରେ ପକାଇବା କଣ ଜଣେ ଦାୟିତ୍ଵବାନ ମନ୍ତ୍ରୀଙ୍କୁ ଶୋଭା ପାଏ ? ମୁଖ୍ୟମନ୍ତ୍ରୀଙ୍କୁ ପ୍ରତି ପଦକ୍ଷେପରେ ନୀଚା ଦେଖାଇବାକୁ ଚେଷ୍ଟା କରୁଥିବା ପୃଥ୍ୱୀରାଜ ବୋଧହୁଏ ଭୁଲିଯାଉଛନ୍ତି ଯେ, ଏହା ୯୦ ଦଶକର କଂଗ୍ରେସ ସରକାର ନୁହେଁ ଯେଉଁଠି ଭିତରୀ କନ୍ଦଳ ଯୋଗୁଁ ମୁଖ୍ୟମନ୍ତ୍ରୀ ବଦଳିଯିବେ । ଏହା ହେଉଛି ଆଜିର ବିଜେପି, ଯାହାର ରିମୋଟ୍ କଣ୍ଟ୍ରୋଲ୍ ଦିଲ୍ଲୀ ହାଇକମାଣ୍ଡଙ୍କ ହାତରେ ଅଛି । ଏଭଳି ସ୍ଥିତିରେ ନିଜ ସରକାର ବିରୋଧରେ ବିବାଦ ସୃଷ୍ଟି କରି ପୃଥ୍ୱୀରାଜ ନିଜ ପାଇଁ ଗାତ ଖୋଳୁନାହାନ୍ତି ତ ?
/odishatv/media/media_files/2026/05/21/odisha-cm-mohan-majhi-issues-8-point-directive-to-reduce-petrol-and-diesel-consumption-2026-05-21-22-31-55.jpg)
ଓଡ଼ିଶାର ବିକାଶ ପାଇଁ ଏକ ସ୍ଥିର ସରକାରର ଆବଶ୍ୟକତା ରହିଛି। କିନ୍ତୁ ସରକାର ଗଠନର ମାତ୍ର କିଛି ମାସ ଭିତରେ ମୁଖ୍ୟମନ୍ତ୍ରୀ ଚେୟାର୍ ପାଇଁ ଯେଉଁ ଟଣାଓଟରା ଆରମ୍ଭ ହୋଇଛି, ତାହା ନିଶ୍ଚିତ ଭାବେ ଚିନ୍ତାଜନକ। ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କୁ ନୀଚା ଦେଖାଇବା ପାଇଁ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଏହି ପ୍ରୟାସ କଣ ଓଡ଼ିଶା ରାଜନୀତି ପାଇଁ କ’ଣ ଶୁଭଙ୍କର ହେବ ? ସତରେ କଣ ପୃଥ୍ୱୀରାଜଙ୍କ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ କେବେ ପୂରଣ ହେବ, ନା ଏହା କେବଳ ‘ମୁଙ୍ଗେରିଲାଲ୍ଙ୍କ ସ୍ୱପ୍ନ’ ହୋଇ ରହିଯିବ?


