ଅନ୍ତିମ ସନ୍ଧ୍ୟାରେ ମନ ମୋହିଲେ ଡୋନା ଓ ଗୀତା
କୋଣାର୍କ ଉତ୍ସବର ପଞ୍ଚମ ତଥା ଉଦଯାପନୀ ଦିବସ ଥିଲା ଗୁରୁବାର। କୋଣାର୍କ ଆଜି ପୃଥିବୀର ଶ୍ରେଷ୍ଠ କଳାକୀର୍ତ୍ତି ଭାବରେ ବିଶ୍ଵ ବନ୍ଦିତ । ବ୍ଲାକ ପାଗୋଡ଼ା, ସୂର୍ଯ୍ୟ ମନ୍ଦିର, ଅର୍କ କ୍ଷେତ୍ର ସବୁର ମୂଳରେ କିନ୍ତୁ ପ୍ରତିଭାତ ହେଉଛି ଓଡିଶାର କଳା ସ୍ଥାପତ୍ୟର ଅପୂର୍ବ ଗରିମା । ଶିବେଇ ସାନ୍ତରାର ଶିଳ୍ପୀ କୂଳଙ୍କ କଳା ଚାତୁର୍ଯ୍ୟ, ଧରମାର ତ୍ୟାଗ, ପ୍ରସ୍ତର ଶିଳ୍ପର ଅପୂର୍ବ କାରୁକାର୍ଯ୍ୟ, ସର୍ବୋପରି ଗଙ୍ଗ ବଂଶର ରାଜା ନରସିଂହ ଦେବଙ୍କର କଳା, ସାହିତ୍ୟ ଓ ସୌନ୍ଦର୍ଯ୍ୟ ପ୍ରତି ପ୍ରତିବଦ୍ଧତା ପ୍ରକଟିତ ହୋଇଛି କୋଣାର୍କର ପ୍ରତିଟି ଶିଳା ଲିପିରେ । ସେଇଥିପାଇଁ କୋଣାର୍କ ଆଜି ସାଜିଛି ବିଶ୍ଵ ଭାତୃତ୍ୱର ମହାମନ୍ତ୍ର । ସବୁ ଜାତି ଧର୍ମ ବର୍ଣ୍ଣର ମହାର୍ଘ ଇତିହାସ । କୋଣାର୍କ ଚକ୍ର ହେଉ ବା କୋଣାର୍କର ଯୋଦ୍ଧା ଘୋଡା ହେଉ ବା କୋଣାର୍କର ଯୁଦ୍ଧ ପଟୁଆରର ହାତୀ ହେଉ କି ପୁରୁଷ-ନାରୀର ମିଥୁନ ମୂର୍ତ୍ତି ହେଉ ସବୁଠି, ସବୁ ରୂପରେ,ସବୁ ରସରେ, ସବୁ ଛନ୍ଦରେ, ସେ ଚର୍ଚ୍ଚିତ,ବନ୍ଦିତ। ଓଡ଼ିଆ ପୁଅର ବୀରତ୍ୱ, ସାର୍ବଭୌମତ୍ୱ, ସୌନ୍ଦର୍ଯ୍ୟପ୍ରୀତି, କଳା ଆଉ ସଂସ୍କୃତି ମନସ୍କତା, ଜାତି ପ୍ରୀତି, ଭାଷାପ୍ରୀତି ସବୁଠି ତାର ଅସ୍ମିତାର ପ୍ରତିଷ୍ଠା ହୋଇଛି।
କୋଣାର୍କକୁ ନେଇ ଭାରତ ବର୍ଷର ବହୁ ସାହିତ୍ୟିକ, କବି ସେମାନଙ୍କ ଲେଖନୀ ଚାଳନା କରିଛନ୍ତି ବିଭିନ୍ନ ଭାଷାରେ ଓ ସାହିତ୍ୟରେ। ଆଉ ସେ ସବୁ ସାହିତ୍ୟି ତ ବିଶ୍ଵ ଦରବାରରେ ପୁରସ୍କୃତ ହୋଇଛି, ସାହିତ୍ୟିକଙ୍କର ସମ୍ମାନ ପ୍ରତିଷ୍ଠିତ ହୋଇଛି ବିଶ୍ଵରେ । ଗତ ଦୁଇ ଦିନ ତଳେ ବିଶିଷ୍ଟ କଥା ଶିଳ୍ପୀ ତଥା ଶିଳାପଦ୍ମର ଉପନ୍ୟାସିକ ଡଃ. ପ୍ରତିଭା ରାୟଙ୍କର “କୋଣାର୍କ ସଙ୍ଗୀତ” କବିତା ପୁସ୍ତକ ଉନ୍ମୋଚିତ ହେବା ସହିତ ତାର ସଙ୍ଗୀତୟାନ୍ ମଧ୍ୟ ହୋଇଛି। ଓଡ଼ିଆ ସାହିତ୍ୟରେ ସଚ୍ଚି ରାଉତରାୟଙ୍କ “ଭଙ୍ଗା ମନ୍ଦିର”, “କୋଣାର୍କ” ଗୋପବନ୍ଧୁ ଦାସଙ୍କର “ଧର୍ମପଦ”, ମାୟାଧର ମାନସିଂହଙ୍କର “କୋଣାର୍କ”, “ପ୍ରେମିକ କବି”, “କୋଣାର୍କର ଲାସ୍ୟଲୀଳା “, “ମୁମୂର୍ଷୁ କୋଣାର୍କ”, ମନୋଜ୍ ଦାସଙ୍କ “କବିତା ଉତ୍କଳ” , “ଧର୍ମପଦ : ନିର୍ଭୁଲ ଠିକଣା”, ବୃନ୍ତହୀନ ଫୁଲ ସ୍ଥପତି: ସିବେଇ ସା’ନ୍ତରା”, “କୋଣାର୍କ ସନ୍ଧ୍ୟାରେ,” “କଳା ପାହାଡର ତୃଷ୍ଣା”, “ରାମଚଣ୍ଡୀ”, ପ୍ରତିଭା ରାୟଙ୍କର “ଶିଳାପଦ୍ମ” ଏହା ବ୍ୟତୀତ ବହୁ ତରୁଣ କବିଙ୍କ କବିତାରେ କୋଣାର୍କ ପ୍ରେମ ଓ ପ୍ରଣୟର, ବିରହ ଓ ବିଚ୍ଛେଦର ଭିନ୍ନ ଏକ ରୂପରେ ମନ୍ତ୍ରୀତ୍ୱ ହୋଇଛି ।
ଅନ୍ତିମ ଦିନର ପ୍ରଥମ ପର୍ଯ୍ୟାୟରେ କୋଲକାତାରୁ ଆସିଥିବା ବିଶିଷ୍ଠ ଓଡ଼ିଶୀ ନୃତ୍ୟଶିଳ୍ପୀ ଡ଼ୋନା ଗାଙ୍ଗୁଲୀ ଓ ତାଙ୍କ “ଦୀକ୍ଷା ମଞ୍ଜରି” ଅନୁଷ୍ଠାନର ଶିଳ୍ପୀବୃନ୍ଦଙ୍କ ଦ୍ଵାରା ପରିବେଷିତ ହୋଇଥିଲା ଓଡିଶୀ ନୃତ୍ୟ । ନୃତ୍ୟ ଗୁରୁ ପଦ୍ମ ବିଭୂଷଣ କେଳୁଚରଣ ମହାପାତ୍ରଙ୍କର ଶିଷ୍ୟା ଶ୍ରୀମତୀ ଗାଙ୍ଗୁଲୀ ଦୀର୍ଘ ପଚିଶ ବର୍ଷ ଧରି ଶିକ୍ଷାଲାଭ କରିବା ପରେ ନିଜର ପ୍ରତିଷ୍ଠାନ ଦୀକ୍ଷା ମଞ୍ଜରିକୁ ରୂପ ଦେଇଥିଲେ ପ୍ରଖ୍ୟାତ ଗାୟୀକା ଲତା ମଙ୍ଗେସକରଙ୍କର କର କମଳରେ । ବହୁ ସମ୍ମାନର ଅଧିକାରୀ ଡ଼ୋନା ତାଙ୍କ ଓଡ଼ିଶୀ ନୃତ୍ୟ ଶୈଳୀକୁ “ସୂର୍ଯ୍ୟବନ୍ଦନା”, ମଙ୍ଗଳା ଚରଣ – ଶାନ୍ତାକାରମ, ପଲ୍ଲବୀ- ସବେରି ଏବଂ ଦୁର୍ଗା ନୃତ୍ୟ ଶୈଳୀରେ ପରିବେଷଣ କରିଥିଲେ। ଓଡିଶୀ ନୃତ୍ୟର ରୂପ, ରସ, ଛନ୍ଦ, ରାଗ ନୃତ୍ୟାଙ୍ଗନାମାନଙ୍କ ଅଙ୍ଗାରାଗ ଓ ରୂପ ଲାବଣ୍ୟରେ ଅତ୍ୟନ୍ତ ମନମୁଗ୍ଧକର ଭାବରେ ଫୁଟି ଉଠିଥିଲା । ନୃତ୍ୟ ନିର୍ଦ୍ଦେଶନାରେ ଗୁରୁ କେଳୁଚରଣ ମହାପାତ୍ର, ଗୁରୁ ରତିକାନ୍ତ ମହାପାତ୍ର ଓ ଡ଼ୋନା ଗାଙ୍ଗୁଲୀ ଥିବା ବେଳେ ସଙ୍ଗୀତରେ ସହଯୋଗ କରିଥିଲେ ପଣ୍ଡିତ ଭୁବନେଶ୍ଵର ମିଶ୍ର ଓ ଗୁରୁ ଦେବାଶିଷ ସର୍କାର ।
ଅନ୍ତିମ ପର୍ଯ୍ୟାୟରେ ଭାରତନାଟ୍ୟମ୍ ନୃତ୍ୟ ପରିବେଷିତ ହୋଇଥିଲା। ସୁଦୂର ଦିଲ୍ଲୀରୁ ଆସିଥିବା ଗୁରୁ ଗୀତା ଚନ୍ଦ୍ରନ ଓ ତାଙ୍କ ନାଟ୍ୟ ବୃକ୍ଷ ଡାନ୍ସ କଲେକ୍ଟଟିଭ୍ ଅନୁଷ୍ଠାନର ଶିଳ୍ପୀ ବୃନ୍ଦଙ୍କ ଦ୍ଵାରା । କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଦ୍ଵାରା ପୁରସ୍କୃତ ଏବଂ ବହୁ ଅନୁଷ୍ଠାନ ଦ୍ଵାରା ସମ୍ମାନିତା ପଦ୍ମଶ୍ରୀ ଗୀତା ଚନ୍ଦ୍ରନଙ୍କର ଭାରତନାଟ୍ୟମ୍ ନୃତ୍ୟ ଦର୍ଶକଙ୍କର ଦେହ ମନ ପ୍ରାଣକୁ ଛୁଇଁ ଯାଇଥିଲା। ଦୀର୍ଘ ପଚାଶ ବର୍ଷର ଅଭିଜ୍ଞତା ତାଙ୍କୁ ଏବଂ ତାଙ୍କ ପ୍ରତିଷ୍ଠାନର ଭାରତନାଟ୍ୟମ୍ ନୃତ୍ୟ ଶୈଳୀ ପ୍ରତି ଗଭୀର ଅନୁରାଗ ପ୍ରମାଣ କରୁଥିଲା । ମଲ୍ଲାରି, ସକ୍ଷୀ- ସ୍ୱରମ ଓ “ରାସ” ମଧ୍ୟରେ “ପ୍ରଭାହତୀ” ନୃତ୍ୟ ଶୈଳୀ ଓ ନୃତ୍ୟ ସଂରଚନା ଭାରତନାଟ୍ୟମ୍ ନୃତ୍ୟରେ ଜୀବନ୍ୟାସ ଦେଉଥିଲା ଆଉ ଦର୍ଶକ ମାନଙ୍କୁ ଅଭିଭୂତ କରାଇଥିଲା ।
ସେହିପରି ଦେଶ ବିଦେଶରୁ ଆସିଥିବା ବାଲୁକା ଶିଳ୍ପୀକୁଳଙ୍କର କଳା ନୈପୁଣ୍ୟତା, ପ୍ରକୃତି କୋଳରେ ତଲ୍ଲୀନ ହେବା ପ୍ରକ୍ରିୟା ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରାଇଥିଲା। ବାଲି ଘର ଭାଙ୍ଗି ଯିବାର ମରମି ଦୁଃଖରେ ସେମାନେ ଓ ସେମାନଙ୍କ ଅଗଣିତ ପ୍ରଶଂସକଙ୍କ ମନ ଉଣା ହୋଇଯାଇଥିଲା କଳାର ପୂଜାରୀମାନଙ୍କ ଦରଦୀ ହୃଦୟକୁ ଭେଟି । ପୁଣି ଗୋଟିଏ ବର୍ଷର ଅପେକ୍ଷା ଓ ପ୍ରତୀକ୍ଷା ରଖୁଥିଲା ଚନ୍ଦ୍ରଭାଗର ବାଲୁକା ବେଳାଭୂମି ଓ କୋଣାର୍କର ମୁକ୍ତାକାଶ ରଙ୍ଗମଞ୍ଚ ।
previous article: https://purvapaksa.com/two-ex-sarpanches-killed-by-maoists-in-chhattisgarhs-bijapur/
