ଉପରବେଡ଼ା ଛାତ୍ରଛାତ୍ରୀଙ୍କ ସହ କଲେ ଭାବ ବିନିମୟ
ସମ୍ବିଧାନ ପ୍ରଣେତା ଡକ୍ଟର ବି ଆର୍ ଆମ୍ବେଦକରଙ୍କୁ ଆଜି ରାଜଧାନୀରେ ରାଷ୍ଟ୍ରପତି ଦ୍ରୌପଦୀ ମର୍ମୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଡକ୍ଟର ବି ଆର୍ ଆମ୍ବେଦକରଙ୍କ ୬୮ତମ ଶ୍ରାଦ୍ଧ ଦିବସ ଅବସରରେ ସେ ଆଜି ସକାଳେ ରାଜଧାନୀର ଏଜି ଛକରେ ଥିବା ବି ଆର୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଜି ସକାଳ ୯ଟାରେ ରାଜଭବନରୁ ବାହାରି ଡକ୍ଟର ବି.ଆର୍.ଆମ୍ବେଦକରଙ୍କ ମହାପ୍ରୟାଣ ଦିବସ ଅବସରରେ ଭୁବନେଶ୍ୱର ଏଜି ଛକ ଠାରେ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ସେ ବିଜୁପଟ୍ଟନାୟକ ବିମାନବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ପଶ୍ଚିମବଙ୍ଗସ୍ଥିତ କଲେଇକୁଣ୍ଡା ଏୟାରବେସରେ ଅବତରଣ କରିଥିଲେ। ଏହା ପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମୟୂରଭଞ୍ଜରେ ଜିଲ୍ଲାର ବାଦାମପାହାଡସ୍ଥିତ ରଙ୍ଗାମାଟିଆ ଅସ୍ଥାୟୀ ହେଲିପ୍ୟାଡରେ ପୁର୍ବାହ୍ନ ୧୧ଟା ୫ମିନିଟରେ ଅବତରଣ କରିଥିଲେ। ସେଠାରୁ ସଡ଼କପଥରେ ନିଜ ଜନ୍ମଗାଁ ଉପରବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ଭାବବିନିମୟ କରିଥିଲେ।
ଏହାପେର ସେଠାରୁ ବାହାରି ଉପରବେଡାସ୍ଥିତ ପୈତୃକ ଘରେ ପହଞ୍ଚି ଆତ୍ମୀୟସ୍ବଜନ ଓ ଗ୍ରାମବାସୀଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଉପରବେଡାରୁ ବାହାରି ସଡକପଥରେ ରାଇରଙ୍ଗପୁରସ୍ଥିତ ଗେଷ୍ଟ ହାଉସ ଠାରେ ପହଞ୍ଚି ମଧ୍ୟାହ୍ନ ଭୋଜନ କରିବେ। ଅପରାହ୍ନ ୩ଟା ସମୟରେ ସେଠାରୁ ବାହାରି ରାଇରଙ୍ଗପୁରସ୍ଥିତ ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ପହଞ୍ଚି ନିଜ ସ୍ୱାମୀ ଓ ଦୁଇ ପୁତ୍ରଙ୍କ ସ୍ମୃତିରେ ସ୍ଥାପନ କରିଥିବା ଏସଏଲ୍ଏସ୍. ଟ୍ରଷ୍ଟ ପକ୍ଷରୁ ଏକ ଆମ୍ବୁଲାନ୍ସ ଡାକ୍ତରଖାନାକୁ ହସ୍ତାନ୍ତର କରିବା ସହ ଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ।
ଏହାପରେ ଅପରାହ୍ନ ୪ଟା ସମୟରେ ରାଇରଙ୍ଗପୁର ମହିଳା କଲେଜ ଠାରେ ପହଞ୍ଚି ବିଦ୍ୟାର୍ଥୀ ଓ ଶିକ୍ଷକଙ୍କ ସହ ଭାବବିନିମୟ କରିବେ। ସେଠାରୁ ବାହାରି ଅପରାହ୍ନ ୪ଟା ୫୦ମିନିଟ ସମୟରେ ରାଇରଙ୍ଗପୁରସ୍ଥିତ ପୁଣ୍ୟେଶ୍ୱର ଶିବମନ୍ଦିର ଠାରେ ନୂତନ ଭାବେ ସ୍ଥାପିତ ଗଣେଶ ମୂର୍ତ୍ତିକୁ ଉନ୍ମୋଚନ କରିବେ ଏବଂ ଆଳତୀ କରିବେ ପରେ ନିଜ ବାସଭବନକୁ ଆସି ରାତ୍ରୀଯାପନ କରିବେ। ଗସ୍ତର ଅନ୍ତିମ ଦିନ ଡିସେମ୍ବର ୭ ତାରିଖ (ଶନିବାର) ପୂର୍ବାହ୍ନ ୧୦ଟାରେ ରାଇରଙ୍ଗପୁରସ୍ଥିତ ନିଜ ବାସଭବନରୁ ବାହାରି ଦଣ୍ଡବୋଷ ହେଲିପ୍ୟାଡରୁ ହେଲିକ୍ୟାପ୍ଟର ଯୋଗେ ଆସି ୧୦ଟା ୪୫ମିନିଟ ସମୟରେ ବାଙ୍ଗରିପୋଷିସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବେ।
ହେଲିପ୍ୟାଡରୁ ପୂର୍ବାହ୍ନ ୧୧ଟା ସମୟରେ ବାହାରି ବାଙ୍ଗରିପୋଷୀ ରେଳଷ୍ଟେସନସ୍ଥିତ ସଭାସ୍ଥଳରେ ପହଞ୍ଚିବେ। ବାଙ୍ଗରିପୋଷୀ ସଭାସ୍ଥଳରେ ବାଙ୍ଗରିପୋଷୀ-ଗୋରୁମହିଷାଣି, ବୁଢାମରା- ଚାକୁଳିଆ, ବାଦାମପାହାଡ-କେନ୍ଦୁଝର ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଭର୍ଚୁଆଲ ମୋଡରେ ରାଇରଙ୍ଗପୁର ଠାରେ ଆଦିବାସୀ ରିସର୍ଚ୍ଚ ସେଣ୍ଟର, ରାଇରଙ୍ଗପୁର ଦାଣ୍ଡବୋଷ ବିମାନବନ୍ଦର ଉନ୍ନତୀକରଣ ଓ ରାଇରଙ୍ଗପୁର ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ଏକ ନୂତନକୋଠା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ରଖିବେ। ମଧ୍ୟାହ୍ନ ୧୨ଟା ୧୫ମିନିଟରେ ବାଙ୍ଗରିପୋଷି ସଭାସ୍ଥଳରୁ ବାହାରି ବାୟୁସେନାର ହେଲିକ୍ୟାପ୍ଟର ଯୋଗେ ପଶ୍ଚିମବଙ୍ଗସ୍ଥିତ କଲେଇକୁଣ୍ଡା ଏୟାରବେସରେ ପହଞ୍ଚି ସେଠାରୁ ବିମାନ ଯୋଗେ ନୂଆଦିଲ୍ଲୀକୁ ଯାତ୍ରା କରିବେ।
previous article: https://purvapaksa.com/railway-minister-ashwini-vaishnaws-statement-brings-fresh-hope-for-kandhamal-connectivity/
