ଓଡ଼ିଶା ରାଜନୀତିରେ ଏବେ ଏକ ବଡ଼ ଏବଂ ଚର୍ଚ୍ଚିତ ପ୍ରଶ୍ନ ଛିଡ଼ା ହୋଇଛି—ରାଜ୍ୟର କ୍ଷମତାରୁ ବାହାରିଥିବା ବିଜୁ ଜନତା ଦଳ (ବିଜେଡି) ପାଇଁ କିଏ ସାଜିଛନ୍ତି ନୂଆ ମୁଖପାତ୍ର? ରାଜ୍ୟରେ ଏବେ ବିଜେପି ସରକାର କ୍ଷମତାରେ ଅଛି, କିନ୍ତୁ ସରକାରଙ୍କୁ ଅଡ଼ୁଆରେ ପକାଇବା ପାଇଁ ରାଜ୍ୟର ଜଣେ କି ଦୁଇ ଜଣ ନୁହେଁ, ବରଂ ତିନି ଜଣ ପୂର୍ବତନ ମୁଖ୍ୟ ଶାସନ ସଚିବ ଏକାଠି ମୈଦାନକୁ ଓହ୍ଲାଇଥିବା ଭଳି ମନେ ହେଉଛି !
ଏହି ପୂର୍ବତନ ଆଇଏଏସ୍ (IAS) ଅଫିସରମାନେ ଗୋଟିଏ ପରେ ଗୋଟିଏ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଛନ୍ତି, ଆଉ ଠିକ୍ ସେହି ସମାନ ପ୍ରସଙ୍ଗକୁ ଟେକିଧରି ବିଜେଡି ମଧ୍ୟ ଆକ୍ରମଣାତ୍ମକ ମୁଦ୍ରାକୁ ଚାଲିଆସୁଛି । ତେଣୁ ସାଧାରଣରେ ଏବେ ଚର୍ଚ୍ଚା ହେଉଛି—ଏମାନେ କ’ଣ କେବଳ ପ୍ରଶାସନିକ ଦାୟିତ୍ୱରୁ ଅବସର ନେଇଛନ୍ତି, ନା ବିରୋଧୀ ଦଳ ବିଜେଡିର ଅନୁଗ୍ରହରେ ପୁରୁଣା ଋଣ ସୁଝିବା ପାଇଁ ପରୋକ୍ଷରେ ଦଳର ମୁଖପାତ୍ର ଭାବେ କାମ କରୁଛନ୍ତି?
ପ୍ରଦୀପ ଜେନାଙ୍କ ଇସ୍ତଫା ଏବଂ ଓଇଆର୍ସି (OERC) ପ୍ରସଙ୍ଗ
ଗତ କିଛି ମାସର ଘଟଣାକ୍ରମ ଉପରେ। ଚଳିତ ବର୍ଷ ମଇ ମାସରେ ଯେତେବେଳେ ସାରା ଓଡ଼ିଶାବାସୀ ପ୍ରଚଣ୍ଡ ଖରା ଓ ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଡହଳବିକଳ ହେଉଥିଲେ, ଠିକ୍ ସେହି ସମୟରେ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (OERC) ଅଧ୍ୟକ୍ଷ ପଦରୁ ହଠାତ୍ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଦେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା।
ତାଙ୍କର ଏହି ହଠାତ୍ ଇସ୍ତଫା ରାଜ୍ୟ ସରକାରଙ୍କୁ ଏକପ୍ରକାର ଅଡ଼ୁଆରେ ପକାଇ ଦେଲା। ଏହାପରେ ପ୍ରଚାର କରାଗଲା ଯେ, ପ୍ରଦୀପ ଜେନା ଜଣେ ଜନପ୍ରିୟ ତଥା ଲୋକଙ୍କ ହିତରେ କାମ କରୁଥିବା ଅଧିକାରୀ ଥିବାରୁ ତାଙ୍କୁ ସରକାରୀ ଚାପରେ ବାହାର କରିଦିଆଗଲା କିମ୍ବା ସେ ବାଧ୍ୟ ହୋଇ ଇସ୍ତଫା ଦେଲେ। ଏହି ଧରଣର ଗୁଜବ ଏବଂ ପ୍ରଚାରକୁ ସେ ନିଜେ କିମ୍ବା ତାଙ୍କ ସମର୍ଥକମାନେ ଖଣ୍ଡନ କରିବା ପରିବର୍ତ୍ତେ, ଓଲଟା ଅନେକ ସାମାଜିକ କର୍ମୀ ଏବଂ ବିଜେଡି ସମର୍ଥିତ ଗୋଷ୍ଠୀଙ୍କ ଜରିଆରେ ଏହାକୁ ଜୋରସୋରରେ ପ୍ରଚାର କରାଇଲେ ବୋଲି ଆଲୋଚନା ହେଉଛି। କିନ୍ତୁ ସେ ବିଜେଡି ଓ ବିଜେପି ସରକାର ଅମଳରେ ବିଦ୍ୟୁତ୍ ସଂସ୍କାର କ’ଣ ହୋଇଛି ତା’ର ଏକ ତୁଳନାତ୍ମକ ଚିତ୍ର ସେ କାହିଁକି ଦେଉ ନାହାନ୍ତି।
କିନ୍ତୁ ପ୍ରଶ୍ନ ଉଠୁଛି—ଯେତେବେଳେ ଜଣେ ବରିଷ୍ଠ ଅଧିକାରୀ ଦୀର୍ଘ ବର୍ଷ ଧରି ରାଜ୍ୟର ସର୍ବୋଚ୍ଚ ପ୍ରଶାସନିକ ପଦବୀରେ ରହି ସରକାରଙ୍କ ପ୍ରତ୍ୟେକ ନୀତି ଓ ନିଷ୍ପତ୍ତିର ମୂଳଦୁଆ ସଜାଡ଼ିଥିଲେ, ସେ ଅବସର ପରେ ହାତରେ ନୂଆ ଦାୟିତ୍ୱ ଥାଇ ମଧ୍ୟ ଏପରି ପଦକ୍ଷେପ କାହିଁକି ନେଲେ? ଏହା କେବଳ ନୈତିକତା ଥିଲା, ନା ଏହା ପଛରେ କୌଣସି ରାଜନୈତିକ ଅଙ୍କକଷା ଥିଲା? ଲୋକମାନେ ଏବେ ଏହାକୁ ନେଇ ପ୍ରଶ୍ନ କରୁଛନ୍ତି।
ବିଜୟ ପଟ୍ଟନାୟକ ଏବଂ କୋଟିଆ ବିବାଦର ଅନ୍ତଃକଥା
ଏବେ ଆସିବା ଦ୍ୱିତୀୟ ଚର୍ଚ୍ଚିତ ଚେହେରା ପାଖକୁ—ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ।
ସେ, ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋଟିଆ ପ୍ରସଙ୍ଗକୁ ନେଇ ରାଜ୍ୟର ବର୍ତ୍ତମାନର ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସରକାରଙ୍କ ଦାୟିତ୍ୱହୀନତାକୁ ନେତାଙ୍କଠାରୁ ଆରମ୍ଭ କରି ସେ ମଧ୍ୟ ପ୍ରଶ୍ନ ଘରକୁ ଟାଣିଛନ୍ତି ଏବଂ ସରକାର ବିରୋଧରେ କୋଟିଆ ପ୍ରସଙ୍ଗରେ ବିଭିନ୍ନ ଗଣମାଧ୍ୟମରେ ମତ ଦେଇ ସରକାର ବିରୋଧୀ ଆଲୋଚନାକୁ ଜୋରଦାର ବଳ ଦେଇଛନ୍ତି। କାରଣ ସେ ଯେତେବେଳେ ଚାକିରିରୁ ଅବସର ନେଲେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପର ଅଧ୍ୟକ୍ଷ ଭାବରେ ଯୋଗଦେଇଥିଲେ। ଏଥିପାଇଁ ତାଙ୍କୁ ତତ୍କାଳୀନ ବିଜେଡି ସରକାର ସହାୟତା କରିଥିବା ଆଲୋଚନା ହେଉଛି।
ଇତିହାସ କ’ଣ କହେ? ଟିକେ ପଛକୁ ଫେରି ଚାହିଁବା ଦରକାର। ଯେତେବେଳେ ବିଜୟ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଥିଲେ ଏବଂ ପରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ, ସେହି ସମୟରେ କୋଟିଆ ବିବାଦର ସ୍ଥାୟୀ ସମାଧାନ ପାଇଁ ସେ କ’ଣ ଠୋସ୍ ପଦକ୍ଷେପ ନେଇଥିଲେ? ଆନ୍ଧ୍ରପ୍ରଦେଶ ସରକାର କୋଟିଆ ଅଞ୍ଚଳରେ ବେଆଇନ ଭାବେ ନିର୍ବାଚନ କରୁଥିଲେ, ସ୍କୁଲ ଓ ରାସ୍ତାଘାଟ କରୁଥିଲେ, ସେତେବେଳେ ଭୁବନେଶ୍ୱରର ଶୀତତାପ ନିୟନ୍ତ୍ରିତ କୋଠରୀରେ ବସି କେବଳ ଫାଇଲ୍ ଚାଳନା କରାଯାଉଥିଲା, ନା କୌଣସି ଜାଗ୍ରତ ପ୍ରଶାସନିକ ପଦକ୍ଷେପ ନିଆଯାଇଥିଲା?
ଆଜି ଅବସର ପରେ କୋଟିଆକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଏହି ଅଧିକାରୀମାନେ ଯଦି ସେତେବେଳେ ନିଜ କ୍ଷମତାର ସୁବିନିଯୋଗ କରିଥା’ନ୍ତେ, ତେବେ ଆଜି ଓଡ଼ିଶାକୁ ଏହି ଦୁର୍ଦ୍ଦଶା ଭୋଗିବାକୁ ପଡ଼ିନଥା’ନ୍ତା। ଆଜି ସରକାରଙ୍କୁ ଘେରିବା ପାଇଁ ସେହି କୋଟିଆ ପ୍ରସଙ୍ଗକୁ ଆୟୁଧ କରିବା କେତେଦୂର ଯୁକ୍ତିଯୁକ୍ତ? ଏହା ସାଧାରଣ ଜନତାଙ୍କ ମନରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସୁରେଶ ମହାପାତ୍ର, ଗଞ୍ଜାମ ବନ୍ୟା ଏବଂ ମହାନଦୀ-ପୋଲାଭରମ ପ୍ରସଙ୍ଗ
ଏବେ ଆସିବା ତୃତୀୟ ତଥା ସବୁଠାରୁ ଶକ୍ତିଶାଳୀ ଚେହେରା ଜଣକ ପାଖକୁ—ସୁରେଶ ଚନ୍ଦ୍ର ମହାପାତ୍ର।
ବିଜେଡି ସରକାର ସମୟରେ ସବୁଠାରୁ ପ୍ରଭାବଶାଳୀ ତଥା ‘ସୁପର ବସ୍’ ଭାବେ ପରିଚିତ ଥିବା ସୁରେଶ ମହାପାତ୍ର ଏବେ ଗଞ୍ଜାମ ବନ୍ୟା ପରିସ୍ଥିତିକୁ ନେଇ ଏକ ଭିଡିଓ ଜାରି କରିଛନ୍ତି। ସେ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଜରିଆରେ ରାଜ୍ୟ ସରକାରଙ୍କ ବନ୍ୟା ପରିଚାଳନା ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହୁଛନ୍ତି ସରକାର ଠିକ୍ ଭାବେ କାମ କରୁନାହାଁନ୍ତି। କେବଳ ବନ୍ୟା କଥା ନୁହେଁ ୟୁଟ୍ୟୁବ୍ ଚ୍ୟାନେଲ୍ ଜରିଆରେ ଶ୍ରୀଜଗନ୍ନାଥ ମନ୍ଦିର ସମ୍ପର୍କରେ ଜଗତକୁ ଜ୍ଞାନ ବାଣ୍ଟୁଛନ୍ତି।
କିନ୍ତୁ ବାସ୍ତବତା କ’ଣ? ସୁରେଶ ମହାପାତ୍ର ନିଜେ ପୂର୍ବରୁ ପାଖାପାଖି ୬ ବର୍ଷ କାଳ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ତଥା ପରେ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରିଥିଲେ। ବନ୍ୟା ପରିଚାଳନା, ନଦୀବନ୍ଧ ସୁରକ୍ଷା ଏବଂ ଜଳସମ୍ପଦର ଠିକ୍ ବ୍ୟବସ୍ଥା କରିବା ଥିଲା ତାଙ୍କର ସିଧାସଳଖ ଦାୟିତ୍ୱ।
ସେତେବେଳେ ସେ କ’ଣ କରିଥିଲେ, ତାହାର ଏକ ସ୍ପଷ୍ଟ ହିସାବ ସେ ଏବେ ଏକ ସତ୍ୟପାଠ ଆକାରରେ ରାଜ୍ୟବାସୀଙ୍କୁ ଦେବା ଉଚିତ ନୁହେଁ କି?
ଆପଣମାନଙ୍କର ନିଶ୍ଚୟ ମନେଥିବ—ଯେତେବେଳେ ଛତିଶଗଡ଼ ମହାନଦୀ ଉପରେ ଉପରମୁଣ୍ଡରେ ଗୋଟିଏ ପରେ ଗୋଟିଏ ଡ୍ୟାମ ଏବଂ ବ୍ୟାରେଜ୍ ନିର୍ମାଣ କଲା, ସେତେବେଳେ ଓଡ଼ିଶା ବିଧାନସଭାରେ ଏବଂ ସର୍ବସାଧାରଣରେ ପ୍ରବଳ ଚିନ୍ତା ପ୍ରକଟ କରାଯାଇଥିଲା ଯେ ଏହାଦ୍ୱାରା ଓଡ଼ିଶାର ଚାଷୀ ଏବଂ ଲୋକମାନେ ବନ୍ୟା ଓ ମରୁଡ଼ିର ସମ୍ମୁଖୀନ ହେବେ। କିନ୍ତୁ ସେତେବେଳେ ଏହି ସୁରେଶ ମହାପାତ୍ର କ’ଣ କହିଥିଲେ? ସେ ବେଫିକର ଭାବେ କହିଥିଲେ ଯେ, “ଛତିଶଗଡ଼ ୧୦୦ଟି ଡ୍ୟାମ କଲେ ମଧ୍ୟ ଓଡ଼ିଶାର କିଛି କ୍ଷତି ହେବ ନାହିଁ!”
ଖାଲି ସେତିକି ନୁହେଁ, ପୋଲାଭରମ ପ୍ରକଳ୍ପ ନିର୍ମାଣ ସମୟରେ ମଧ୍ୟ ଏମାନେ ସମସ୍ତେ ନୀରବଦ୍ରଷ୍ଟା ସାଜିଥିଲେ। ଓଡ଼ିଶାର ସ୍ୱାର୍ଥ ବନ୍ଧା ପଡ଼ିଥିଲା, କିନ୍ତୁ ଏହି ଅଫିସରମାନେ ଶାସକ ଦଳର ମନ ମୁତାବକ ନୀରବତା ଅବଲମ୍ବନ କରିଥିଲେ।
କେବଳ ସେତିକି ନୁହେଁ ୨୦୧୨ରେ ଯେତେବେଳେ ନବକଳେବର ହୋଇଥିଲା ସେତେବେଳେ ସେ ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସକ ଥିଲେ। ନବକଳେବରବେଳେ ବ୍ରହ୍ମପରିବର୍ତ୍ତନକୁ ନେଇ ବିଭ୍ରାଟ ହୋଇଥିଲା। ବ୍ରହ୍ମପରିବର୍ତ୍ତନ ରାତିରେ ହେବା କଥା, କିନ୍ତୁ ତାହା ଦିନ ଦ୍ୱତପ୍ରହରରେ ହୋଇଥିଲା। ଏଥିପାଇଁ କିଏ ଦାୟୀ ଓ କାହା ଷଡ଼ଯନ୍ତ୍ରରେ ଏପରି ହୋଇଥିଲା ସେହି କଳା କାରନାମା ସମ୍ପର୍କରେ ସେ କାହିଁକି ମୁହଁ ଖୋଲୁ ନାହାନ୍ତି ବୋଲି ପ୍ରଶ୍ନ ଉଠିଲାଣି।
ଆଉ ଏହାର ପୁରସ୍କାର ସ୍ୱରୂପ କ’ଣ ମିଳିଥିଲା? ବିଜେଡି ସରକାର ଏହି ସୁରେଶ ମହାପାତ୍ରଙ୍କୁ ଅବସର ପରେ ମଧ୍ୟ ଦୁଇ-ଦୁଇ ଥର କରି ମୋଟ୍ ଏକ ବର୍ଷ କାଳ ଚାକିରିକାଳ ବଢ଼ାଇ ସର୍ବୋଚ୍ଚ ପଦବୀରେ ବସାଇଥିଲେ। ଆଜି ସେହି ଋଣ ସୁଝିବା ପାଇଁ ସେ ପରୋକ୍ଷରେ ବିଜେଡିର ମୁଖପାତ୍ର ସାଜି ସରକାରଙ୍କୁ ଘେରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେବା ସମ୍ପୂର୍ଣ୍ଣ ସ୍ୱାଭାବିକ।
ପ୍ରଶାସନିକ ସ୍ୱଚ୍ଛତା ଏବଂ ନେତୃତ୍ୱ ନେଇ ଆଜି ଯେଉଁମାନେ ବଡ଼ ବଡ଼ କଥା କହୁଛନ୍ତି, ସେମାନେ ନିଜେ କ୍ଷମତାରେ ଥିବାବେଳେ ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ କିପରି ଜଳାଞ୍ଜଳି ଦେଇଥିଲେ, ତାହା ଆଜି ଲୋକଙ୍କ ଆଗରେ ପରଫେକ୍ଟ ଭାବେ ପଦାରେ ପଡ଼ିଛି। ରାଜ୍ୟର ଜନସାଧାରଣ ବହୁତ ବୁଦ୍ଧିମାନ; କିଏ ଲୋକଙ୍କ ପାଇଁ କାମ କରୁଛି ଏବଂ କିଏ କେବଳ ରାଜନୈତିକ ସ୍ୱାର୍ଥ ପାଇଁ ପରୋକ୍ଷ ଏଜେଣ୍ଡା ଚଲାଉଛି, ତାହା ସେମାନେ ଭଲ ଭାବେ ବୁଝିପାରୁଛନ୍ତି।
also read
https://purvapaksa.com/gender-disparity-in-odishas-electoral-roll-once-again/


