ଭାରତୀୟ ରାଜନୀତି ଏବେ ଏପରି ଏକ ମୋଡ଼ରେ ପହଞ୍ଚିଛି, ଯାହାକୁ କେବଳ ‘ରାଜନୈତିକ ଯୁଦ୍ଧ’ କହିଲେ କମ୍ ହେବ। ଗୋଟିଏ ପଟେ ଯେତେବେଳେ କଂଗ୍ରେସ ଦଳ ନିଜର ପରିବାରବାଦରୁ ବାହାରି, ନୂଆ ନେତୃତ୍ୱକୁ ସାମାଜିକ ଓ ରାଜନୈତିକ ସ୍ତରରେ ପ୍ରତିଷ୍ଠା କରିବା ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରୁଛି, ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀରୁ ଏଭଳି ଏକ ରଣହୁଂକାର ଦେଇଛନ୍ତି, ଯାହା ସମଗ୍ର କଂଗ୍ରେସ ଶିବିରରେ ଭୂକମ୍ପ ସୃଷ୍ଟି କରିଛି।
ଅମିତ ଶାହଙ୍କ ସେହି ଗୋଟିଏ ବାକ୍ୟ— “ଆଗାମୀ ୩୦ ବର୍ଷ ପାଇଁ ଆପଣଙ୍କ ନମ୍ବର ଆସିବ ନାହିଁ”— ଆଜି ଦେଶର ରାଜନୈତିକ ବଜାରକୁ ସରଗମ କରି ରଖିଛି।

ଅମିତ ଶାହଙ୍କ ସିଧାସଳଖ ଆକ୍ରମଣ ଏବଂ ଦ୍ୱୈତ ନୀତି
ଦେଶର ଗୃହମନ୍ତ୍ରୀ ଅମିତ ଶାହ ଜନ୍ମଦିନରେ ଯେତେବେଳେ ମଞ୍ଚକୁ ଓହ୍ଲାଇଲେ, ସେ କୌଣସି ଗୋଲାପୀ ପ୍ରତିଶ୍ରୁତି ଦେଇ ନଥିଲେ, ବରଂ ସିଧାସଳଖ ଆକ୍ରମଣ କରିଥିଲେ କଂଗ୍ରେସର ସର୍ବୋଚ୍ଚ ନେତୃତ୍ୱ ରାହୁଲ ଗାନ୍ଧୀଙ୍କୁ। ଶାହ ସ୍ପଷ୍ଟ ଭାବରେ କହିଲେ— “ଆପଣଙ୍କ ପକ୍ଷରେ ଯଦି ଅଦାଲତମାନେ ରାୟ ଦିଅନ୍ତି, ତେବେ ଅଦାଲତ ଭଲ; ଆଉ ଯଦି ବିପକ୍ଷରେ ରାୟ ଦିଅନ୍ତି, ଆପଣଙ୍କ ବିରୋଧରେ ଯାଏ, ତେବେ ଅଦାଲତ ଠିକ୍ ନୁହେଁ— ଏହି ଦ୍ୱୈତ ନୀତି ଚାଲିବ ନାହିଁ, ରାହୁଲ ଜୀ!”
ଏହି କଥାଟି କେବଳ ଏକ ବୟାନ ନୁହେଁ, ଏହା ହେଉଛି ଭାରତୀୟ ଗଣତନ୍ତ୍ରର ସେହି ଦିଗ ଉପରେ ଏକ ବଡ଼ ଆଙ୍ଗୁଳି, ଯେଉଁଠି ବିରୋଧୀ ଦଳଗୁଡ଼ିକ ନିଜ ସ୍ୱାର୍ଥ ପାଇଁ ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ଟାର୍ଗେଟ କରୁଛନ୍ତି। ଶାହ ଆହୁରି ମଧ୍ୟ କହିଲେ ଯେ, କେବଳ କିଛି ପ୍ରଦେଶରୁ କ୍ୟାଡର୍ ଏକାଠି କରି, ଦିଲ୍ଲୀର ରାସ୍ତାରେ ପ୍ରଦର୍ଶନ କରି ଜନସାଧାରଣଙ୍କ ଜନାଦେଶକୁ ଅସ୍ୱୀକାର କରାଯାଇପାରିବ ନାହିଁ। କଂଗ୍ରେସ କାହିଁକି ବାରମ୍ବାର ନିର୍ବାଚନୀ ପରାଜୟ ପରେ ଜନସାଧାରଣଙ୍କ ରାୟକୁ ସମ୍ମାନ ନ ଦେଇ ରାସ୍ତାରେ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଛି? ଏହାର ଜବାବ୍ ଦେବାକୁ ଯାଇ ଅମିତ ଶାହ ଆଉ ଏକ ମର୍ମନ୍ତୁଦ କଟାକ୍ଷ କରିଥିଲେ।
ବିଦେଶ ଗସ୍ତ ଏବଂ ‘ପାର୍ଟ-ଟାଇମ୍ ରାଜନୀତି’ର ପ୍ରସଙ୍ଗ
ଅମିତ ଶାହଙ୍କ ବୟାନର ସବୁଠାରୁ ରୋଚକ ଅଂଶଟି ଥିଲା ରାହୁଲ ଗାନ୍ଧୀଙ୍କ ଅନୁପସ୍ଥିତିକୁ ନେଇ। ଶାହ ବ୍ୟଙ୍ଗାତ୍ମକ ଭାବରେ କହିଲେ— “ମୁଁ ଜାଣେ, ଆପଣ ମୋ କଥା ଶୁଣିପାରୁ ନଥିବେ, କାରଣ ଆପଣ ବିଦେଶରେ କେଉଁଠି ବସିଛନ୍ତି! କାହିଁକି ବସିଛନ୍ତି, ତାହା ମଧ୍ୟ କହୁନାହାଁନ୍ତି। କିନ୍ତୁ କୌଣସି କଥା ନାହିଁ, ସେ ଆପଣଙ୍କ ବ୍ୟକ୍ତିଗତ ଜୀବନ। କିନ୍ତୁ ଥରେ ଆପଣ ଦିଲ୍ଲୀ ଲ୍ୟାଣ୍ଡ୍ କରନ୍ତୁ, ମୋ କଥା ମନରେ ରଖିଥାନ୍ତୁ— ଆଗାମୀ ୩୦ ବର୍ଷ ପାଇଁ ଆପଣଙ୍କ ନମ୍ବର ଆସିବ ନାହିଁ!”
ଦେଶ ଭିତରେ ଯେତେବେଳେ କଂଗ୍ରେସ ଦଳ ଆଗାମୀ ନଭେମ୍ବର ୧ ତାରିଖରେ ଦିଲ୍ଲୀର ରାମଲୀଳା ମଇଦାନରେ ଏକ ବିରାଟ ରାଲି କରିବାକୁ ଯାଉଛି ଏବଂ ସରକାରଙ୍କ ବିରୋଧରେ ଏକ ବଡ଼ ଲଢ଼େଇର ଡାକରା ଦେଉଛି, ଠିକ୍ ସେହି ସମୟରେ ଦଳର ସର୍ବୋଚ୍ଚ ନେତା ଦେଶ ବାହାରେ ରହିବା— ଏହା କଂଗ୍ରେସର ଦୁର୍ବଳ ସଂଗଠନ ଏବଂ ନେତୃତ୍ୱର ଅପରିପକ୍ୱତାକୁ ପ୍ରମାଣିତ କରୁଛି।
ବିଜେପିର ରଣନୀତିକାରମାନେ ଏହାକୁ ବେଶ୍ ଭଲ ଭାବରେ ବୁଝିଛନ୍ତି। ଯେତେବେଳେ ବିରୋଧୀମାନେ ନେତୃତ୍ୱ ଶୂନ୍ୟତା କିମ୍ବା ଅସ୍ଥିରତା ଭିତରେ ଗତି କରୁଛନ୍ତି, ସେତେବେଳେ ଅମିତ ଶାହଙ୍କ ଏହି ‘୩୦ ବର୍ଷ’ର ଚେତାବନୀ କେବଳ ଏକ ବୟାନ ନୁହେଁ, ବରଂ ଏହା ହେଉଛି ଆଗାମୀ ଦଶନ୍ଧିଗୁଡ଼ିକ ପାଇଁ ବିଜେପିର ଦୂରଦୃଷ୍ଟିସମ୍ପନ୍ନ ରାଜନୈତିକ ବ୍ଲୁପ୍ରିଣ୍ଟ୍।
ଏହି ରାଜନୈତିକ ଲଢ଼ଇରେ ମହାଭାରତର ପ୍ରସଙ୍ଗ କାହିଁକି ଆସିଲା? ଭାରତୀୟ ରାଜନୀତିରେ ମୋଦୀ ସରକାର ଏବଂ ବିଶେଷକରି ଅମିତ ଶାହ ସର୍ବଦା ସାମ୍ବିଧାନିକ ମର୍ଯ୍ୟାଦା ଏବଂ ନିୟମକାନୁନ ଭିତରେ ରହି କାର୍ଯ୍ୟ କରିବା ପାଇଁ ଜଣାଶୁଣା। ସରକାରଙ୍କ ହାତରେ ସମସ୍ତ କ୍ଷମତା, ସମସ୍ତ ଏଜେନ୍ସି ଏବଂ ସମସ୍ତ ସୂଚନା ଥାଏ; କିନ୍ତୁ ଗଣତାନ୍ତ୍ରିକ ମର୍ଯ୍ୟାଦା ଦୃଷ୍ଟିରୁ ସରକାର ସବୁବେଳେ ସଂଯମତା ଅବଲମ୍ବନ କରନ୍ତି।
ସଂଯମତାର ମଧ୍ୟ ଏକ ସୀମା ଥାଏ। ଯେତେବେଳେ ବିରକ୍ତିକର ଏବଂ ବ୍ୟକ୍ତିଗତ ଆକ୍ରମଣର ସୀମା ଲଙ୍ଘନ କରାଯାଏ, ସେତେବେଳେ ସରକାର ମଧ୍ୟ ନିଜର ନୀତି ବଦଳାଇଥାନ୍ତି।
ମହାଭାବତ ଯୁଦ୍ଧ ଆରମ୍ଭ ହେବା ସମୟରେ କୌରବ ଓ ପାଣ୍ଡବଙ୍କ ମଧ୍ୟରେ କିଛି ନିୟମ ଓ ମର୍ଯ୍ୟାଦା ସ୍ଥିର ହୋଇଥିଲା— ଯେପରିକି ସୂର୍ଯ୍ୟାସ୍ତ ପରେ ଯୁଦ୍ଧ ହେବ ନାହିଁ, ଜଣେ ରଥୀ ସହିତ କେବଳ ଜଣେ ରଥୀ ହିଁ ଯୁଦ୍ଧ କରିବେ। କିନ୍ତୁ ଯେତେବେଳେ ଅଭିମନ୍ୟୁଙ୍କୁ ଚକ୍ରବ୍ୟୁହ ଭିତରେ ଘେରିକି ଏକାଧିକ ମହାରଥୀ ମିଶି ଅଧର୍ମ ଭାବେ ବଧ କଲେ, ସେତେବେଳେ ଯୁଦ୍ଧର ସମସ୍ତ ନୀତି ଏବଂ ମର୍ଯ୍ୟାଦା ଭାଙ୍ଗିଗଲା। ତା’ପରେ ପାଣ୍ଡବମାନେ ମଧ୍ୟ ଆଉ କୌଣସି ନୀତି ମାନିଲେ ନାହିଁ ଏବଂ ଗୋଟିଏ ପରେ ଗୋଟିଏ ସମସ୍ତ କୌରବ ମହାରଥୀଙ୍କର ନିଧନ ହେଲା।
ଠିକ୍ ସେହିପରି, ଭାରତୀୟ ରାଜନୀତିରେ ଯେତେବେଳେ କଂଗ୍ରେସ ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବ୍ୟକ୍ତିଗତ ଏବଂ ଅପମାନଜନକ ଭାବରେ ଆକ୍ରମଣ କରିବା ଆରମ୍ଭ କଲେ, ସେତେବେଳେ ଏହା ସ୍ପଷ୍ଟ ହୋଇଗଲା ଯେ ଶାସକ ଦଳ ଆଉ କେବଳ ସଂଯମତା ଅବଲମ୍ବନ କରିବ ନାହିଁ। ଅମିତ ଶାହଙ୍କ ଏହି ଚେତାବନୀ ସେହି ବଦଳୁଥିବା ରାଜନୈତିକ ସମୀକରଣ ଏବଂ କଠିନ ରଣନୀତିର ଏକ ବଡ଼ ସଙ୍କେତ ଅଟେ।
ଆଗାମୀ ନଭେମ୍ବର ୧ ରାଲି ଏବଂ ଭବିଷ୍ୟତର ରାଜନୀତି

ଆଗାମୀ ନଭେମ୍ବର ୧ ତାରିଖରେ କଂଗ୍ରେସର ଯେଉଁ ରାମଲୀଳା ମଇଦାନ ରାଲି ରହିଛି, ତାହାକୁ ନେଇ ଏବେ ରାଜନୈତିକ ପାରଦ ଚରମସୀମାରେ ପହଞ୍ଚିଛି। ଗୋଟିଏ ପଟେ କଂଗ୍ରେସ ଏହି ରାଲି ମାଧ୍ୟମରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଚାହୁଁଛି ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ଜନ ଆନ୍ଦୋଳନ ଗଢ଼ିବାକୁ ପ୍ରୟାସ କରୁଛି। କିନ୍ତୁ ଅନ୍ୟପଟେ, ବିଜେପିର ବ୍ୟୁହ ରଚନା ଏପରି ରହିଛି ଯେ, କଂଗ୍ରେସର ପ୍ରତ୍ୟେକଟି ପଦକ୍ଷେପକୁ ପ୍ରତିହତ କରିବା ପାଇଁ ଶାସକ ଦଳ ସମ୍ପୂର୍ଣ୍ଣ ଆକ୍ରମଣାତ୍ମକ ମୁଦ୍ରାରେ ରହିଛି।
‘୩୦ ବର୍ଷ’ର ଏହି ଚେତାବନୀ କେବଳ ଏକ ବୟାନ ନୁହେଁ, ଏହା ହେଉଛି ଏକ ମନୋତାତ୍ତ୍ୱିକ ଯୁଦ୍ଧ। ଯେତେବେଳେ ବିରୋଧୀ ଦଳର ମନୋବଳ ଭାଙ୍ଗିବା ପାଇଁ ଶାସକ ଦଳ ଏଭଳି ରଣହୁଂକାର ଦିଏ, ସେତେବେଳେ କ୍ଷମତାର କରିଡରରେ ଏହାର ଗଭୀର ପ୍ରଭାବ ପଡ଼ିଥାଏ। କଂଗ୍ରେସ ଦଳ ଏବେ ଆତ୍ମସମୀକ୍ଷା କରିବା ପରିବର୍ତ୍ତେ କେବଳ ଗାନ୍ଧୀ ପରିବାରର ଭ୍ରମ ମଧ୍ୟରେ ବନ୍ଦୀ ରହିଛି, ଯାହାକୁ ବିଜେପି ନିଜର ସବୁଠାରୁ ବଡ଼ ରାଜନୈତିକ ଅସ୍ତ୍ର ଭାବରେ ବ୍ୟବହାର କରୁଛି।
also read
Kotia Issue: Is Naveen Worried After Losing Power? II କୋଟିଆ ପ୍ରସଙ୍ଗ: କ୍ଷମତା ଯିବା ପରେ ଚିନ୍ତାରେ ନବୀନ?
https://purvapaksa.com/kotia-issue-is-naveen-worried-after-losing-power68142-2/


