କଥାରେ ଅଛି, ବେଙ୍ଗ କହେ ବେଙ୍ଗୁଲି ଲୋ ପୃଥ୍ୱୀ କ୍ଷଣ କ୍ଷଣକେ ଆନ। ରାଜନୀତିରେ ଏହାର ଅର୍ଥ ହେଲା— ବିଜେଡି ରାଜନୀତିରେ କେତେବେଳେ କ’ଣ ହେବ ତାହା କହିବା ଏକପ୍ରକାର କାଠିକାର ପାଠ। ଗତକାଲି ଯାହା ଘଟିଲା, ତାହାକୁ ଆପଣ କ’ଣ କହିବେ? ଏହା କୌଣସି ସଂଯୋଗ, ନା ଏହା ପଛରେ ରହିଛି କୌଣସି ଗୁପ୍ତ ଖେଳ? ଇଣ୍ଡି-ମେଣ୍ଟର ଆହ୍ୱାନ କ୍ରମେ ଆଜିର ଓଡ଼ିଶା ବନ୍ଦକୁ ସମର୍ଥନ କରିବା ପ୍ରସଙ୍ଗ। ପ୍ରଥମେ ବିଜେଡିର ପିଏସିର ସଦସ୍ୟା ତଥା ବିଧାୟକ ଦଳର ମୁଖ୍ୟସଚେତକ ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ ବେଶ୍ ଆତ୍ମବିଶ୍ୱାସର ସହିତ କହିଥିଲେ— “ଆମେ ଇଣ୍ଡି-ମେଣ୍ଟରେ ଅଛୁ, ତେଣୁ ଆଗାମୀ ବନ୍ଦକୁ ଆମେ ସମ୍ପୂର୍ଣ୍ଣ ସମର୍ଥନ କରିବୁ। ନିର୍ବାଚନ ଆୟୋଗଙ୍କ ଅନ୍ୟାୟ ବିରୋଧରେ ଆମେ ଏହି ଆନ୍ଦୋଳନରେ ସାମିଲ ହେବୁ।”
କିନ୍ତୁ ଆଶ୍ଚର୍ଯ୍ୟର କଥା, ଏହି ବୟାନ ଦେବାର ମାତ୍ର କିଛି ମିନିଟ୍ ପରେ, ପ୍ରମିଳା ମଲ୍ଲିକ ହଠାତ୍ ନିଜର ବୟାନରୁ ସମ୍ପୂର୍ଣ୍ଣ ଓହରି ଯାଇ ଏକ ବଡ଼ ୟୁ-ଟର୍ଣ୍ଣ ନେଲେ! ସେ ପୁଣି କହିଲେ— “ନା, ନା, ଆମେ ସମର୍ଥନ ଦେବୁ ନାହିଁ। ଆମେ କୌଣସି ଦଳର ବନ୍ଦକୁ ସମର୍ଥନ କରିବୁ ନାହିଁ। ସେମାନେ କ’ଣ ଆମକୁ ପଚାରି ବନ୍ଦ ଡାକରା ଦେଇଥିଲେ? ଆମେ କେବଳ ଓଡ଼ିଶାର ଲୋକଙ୍କ ସ୍ୱାର୍ଥ ପାଇଁ ଲଢ଼ିବୁ।”

ଟିକିଏ ଚିନ୍ତା କରନ୍ତୁ! ଜଣେ ବରିଷ୍ଠ ନେତ୍ରୀ, ଦଳର ଏତେ ବଡ଼ ମୁହଁ, ମାତ୍ର କିଛି ମିନିଟ୍ ଭିତରେ ନିଜର ମତକୁ ଏପରି ଓଲଟପାଲଟ କରିଦେଲେ କେମିତି? ଏହା କ’ଣ ସୂଚାଉ ନାହିଁ ଯେ ଦଳ ଭିତରେ ଏପରି କିଛି ଅଦୃଶ୍ୟ ନିୟନ୍ତ୍ରଣ ରହିଛି, ଯାହାଙ୍କ ବିନା ନିର୍ଦ୍ଦେଶରେ ବା ପରାମର୍ଶରେ ସଠିକ୍ ଭାବେ ମୁହଁ ଖୋଲିବା ମଧ୍ୟ ଆଜି କଷ୍ଟକର ହୋଇପଡ଼ିଛି?
ରାଜନୈତିକ ପୃଷ୍ଠଭୂମି ଓ ଦ୍ୱନ୍ଦ୍ୱର କାହାଣୀ
ଦର୍ଶକବନ୍ଧୁ, ଏହି ଘଟଣା କେବଳ ଗୋଟିଏ ଦିନର ନୁହେଁ। ଯଦି ଆମେ ଗତ କିଛିଦିନର ରାଜନୈତିକ ପାଣିପାଗକୁ ଲକ୍ଷ୍ୟ କରିବା, ତେବେ ଜାଣିପାରିବା ଯେ ବିଜୁ ଜନତା ଦଳ ଭିତରେ କିଛିଟା ଗଡ଼ବଡ଼ ଚାଲିଛି।
ଏହାପୂର୍ବରୁ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ବେଶ୍ ଦୃଢ଼ତାର ସହିତ କହିଥିଲେ ଯେ ବିଜେଡି କୌଣସି ଇଣ୍ଡି-ମେଣ୍ଟ୍ ସହିତ ନାହିଁ ଏବଂ ଦଳ ନିଜର ପୁରୁଣା ‘ସମଦୂରତା ନୀତି’ରେ କାଏମ ଅଛି। କିନ୍ତୁ ଆଶ୍ଚର୍ଯ୍ୟର କଥା, ଏହାପରେ ପରେ ରାଜ୍ୟସଭାରେ ଦଳର ନେତା ମାନସ ମଙ୍ଗରାଜ ଏବଂ ସୁଲତା ଦେଓଙ୍କ ଭଳି ପ୍ରମୁଖ ଚେହେରାମାନେ ଏହାର ସମ୍ପୂର୍ଣ୍ଣ ଭିନ୍ନ କଥା କହି ଇଣ୍ଡି-ମେଣ୍ଟର ଆନ୍ଦୋଳନ ତଥା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ଗୋଟିଏ ପଟେ ଦଳର ଜଣେ ବରିଷ୍ଠ ସାଂସଦ କହୁଛନ୍ତି ଆମେ ସମଦୂରତାରେ ଅଛୁ, ଆଉ ଅନ୍ୟପଟେ ଅନ୍ୟ ନେତାମାନେ ବିରୋଧୀ ମେଣ୍ଟର ହାତ ଧରୁଛନ୍ତି। ଏହି ପରସ୍ପର ବିରୋଧୀ ବୟାନବାଜି କ’ଣ ସ୍ପଷ୍ଟ କରୁନାହିଁ ଯେ ବିଜେଡି ଭିତରେ କୌଣସି ଆଭ୍ୟନ୍ତରୀଣ ସମନ୍ୱୟର ଅଭାବ ରହିଛି? କିଏ ପ୍ରକୃତରେ ଦଳକୁ ଚଳାଉଛି? ଦଳର କର୍ମୀମାନେ ଆଜି ଦ୍ୱନ୍ଦ୍ୱରେ— ସେମାନେ କାହା କଥାକୁ ସତ ବୋଲି ଭାବିବେ? ସସ୍ମିତ ପାତ୍ରଙ୍କ କଥାକୁ, ନା ମାନସ ମଙ୍ଗରାଜ ଓ ସୁଲତା ଦେଓଙ୍କ କଥାକୁ? ଏହି ପ୍ରଶ୍ନ ଆଜି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ମନରେ ଆନ୍ଦୋଳନ ସୃଷ୍ଟି କରୁଛି।
ମହୁଆ ମୈତ୍ରଙ୍କ ବିସ୍ଫୋରକ ଟିପ୍ପଣୀ ଏବଂ ‘ଇକୋସିଷ୍ଟମ୍’
କିନ୍ତୁ ଦର୍ଶକବନ୍ଧୁ, ଏ ସମସ୍ତ ଚର୍ଚ୍ଚା ଭିତରେ ଜଣେ ଜାତୀୟ ସ୍ତରର ପ୍ରମୁଖ ନେତ୍ରୀ, ତୃଣମୂଳ କଂଗ୍ରେସର ସାଂସଦ ତଥା ବିଜେଡିର ପୂର୍ବତନ ସାଂସଦଙ୍କ ଧର୍ମପତ୍ନୀ ମହୁଆ ମୈତ୍ର, ନବୀନ ପଟ୍ଟନାୟକ ଏବଂ ବିଜେଡିର ଗତିବିଧିକୁ ନେଇ ଏପରି ଏକ ଟିପ୍ପଣୀ ଦେଇଛନ୍ତି, ଯାହା ବିଜେଡି ରାଜନୀତିର ସମସ୍ତ ଯୋଜନାକୁ ପଦାରେ ପକାଇ ଦେଇଛି।
ସେ ସୋସିଆଲ ମିଡିଆ ‘ଏକ୍ସ’ (X) ରେ ଯାହା ଲେଖିଛନ୍ତି, ତାହା କେବଳ ବିଜେଡି ପାଇଁ ଏକ ପ୍ରଶଂସା ନୁହେଁ, ବରଂ ନବୀନ ପଟ୍ଟନାୟକଙ୍କୁ ନେଇ ଏକ ବଡ଼ ଏବଂ ସତ୍ୟ ବିଶ୍ଳେଷଣ କରିଛନ୍ତି।
ମହୁଆ ମୈତ୍ର ତାଙ୍କ ପୋଷ୍ଟରେ ସ୍ପଷ୍ଟ ଭାବେ ଲେଖିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କୁ ବୁଝିବାକୁ ହେବ ଯେ ସେ କାହିଁକି ଏତେ ଦିନ ଧରି ବିଭ୍ରାନ୍ତ ହେଉଥିଲେ। ସେ ଖୋଲାଖୋଲି ଲେଖିଲେ ଯେ, ନବୀନ ପଟ୍ଟନାୟକଙ୍କ ଚାରିପାଖରେ ଏଭଳି କିଛି ଭୟାଳୁ, କାପୁରୁଷ ଏବଂ ଷଡ଼ଯନ୍ତ୍ରକାରୀ ବ୍ୟକ୍ତିବିଶେଷ ରହିଛନ୍ତି, ଯାହାଙ୍କ ଗୋଷ୍ଠୀ ନବୀନ ପଟ୍ଟନାୟକଙ୍କୁ ସବୁବେଳେ ଭୁଲ୍ ରାସ୍ତାରେ ପରିଚାଳିତ କରୁଥିଲେ ଏବଂ ଭୁଲ୍ ପରାମର୍ଶ ଦେଉଥିଲେ।

ମହୁଆ ମୈତ୍ରଙ୍କ ଏହି କଥାର ମର୍ମକୁ ଯଦି ଆପଣ ଓଡ଼ିଶା ରାଜନୀତିର ପୃଷ୍ଠଭୂମିରେ ବୁଝିବାକୁ ଚେଷ୍ଟା କରିବେ, ତେବେ ଆପଣଙ୍କୁ ବୁଝିବାକୁ ଆଉ କୌଣସି ଅସୁବିଧା ହେବ ନାହିଁ ଯେ ସେ କାହା ଆଡ଼କୁ ଇଙ୍ଗିତ କରୁଛନ୍ତି।ଓଡ଼ିଶାର ଜନସାଧାରଣ, ବିଜେଡିର ତୃଣମୂଳ କର୍ମୀ ଏବଂ ରାଜନୈତିକ ସମୀକ୍ଷକମାନେ ବେଶ୍ ଭଲ ଭାବରେ ଜାଣନ୍ତି ଯେ, ଗତ କିଛି ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ଚାରିପାଖରେ କିଏ କେମିତି ଏକ ‘ଇକୋସିଷ୍ଟମ୍’ ତିଆରି କରି ରହିଥିଲେ। ଆଉ ଆଜି ମଧ୍ୟ ସେହି ଇକୋସିଷ୍ଟମର ପ୍ରଭାବ ସମ୍ପୂର୍ଣ୍ଣ ଭାବେ ତଳକୁ ଯାଇନାହିଁ। ବରଂ ଅଧିକରୁ ଅଧିକ ପ୍ରଭାବଶାଳୀ ହେବାରେ ଲାଗିଛି।
ତାମିଲନାଡ଼ୁ ନିବାସୀ ଭୈରବ କାର୍ତ୍ତିକେୟ ପାଣ୍ଡିଆନ୍ ଏବଂ ତାଙ୍କୁ କେନ୍ଦ୍ର କରି ଗଢ଼ିଉଠିଥିବା ସେହି ବ୍ୟକ୍ତିବିଶେଷଙ୍କ ଗୋଷ୍ଠୀ, ଯାହାଙ୍କୁ ମହୁଆ ମୈତ୍ର ପରୋକ୍ଷରେ ‘ଭୟାଳୁ ଓ ଷଡ଼ଯନ୍ତ୍ରକାରୀ’ ବୋଲି କହିଛନ୍ତି, ସେମାନେ ହିଁ ଦିନେ ନବୀନ ପଟ୍ଟନାୟକଙ୍କୁ ଦଳ ଓ ଜନସାଧାରଣଙ୍କଠାରୁ ଦୂରେଇ ରଖିଥିଲେ ଏବଂ ବାରମ୍ବାର ଭୁଲ୍ ନିଷ୍ପତ୍ତି ନେବା ପାଇଁ ବାଧ୍ୟ କରିଥିଲେ।
ମହୁଆ ମୈତ୍ରଙ୍କ ଏହି ଅନୁଭବ କେବଳ ଏକ ବାହ୍ୟ ମନ୍ତବ୍ୟ ନୁହେଁ, ବରଂ ଓଡ଼ିଶା ରାଜନୀତିର ଏକ ନଗ୍ନ ସତ୍ୟ, ଯାହାକୁ ଆଜି ଜାତୀୟ ସ୍ତରର ନେତାମାନେ ମଧ୍ୟ ଖୋଲାଖୋଲି ସ୍ୱୀକାର କରୁଛନ୍ତି।
ଅନ୍ୟ ଦଳର ପ୍ରତିକ୍ରିୟା ଓ ସମାଲୋଚନା
ମହୁଆ ମୈତ୍ରଙ୍କ ଏହି ଟିପ୍ପଣୀ ଏବେ ଅକ୍ଷରେ ଅକ୍ଷରେ ସତ ବୋଲି ପ୍ରମାଣିତ ହୋଇଛି। ଆଜିର ସେହି ବନ୍ଦ ଡାକରାକୁ ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀଙ୍କ ଦ୍ୱାରା ପ୍ରଥମେ ସମର୍ଥନ ଦେବାର ମାତ୍ର ୩୦ ମିନିଟ୍ ପରେ ତାହାକୁ ପୁଣି ବିରୋଧ କରିବା ଘଟଣା ବିଜେଡିର ଏହି ବାଚାଳାମୀକୁ ସମ୍ପୂର୍ଣ୍ଣ ପଦାରେ ପକାଇ ଦେଇଛି।
ବିଜେଡିର ଏପରି ଦୋମୁହାଁ ନୀତିକୁ ନେଇ ଏବେ ବିରୋଧୀମାନେ କଡ଼ା ସମାଲୋଚନା କରିଛନ୍ତି। ବିଜେପିର ମହିଳାମୋର୍ଚ୍ଚା ନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ ଏବଂ କଂଗ୍ରେସର ଅଭିଜ୍ଞ ନେତା ସନ୍ତୋଷ ସିଂହ ସାଲୁଜା ଏହି ପ୍ରସଙ୍ଗରେ ବିଜେଡିକୁ କଡ଼ା ଭାଷାରେ ଟାର୍ଗେଟ୍ କରିଛନ୍ତି।
ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି ଯେ, ଯେଉଁ ଦଳର ନେତାମାନେ ମାତ୍ର ୩୦ ମିନିଟ୍ ଭିତରେ ନିଜର ନିଷ୍ପତ୍ତି ବଦଳାଇ ଦିଅନ୍ତି, ସେମାନେ କେବେ ମଧ୍ୟ ଓଡ଼ିଶାର ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଲଢ଼ିପାରିବେ ନାହିଁ। ସେମାନଙ୍କର କୌଣସି ସ୍ଥିର ମତ ନାହିଁ।
ସେହିପରି ସନ୍ତୋଷ ସିଂହ ସାଲୁଜା କହିଛନ୍ତି ଯେ, ବିଜେଡି ଭିତରେ ଏବେ ଗୋଟିଏ ନୁହେଁ, ବରଂ ଅନେକ ଗୁଡ଼ିଏ କ୍ଷମତା କେନ୍ଦ୍ର କାର୍ଯ୍ୟ କରୁଛି। ଜଣେ ନେତା ଯାହା କହୁଛନ୍ତି, ଅନ୍ୟ ଜଣେ ତାହାକୁ କାଟୁଛନ୍ତି। ଏହା କେବଳ ରାଜନୈତିକ ଅସ୍ଥିରତା ନୁହେଁ, ବରଂ ଏହା ହେଉଛି ବିଜୁ ଜନତା ଦଳର ଅନ୍ତର୍ନିହିତ ଦୁର୍ବଳତାର ସବୁଠାରୁ ବଡ଼ ପ୍ରମାଣ।

ବର୍ତ୍ତମାନ ପ୍ରଶ୍ନ ଉଠୁଛି— ଏହି ସବୁ କଥା କେତେଦୂର ସତ? ଏହାର ସବୁଠାରୁ ବଡ଼ ଏବଂ ପ୍ରତ୍ୟକ୍ଷ ପ୍ରମାଣ ଆମକୁ ଦେଖିବାକୁ ମିଳିଛି ବିଜେଡିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ସେହି ବିବାଦୀୟ ବୟାନରେ। ଜଣେ ବରିଷ୍ଠ ନେତ୍ରୀ ମାତ୍ର କିଛି ମିନିଟ୍ ଭିତରେ ନିଜ ମତକୁ କିପରି ସମ୍ପୂର୍ଣ୍ଣ ବଦଳାଇ ଦେଲେ? ଏହା କ’ଣ ସୂଚାଉ ନାହିଁ ଯେ ଦଳ ଭିତରେ ଏପରି କିଛି ଶକ୍ତି ରହିଛି, ଯାହାଙ୍କ ଅଦୃଶ୍ୟ ଇସାରା ବିନା ପାଟିରୁ କଥା ବାହାରିବା ମଧ୍ୟ ଅସମ୍ଭବ?
ଆଜିର ଏହି ସମଗ୍ର ବିଶ୍ଳେଷଣରୁ ଏହା ସ୍ପଷ୍ଟ ହୋଇଯାଉଛି ଯେ, ବିଜୁ ଜନତା ଦଳ ଆଜି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସଙ୍କଟଜନକ ରାଜନୈତିକ ମୋଡ଼ରେ ଛିଡ଼ା ହୋଇଛି।ନବୀନ ପଟ୍ଟନାୟକଙ୍କ ବଦଳୁଥିବା ରଣନୀତି ଏବଂ ଜାତୀୟ ସ୍ତରର ଦଳଗୁଡ଼ିକ ସହିତ ବଢ଼ୁଥିବା ନିକଟତରତା କେବଳ ଏକ ସଂଯୋଗ ନୁହେଁ, ବରଂ ଏହା ଏକ ପରିବର୍ତ୍ତିତ ପରିସ୍ଥିତିର ଅବଶ୍ୟମ୍ଭାବୀ ପରିଣାମ।
କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି— ଯେପର୍ଯ୍ୟନ୍ତ ଦଳ ମଧ୍ୟରୁ ସେହି ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ, ଅସ୍ଥିରତା ଏବଂ ନିୟନ୍ତ୍ରଣକାରୀ ଶକ୍ତିଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଦୂର ହୋଇନାହିଁ, ସେପର୍ଯ୍ୟନ୍ତ ବିଜେଡିର ଆଭିମୁଖ୍ୟ କେବେ ମଧ୍ୟ ସ୍ପଷ୍ଟ ହୋଇପାରିବ ନାହିଁ। ଜନସାଧାରଣ ଏବଂ ଦଳୀୟ କର୍ମୀମାନେ ଆଜି ଅନ୍ଧକାରରେ ଅଛନ୍ତି ଯେ ସେମାନେ କାହାକୁ ବିଶ୍ୱାସ କରିବେ।
ଗତକାଲିର ଏହି ୩୦ ମିନିଟର ଘଟଣା ପ୍ରମାଣ କରିଦେଲା ଯେ ବିଜେଡି ଭିତରେ କିଛି ଗଡ଼ବଡ଼ ଅଛି। ଆଗାମୀ ଦିନରେ ଏହି ଆଭ୍ୟନ୍ତରୀଣ କନ୍ଦଳ ଦଳକୁ ଆହୁରି କେଉଁ ସ୍ଥିତିକୁ ନେଇଯାଉଛି, ତାହା ଉପରେ ରହିବ ଆମର କଡ଼ା ନଜର।
also read
Respect or insult for the senior leader? II ବରିଷ୍ଠ ନେତାଙ୍କୁ ସମ୍ମାନ ନା ଅପମାନ?
https://purvapaksa.com/respect-or-insult-for-the-senior-leader/


