ଓଡ଼ିଶା ରାଜନୀତିରେ ଏବେ ଏକ ବଡ଼ ପ୍ରଶ୍ନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି—”ପାଣ୍ଡିଆନଙ୍କୁ କାହିଁକି ଡରୁଛି ବିଜେପି?” ୨୦୨୪ ନିର୍ବାଚନ ସମୟରେ ଯେଉଁ ବିଜେପି ନେତାମାନେ ତାମିଲନାଡ଼ୁ ନିବାସୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟର ଜନସାଧାରଣଙ୍କୁ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲେ, ଆଜି ସେହି ସରକାର କ୍ଷମତାରେ ଥାଇ ମଧ୍ୟ ପାଣ୍ଡିଆନଙ୍କୁ କାହିଁକି ସାମ୍ନା କରିବାକୁ ପଛାଉଛି? ରାଜ୍ୟରେ ବିଜେପିର ନିଜସ୍ୱ ସରକାର ଥାଇ ମଧ୍ୟ କାହିଁକି ବିଜେପି ନିଜର ପ୍ରତିଶ୍ରୁତି ପାଳନ କରିବା ପରିବର୍ତ୍ତେ ରାଜ୍ୟବାସୀଙ୍କ ସହିତ ପ୍ରତାରଣା କରୁଛି, ତାହା ହିଁ ଆଜିର ମୁଖ୍ୟପ୍ରଶ୍ନ। କାହିଁକି ଆଜି ରାଜ୍ୟର ସବୁଠାରୁ ସମ୍ବେଦନଶୀଳ ପ୍ରସଙ୍ଗ—ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାମାମଲାର ତଦନ୍ତ ଫାଇଲ୍ ଚୋରି ଘଟଣା—ଭିତରେ ପାଣ୍ଡିଆନଙ୍କ ନାଁ ଆସିବା ପରେ ମଧ୍ୟ ତଦନ୍ତ ଆଗକୁ ବଢ଼ିପାରୁନାହିଁ?
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଏବଂ ସଂଘ ପରିବାରର ଭୂମିକା
ଏହି ପୂରା ବିବାଦର ମୂଳଦୁଆ ପଡ଼ିଥିଲା ୨୦୦୮ ମସିହା ଅଗଷ୍ଟ ୨୩ ତାରିଖରେ। ସେଦିନ ଯେତେବେଳେ ହିନ୍ଦୁ ସନ୍ଥ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ତାଙ୍କର ଅନୁଗାମୀମାନଙ୍କୁ ତାଙ୍କ ଆଶ୍ରମ ଭିତରେ ପଶି ଅତି ନିର୍ମମ ଭାବେ ହତ୍ୟା କରାଗଲା, ସେତେବେଳେ ରାଜ୍ୟରେ ବିଜେଡି ଏବଂ ବିଜେପିର ମେଣ୍ଟ ସରକାର ଥିଲା। ରେଜ୍ୟରେ ମେଣ୍ଟ ସରକାର ଥାଇ ମଧ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ସୁରକ୍ଷା ମିଳିପାରିଲା ନାହିଁ, ଯାହାଫଳରେ ତାଙ୍କୁ ବିରୋଧୀମାନେ ହତ୍ୟା କରିବାରେ ସଫଳ ହେଲେ। ଏପରିକି ଯୋଉଁମାନେ ଏହି ମାମଲରେ ଗିରଫ ହୋଇଥିଲେ ସେମାନେ ପ୍ରମାଣ ଅଭାବରୁ ନିକଟରେ କୋର୍ଟରୁ ଖଲାସ ହୋଇଛନ୍ତି।
ସେହି ସମୟରେ ଆରଏସଏସ (RSS) ଏବଂ ସଂଘ ପରିବାର ପକ୍ଷରୁ ପ୍ରବଳ ଚାପ ଥିଲା ଯେ ବିଜେପି ଏହି ସରକାରରୁ ନିଜର ସମର୍ଥନ ପ୍ରତ୍ୟାହାର କରିନେଉ। କିନ୍ତୁ ଇତିହାସ କହେ, ସେତେବେଳେ ବିଜେପିର ତିନିଜଣ ବରିଷ୍ଠ ମନ୍ତ୍ରୀ ଏହି ସମର୍ଥନ ପ୍ରତ୍ୟାହାରକୁ ଦୃଢ଼ ବିରୋଧ କରିଥିଲେ ଏବଂ ନିଜର ମନ୍ତ୍ରୀ ପଦକୁ ସୁରକ୍ଷା ଦେବା ପାଇଁ ମେଣ୍ଟ ଭାଙ୍ଗିବାକୁ ଦେଇନଥିଲେ।

ପରେ ଯେତେବେଳେ ପରିସ୍ଥିତି ବଦଳିଲା ଏବଂ ବିଜେଡି ନିଜେ ମେଣ୍ଟ ଭାଙ୍ଗିଲା, ସେତେବେଳେ ସଂଘ ପରିବାର ଆଉ ବିଜେପିକୁ ପୂର୍ବଭଳି ସହଜରେ ଗ୍ରହଣ କଲା ନାହିଁ। ଫଳସ୍ୱରୂପ, ବିଜେପିକୁ ଓଡ଼ିଶାରେ ଦୀର୍ଘ ୧୫ ବର୍ଷ ଧରି ବିରୋଧୀ ଦଳରେ ରହିବାକୁ ପଡ଼ିଲା ଏବଂ ଶେଷରେ ୨୦୨୪ ମସିହାରେ ଦଳ ସରକାରକୁ ଆସିଲା। କିନ୍ତୁ ପ୍ରଶ୍ନ ଉଠୁଛି, ୧୫ ବର୍ଷର ବ୍ୟବଧାନ ପରେ ଯେତେବେଳେ ବିଜେପି କ୍ଷମତାକୁ ଆସିଲା, ତେବେ ସ୍ୱାମୀଜୀଙ୍କ ହତ୍ୟାକାଣ୍ଡର ତଦନ୍ତ ରିପୋର୍ଟ ହଜିଯିବା କଥା ଦୁଇ ବର୍ଷ ପରେ କେମିତି ଜାଣିବାକୁ ପାଇଲା?
ଥାନା ଏତଲା, ନୋଟିସ ଏବଂ ପାଣ୍ଡିଆନଙ୍କ ନାଁ
ବିଜେପି ସରକାରକୁ ଆସିବାର ଦୁଇ ବର୍ଷ ପରେ ଏହା ସାମ୍ନାକୁ ଆସିଲା ଯେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡର ତଦନ୍ତ ରିପୋର୍ଟ ବା ଫାଇଲ୍ ହିଁ ହଜିଯାଇଛି! ଏହାକୁ ନେଇ କ୍ୟାପିଟାଲ ଥାନାରେ ଏତଲା ଦିଆଗଲା ଏବଂ ପୋଲିସ ତଦନ୍ତ ଆରମ୍ଭ କଲା।
ତଦନ୍ତ ବେଳେ ଯେଉଁ ନାଁଗୁଡ଼ିକ ସାମ୍ନାକୁ ଆସିଲା, ତାହା ସମସ୍ତଙ୍କୁ ଚକିତ କରିଦେଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟର ଦୁଇଜଣ ପ୍ରମୁଖ ବ୍ୟକ୍ତି—ଯଥା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଏବଂ ଉପେନ୍ଦ୍ରନାଥ ବେହେରା—ଏବଂ ସେ ସମୟର ଆଇଟି ସଚିବ ମନୋଜ ମିଶ୍ରଙ୍କୁ ଥାନାରେ ହାଜର ହେବା ପାଇଁ ନୋଟିସ ଜାରି କରାଗଲା।
କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା, ମନୋଜ ମିଶ୍ର ଥାନାରେ ହାଜର ହୋଇଥିବାବେଳେ, ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଏବଂ ଉପେନ୍ଦ୍ରନାଥ ବେହେରା “ଆମ ପାଖରେ ସମୟ ନାହିଁ” କହି ଏହି ନୋଟିସକୁ ଏଡ଼ାଇ ଚାଲିଲେ। ସବୁଠାରୁ ବଡ଼ ଦୁର୍ଭାଗ୍ୟର କଥା ଏହା ଯେ, ଏହାପରେ ପୋଲିସ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ଆଉ କୌଣସି ପଦକ୍ଷେପ ନିଆଗଲା ନାହିଁ। ସତେ ଯେମିତି ନୋଟିସ ପଠାଇ ଦେଇ ସେମାନେ ନିଜର ଦାୟିତ୍ୱ ନିର୍ବାହ କରିଦେଲେ।
ଏହି ଘଟଣା ପରେ ହିଁ ରାଜ୍ୟର ସାଧାରଣ ଜନତା ଏବଂ ବିଜେପିର କର୍ମୀମାନଙ୍କ ଭିତରେ ଚର୍ଚ୍ଚା ଜୋର ଧରିଛି ଯେ, ବିଜେପି ସରକାର ପ୍ରକୃତରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଭୟ କରୁଛି କି? ଏ କଥା ଆଲୋଚନା ହେବାର କାରଣ ହେଉଛି ନିର୍ବାଚନ ପରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ କୋଟେରୀ ଗ୍ରୁପର ଅଫିସରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ସେମାନଙ୍କୁ କେନ୍ଦ୍ରୀୟ ଡେପୁଟେସରେ ପଠାଇ ସେମାନଙ୍କୁ ପୁରସ୍କୃତ କରାଇଛି। ତେଣୁ ଏହି କଥାରୁ ଜଣାପଡ଼ୁଛି ଯେ ବିଜେପି ନେତାମାନେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ବୋଧହୁଏ ଡରି ଏଭଳି ପଦକ୍ଷେପ ନେଇ ତାଙ୍କୁ ଖୁସି କରାଇବା ପାଇଁ ଲାଗିପଡ଼ିଛନ୍ତି।
ସିବିଆଇ ଛାଡ଼, ନବୀନ ନିବାସ ଏବଂ ଦିଲ୍ଲୀ ଗସ୍ତ
ଆସନ୍ତୁ ଟିକେ ପଛକୁ ଫେରି ଦେଖିବା। ଅତୀତରେ ଯେତେବେଳେ ଚିଟ୍ଫଣ୍ଡ ମାମଲାରେ ସିବିଆଇ ତଦନ୍ତ କରୁଥିଲା, ସେତେବେଳେ ସିବିଆଇ ଅଧିକାରୀମାନେ ସିଧାସଳଖ ନବୀନ ପଟ୍ଟନାୟକଙ୍କ କର୍ମଚାରୀଙ୍କୁ ଜେରା କରିବା ପାଇଁ ନବୀନ ନିବାସ ଭିତରେ ପଶିଥିଲେ। ସେତେବେଳେ ଏହା ଏକ ବହୁତ ବଡ଼ ରାଜନୈତିକ ଭୂକମ୍ପ ସୃଷ୍ଟି କରିଥିଲା।
କିନ୍ତୁ ସେହି ଘଟଣା ପରେ ହଠାତ୍ କ’ଣ ହେଲା? ନବୀନ ପଟ୍ଟନାୟକ ଦିଲ୍ଲୀରେ ଯାଇ ବିଜେପିର କେନ୍ଦ୍ରୀୟ ନେତାମାନଙ୍କ ସହିତ କ’ଣ ଗୁପ୍ତ ମନ୍ତ୍ରଣା କଲେ ଯେ, ସିବିଆଇ ଆଉ କେବେ ମଧ୍ୟ ନବୀନ ନିବାସର ଗେଟ୍ ପାଖ ରାସ୍ତାକୁ ମଧ୍ୟ ମାଡ଼ିଲା ନାହିଁ?
ଠିକ୍ ସେହିପରି, ଯେତେବେଳେ ଏବେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ହାଜର ହେବା ପାଇଁ ପୋଲିସ ସମନ ଜାରି କଲା, ଠିକ୍ ସେହି ସମୟରେ ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ପୁଣି ଥରେ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଲୋକମାନେ କହୁଛନ୍ତି ଯେ, ଏହି ଗସ୍ତ କାଳରେ କେନ୍ଦ୍ରୀୟ ନେତାଙ୍କ ସହିତ କିଛି ଗୁପ୍ତ ବୁଝାମଣା ହୋଇଛି, ଯେଉଁଥିପାଇଁ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ତଦନ୍ତର ଫାଇଲ୍ ଚୋରି ମାମଲା ଏବେ ଥଣ୍ଡା ପଡ଼ିଯାଇଛି ଏବଂ ଆଗକୁ ବଢ଼ୁନାହିଁ।
ସଂଘ ପରିବାରର ଅସନ୍ତୋଷ
ଏସବୁ ପଛରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା—ସଂଘ ପରିବାର। ଯେଉଁ ସଂଘ ପରିବାର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନକୁ ଆଧାର କରି ଦୀର୍ଘ ବର୍ଷ ଧରି ଲଢ଼େଇ କରିଆସୁଛି, ଆଜି ସେହି ସଂଘ ପରିବାର ଭିତରେ ବିଜେପି ସରକାରଙ୍କ ଏଭଳି ନରମ ଆଭିମୁଖ୍ୟକୁ ନେଇ ତୀବ୍ର ଅସନ୍ତୋଷ ଏବଂ କ୍ଷୋଭ ଦେଖାଦେଇଛି।
ଲୋକ ଦେଖାଣିଆ ଭାବେ ସ୍ୱାମୀଜୀଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଉଛି, କିନ୍ତୁ ଯେତେବେଳେ ନ୍ୟାୟ ଦେବା ପାଇଁ କାର୍ଯ୍ୟାନୁଷ୍ଠାନର ପ୍ରଶ୍ନ ଆସୁଛି, ସେତେବେଳେ ସରକାର ପାଦ ପଛକୁ ଟାଣି ନେଉଛନ୍ତି। ଏହା କେବଳ ଏକ ଫାଇଲ୍ ଚୋରି ମାମଲା ନୁହେଁ, ଏହା ଓଡ଼ିଶାର କୋଟି କୋଟି ହିନ୍ଦୁ ଏବଂ ଧର୍ମପ୍ରାଣ ଜନସାଧାରଣଙ୍କ ଭାବବେଗ ସହିତ ଜଡ଼ିତ ଏକ ବଡ଼ ବିଶ୍ୱାସଘାତକତା ।
also read
https://purvapaksa.com/what-are-they-doing/


