୨୦୨୪ ମସିହା… ଓଡ଼ିଶାରେ ଏକ ବଡ଼ ପରିବର୍ତ୍ତନର ବର୍ଷ ଥିଲା। ଦୀର୍ଘ ବର୍ଷର ଶାସନ ପରେ ରାଜ୍ୟରେ ବିଜେପି ସରକାର ଗଢ଼ିଲା। ଲୋକମାନେ ବହୁତ ଆଶା ନେଇ, ବହୁତ ଭରସା ନେଇ ପଦ୍ମ ଚିହ୍ନରେ ଭୋଟ୍ ଦେଲେ। କିନ୍ତୁ ଆଜି ସ୍ଥିତି କ’ଣ ହୋଇଛି ଜାଣିଛନ୍ତି ? ବିଜେପି ସରକାର କ୍ଷମତାକୁ ଆସିବା ପର ଠାରୁ ସତେ ଯେମିତି ଏହି ଦଳଟି କେବଳ ଲୋକଙ୍କ ଦୃଷ୍ଟିରେ ନିନ୍ଦିତ ହେବା ପାଇଁ ଜନ୍ମ ହୋଇଛି ! ଆଶ୍ଚର୍ଯ୍ୟ ଲାଗୁଛି ଶୁଣିବାକୁ, କିନ୍ତୁ ଏହାହିଁ କଡ଼ା ସତ୍ୟ।
ଦଳର ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ଆଜି ଯେମିତି ନୀରବ ଦ୍ରଷ୍ଟା ସାଜିଛନ୍ତି, ତାହା ଦେଖିଲେ ଲାଗୁଛି ଯେ ଏହି ନେତାମାନେ ବୋଧହୁଏ ଦଳକୁ କୌଣସି ଦୟା କରୁଛନ୍ତି ! ଆଜି ଦଳର ଦୟାରୁ ଏହି ନେତାମାନେ ନିର୍ବାଚନ ଜିତି ଦେଶ ଓ ରାଜ୍ୟର ମାନ୍ୟଗଣ୍ୟ, ମାନ୍ୟବର ହୋଇଛନ୍ତି; ହେଲେ ଆଜି ସେମାନେ ସେହି ଦଳ କଥାଟିକୁ, ସେହି ତୃଣମୂଳ କର୍ମୀଙ୍କ କଥାଟିକୁ ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି। ନିର୍ବାଚନ ଜିତିବା ଆଗରୁ ଯେଉଁମାନେ କର୍ମୀଙ୍କ ପାଦ ଧୋଇ ପିଉଥିଲେ, ଆଜି ସେମାନେ ନିର୍ବାଚନ ସରିବା ପରେ କର୍ମୀଙ୍କୁ ଭୁଲିଗଲେ ଏବଂ ଏବେ ସ୍ୱୟଂ ଦଳକୁ ହିଁ ଭୁଲିବା ଆରମ୍ଭ କରିଦେଲେଣି!

ଦେଖନ୍ତୁ, ଗୋଟିଏ ସରକାର ଯେତେବେଳେ କାମ କରେ, ସେତେବେଳେ ତାର ଭଲ କାମଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବା କାହାର ଦାୟିତ୍ୱ? କେବଳ ମୁଖ୍ୟମନ୍ତ୍ରୀ କିମ୍ବା ମୁଖ୍ୟପାତ୍ର କହିବେ? ନାଁ ! ଯେଉଁମାନେ ସାଂସଦ, ବିଧାୟକ, ମନ୍ତ୍ରୀ ଅଛନ୍ତି, ସେମାନଙ୍କର ବି କିଛି ଦାୟିତ୍ୱ ଅଛି। କିନ୍ତୁ ଦୁର୍ଭାଗ୍ୟର କଥା, ବିଜେପି ସରକାର ଯାହା ବି ଭଲ କାମ କରୁଛି, ତା’ର ପ୍ରଶଂସା ପାଇବା ପରିବର୍ତ୍ତେ ସରକାରଙ୍କୁ କେବଳ ନିନ୍ଦା ଶୁଣିବାକୁ ପଡ଼ୁଛି । କିନ୍ତୁ କାହିଁକି? କାରଣ ଦଳର ନେତାମାନେ ନିଜ ନିଜ ମଧ୍ୟରେ ଏମିତି ବ୍ୟସ୍ତ ଯେ, ସରକାରଙ୍କ ଭଲ କାମକୁ ପ୍ରଶଂସା କରିବା ତ ଦୂରର କଥା, ତାହାକୁ ମତଦାତାଙ୍କ ନିକଟରେ ପହଞ୍ଚାଇବା କଥାକୁ ସେମାନେ ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି । –ଚାଲନ୍ତୁ, ଜଣଙ୍କ ପରେ ଜଣଙ୍କୁ ନେଇ ଟିକିଏ ଖୋଳାତାଡ଼ କରିବା। ଆମ ରାଜଧାନୀ ଭୁବନେଶ୍ୱରର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଦେଖନ୍ତୁ। ସେ ନିଜର ଛୋଟମୋଟ ସାମାଜିକ କାମଗୁଡ଼ିକୁ ସାମାଜିକ ଗଣମାଧ୍ୟମରେ ବହୁଳ ମାତ୍ରାରେ ପ୍ରଚାର କରନ୍ତି। କରିବା ବି ଉଚିତ, ଏଥିରେ କୌଣସି ଦ୍ୱିମତ ନାହିଁ। ଜଣେ ଜନପ୍ରତିନିଧି ଭାବେ ସେ ନିଜ କାମ ଦେଖାଇବେ। କିନ୍ତୁ ଆପଣମାନେ କେବେ ଦେଖିଛନ୍ତି କି, ଅପରାଜିତା ଷଡ଼ଙ୍ଗୀ କେବେ ରାଜ୍ୟ ସରକାରଙ୍କ କୌଣସି ଭଲ କାମକୁ ପ୍ରଶଂସା କରିଛନ୍ତି? ରାଜ୍ୟରେ ନିଜ ଦଳର ସରକାର ଥାଇ ମଧ୍ୟ ସତେ ଯେପରି ରାଜ୍ୟ ସରକାର ତାଙ୍କ ପାଇଁ କୌଣସି ଗୁରୁତ୍ୱ ରଖୁନାହାନ୍ତି! ସେ କେବଳ ନିଜସ୍ୱ ପ୍ରଚାର ପ୍ରସାର ପଛରେ ବ୍ୟସ୍ତ।
ଏ ତ ଗଲା ଅପରାଜିତାଙ୍କ କଥା। ଏବେ ଆସିବା ଆଉ ଜଣେ ପ୍ରମୁଖ ଚେହେରାଙ୍କ ଉପରକୁ— ଯେ ବିଜେଡି ଛାଡ଼ି ବିଜେପିକୁ ଆସିଲେ ଏବଂ ଦଳରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବହନ କରୁଛନ୍ତି, ସେ ହେଉଛନ୍ତି ବୈଜୟନ୍ତ ପଣ୍ଡା (ଜନସାଧାରଣଙ୍କ ଭାଷାରେ ଜୟ ପଣ୍ଡା)। ସେ ଦେଶର ଗଣମାଧ୍ୟମ ଜଗତରେ ଜଣେ ଅତିପ୍ରିୟ ଓ ଜଣାଶୁଣା ନେତା। ଜାତୀୟ ସ୍ତରରେ ତାଙ୍କର ଦୃଢ଼ ପହଞ୍ଚ ରହିଛି। ସେ ଯଦି ଚାହାଁନ୍ତେ, ତେବେ ଓଡ଼ିଶା ସରକାରଙ୍କ ପକ୍ଷକୁ, ସରକାରଙ୍କ ନୀତି ଓ ନିଷ୍ପତ୍ତିକୁ ଜାତୀୟ ଗଣମାଧ୍ୟମଠାରୁ ଆରମ୍ଭ କରି ରାଜ୍ୟର ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବେଶ୍ ସହଜରେ ପ୍ରଚାର କରିପାରନ୍ତେ। କିନ୍ତୁ ଆଜି ସେ କାହିଁକି ଏମିତି ନୀରବ ଅଛନ୍ତି? ତାଙ୍କର ଏହି ନୀରବତା ପଛର ରହସ୍ୟ କ’ଣ? ଏହାର ଉତ୍ତର ସେ ନିଜେ ହିଁ ଭଲ ଭାବେ ଦେଇପାରିବେ।

ଆଉ ଜଣେ ଚର୍ଚ୍ଚିତ ଚେହେରା ହେଲେ, ବିଜେଡି ଛାଡ଼ି ବିଜେପିକୁ ଆସିଥିବା ସୁଜିତ କୁମାର। ପୁଣିଥରେ ସେ ରାଜ୍ୟସଭାକୁ ମନୋନୀତ ମଧ୍ୟ ହୋଇଛନ୍ତି। ମନେପକାନ୍ତୁ, ପୂର୍ବରୁ ସେ ବିଜେଡିର ସାମାଜିକ ଗଣମାଧ୍ୟମ ଏବଂ ଆଇଟି ସେଲ୍କୁ କିପରି ସୁଚାରୁରୂପେ ପରିଚାଳନା କରାଯିବ, ସେହି ବଡ଼ ଦାୟିତ୍ୱରେ ଥିଲେ । ବିଜେପିର ଆଇଟି ଓ ସୋସିଆଲ ମିଡିଆ ରଣନୀତିକୁ ସଜାଡ଼ିବା ପାଇଁ ତାଙ୍କୁ ଦଳରେ ନିଆଗଲା। କିନ୍ତୁ ବିଜେପିକୁ ଆସିବା ପରେ ବୋଧହୁଏ ସେ ପୁରୁଣା ବିଦ୍ୟା ସବୁ ପାସୋରି ଦେଇଛନ୍ତି ! ଆଜି ବିଜେପି ସରକାର ବିରୋଧରେ ବିରୋଧୀମାନେ ସୋସିଆଲ ମିଡିଆରେ ଯେଉଁ ଝଡ଼ ସୃଷ୍ଟି କରୁଛନ୍ତି, ସେଥିରୁ ସରକାରଙ୍କୁ ରକ୍ଷା କରିବା ପାଇଁ ସୁଜିତ କୁମାରଙ୍କ ସେହି ପୁରୁଣା ଅଭିଜ୍ଞତା କାହିଁକି ନଜର ଆସୁନାହିଁ?
ସେହିପରି ବିଜେଡିର ଆଉଜଣେ ଅତି ପ୍ରଭାବଶାଳୀ ନେତା ତଥା ଆଇଟି ସେଲ୍ର ମୁଖିଆ ଥିଲେ ଅମର ପଟ୍ଟନାୟକ। ସେ ବି ଆଜି ବିଜେପିରେ। ଆଜି ଯେତେବେଳେ ବିଜେଡି ଏବଂ କଂଗ୍ରେସର ଆଇଟି ସେଲ୍ ମାଧ୍ୟମରେ ରାଜ୍ୟ ସରକାରଙ୍କୁ କଡ଼ାରୁ କଡ଼ା ସମାଲୋଚନା କରାଯାଉଛି, ପ୍ରତିଦିନ ସରକାରଙ୍କୁ କାଠଗଡ଼ାରେ ଠିଆ କରାଯାଉଛି, ସେତେବେଳେ ଅମର ପଟ୍ଟନାୟକ କାହିଁକି ଏତେ ନୀରବ? ଅର୍ଥାତ୍ ପାଣିରେ ଥାଇ ମାଛ ପରୀକ୍ଷା କଲା ଭଳି କଥା!
ଆଉ ଏକ ଆଶ୍ଚର୍ଯ୍ୟଜନକ କଥା ଦେଖନ୍ତୁ। ନିର୍ବାଚନ ପୂର୍ବରୁ ଯେଉଁ ନେତାମାନେ ପ୍ରତି କଥାରେ ବିଜେଡିର ଲେଖା ଛିଡ଼େଇବା କଥା କହୁଥିଲେ, ଗଣମାଧ୍ୟମ ସାମ୍ନାରେ ବିଜେଡିକୁ ପାଣି ପିଆଉଥିଲେ— ସେହି ପୂର୍ବତନ ବିଜେଡି ନେତା ତଥା ଏବକାର ବ୍ରହ୍ମପୁରର ବିଜେପି ସାଂସଦଙ୍କ ମୁହଁରେ ଏବେ କିଏ ତାଲା ପକାଇ ଦେଇଛି? ନିର୍ବାଚନ ଜିତିବା ପରେ ସେ ସରକାରୀ କାମ ଉପରେ ଅସନ୍ତୋଷ ପ୍ରକାଶ କରି ଚିଠି ଲେଖୁଛନ୍ତି, ନିଜ ସରକାରଙ୍କୁ କଟୁକଥା କହୁଛନ୍ତି; କିନ୍ତୁ ଯେତେବେଳେ ବିରୋଧୀଙ୍କୁ କାଉଣ୍ଟର କରିବାର କଥା ଆସେ, ସେତେବେଳେ ଯେମିତି ତାଙ୍କର ସମସ୍ତ ଶକ୍ତି ଅପହରଣ ହୋଇଯାଇଛି!
କେବଳ ସେତିକି ନୁହେଁ, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ, କଳାହାଣ୍ଡି ସାଂସଦ ମାଳବିକା ଦେବୀଙ୍କ ଭଳି ବରିଷ୍ଠ ନେତ୍ରୀମାନେ ମଧ୍ୟ ଆଜି କାହିଁକି ଏତେ ଚୁପ୍? ସେମାନଙ୍କର ଏହି ନୀରବତା ପଛରେ କେଉଁ କାରଣ ଲୁଚି ରହିଛି? ଏବେ ଓଡ଼ିଶାର ରାଜନୈତିକ କରିଡରରେ ଏହାକୁ ନେଇ କେବଳ ଚର୍ଚ୍ଚା ଆଉ ଆଲୋଚନା ଚାଲିଛି।
ବର୍ତ୍ତମାନ ଆସିବା ଏକ ବଡ଼ ଓ ରୋଚକ ପରିସ୍ଥିତି ଉପରକୁ। ଦେଖନ୍ତୁ, ରାଜନୀତି କେତେ ରୋଚକ! ନିର୍ବାଚନ ସମୟରେ ଯେଉଁମାନଙ୍କୁ ବିଜେପିରୁ ଟିକେଟ୍ ମିଳିଲା ନାହିଁ, ଯେଉଁମାନେ ଦଳରୁ ଅସନ୍ତୁଷ୍ଟ ହୋଇ ଲେଖାଶ୍ରୀ ସାମନ୍ତସିଂହାର ଏବଂ ଭୃଗୁ ବକ୍ସିପାତ୍ରଙ୍କ ଭଳି ନେତା ବିଜେଡିକୁ ଚାଲିଗଲେ— ଆଜି ସେମାନଙ୍କ ଅବସ୍ଥା କ’ଣ ଦେଖୁଛନ୍ତି?
/odishatv/media/post_attachments/uploadimage/library/16_9/16_9_0/Bhrugu_1626933620.jpg)
ଆଜି ସେହି ଦଳରେ ଯାଇ ସେମାନେ ବିଜେଡି ପାଇଁ ବଡ଼ ‘ଆସେଟ୍’ ବା ସମ୍ପତ୍ତି ପାଲଟି ଯାଇଛନ୍ତି! ଆଶ୍ଚର୍ଯ୍ୟର କଥା ହେଲା, ଆଜି ସେମାନେ ବିଜେପିକୁ ପ୍ରତିଟି କଥାରେ, ବିଜେଡିର ମୂଳ ନେତାଙ୍କ ଅପେକ୍ଷା ଅଧିକ କଡ଼ା ଏବଂ ଆକ୍ରମଣାତ୍ମକ ଢଙ୍ଗରେ ସମାଲୋଚନା କରୁଛନ୍ତି। ବିଜେପି ସରକାରର ପ୍ରତ୍ୟେକଟି ଭୁଲ୍କୁ ସେମାନେ ଏମିତି ଲୋକଙ୍କ ଆଗରେ ଖୋଲି ଦେଉଛନ୍ତି ଯେ, ତାହାର ଜବାବ ଦେବା ପାଇଁ ଶାସକ ଦଳ ବିଜେପି ନେତାଙ୍କ ପାଖରେ ଆଜି ନା ଅଛି ଠିକ୍ ଉତ୍ତର, ନା ଅଛନ୍ତି ସେହି ସ୍ତରର ମୁହଁ ଖୋଲିବା ଭଳି ଦମଦାର ନେତା!
ତେବେ ଦର୍ଶକବନ୍ଧୁ, ପ୍ରଶ୍ନ ଉଠୁଛି— ଆଜି ବିଜେପି ସରକାର କ’ଣ କେବଳ କାଗଜପତ୍ରରେ ଚାଲିଛି? ନା ନେତାମାନେ କେବଳ ନିଜ ନିଜର ଗୋଷ୍ଠୀ କନ୍ଦଳ ଏବଂ ନିଜର ବ୍ୟକ୍ତିଗତ ପ୍ରଚାରରେ ମଜ୍ଜି ରହିଛନ୍ତି? ଯଦି ଶାସକ ଦଳର ବଡ଼ ବଡ଼ ନେତା, ସାଂସଦ ଏବଂ ମନ୍ତ୍ରୀମାନେ ଏହିପରି ଭାବରେ ନୀରବ ରୁହନ୍ତି ଏବଂ ବିରୋଧୀଙ୍କ ଆକ୍ରମଣର କୌଣସି ଜବାବ ନ ଦିଅନ୍ତି, ତେବେ ଆଗାମୀ ଦିନରେ ଏହି ସରକାରର ଭାଗ୍ୟ କ’ଣ ହେବ, ତାହା ସହଜରେ ଅନୁମେୟ।ଲୋକେ ଆଶା କରିଥିଲେ ପରିବର୍ତ୍ତନ, କିନ୍ତୁ ନେତାଙ୍କ ଏପରି ବଦାନ୍ୟତା ଓ ନୀରବତା ଦେଖିଲା ପରେ ଲାଗୁଛି— ରାଜ୍ୟରେ ସରକାର ବଦଳିଛି, ହେଲେ ନେତାଙ୍କ ମାନସିକତା ଏବଂ ଜନସାଧାରଣଙ୍କ ପ୍ରତି ଥିବା ଦାୟିତ୍ୱବୋଧ ଆଜି ମଧ୍ୟ ଅନ୍ଧାରରେ!
also read


