ଆପଣମାନେ ଗାଁ ଗହଳିରେ ଏକ ବହୁ ପୁରୁଣା ଏବଂ ଖୁବ୍ ଜଣାଶୁଣା କଥା ନିଶ୍ଚୟ ଶୁଣିଥିବେ— “ଚୋର ଗଲା ପରେ ଚେତା ପଶେ”। ଅର୍ଥାତ୍ ଘରେ ସବୁକିଛି ଚୋରି ହୋଇସାରିବା ପରେ, ସର୍ବସ୍ୱାନ୍ତ ହେଲା ପରେ ଚେତା ପଶିବା। ଠିକ୍ ଏହି ପ୍ରବାଦଟି ଆଜି ଓଡ଼ିଶାର ରାଜନୀତିରେ, ବିଶେଷ କରି ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି)ର ଆଜିର ଆନ୍ଦୋଳନକୁ ଦେଖିଲା ପରେ ପୂର୍ଣ୍ଣମାତ୍ରାରେ ପ୍ରଯୁଜ୍ୟ ହେଉଛି।
ଆଜି ରାଜଧାନୀ ଭୁବନେଶ୍ୱରର ଗାନ୍ଧୀମାର୍ଗରେ ଯାହା ଦେଖିବାକୁ ମିଳିଲା, ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା। ଏମଏମଡିଆର (MMDR) ଆକ୍ଟ ବା ଖଣି ଆଇନରେ ସଂଶୋଧନ ଆସିସାରିବା ପରେ, କେନ୍ଦ୍ର ସରକାର ଏହାକୁ ଆଇନରେ ପରିଣତ କରିସାରିଲା ପରେ, ଏବେ ବିଜେଡିର ହଠାତ୍ ନିଦ ଭାଙ୍ଗିଛି। ଦଳର ମନେ ପଡ଼ିଛି ଯେ, ଓଡ଼ିଶାର ଏତେ ଲକ୍ଷ ଲକ୍ଷ ଟଙ୍କା କ୍ଷତି ହୋଇଯିବ, ଓଡ଼ିଶାର ଖଣି ସବୁ ଚାଲିଯିବ!
ଓଡ଼ିଶାର ହକ ପାଇଁ, ଓଡ଼ିଶାର ସ୍ୱାର୍ଥ ପାଇଁ ଯଦି ଏଭଳି ଏକ ବିଶାଳ ଆନ୍ଦୋଳନ ହୋଇଥାନ୍ତା, ତେବେ ତାହାକୁ ନିଶ୍ଚିତ ଭାବେ ସ୍ୱାଗତ କରାଯାଇଥାନ୍ତା। କିନ୍ତୁ ପ୍ରଶ୍ନ ଏଠାରେ ଉଠୁଛି— ଏବେ ଏହି ଆନ୍ଦୋଳନ କରିବାର ଲାଭ କ’ଣ?
ଜମିବାଡ଼ି କିମ୍ବା ଘରୁ ସବୁ ଜିନିଷ ଚୋରି ହୋଇଗଲା ପରେ ଯେମିତି “ଚୋର ଚୋର” ବୋଲି ପାଟି କରି ରାସ୍ତାକଡ଼ରେ ଗୁହାରି କରାଯାଏ, ଆଜିର ବିଜେଡିର ସ୍ଥିତି ଠିକ୍ ସେହିପରି ହୋଇଛି। ଯେତେବେଳେ କେନ୍ଦ୍ର ସରକାର ଏହି ଆଇନ ଆଣୁଥିଲେ, ସେତେବେଳେ ସବୁକିଛି ଜାଣିଶୁଣି ବିଜେଡି ନେତାମାନେ କାହିଁକି ଚୁପ୍ ବସିଥିଲେ? ସେତେବେଳେ କାହିଁକି ବିରୋଧ କରାଗଲା ନାହିଁ?
ଆଜି ଯେତେବେଳେ ପାଣି ମୁଣ୍ଡ ଉପରକୁ ଚାଲିଗଲାଣି, ଆଇନ କଡ଼ାକଡ଼ି ହୋଇଗଲାଣି, ସେତେବେଳେ ରାଜଧାନୀରେ ଶକ୍ତି ପ୍ରଦର୍ଶନ କରି କେବଳ ଓଡ଼ିଶାବାସୀଙ୍କୁ ଏହା ଦେଖାଇବା ପାଇଁ କୁହାଯାଉଛି ଯେ— “ଦେଖନ୍ତୁ, ଆମେ ବିଜେପି ସରକାରଙ୍କ ବିରୋଧରେ ଲଢୁଛୁ!” ଆରେ ଭାଇ, ଯେତେବେଳେ ଖାଉଥିଲେ ଅର୍ଥାତ୍ ଯେତେବେଳେ ନୀତିଗୁଡ଼ିକ ତିଆରି ହେଉଥିଲା, ସେତେବେଳେ ଆପଣମାନଙ୍କର ନୀରବତା କାହା ସ୍ୱାର୍ଥରେ ଥିଲା?
ଏହି ଆନ୍ଦୋଳନର ଆଉ ଏକ ଆକର୍ଷଣ ଥିଲା ନବୀନ ନିବାସରୁ ଶଙ୍ଖ ଭବନ ଦେଇ ଗାନ୍ଧୀ ମାର୍ଗରେ ପହଞ୍ଚିଥିବା ମାଡାମ ସୁଜାତାଙ୍କ ଉପସ୍ଥିତି। ସେ ଆସିଲେ, ବଢ଼ିଆ ଭାଷଣଟିଏ ମଧ୍ୟ ଦେଲେ। କର୍ମୀମାନେ ତାଳି ମାରିଲେ।
କିନ୍ତୁ ପ୍ରଶ୍ନ ହେଉଛି— ଏସବୁ କରି ବାସ୍ତବରେ ମିଳିଲା କ’ଣ? ଯଦି ଏହାର ଉଦ୍ଦେଶ୍ୟ କେବଳ ନିଜ ଦଳର ନିରାଶ ହୋଇଯାଇଥିବା କର୍ମୀମାନଙ୍କୁ ଟିକେ ଉତ୍ସାହିତ କରିବା, ତେବେ ଏହା ସମ୍ଭବତଃ ସଫଳ ହୋଇପାରେ। କିନ୍ତୁ ଓଡ଼ିଶାର ସାଧାରଣ ଜନତାଙ୍କ ଭାଗ୍ୟ ବଦଳାଇବା କ୍ଷେତ୍ରରେ ଏହାର କୌଣସି ପ୍ରଭାବ ପଡ଼ିବ କି? ଆଜିର ଏହି ଆନ୍ଦୋଳନ ଯଦି ଆଇନ ପ୍ରଣୟନ ହେବା ପୂର୍ବରୁ କରାଯାଇଥାନ୍ତା, ତେବେ ନିଶ୍ଚିତ ଭାବେ କେନ୍ଦ୍ର ସରକାରଙ୍କ ଉପରେ ଏକ ବଡ଼ ଚାପ ସୃଷ୍ଟି ହୋଇପାରିଥାନ୍ତା।
କିନ୍ତୁ ଏବେ ଏହାକୁ ଦେଖିଲା ପରେ ଗୋଟିଏ ପ୍ରବାଦ ମନକୁ ଆସେ— “ଏ ଘର ମାଉସୀ, ସେ ଘର ପିଉସୀ” ନୀତିରେ କାମ ଚାଲିଛି। ଭିତରେ ଭିତରେ ବୁଝାମଣା ରଖି ବାହାରେ କେବଳ ଲୋକ ଦେଖାଣିଆ ବିରୋଧ ପ୍ରଦର୍ଶନ କରିବା କେତେଦୂର ଯୁକ୍ତିଯୁକ୍ତ? ବୋଧହୁଏ ବିଜେଡି ଏବେ ଇଣ୍ଡିମେଣ୍ଟକୁ ଯିବା ପାଇଁ ଏହିସବୁ ନାଟକ ଆରମ୍ଭ କରିଛି।
କେବଳ ଖଣି କିମ୍ବା ଆନ୍ଦୋଳନ ନୁହେଁ, ସମାନ ସ୍ଥିତି ଦେଖିବାକୁ ମିଳିଛି ରାଜ୍ୟର ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ମଧ୍ୟ। ପାଠ୍ୟପୁସ୍ତକରେ ଯେତେବେଳେ ବଡ଼ ଧରଣର ଭୁଲ୍ ସାମ୍ନାକୁ ଆସିଲା, ସେତେବେଳେ ଆଟାକିଂ ମୋଡ୍କୁ ବା ଆକ୍ରମଣାତ୍ମକ ଭୂମିକାକୁ ନ ଆସି, କେବଳ ବିଧାନସଭା ଭିତରେ କିଛି ସମୟ ହୋ-ହାଲା କରି ନୀରବ ରହିଯିବା କାହାର ଇସାରା?
ଲୋକଙ୍କୁ ଏହା ଦେଖାଇବା ପାଇଁ ଯେ ଆମେ ଖୁବ୍ ଜୋରଦାର ବିରୋଧ କରୁଛୁ, କିନ୍ତୁ ପରସ୍ପର ସହ ସମ୍ପର୍କ ମଧ୍ୟ ଭଲ ରହୁ— ଏହି ଦ୍ୱିମୁଖୀ ନୀତି ଆଜି ବିଜେଡିର ପ୍ରକୃତ ମୁଖାକୁ ଖୋଲିଦେଉଛି। ଲୋକେ ଏବେ ବୁଝିଗଲେଣି ଯେ ବିଜେପି ବିରୋଧରେ ପ୍ରକୃତ ଲଢ଼େଇ ଏବଂ ଲୋକ ଦେଖାଣିଆ ଆନ୍ଦୋଳନ ଭିତରେ କେତେ ପାର୍ଥକ୍ୟ ରହିଛି।
ଶେଷରେ କହିବାକୁ ଗଲେ, ରାଜନୀତିରେ ବିରୋଧୀ ଦଳର କାମ ହେଉଛି ସରକାରଙ୍କ ପ୍ରତ୍ୟେକଟି ଜନବିରୋଧୀ ନୀତିକୁ ସମୟ ଥାଉଁଥାଉ ବିରୋଧ କରିବା। କିନ୍ତୁ ସବୁକିଛି ହରାଇ ସାରିବା ପରେ, ଚୋର ପଳାଇଲା ପରେ ଠେଙ୍ଗା ମାରିବା କୌଣସି ଦୂରଦୃଷ୍ଟିସମ୍ପନ୍ନ ରାଜନୈତିକ ଦଳର ପରିଚୟ ଦିଏ ନାହିଁ। ଆଜିର ଏହି ବିଜେଡି ଆନ୍ଦୋଳନ ଓଡ଼ିଶାବାସୀଙ୍କୁ କେବଳ ଏକ ରାଜନୈତିକ ନାଟକଠାରୁ ଅଧିକ କିଛି ଲାଗୁନାହିଁ।
ଆପଣମାନଙ୍କୁ କ’ଣ ଲାଗୁଛି? ଆଜିର ଏହି ବିଜେଡି ଆନ୍ଦୋଳନ ପ୍ରକୃତରେ ଓଡ଼ିଶାର ସ୍ୱାର୍ଥ ପାଇଁ, ନା କେବଳ ରାଜନୈତିକ ଅସ୍ତିତ୍ବ ବଞ୍ଚାଇବାର ଏକ ଦେଖାଣିଆ ପ୍ରୟାସ?

