ଭାବନ୍ତୁ ତ ଥରେ—ଯଦି ପୃଥିବୀରେ କୌଣସି ଗୁଳି ନ ଚାଲି, କୌଣସି ବୋମା ନ ଫୁଟି, ହଠାତ୍ ଗୋଟିଏ ଝଟକାରେ ଆପଣଙ୍କ ମୋବାଇଲ୍ ନେଟୱାର୍କ ସମ୍ପୂର୍ଣ୍ଣ ଠପ୍ ହୋଇଯାଏ? ଇଣ୍ଟରନେଟ୍ ବନ୍ଦ, ବ୍ୟାଙ୍କିଂ ସିଷ୍ଟମ୍ କ୍ରାସ୍, ଜିପିଏସ୍ ନେଭିଗେସନ୍ ଅଚଳ, ଆଉ ସେନାବାହିନୀର ମିସାଇଲ୍ ରାଡାର୍ ସବୁ ଅନ୍ଧ ହୋଇଯାଏ? କେବଳ ଏତିକି ନୁହେଁ, ମହାକାଶରୁ ସିଧାସଳଖ ପୃଥିବୀ ଉପରକୁ ଖସିପଡ଼େ କୌଣସି ଅଜ୍ଞାତ ମାରାତ୍ମକ ଅସ୍ତ୍ର!
ଏହା କୌଣସି ହଲିଉଡ୍ ସାଇନ୍ସ-ଫିକ୍ସନ୍ ଫିଲ୍ମର କାହାଣୀ ନୁହେଁ। ଏହା ଆଜିର କଠୋର ସତ୍ୟ। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ଏପରି ଏକ ଘୋଷଣା କରିଛି, ଯାହା ପୂରା ଦୁନିଆରେ ଭୂକମ୍ପ ସୃଷ୍ଟି କରିଛି। ଆମେରିକା ସ୍ପଷ୍ଟ ଭାବେ ସ୍ୱୀକାର କରିଛି ଯେ, ସେମାନେ ମହାକାଶର କକ୍ଷପଥରେ ଏପରି ଅସ୍ତ୍ରଶସ୍ତ୍ର ମୁତୟନ କରିସାରିଛନ୍ତି, ଯାହା ଶତ୍ରୁର ମହାକାଶୀୟ ଆକ୍ରମଣକୁ ଧୂଳିସାତ୍ କରିବା ସହ ପୃଥିବୀରେ ଥିବା ଟାର୍ଗେଟକୁ ମଧ୍ୟ ଧ୍ୱଂସ କରିପାରିବ।
କିନ୍ତୁ ପ୍ରଶ୍ନ ଉଠୁଛି—ଆମେରିକା ହଠାତ୍ ଏପରି ଘୋଷଣା କାହିଁକି କଲା? ଚୀନ୍ ଏବଂ ଋଷିଆ ଏହା ଶୁଣି ଏତେ ଛାନିଆ କାହିଁକି? ଆଉ ସବୁଠୁ ବଡ଼ କଥା, ଏହି ମହାକାଶ ଯୁଦ୍ଧ ପ୍ରତିଯୋଗିତାରେ ଆମ ଭାରତ କେଉଁଠି ଠିଆ ହୋଇଛି? ଆସନ୍ତୁ ସରଳ ଭାଷାରେ ବୁଝିବା ଏହି “ମହାକାଶ ଅସ୍ତ୍ରୀକରଣ”ର ସମ୍ପୂର୍ଣ୍ଣ ଇନସାଇଡ୍ ଷ୍ଟୋରୀ।
ସେପ୍ଟେମ୍ବର ମାସରେ ଆମେରିକୀୟ ବାୟୁସେନାର ସଚିବ ଟ୍ରୟ ମିନ୍ ଏବଂ ଆମେରିକୀୟ ସ୍ପେସ୍ କମାଣ୍ଡ୍ ଏକ ସାମ୍ବାଦିକ ସମ୍ମିଳନୀରେ ଏକ ବଡ଼ କଥା କହିଛନ୍ତି। ସେମାନେ କହିଲେ—”ଯୁକ୍ତରାଷ୍ଟ୍ର ପାଖରେ କକ୍ଷପଥରେ ମହାକାଶ ନିୟନ୍ତ୍ରଣ ଅସ୍ତ୍ରଶସ୍ତ୍ର ଅଛି ଯାହା ଶତ୍ରୁପକ୍ଷ କାର୍ଯ୍ୟ ବିରୁଦ୍ଧରେ ମିଳିତ ବାହିନୀକୁ ରକ୍ଷା କରିବାକୁ ସକ୍ଷମ’’ ଏହି ଗୋଟିଏ ଧାଡ଼ିର ଅର୍ଥ କ’ଣ? ସହଜ ଭାଷାରେ କହିଲେ, ଆମେରିକା ମହାକାଶରେ ଅସ୍ତ୍ର ମୁତୟନ କରିସାରିଛି। କିନ୍ତୁ ଆମେରିକାର ଚାଲାକି ଦେଖନ୍ତୁ—ସେମାନେ କହିଲେ ଯେ ଆମ ପାଖରେ ଅସ୍ତ୍ର ଅଛି, କିନ୍ତୁ ସେ ଅସ୍ତ୍ର କେଉଁ ପ୍ରକାରର? କେତୋଟି ଅଛି? କେଉଁ କକ୍ଷପଥ ବା ଅର୍ବିଟ୍ରେ ଘୂରୁଛି? ଆଉ କେବେ ଲଞ୍ଚ କରାଯାଇଥିଲା? ଏ ବାବଦରେ ଗୋଟିଏ ବି ସୂଚନା ସାର୍ବଜନୀନ କଲେ ନାହିଁ। ଅର୍ଥାତ୍, ଦୁନିଆକୁ ଜଣାଇ ବି ଦେଲେ, ପୁଣି କୌଣସି ଟେକ୍ନିକାଲ୍ ତଥ୍ୟ ବି ଫାନ୍ଦିଲେ ନାହିଁ।
ଏହା ପୂର୍ବରୁ ଆମେରିକା ‘ଆପୋଲୋ ମନୁଭର ୨୦୨୬’ ନାମରେ ଏକ ବଡ଼ ଧରଣର ଲାଇଭ୍-ଫ୍ଲାଇ ସାମରିକ ଅଭ୍ୟାସ ମହାକାଶରେ ଶେଷ କରିଥିଲା। ଏହି ଅଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ ଥିଲା—କକ୍ଷପଥରେ ଶତ୍ରୁ ସାଟେଲାଇଟ୍କୁ ଘେରିବା, ସାମରିକ ଲଜିଷ୍ଟିକ୍ସ ମଜବୁତ କରିବା ଏବଂ ମହାକାଶରୁ ସିଧା ଯୁଦ୍ଧ ପରିଚାଳନା କରିବା।
ଆମେରିକାର ଏହି ବୟାନ ଆସିବା ମାତ୍ରେ ସବୁଠାରୁ ପ୍ରଥମେ ଚିହିଁକି ଉଠିଲା ଡ୍ରାଗନ୍ ଚୀନ୍। ଚୀନ୍ ବିଦେଶ ମନ୍ତ୍ରଣାଳୟ ତୁରନ୍ତ ବିବୃତି ଜାରି କରି କହିଲା—“ଆମେ ମହାକାଶକୁ ଯୁଦ୍ଧକ୍ଷେତ୍ର ବନାଇବା ବିରୋଧରେ। ଆଉଟର୍ ସ୍ପେସ୍କୁ ଶାନ୍ତିପୂର୍ଣ୍ଣ ରଖାଯାଉ।”
ସେପଟେ ଋଷିଆର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭା କହିଲେ ଯେ, ଆମେରିକା ନିଜର ସ୍ୱାର୍ଥ ପାଇଁ ସମଗ୍ର ମାନବଜାତିକୁ ଏକ ଭୟଙ୍କର ବିନାଶ ଆଡ଼କୁ ଠେଲି ଦେଉଛି। ୱାଶିଂଟନ୍ର ଏହି ପଦକ୍ଷେପ ବିଶ୍ୱର ସ୍ଥିରତାକୁ ନଷ୍ଟ କରିଦେବ।
କିନ୍ତୁ, ଏହା ହେଉଛି ଚୀନ୍ ଓ ଋଷିଆର ଦୋମୁହାଁ ନୀତି! ପ୍ରତିରକ୍ଷା ବିଶେଷଜ୍ଞମାନଙ୍କ ମତରେ, ଯଦି ଚୀନ୍ କିମ୍ବା ଋଷିଆ ପାଖରେ ଏହି ଟେକ୍ନୋଲୋଜି ପ୍ରଥମେ ଆସିଥାନ୍ତା, ତେବେ ସେମାନେ ବହୁ ପୂର୍ବରୁ ମହାକାଶରେ ନିଜର ଅସ୍ତ୍ର ବସାଇ ସାରନ୍ତେଣି। ଆଜି ସେମାନେ ଏହା କରିପାରୁନାହାନ୍ତି, ଆମେରିକା ସେମାନଙ୍କଠାରୁ ଚାରି ପାଦ ଆଗେଇ ଗଲା, ସେଥିପାଇଁ ସେମାନେ ଆଜି ଶାନ୍ତିର ମୁଖା ପିନ୍ଧି ଭାଷଣ ଦେଉଛନ୍ତି।
ଆସନ୍ତୁ ଏବେ ଟିକେ ବିଜ୍ଞାନ ଓ ରଣନୀତିକୁ ବୁଝିବା। ପୃଥିବୀ ଚାରିପାଖରେ ଘୂରୁଥିବା ସାଟେଲାଇଟ୍ଗୁଡ଼ିକ ମୁଖ୍ୟତଃ ତିନୋଟି କକ୍ଷପଥରେ ଥାଆନ୍ତି:
1. ଲିଓ: ଏହା ପୃଥିବୀ ପୃଷ୍ଠରୁ ୧୬୦ କିଲୋମିଟରରୁ ୨,୦୦୦ କିଲୋମିଟର ଉଚ୍ଚତା ମଧ୍ୟରେ ଥାଏ। ଏଠାରେ ଘୂରୁଥିବା ଉପଗ୍ରହଗୁଡ଼ିକ ସବୁଠାରୁ ଦ୍ରୁତଗାମୀ। ଏଗୁଡ଼ିକ ପୃଥିବୀ ଉପରେ କଡ଼ା ନଜର ରଖିବା, ଶତ୍ରୁ ସୈନ୍ୟଙ୍କ ଗତିବିଧି ଦେଖିବା ଏବଂ ମିସାଇଲ୍ ଟ୍ରାକିଂ ପାଇଁ ବ୍ୟବହାର ହୁଏ।
2. ମିଓ : ୨,୦୦୦ କିଲୋମିଟରରୁ ପ୍ରାୟ ୩୫,୭୮୬ କିଲୋମିଟର ଉଚ୍ଚତା। ଏହି କକ୍ଷପଥରେ ନେଭିଗେସନ୍ ସିଷ୍ଟମ୍ ଯେପରିକି GPS ସାଟେଲାଇଟ୍ ରହିଥାଏ, ଯାହା ମିସାଇଲ୍କୁ ଠିକ୍ ଟାର୍ଗେଟ୍ ଦେଖାଇବା ପାଇଁ ସଠିକ୍ ସମୟ ଓ ଦିଗ ନିର୍ଣ୍ଣୟ କରେ।
3. ଜିଓ: ପୃଥିବୀଠାରୁ ୩୫,୭୮୬ କିଲୋମିଟରରୁ ଅଧିକ ଉଚ୍ଚତା। ଏଠାରେ ଥିବା ସାଟେଲାଇଟ୍ ପୃଥିବୀର ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳ ଉପରେ ୨୪ ଘଣ୍ଟା ସ୍ଥିର ରହି ନଜର ରଖେ। ଯୋଗାଯୋଗ, ପାଣିପାଗ ସତର୍କତା ଏବଂ ବାଲିଷ୍ଟିକ୍ ମିସାଇଲ୍ ଆସିବାର ଆଗୁଆ ସୂଚନା ଏହିଠାରୁ ମିଳେ।
ଏହି ସବୁ ସାଟେଲାଇଟ୍ ହେଉଛନ୍ତି ସେନାର “ଆକାଶର ଆଖି” । ଯଦି ଏହି ଆଖିକୁ କେହି ଅନ୍ଧ କରିଦିଏ, ତେବେ ପୃଥିବୀର ସବୁଠାରୁ ଶକ୍ତିଶାଳୀ ଟ୍ୟାଙ୍କ୍ କିମ୍ବା ମିସାଇଲ୍ ମଧ୍ୟ କିଛି କାମ କରିପାରିବ ନାହିଁ।
ଆମ ଭିତରୁ ଅନେକ ଲୋକ ଭାବନ୍ତି ଯେ ମହାକାଶ କେବଳ ବୈଜ୍ଞାନିକ ଗବେଷଣା ପାଇଁ ଉଦ୍ଦିଷ୍ଟ ଥିଲା, ଏବେ ଯାଇ ଏହାର ଅସ୍ତ୍ରୀକରଣ ହେଉଛି। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଆଜି ଆମେ ଯେଉଁ ଇଣ୍ଟରନେଟ୍ କିମ୍ବା GPS ମୋବାଇଲ୍ରେ ବ୍ୟବହାର କରୁଛୁ, ତାହା ପ୍ରଥମେ ସାଧାରଣ ଲୋକଙ୍କ ପାଇଁ ତିଆରି ହୋଇନଥିଲା। ଆମେରିକୀୟ ସେନା ପାଇଁ ‘ଆର୍ପାନେଟ୍’ ଭାବରେ ଇଣ୍ଟରନେଟ୍ ଆରମ୍ଭ ହୋଇଥିଲା। ଜିପିଏସ୍ ମଧ୍ୟ କେବଳ ଯୁଦ୍ଧବିମାନ ଓ ମିସାଇଲ୍ର ଗତିପଥ ସ୍ଥିର କରିବା ପାଇଁ ତିଆରି ହୋଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ସାଧାରଣ ନାଗରିକଙ୍କ ପାଇଁ ଖୋଲାଗଲା।
ଉଦାହରଣସ୍ୱରୂପ—ଆଜି ଇରାନ ପାଖରେ ଏପରି ମିସାଇଲ୍ ଅଛି ଯାହା ତେହେରାନରୁ ଇସ୍ରାଏଲର ତେଲ୍-ଆଭିଭ୍ ପର୍ଯ୍ୟନ୍ତ ଯାଇପାରିବ। କିନ୍ତୁ ତେଲ୍-ଆଭିଭ୍ର କେଉଁ କୋଠା ଉପରେ ସଠିକ୍ ଭାବେ ପଡ଼ିବ, ତାହା ସ୍ଥିର କରିବା ପାଇଁ ଇରାନକୁ ଚୀନ୍ ଏବଂ ଋଷିଆର ସାଟେଲାଇଟ୍ ଡାଟା ଉପରେ ନିର୍ଭର କରିବାକୁ ପଡ଼େ। ଯଦି ସାଟେଲାଇଟ୍ ସିଗ୍ନାଲ୍ କାଟି ଦିଆଯାଏ, ତେବେ ସେହି ମିସାଇଲ୍ ନିଜ ଲକ୍ଷ୍ୟରୁ ୫୦ କିଲୋମିଟର ଦୂରରେ ଯାଇ ଖସିବ। ଏହି କାରଣରୁ ମହାକାଶ ହେଉଛି ଆଧୁନିକ ଯୁଦ୍ଧର ମୁଖ୍ୟ ମେରୁଦଣ୍ଡ।
ମହାକାଶ ଯୁଦ୍ଧର କଳ୍ପନା ଆଜିର ନୁହେଁ। ୧୯୮୦ ଦଶକରେ ଶୀତଳ ଯୁଦ୍ଧ ଚାଲିଥିବା ବେଳେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ରୋନାଲ୍ଡ ରେଗାନ୍ ଏକ ବିରାଟ ପ୍ରୋଜେକ୍ଟ ଘୋଷଣା କରିଥିଲେ—’ଷ୍ଟ୍ରାଟେଜିକ୍ ଡିଫେନ୍ସ ଇନିସିଏଟିଭ୍’, ଯାହାକୁ ଗଣମାଧ୍ୟମ ନାମ ଦେଇଥିଲା “ଷ୍ଟାର୍ ୱାର୍ସ” ।
ରେଗାନ୍ଙ୍କ ଧାରଣା ଥିଲା—ଯଦି ସୋଭିଏତ୍ ୟୁନିଅନ୍ ଆମେରିକା ଉପରକୁ ପରମାଣୁ ମିସାଇଲ୍ ଛାଡ଼େ, ତେବେ ମହାକାଶରେ ଥିବା ଆମେରିକୀୟ ସାଟେଲାଇଟ୍ ଏବଂ ଲେଜର ଅସ୍ତ୍ର ସେହି ମିସାଇଲ୍କୁ ବାଟରେ ହିଁ ଧ୍ୱଂସ କରିଦେବ। ଏହି ଷ୍ଟାର୍ ୱାର୍ସ ପ୍ରତିଯୋଗିତାରେ ଆମେରିକାକୁ ଟକ୍କର ଦେବାକୁ ଯାଇ ସୋଭିଏତ୍ ୟୁନିଅନ୍ ନିଜର ସମସ୍ତ ଅର୍ଥନୀତି ପାଣିରେ ପକାଇଲା, ଯାହା ଶେଷରେ ୧୯୯୧ରେ ସୋଭିଏତ୍ ସଂଘ ଭାଙ୍ଗିବାର ଏକ ପ୍ରମୁଖ କାରଣ ସାଜିଥିଲା। ଆଜି ଡୋନାଲ୍ଡ ଟ୍ରମ୍ପ ଯେଉଁ “ଗୋଲ୍ଡେନ୍ ଡୋମ୍” କଥା କହୁଛନ୍ତି, ତାର ପ୍ରକୃତ ମୂଳଦୁଆ ସେହିଦିନ ହିଁ ପଡ଼ିଥିଲା।
ବର୍ତ୍ତମାନ ସବୁଠୁ ବଡ଼ ପ୍ରଶ୍ନ—ଶତ୍ରୁର ସାଟେଲାଇଟ୍କୁ ମହାକାଶରେ ଉଡ଼ାଇ ଦେବାର କ୍ଷମତା କେଉଁ କେଉଁ ଦେଶ ପାଖରେ ଅଛି? ଏହାକୁ ସାମରିକ ଭାଷାରେ କୁହାଯାଏ A-SAT। ସମଗ୍ର ବିଶ୍ୱରେ ମାତ୍ର ଚାରୋଟି ଦେଶ ଏହି କ୍ଷମତା ପ୍ରମାଣିତ କରି ଦେଖାଇଛନ୍ତି:
- ଆମେରିକା (୧୯୮୫): ସର୍ବପ୍ରଥମେ ନିଜର ମିସାଇଲ୍ ଦ୍ୱାରା ମହାକାଶରେ ସାଟେଲାଇଟ୍ ଖସାଇ ଏହି ଇତିହାସ ରଚିଥିଲା।
- ଚୀନ୍ (୨୦୦୭): ଚୀନ୍ ନିଜର ଏକ ପୁରୁଣା ପାଣିପାଗ ଉପଗ୍ରହକୁ ଧ୍ୱଂସ କରି ନିଜ ଶକ୍ତି ପ୍ରଦର୍ଶନ କରିଥିଲା।
- ଭାରତ (୨୭ ମାର୍ଚ୍ଚ ୨୦୧୯): ଏହି ତାରିଖ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ଦିନ! ଭାରତର DRDO ଏବଂ ISRO ମିଳିତ ଭାବେ ‘ମିଶନ୍ ଶକ୍ତି’ ଅଧୀନରେ ମାତ୍ର ୩ ମିନିଟ୍ ମଧ୍ୟରେ ମହାକାଶରେ ଘୂରୁଥିବା ଏକ ଲାଇଭ୍ ସାଟେଲାଇଟ୍କୁ ଖସାଇ ଦେଇ ବିଶ୍ୱର ତୃତୀୟ ଦେଶ ଭାବେ ଇତିହାସ ରଚିଥିଲା।
- ଋଷିଆ (୨୦୨୧): ଭାରତ ପରେ ଋଷିଆ ନିଜର Kosmos-1408 ସାଟେଲାଇଟ୍କୁ ଉଡ଼ାଇ ଏହି କ୍ଲବ୍ରେ ଚତୁର୍ଥ ସ୍ଥାନ ହାସଲ କରିଥିଲା
ଏହାର ଅର୍ଥ ହେଉଛି—ଭାରତ କାହାଠାରୁ ପଛରେ ନାହିଁ। ଯଦି କାଲି ସକାଳେ ଚୀନ୍ କିମ୍ବା ପାକିସ୍ତାନ ଭାରତର ସାଟେଲାଇଟ୍ ଉପରେ ଆଖି ପକାଏ, ତେବେ ସେମାନଙ୍କ ସାଟେଲାଇଟ୍କୁ ମହାକାଶରେ ହିଁ ଭସ୍ମ କରିଦେବାର ସମ୍ପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା ଆମ ଭାରତୀୟ ବୈଜ୍ଞାନିକମାନଙ୍କ ହାତମୁଠାରେ ରହିଛି।
ତେବେ ନିରପେକ୍ଷ ଭାବେ ଦେଖିଲେ—ମହାକାଶ ଆଉ କେବଳ ତାରା ଗଣିବାର ସ୍ଥାନ ହୋଇ ରହିନାହିଁ। ଭବିଷ୍ୟତର ଯୁଦ୍ଧ ମାଟି, ପାଣି କିମ୍ବା ପବନରେ ନୁହେଁ, ବରଂ ମହାକାଶର କକ୍ଷପଥରେ ଲଢ଼ାଯିବ। ଆମେରିକାର ଏହି ଘୋଷଣା ଏକ ସଙ୍କେତ ଯେ ୨୧ଶ ଶତାବ୍ଦୀର ଶୀତଳ ଯୁଦ୍ଧ ଏବେ ମହାକାଶକୁ ଡେଇଁ ସାରିଛି।
Also read : https://purvapaksa.com/why-did-mahatma-gandhis-eldest-son-harilal-embrace-islam/


