“ରାଜ୍ୟ ଆମର, ଖଣି ଆମର, ଖଣିଜ ସମ୍ପଦ ଆମର, ଜମି ଆମର, ମାଲିକାନା ବି ଆମର… ତେବେ ଆମେ କେନ୍ଦ୍ରର ହାତଟେକା ଦାନକୁ କାହିଁକି ଅପେକ୍ଷା କରିବୁ?”
ଏ କଥା ଆମେ କହୁନୁ, ଏହା ହେଉଛି ରାଜ୍ୟର ପୂର୍ବତନ ଶାସକ ଦଳ ତଥା ବର୍ତ୍ତମାନର ମୁଖ୍ୟ ବିରୋଧୀ ଦଳ ବିଜେଡିର ତାଜା ଗର୍ଜନ। ଏହି ଗର୍ଜନ ସାଙ୍ଗକୁ ଆସିଛି ଆଉ ଏକ ବଡ଼ ଚେତାବନୀ— ‘ଅର୍ଥନୈତିକ ଅବରୋଧ’!
ଗତ ପ୍ରାୟ ଏକ ମାସ ଧରି ଓଡ଼ିଶା ରାଜନୀତିରେ ଗୋଟିଏ ଶବ୍ଦ ବାରମ୍ବାର ଗୁଞ୍ଜରିତ ହେଉଛି— ଏମଏମଡିଆର ଆକ୍ଟ ସଂଶୋଧନ। ଖଣି ଆଇନରେ କେନ୍ଦ୍ରର ସଂଶୋଧନକୁ ବିରୋଧ କରି ବିଜେଡି ଚିଠି ଲେଖୁଛି, ପ୍ରେସମିଟ୍ କରୁଛି, ଆଉ ଏବେ ରାଜରାସ୍ତା ଅବରୋଧର ଧମକ ଦେଉଛି। କିନ୍ତୁ ପ୍ରଶ୍ନ ଉଠୁଛି— ଏହି ଲଢ଼େଇ ସତରେ କ’ଣ ଓଡ଼ିଶାର ସ୍ୱାର୍ଥ ପାଇଁ? ନା ଦଳ ଭିତରେ କୁହୁଳୁଥିବା ତୀବ୍ର ବିଦ୍ରୋହ ଓ ଗୋଷ୍ଠୀକନ୍ଦଳକୁ ଲୋକଲୋଚନରୁ ଲୁଚାଇବା ପାଇଁ ଏହା ଏକ ଯୋଜନାବଦ୍ଧ ରାଜନୈତିକ ଧୂଆଁବାଣ?
‘ଅର୍ଥନୈତିକ ଅବରୋଧ’ର ନୂଆ ନାରା ଓ ବିରୋଧୀଙ୍କ ଆକ୍ରମଣ
ଏବେ ହଠାତ୍ ଗତକାଲି ବିଜେଡି ଶିବିରରୁ ଏକ ବଡ଼ ଶବ୍ଦ ଶୁଣିବାକୁ ମିଳିଲା— ‘ଅର୍ଥନୈତିକ ଅବରୋଧ’। ଦଳର ବରିଷ୍ଠ ବିଧାୟକ ଅରୁଣ ସାହୁ କ୍ୟାମେରା ଆଗକୁ ଆସିଲେ ଏବଂ ସିଧାସଳଖ ରାଜ୍ୟର ବିଜେପି ସରକାର ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ। ଅରୁଣ ସାହୁ କହିଲେ, ରାଜ୍ୟର ଅଧିକାର ନ ମିଳିବା ଯାଏଁ ଏ ଲଢ଼େଇ ଥମିବ ନାହିଁ। ଆଗାମୀ ଦିନରେ ଅର୍ଥନୈତିକ ଅବରୋଧ ହେବ, ବାଣିଜ୍ୟିକ ଅବରୋଧ କରାଯିବ।
କେବଳ ସେତିକି ନୁହେଁ, ସୁପ୍ରିମକୋର୍ଟଙ୍କ ରାୟ ସତ୍ତ୍ୱେ ଖଣି ବାବଦକୁ ବକେୟା ଥିବା ପ୍ରାୟ ଏକ ଲକ୍ଷରୁ ଦେଢ଼ ଲକ୍ଷ କୋଟି ଟଙ୍କାର ରାଜସ୍ୱ ଆଦାୟ ନ କରି ରାଜ୍ୟ ସରକାର କେନ୍ଦ୍ର ପାଖରେ ନିର୍ଲଜ୍ଜ ଭାବେ ଆତ୍ମସମର୍ପଣ କରିଛନ୍ତି ବୋଲି ସେ ଅଭିଯୋଗ ଆଣିଲେ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିଠି ଲେଖିବା ସତ୍ତ୍ୱେ ରାଜ୍ୟ ସରକାର ସର୍ବଦଳୀୟ ବୈଠକ ଡାକୁନାହାନ୍ତି କି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ କରୁନାହାନ୍ତି ବୋଲି ଦଳ କ୍ଷୋଭ ପ୍ରକାଶ କରିଛି।
ଏହା ପୂର୍ବରୁ ସଞ୍ଜୟ ଦାସବର୍ମା କହିଥିଲେ ‘ଓଡ଼ିଶା ବନ୍ଦ’ ହେବ। ଏବେ ଅରୁଣ ସାହୁ କହୁଛନ୍ତି ‘ଅର୍ଥନୈତିକ ଅବରୋଧ’। ଆଉ ଆସନ୍ତା ୨୨ ତାରିଖରେ ବିଧାନସଭା ଆଗରେ ବିକ୍ଷୋଭ କରିବାକୁ ଦଳ ପ୍ରସ୍ତୁତ ହେଉଛି।
ଶୁଣିବାକୁ ତ ବହୁତ କ୍ରାନ୍ତିକାରୀ ଲାଗୁଛି, ନୁହେଁ କି? ଲାଗୁଛି ସତେ ଯେମିତି ବିଜେଡି ରାଜ୍ୟ ସ୍ୱାର୍ଥ ପାଇଁ ସବୁକିଛି ବଳିଦାନ ଦେବାକୁ ପ୍ରସ୍ତୁତ। କିନ୍ତୁ ଟିକେ ରୁହନ୍ତୁ! ଏହି ଚେହେରା ପଛର ଅସଲ କାହାଣୀ କ’ଣ? ଆସନ୍ତୁ ଜାଣିବା।
ସେପ୍ଟେମ୍ବର ୯ ରାଜଭବନ ବିକ୍ଷୋଭ ଓ କୋରଟିମ୍ର ବିଦ୍ରୋହ
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି— ହଠାତ୍ ଗତକାଲି ଅରୁଣ ସାହୁଙ୍କୁ ଆଗକୁ ଛାଡ଼ି ଏହି ‘ଅର୍ଥନୈତିକ ଅବରୋଧ’ କଥା କୁହାଗଲା କାହିଁକି?
ଏହାର ଉତ୍ତର ଲୁଚି ରହିଛି ଗତ ସେପ୍ଟେମ୍ବର ୯ ତାରିଖର ଘଟଣା ଭିତରେ। ସେଦିନ ଏହି ଏମଏମଡିଆର ପ୍ରସଙ୍ଗରେ ରାଜଭବନ ଆଗରେ ବିଜେଡି ଦୁଇ ଘଣ୍ଟିଆ ଧାରଣା ଦେଇଥିଲା, ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଥିଲା। କିନ୍ତୁ ସେଦିନ ରାଜଭବନ ସାମ୍ନାରେ ଯାହା ଦେଖିବାକୁ ମିଳିଲା, ତାହା ବିଜେଡିର ଅନ୍ତରୀଣ ଫାଟକୁ ଦାଣ୍ଡରେ ପକାଇ ହାଟରେ ଭାଙ୍ଗି ଦେଇଥିଲା।
ଦଳର ଅଘୋଷିତ ସର୍ବେସର୍ବା ତଥା ପୂର୍ବତନ ପ୍ରଭାବଶାଳୀ ଅଫିସର ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପୂରା କୋରଟିମ୍ ସେହି କାର୍ଯ୍ୟକ୍ରମରୁ ସମ୍ପୂର୍ଣ୍ଣ ଗାଏବ ଥିଲେ!
- ବିଜେଡିର ଅସାଧାରଣ କର୍ମୀ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ ଉପସ୍ଥିତ ନ ଥିଲେ।
- ତାଙ୍କର ଘନିଷ୍ଠ ସହଯୋଗୀ ସନ୍ତୃପ୍ତ ମିଶ୍ର ନଥିଲେ।
- ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ନଥିଲେ।
- ପୂର୍ବତନ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି ଦାସ) ନଥିଲେ।
- ଏପରିକି ପ୍ରତାପ ଜେନା କିମ୍ବା ପ୍ରତାପ ଦେବଙ୍କ ଭଳି ହେଭିୱେଟ୍ ନେତାମାନେ ମଧ୍ୟ ସେଠାରେ ଦେଖାଦେଲେ ନାହିଁ।
ନବୀନ ବାବୁ ତ ସାଧାରଣତଃ ରାଜରାସ୍ତାକୁ ଆସନ୍ତି ନାହିଁ, ହେଲେ ତାଙ୍କ ଛାଇ ଭଳି ରହୁଥିବା କୋରଟିମ୍ ସଦସ୍ୟମାନେ କୁଆଡ଼େ ଗଲେ? ଯେଉଁ ପ୍ରସଙ୍ଗକୁ ନେଇ ଦଳ ଏକ ମାସ ହେଲା ରାଜ୍ୟ ଉଠାଉଛି ପକାଉଛି, ସେହି ପ୍ରସଙ୍ଗର ଆନ୍ଦୋଳନ ବେଳେ ଏହି ପ୍ରଭାବଶାଳୀ ନେତାମାନେ ଦୂରେଇ ରହିଲେ କାହିଁକି?
ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଲା ଯେ ବିଜେଡି ଭିତରେ ଏବେ ମହାଭାରତ ଚାଲିଛି। ପୁରୁଣା ନେତା ଓ ପାଣ୍ଡିଆନ କୋଟେରୀ ମଧ୍ୟରେ ଯୁଦ୍ଧ ଏବେ ଚରମ ସୀମାରେ। ଆଉ ଠିକ୍ ଏହି ଚର୍ଚ୍ଚାକୁ ଚପାଇବା ପାଇଁ, ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଗତକାଲି ହଠାତ୍ ଅରୁଣ ସାହୁଙ୍କୁ ଡାକି ଏକ ବଡ଼ ଧମକ— ଅର୍ଥାତ୍ ‘ଅର୍ଥନୈତିକ ଅବରୋଧ’ର ସ୍କ୍ରିପ୍ଟ ପଢ଼ାଇ ଦିଆଗଲା। ଏହା କୌଣସି ଲଢ଼େଇ ନୁହେଁ, ବରଂ ନିଜ ଘରର ନିଆଁକୁ ଲୁଚାଇବା ପାଇଁ ବାହାରେ ଫୁଟାଯାଇଥିବା ଏକ ବାଣ!
ତଥ୍ୟହୀନ ଲଢ଼େଇ ଓ ଆଇନଗତ ପଦକ୍ଷେପର ଅଭାବ
ଏବେ ଆସନ୍ତୁ ଏହି ଆନ୍ଦୋଳନର ମୂଳ ତଥ୍ୟକୁ ପରଖିବା। ଗତ ଅଗଷ୍ଟ ୧୪ରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ। ଅଗଷ୍ଟ ୨୮ରେ ରାଜ୍ୟର ୨୦ ଜଣ ବିଜେପି ସାଂସଦଙ୍କୁ ଚିଠି ଲେଖି ଜବାବ ମାଗିଲେ। ନିୟମିତ ଭାବେ ଶଙ୍ଖ ଭବନରେ ପ୍ରେସମିଟ୍ କରି ନେତାମାନେ ସମାନ କଥା ଦୋହରାଇ ଚାଲିଲେ।
କିନ୍ତୁ ଗତ ଏକ ମାସ ଧରି ବିଜେଡି ରାଜ୍ୟବାସୀଙ୍କୁ କ’ଣ ବୁଝାଇଲା? ଏମଏମଡିଆର ଆକ୍ଟ ସଂଶୋଧନ ହେଲେ ବାସ୍ତବରେ ଓଡ଼ିଶାର କେତେ ଟଙ୍କାର କ୍ଷତି ହେବ? ରାଜସ୍ୱ କେତେ କମିବ? କେଉଁ କ୍ଷେତ୍ର ପ୍ରଭାବିତ ହେବ? ଏହାର କୌଣସି ନିର୍ଦ୍ଦିଷ୍ଟ, ଯୁକ୍ତିଯୁକ୍ତ ଓ ତଥ୍ୟଭିତ୍ତିକ ହିସାବ ଆଜି ପର୍ଯ୍ୟନ୍ତ ବିଜେଡି ଜନସାଧାରଣଙ୍କ ସାମ୍ନାରେ ରଖିପାରିଛି କି? ଉତ୍ତର ହେଉଛି— ନା!
ଦ୍ୱିତୀୟ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା: ଯଦି ଏହି କେନ୍ଦ୍ରୀୟ ଆଇନ ସତରେ ଓଡ଼ିଶାର ସ୍ୱାର୍ଥ ବିରୋଧୀ, ଯଦି ଏହା ଦ୍ୱାରା ରାଜ୍ୟର ସଂଘୀୟ ଅଧିକାର ଛଡ଼ାଇ ନିଆଯାଉଛି, ତେବେ ବିଜେଡି ଆଇନଗତ ଲଢ଼େଇ ପାଇଁ ପଛଘୁଞ୍ଚା ଦେଉଛି କାହିଁକି? ଦଳ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ କାହିଁକି ହେଉନାହିଁ?
କୋର୍ଟରେ ଚ୍ୟାଲେଞ୍ଜ କରିବାକୁ ସାହସ ନାହିଁ, କିନ୍ତୁ ରାଜରାସ୍ତାରେ ଛିଡ଼ା ହୋଇ ମାଇକ୍ ଫୁଙ୍କିବାରେ କୌଣସି ଅଭାବ ନାହିଁ। କାରଣ କୋର୍ଟକୁ ଗଲେ କାଗଜପତ୍ର ଓ ଠୋସ୍ ତଥ୍ୟ ଦେବାକୁ ପଡ଼ିବ, ଆଉ ଟିଭି କ୍ୟାମେରା ଆଗରେ କେବଳ ରାଜନୈତିକ ଭାଷଣ ଦେଇ ଫାଇଦା ସାଉଁଟି ହେବ। ଏହା କ’ଣ ଦଳର ଦୋମୁହାଁ ନୀତିକୁ ପ୍ରମାଣିତ କରୁନାହିଁ?
ବିରୋଧୀଙ୍କ ନାଟକ ଓ ଶାସକ ଦଳର ପାଲଟା ଆକ୍ରମଣ
ଆଉ ଗୋଟିଏ ମଜାଦାର କଥା ଦେଖନ୍ତୁ। ବିଜେଡି କହୁଛି ସେ ୨୨ ତାରିଖରେ ବିଧାନସଭା ଆଗରେ ବିକ୍ଷୋଭ କରିବ। ଆଉ କଂଗ୍ରେସ ତଥା ‘ଇଣ୍ଡି’ ମେଣ୍ଟର ସହଯୋଗୀମାନେ କହୁଛନ୍ତି ସେମାନେ ସମାନ ପ୍ରସଙ୍ଗରେ ୨୯ ତାରିଖରେ ବିଧାନସଭା ଘେରାଉ କରିବେ!
ଟିକେ ମନେପକାନ୍ତୁ— କିଛି ମାସ ତଳେ ରାଜ୍ୟସଭା ନିର୍ବାଚନବେଳେ ଏମାନେ ଏକାଠି ଥିଲେ। ଏସସିବି ମେଡିକାଲ ଅଗ୍ନିକାଣ୍ଡ ପ୍ରସଙ୍ଗରେ ଏକାଠି ରାସ୍ତାକୁ ଓହ୍ଲାଇଥିଲେ। କିନ୍ତୁ ଆଜି ଯେତେବେଳେ ଖଣି ଆଇନ ଭଳି ତଥାକଥିତ ‘ବଡ଼ ପ୍ରସଙ୍ଗ’ ଆସିଲା, ଦୁଇ ବିରୋଧୀ ଦଳ ଅଲଗା ଅଲଗା ତାରିଖରେ ଡ୍ରାମା କରିବାକୁ ବାହାରିଲେ। ଯଦି ପ୍ରସଙ୍ଗ ସମାନ, ତେବେ ଆନ୍ଦୋଳନ ଭିନ୍ନ କାହିଁକି? କାରଣ ଏଠି ଲକ୍ଷ୍ୟ ରାଜ୍ୟ ସ୍ୱାର୍ଥ ନୁହେଁ, ଲକ୍ଷ୍ୟ ହେଉଛି କିଏ କାହାଠାରୁ ବଡ଼ ବିରୋଧୀ ଚେହେରା ସାଜିବ, ତା’ର ପ୍ରତିଯୋଗିତା!
ଅନ୍ୟପଟେ ବିଜେପି ମଧ୍ୟ ଚୁପ୍ ବସିନାହିଁ। ବିଜେପି ନେତା ଅମର ପଟ୍ଟନାୟକ କଡ଼ା ଭାଷାରେ ଜବାବ ଦେଇ କହିଛନ୍ତି— ବିଜେଡି କେବଳ ନିଜର ସ୍ୱଳ୍ପମିଆଦୀ ରାଜନୈତିକ ଫାଇଦା ପାଇଁ ଲୋକଙ୍କୁ ବିଭ୍ରାନ୍ତ କରୁଛି। ୨୪ ବର୍ଷ କ୍ଷମତାରେ ରହିବା ପରେ ସେମାନେ ଭଲ ଭାବେ ଜାଣିଛନ୍ତି ସତ କ’ଣ। କିନ୍ତୁ ହାରିବା ପରେ ଏବେ ଲୋକଙ୍କ ଆଗରେ ମିଛ କାହାଣୀ ରଚନା କରି ନିଜର ଅସ୍ତିତ୍ୱ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।
ରାଜନୀତିରେ ବିରୋଧ ହେବା ଦରକାର, ଗଣତନ୍ତ୍ରରେ ବିରୋଧୀଙ୍କ ସ୍ୱର ଶକ୍ତ ହେବା ନିହାତି ଜରୁରୀ। ରାଜ୍ୟର ଖଣିଜ ସମ୍ପଦ ଉପରେ ଓଡ଼ିଶାବାସୀଙ୍କ ପ୍ରଥମ ଅଧିକାର ରହିବା ଉଚିତ, ଏଥିରେ କାହାର ଦ୍ୱିମତ ନାହିଁ।
କିନ୍ତୁ ସେହି ଅଧିକାରର ଲଢ଼େଇ ଯେତେବେଳେ କେବଳ ପ୍ରେସ୍ ବିଜ୍ଞପ୍ତି, କ୍ୟାମେରା ଆଗରେ ବୟାନବାଜି ଏବଂ ଦଳୀୟ ଗୋଷ୍ଠୀକନ୍ଦଳ ଲୁଚାଇବାର ଢାଲ ପାଲଟିଯାଏ, ସେତେବେଳେ ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୁଏ।
ଯଦି ବିଜେଡିର ଏହି ଲଢ଼େଇ ସଚ୍ଚୋଟ, ତେବେ ଦଳ କୋର୍ଟକୁ ଯାଉ, ତଥ୍ୟ ପ୍ରମାଣ ସହ କେନ୍ଦ୍ରକୁ ଘେରୁ, ଆଉ ନିଜ ଦଳର ସବୁ ନେତାଙ୍କୁ ଏକାଠି ରାଜରାସ୍ତାକୁ ଓହ୍ଲାଉ। ତାହା ନକରି କେବଳ ‘ଅର୍ଥନୈତିକ ଅବରୋଧ’ ଭଳି ବଡ଼ ବଡ଼ ଶବ୍ଦ କହି ଲୋକଙ୍କୁ ଭୁଆଁ ବୁଲାଇବା କେତେଦୂର ଯୁକ୍ତିଯୁକ୍ତ?


