ଚାଲିଛି ବ୍ରିକ୍ସ ବିଜନେସ୍ ଫୋରମ୍ 2026। ଏହି ବୈଠକରେ ଏପରି କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି, ଯାହା ଆନ୍ତର୍ଜାତିକ ବାଣିଜ୍ୟ ଏବଂ ଭୂ-ରାଜନୀତିର ସମୀକରଣକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ବିଶେଷକରି, ଆମ ଦେଶର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଆମେରିକା ଭଳି ମହାଶକ୍ତିକୁ ଆଖିରେ ଆଖି କହିଥିବା କଥା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।
ଆମେରିକା ଯିଏ ନିଜକୁ ମାଲିକ ବୋଲି ଭାବେ, ଯାହା ଆଗରେ ଅନ୍ୟ ଦେଶମାନେ ମୁଣ୍ଡ ନୁଆଁଇ କାଗଜରେ ଦସ୍ତଖତ କରନ୍ତି—ପୀୟୂଷ ଗୋୟଲ ସେହି ଆମେରିକାକୁ ସ୍ପଷ୍ଟ ଭାବେ କହିଦେଇଛନ୍ତି ଯେ, ଭାରତ ସେତେବେଳେ ହିଁ ଟ୍ରେଡ୍ ଡିଲ୍ ସ୍ୱାକ୍ଷର କରିବ ଯେତେବେଳେ ଆମକୁ ଏକ ସଠିକ୍ ଏବଂ ସମାନ ସ୍ତରର ଟାରିଫ୍ ଡିଲ୍ ମିଳିବ। ଏହି ଭାଷା ଶୁଣି ଆମେରିକାର ମୁଣ୍ଡ ଗୋଳମାଳ ହୋଇଯାଇଛି।
ପୀୟୂଷ ଗୋୟଲ ଏହି ଫୋରମରେ ମୁଖ୍ୟତଃ ତିନିଟି ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି। ପ୍ରଥମ କଥାଟି ହେଲା— “ଆମକୁ ପରସ୍ପର ପାଇଁ ନିଜର ବଜାର ଖୋଲିବାକୁ ପଡ଼ିବ।”
ଭାରତ, ବ୍ରାଜିଲ୍, ଚୀନ୍, ଦକ୍ଷିଣ ଆଫ୍ରିକା, ରୁଷିଆ—ଏହି ସମସ୍ତ ଦେଶର ବଜାର ପରସ୍ପର ପାଇଁ ସୁଗମ ହେବା ଆବଶ୍ୟକ। ଏଠାରେ ଚୀନ୍ ପ୍ରତି ଏକ କଡ଼ା ଇଙ୍ଗିତ ରହିଛି। ଚୀନର ଅର୍ଥନୀତି ସମ୍ପୂର୍ଣ୍ଣ ଭାବେ ରପ୍ତାନି ଉପରେ ନିର୍ଭରଶୀଳ। ଚୀନର ଯେଉଁ ଉତ୍ପାଦନ କ୍ଷମତା ଅଛି, ସେଭଳି କ୍ଷମତା ଆଜିର ଦିନରେ ଆମେରିକା କିମ୍ବା ୟୁରୋପ କାହା ପାଖରେ ବି ନାହିଁ। ଗତ ୪୦ ବର୍ଷ ଭାତରେ ଚୀନ୍ ଯେଉଁ ସ୍କେଲ୍ ତିଆରି କରିଛି, ସେଥିରେ ସେମାନେ ଲକ୍ଷ ଲକ୍ଷ କମ୍ପୋନେଣ୍ଟ ଏକସାଙ୍ଗେ ତିଆରି କରିପାରନ୍ତି।
କିନ୍ତୁ ସମସ୍ୟା କେଉଁଠି ଆସେ? ଯେତେବେଳେ ଚୀନ୍ ଆବଶ୍ୟକତାଠାରୁ ଅଧିକ ଜିନିଷ ତିଆରି କରିଦିଏ, ସେତେବେଳେ ଡିମାଣ୍ଡ ଏବଂ ସପ୍ଲାଏ ମଧ୍ୟରେ ବଡ଼ ଫରକ ଆସେ। ଯେଉଁ ଜିନିଷର ଦାମ୍ ୧୦୦ ଟଙ୍କା ହେବା କଥା, ସେ ସେହି ଜିନିଷକୁ ୫୦ କିମ୍ବା ୬୦ ଟଙ୍କାରେ ମାର୍କେଟକୁ ଛାଡ଼ିଦିଏ। ଫଳରେ ସମଗ୍ର ବଜାରରେ ସେହି ପ୍ରଡକ୍ଟର ଦାମ୍ ପଡ଼ିଯାଏ। ଏହାକୁ କୁହାଯାଏ— ଡମ୍ପିଂ।
ଭାରତର ସ୍ଥିତି କ’ଣ? ଚୀନ୍ ସହିତ ଆମର ବାର୍ଷିକ ବାଣିଜ୍ୟ ପ୍ରାୟ ୧୫୦ ବିଲିୟନ ଡଲାରରୁ ଅଧିକ। କିନ୍ତୁ ଦୁଃଖର କଥା ହେଉଛି, ଏଥିରେ ଚୀନର ଫାଇଦା ପ୍ରାୟ ୧୨୫ ବିଲିୟନ ଡଲାର। ଅର୍ଥାତ୍, ଭାରତ ଚୀନରୁ ପ୍ରଚୁର ମାତ୍ରାରେ ଜିନିଷ କିଣୁଛି, କିନ୍ତୁ ଚୀନକୁ ସେହି ପରିମାଣରେ ସାମଗ୍ରୀ ବିକ୍ରି କରିପାରୁନାହିଁ। କାରଣ ଚୀନ୍ ଯେଉଁ ମୂଲ୍ୟରେ ଏବଂ ଯେଉଁ ବଡ଼ ସ୍କେଲ୍ରେ ଜିନିଷ ପ୍ରସ୍ତୁତ କରେ, ସେହି ଦରରେ ପ୍ରତିଯୋଗିତା କରିବା ଅନ୍ୟମାନଙ୍କ ପାଇଁ ବହୁତ କଷ୍ଟକର। ଏପରିକି ଚୀନ୍ ନିଜ ବଜାରକୁ ମଧ୍ୟ ଅନେକ ସମୟରେ ବନ୍ଦ ରଖେ।
ଏହିପରିପ୍ରେକ୍ଷୀରେ ପୀୟୂଷ ଗୋୟଲ ସ୍ପଷ୍ଟ କରିଛନ୍ତି ଯେ, ଏହା ହୋଇପାରିବ ନାହିଁ ଯେ ଆପଣ କେବଳ ଭାରତର ବଜାରରେ ପ୍ରବେଶ କରିବେ, କିନ୍ତୁ ଆମକୁ ଆପଣଙ୍କ ବଜାରରେ ପ୍ରବେଶ କରିବାକୁ ଦେବେ ନାହିଁ।
ଡୋନାଲ୍ଡ ଟ୍ରମ୍ପଙ୍କ ସବୁଠାରୁ ପ୍ରିୟ ଶବ୍ଦ ହେଉଛି ‘ଟାରିଫ୍’। ଟାରିଫ୍ ଅର୍ଥାତ୍ ଆମଦାନୀ ଶୁକ୍ଳ। ଯେତେବେଳେ କୌଣସି ଦେଶ ଅନ୍ୟ ଦେଶରୁ ଆସୁଥିବା ସାମଗ୍ରୀ ଉପରେ ଅଧିକ ଟ୍ୟାକ୍ସ ଲଗାଇଦିଏ, ସେତେବେଳେ ସେହି ଜିନିଷଟି ଆମଦାନୀକାରୀ ଦେଶରେ ମହଙ୍ଗା ହୋଇଯାଏ। ଫଳରେ ସେଠାକାର ଗ୍ରାହକମାନେ ସେହି ଜିନିଷକୁ କିଣିବାକୁ ପସନ୍ଦ କରନ୍ତି ନାହିଁ। ଏହାଦ୍ୱାରା ସ୍ଥାନୀୟ ଉତ୍ପାଦନକାରୀମାନେ ସୁରକ୍ଷା ପାଆନ୍ତି।
କିନ୍ତୁ ‘ନନ୍-ଟାରିଫ୍ ବାର୍ଷିୟର୍’ କ’ଣ? ଏହା କୌଣସି ଟ୍ୟାକ୍ସ ନୁହେଁ, ବରଂ ଏହା ହେଉଛି ଆଇନଗତ ନିୟମ ଏବଂ କଟକଣା। ଯେତେବେଳେ କୌଣସି ଦେଶ ଚାହେଁ ଯେ ଅନ୍ୟ ଦେଶର ମାଲ୍ ତାଙ୍କ ଦେଶକୁ ସହଜରେ ନ ଆସୁ, ସେତେବେଳେ ସେମାନେ ଏପରି କଠିନ ନିୟମ କାନୁନ୍ ତିଆରି କରନ୍ତି ଯେ, ଆମଦାନୀ କରିବା ଅସମ୍ଭବ ହୋଇପଡ଼େ।
ଉଦାହରଣସ୍ୱରୂପ, ଭାରତ ଯଦି ଚାହେଁ ଯେ ଭାରତୀୟ ମୋଟରସାଇକେଲ୍ ଶିଳ୍ପ ଆଗକୁ ବଢ଼ୁ, ତେବେ ଭାରତ ସେହି ଅନୁଯାୟୀ ନୀତି ପ୍ରଣୟନ କରିବ। ପୀୟୂଷ ଗୋୟଲ ଏହି ପ୍ରସଙ୍ଗକୁ ମଧ୍ୟ ବ୍ରିକ୍ସ ମଞ୍ଚରେ ଜୋରଦାର ଭାବେ ଉଠାଇଛନ୍ତି।
ତୃତୀୟ ଏବଂ ସବୁଠାରୁ ବଡ଼ କଥାଟି ହେଉଛି— ଡିପର୍ ଇକୋନମିକ୍ ଇଣ୍ଟିଗ୍ରେସନ୍ ଅର୍ଥାତ୍ ପରସ୍ପରର ଅର୍ଥନୀତିକୁ ଗଭୀର ଭାବେ ଯୋଡ଼ିବା ଏବଂ ନିଜସ୍ୱ ମୁଦ୍ରାରେ କାରବାର କରିବା।
ଏହି କଥାଟି ଶୁଣିଲା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଚିନ୍ତା ବଢ଼ିବା ସ୍ୱାଭାବିକ। କାରଣ ଟ୍ରମ୍ପ ପୂର୍ବରୁ ମଧ୍ୟ ଖୋଲାଖୋଲି ଧମକ ଦେଇସାରିଛନ୍ତି ଯେ, ଯଦି ବ୍ରିକ୍ସ ଦେଶମାନେ ଆମେରିକୀୟ ଡଲାରକୁ ଛାଡ଼ି ନିଜର କୌଣସି ନୂଆ ମୁଦ୍ରା ଆଣନ୍ତି, ତେବେ ସେ ସେହି ଦେଶଗୁଡ଼ିକ ଉପରେ ଏଭଳି ଭୟଙ୍କର ଟାରିଫ୍ ଲଗାଇବେ ଯେ ସେମାନଙ୍କ ଅବସ୍ଥା ଖରାପ ହୋଇଯିବ।
କିନ୍ତୁ ବାସ୍ତବତା କ’ଣ? ପୀୟୂଷ ଗୋୟଲ ଭାରତ ଏବଂ ଅନ୍ୟାନ୍ୟ ବ୍ରିକ୍ସ ଦେଶଗୁଡ଼ିକର ପକ୍ଷରୁ ସ୍ପଷ୍ଟ କରିଛନ୍ତି ଯେ—ଆମେ କାହିଁକି ଆମର ପାରସ୍ପରିକ ବାଣିଜ୍ୟ ପାଇଁ ଡଲାର ଉପରେ ନିର୍ଭର କରିବୁ? ଯଦି ଆମେ ଚୀନଠାରୁ କିଛି କିଣୁଛୁ, ତେବେ ଆମେ ସେମାନଙ୍କୁ ଟଙ୍କା ଦେଇପାରିବା ଏବଂ ଯଦି ଚୀନ୍ ଆମଠାରୁ କିଛି କିଣୁଛି, ତେବେ ସେମାନେ ଆମକୁ ୟୁଆନ୍ ଦେଇପାରିବେ।
ଅବଶ୍ୟ, ଏହା ଏତେ ସହଜ ନୁହେଁ। କାରଣ ଚୀନ୍ କେବେବି ଚାହିବ ନାହିଁ ଯେ ସେମାନଙ୍କ ପାଖରେ ଥିବା ଟ୍ରିଲିୟନ୍ ଟ୍ରିଲିୟନ୍ ଡଲାର୍ ଭଣ୍ଡାରର ମୂଲ୍ୟ କମିଯାଉ। କିନ୍ତୁ ଭାରତ ଏଥିରେ ଏକ ବିକଳ୍ପ ଆଣିଛି— ଡିଜିଟାଲ୍ ପେମେଣ୍ଟସ୍ ଯେପରିକି ଆମର UPI!
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁଆଡ଼େ ଯାଆନ୍ତି, ସେଠାରେ UPIର ପ୍ରଚାର କରନ୍ତି। ଆଜି ଦଶରୁ ଅଧିକ ଦେଶ UPIକୁ ଆପଣାଇ ସାରିଲେଣି। ଭାରତ ଚାହୁଁଛି ଯେ ଏହି ଡିଜିଟାଲ୍ ଟେକ୍ନୋଲୋଜି ମାଧ୍ୟମରେ ସମଗ୍ର ବ୍ରିକ୍ସ ଅର୍ଥନୈତିକ ବ୍ୟବସ୍ଥାକୁ ଏକତ୍ରିତ କରାଯାଉ। ଯଦି ଅନ୍ୟ ଦେଶଗୁଡ଼ିକ ଆମର ଡିଜିଟାଲ୍ ସିଷ୍ଟମ୍ ବ୍ୟବହାର କରିବାକୁ ଚାହାଁନ୍ତି, ତେବେ ଭାରତ ସେମାନଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ।
ଏହି ସମସ୍ତ କାରଣରୁ ଆମେରିକା ଆଜି ଗଭୀର ଚନ୍ତାରେ ଅଛି। ଆମେରିକା ଭଲଭାବେ ଜାଣିଛି ଯେ ବ୍ରିକ୍ସ ଏକ ବିକଳ୍ପ ଶକ୍ତି କେନ୍ଦ୍ର ଭାବେ ଉଭୟ ହେଉଛି।
ଏକ ସମୟ ଥିଲା ଯେତେବେଳେ ପାଶ୍ଚାତ୍ୟ ଦେଶଗୁଡ଼ିକ—ଯଥା ୟୁରୋପ, ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ ଏବଂନ୍ୟୁଜିଲାଣ୍ଡ—ଗୋଟିଏ ପରିବାର ପରି ରହୁଥିଲେ। କିନ୍ତୁ ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ପରେ ନିଜର ସହଯୋଗୀ ଦେଶମାନଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛାଇଲେ ନାହିଁ। ସେ ୟୁରୋପ, ଅଷ୍ଟ୍ରେଲିଆ ଏବଂ କାନାଡ଼ାକୁ ଅପମାନିତ କଲେ। ଫଳରେ ପାଶ୍ଚାତ୍ୟ ଦେଶମାନଙ୍କ ମଧ୍ୟରେ ଥିବା ସମ୍ପର୍କରେ ଫାଟ ସୃଷ୍ଟି ହେଲା।
ଆଜିର ସ୍ଥିତି ଏପରି ହୋଇଛି ଯେ ପାକିସ୍ତାନ ବ୍ୟତୀତ ଯଦି କୌଣସି ଦେଶ ଆନ୍ତର୍ଜାତିକ ସ୍ତରରେ ଏକପ୍ରକାର ଅଲଗା ହୋଇପଡ଼ିଛି, ତେବେ ସେ ହେଉଛି ଆମେରିକା! ଫରକେବଳ ଏତିକି ଯେ, ଆମେରିକା ପାଖରେ ଅପାର ଧନସମ୍ପତ୍ତି ଅଛି, ଏବଂ ପାକିସ୍ତାନ ସମ୍ପୂର୍ଣ୍ଣ ଦେବାଳିଆ ହୋଇଯାଇଛି।
ଏହି ପରିପ୍ରେକ୍ଷୀରେ, ଯେତେବେଳେ ଚୀନ୍, ରୁଷିଆ, ଭାରତ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ ଏବଂ ୟୁଏଇ ଭଳି ଦେଶମାନେ ଗୋଟିଏ ମଞ୍ଚରେ ଏକାଠି ହେଉଛନ୍ତି, ସେତେବେଳେ ସେମାନେ ଏକ ବିଶାଳ ଶକ୍ତିଶାଳୀ ବ୍ଲକ୍ ଗଠନ କରୁଛନ୍ତି। ଆଗାମୀ ଦିନରେ ଯଦି ଏହି ଦେଶଗୁଡ଼ିକ ପରସ୍ପର ସହ ସହଯୋଗ କରି ନିଜର ପାଦ ଦୃଢ଼ କରନ୍ତି, ତେବେ ଆମେରିକାର ଏକଛତ୍ରବାଦ କେଉଁଠି ରହିବ? ଏହାହିଁ ହେଉଛି ଆମେରିକାର ପ୍ରକୃତ ଭୟ!
ଏହି ସମ୍ମିଳନୀରେ ଆମର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ଯେ, ଆଜିର ଦୁନିଆକୁ ଏକ ଅଧିକ ପୂର୍ବାନୁମାନଯୋଗ୍ୟ ବାଣିଜ୍ୟ ପରିବେଶର ଆବଶ୍ୟକତା ରହିଛି।
କଥାଟି ସମ୍ପୂର୍ଣ୍ଣ ସତ। ବ୍ୟାପାର ଅନିଶ୍ଚିତତା ମଧ୍ୟରେ ଚାଲେ, କିନ୍ତୁ ବ୍ୟବସାୟ ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ତରର ସ୍ଥିରତା ଏବଂ ପ୍ରଡକ୍ଟେବିଲିଟି ଜରୁରୀ। ଡକ୍ଟର ଜୟଶଙ୍କର ବ୍ରିକ୍ସ ରାଷ୍ଟ୍ରମାନଙ୍କ ମଧ୍ୟରେ ବିବିଧ ବାଣିଜ୍ୟିକ ସମ୍ପର୍କ ଏବଂ ଦୃଢ଼ ଯୋଗାଣ ଶୃଙ୍ଖଳା ଉପରେ ଗୁରୁତ୍ୱ ଦେଇଛନ୍ତି।
ବର୍ତ୍ତମାନ ସମୟରେ ବିଶ୍ୱର ପ୍ରତ୍ୟେକ ଦେଶର ମନରେ ଗୋଟିଏ ପ୍ରଶ୍ନ ଘୂରି ବୁଲୁଛି—ତାହା ହେଉଛି ଷ୍ଟ୍ରେଟ୍ ଅଫ୍ ହରମୁଜ୍ ଏବଂ ମଧ୍ୟପ୍ରାଚ୍ୟର ଅସ୍ଥିରତା। କେହି ମଧ୍ୟ ଇରାନକୁ ଜୋର୍ ଜବରଦସ୍ତି କରିପାରିବେ ନାହିଁ, କିନ୍ତୁ ଇରାନର ରାଷ୍ଟ୍ରପତି ମାସୁଦ ପେଜେସ୍କିଆନଙ୍କ ସାଙ୍ଗେ ଆଲୋଚନା ହେବା ନିହାତି ଜରୁରୀ ଯେ ସେମାନେ ଆଗାମୀ ପଦକ୍ଷେପ କ’ଣ ନେବାକୁ ଯାଉଛନ୍ତି।
କିନ୍ତୁ ସମସ୍ୟା କେଉଁଠି? ସମସ୍ୟା ହେଉଛି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନିଶ୍ଚିତ ନୀତି। ସେ ଆଜି କାହାକୁ ହାତ ମିଳାନ୍ତି, ଆଉ ଆସନ୍ତାକାଲି କାହା ଉପରେ ବୋମା ପକାଇଦିଅନ୍ତି!
ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖନ୍ତୁ। କିଛି ଦିନ ପୂର୍ବେ ପାକିସ୍ତାନର ଫିଲ୍ଡ ମାର୍ଶଲ୍ କୁହାଯାଉଥିବା ଅସୀମ ମୁନୀର ତେହେରାନ ଯାଇଥିଲେ ଆଲୋଚନା କରିବାକୁ। କିନ୍ତୁ ଇରାନ ପକ୍ଷରୁ ତାଙ୍କୁ ୨୪ ଘଣ୍ଟା ଭିତରେ ଫେରିଯିବାକୁ କୁହାଗଲା ଏବଂ ସେଠାରେ ତାଙ୍କୁ କୌଣସି ସମ୍ମାନ ଦିଆଗଲା ନାହିଁ। କାରଣ ଟ୍ରମ୍ପ ପୂର୍ବରୁ ଯେଉଁ ବୁଝାମଣା ସ୍ୱାକ୍ଷର କରିଥିଲେ, ଆମେରିକା ବର୍ତ୍ତମାନ ସେଥିରୁ ଓହରି ଯାଇଛି।
ଏଭଳି ପରିସ୍ଥିତିରେ, ଯେତେବେଳେ ଭାରତ, ଚୀନ୍, ରୁଷିଆ, ୟୁଏଇ ଏବଂ ସାଉଦି ଆରବ ଭଳି ଦେଶମାନେ ଏକତ୍ରିତ ହୋଇ ଏକ ସ୍ଥିର ଏବଂ ନିର୍ଭରଯୋଗ୍ୟ ବାଣିଜ୍ୟିକ ବ୍ୟବସ୍ଥା ଗଠନ କରିବାକୁ ଚାହୁଁଛନ୍ତି, ସେତେବେଳେ ଏହା ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ଆଶାର କିରଣ ହୋଇପାରେ।
ତେବେ, ପୀୟୂଷ ଗୋୟଲ ଏବଂ ଡକ୍ଟର ଜୟଶଙ୍କରଙ୍କ ଏହି ରଣନୈତିକ ବକ୍ତବ୍ୟରୁ ଏହା ସ୍ପଷ୍ଟ ଯେ—ଆଜିର ଭାରତ ଆଉ ପୁରୁଣା ଦିନର ଭାରତ ନୁହେଁ। ଆଜି ଭାରତ ବିଶ୍ୱ ମଞ୍ଚରେ ଆଖିରେ ଆଖି ପକାଇ କଥା କହିବାକୁ ଜାଣେ। ଆମେରିକାର ଚାପ ଆଗରେ ମୁଣ୍ଡ ନୁଆଁଇବା ବଦଳରେ ଭାରତ ନିଜର ସ୍ୱାର୍ଥ ଏବଂ ଆନ୍ତର୍ଜାତିକ ସନ୍ତୁଳନକୁ ବଜାୟ ରଖିବାକୁ ଜାଣିଛି।
Also read : https://purvapaksa.com/putin-modi-diplomacy-trump-rahuls-disgruntled-uncle-politics/


