ଆଜି ଆମେ ଆପଣଙ୍କ ସାମ୍ନାରେ ଏପରି ଏକ ସତ୍ୟ ରଖିବାକୁ ଯାଉଛୁ, ଯାହା ଜାଣିଲେ ଆପଣ ଭାବିବାକୁ ବାଧ୍ୟ ହେବେ ଯେ- ଆମେ ପ୍ରକୃତରେ କେଉଁ ଦିଗକୁ ଗତି କରୁଛୁ? ଆମ ଦେଶର ଗଣତନ୍ତ୍ରକୁ କିଏ ଚାଳନା କରୁଛି? ଜନସାଧାରଣଙ୍କ ଭୋଟ୍ ଦେବାର ଅଧିକାର କାହା ସ୍ୱାର୍ଥରେ ବ୍ୟବହାର ହେଉଛି?
ଆପଣମାନେ ନିର୍ବାଚନ ଆସିଲେ କାନ୍ଭାସ୍, ଭାଷଣ, ପ୍ରତିଶ୍ରୁତି ଏବଂ ମାଳ ମାଳ ବ୍ୟାନର୍ ପୋଷ୍ଟର ଦେଖିଥିବେ। ନେତାମାନେ ବଡ଼ ବଡ଼ କଥା କହନ୍ତି— ଦେଶ ବଦଳାଇ ଦେବୁ, ସମାଜ ସୁଧାରି ଦେବୁ, ଗରିବଙ୍କ ବିକାଶ କରିବୁ। କିନ୍ତୁ ଯେତେବେଳେ ପ୍ରାର୍ଥୀ ଚୟନର ପ୍ରକୃତ ଚିତ୍ର ସାମ୍ନାକୁ ଆସେ, ସେତେବେଳେ ସବୁ ବଡ଼ ବଡ଼ କଥା ପାଣିରୁା ଗାର ହୋଇଯାଏ।
ବର୍ତ୍ତମାନ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। Association for Democratic Reforms ବା ‘ଏଡିଆର’ ପକ୍ଷରୁ ଏକ ନୂଆ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟଟି କେବଳ କାଗଜର କିଛି ଲମ୍ବା ହିସାବ ନୁହେଁ, ଏହା ଆମ ଗଣତନ୍ତ୍ରର ମେରୁଦଣ୍ଡ ଉପରେ ଏକ ସିଧାସଳଖ ଆଘାତ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ବିଭିନ୍ନ ରାଜନୈତିକ ଦଳଗୁଡ଼ିକ କିଭଳି ଭାବରେ ନିୟମକୁ ଫୁ କରି, ଅପରାଧିକ ପୃଷ୍ଠଭୂମି ଥିବା ଲୋକଙ୍କୁ ନିର୍ବାଚନ ମଇଦାନକୁ ଠେଲି ଦେଉଛନ୍ତି। ଏବଂ ସବୁଠାରୁ ବଡ଼ କଥା ହେଲା, ସେହି ଦାଗୀ ନେତାମାନଙ୍କୁ ଟିକେଟ୍ ଦେବା ପଛର କାରଣ କ’ଣ, ତାହା ମଧ୍ୟ ଦଳଗୁଡ଼ିକ ସ୍ପଷ୍ଟ ଭାବେ କହିବାକୁ ସାହସ କରୁନାହାନ୍ତି!
ଟିକେ ଗଭୀରକୁ ଯାଇ ଚିନ୍ତା କରନ୍ତୁ। ଏଡିଆର (ADR) ତଥ୍ୟ ଅନୁଯାୟୀ, ଦେଶର ବିଭିନ୍ନ ରାଜ୍ୟରେ ଯେଉଁ ନିର୍ବାଚନଗୁଡ଼ିକ ହେଉଛି, ସେଠାରେ ହଜାର ହଜାର ପ୍ରାର୍ଥୀଙ୍କ ମଧ୍ୟରୁ ଶହ ଶହ ପ୍ରାର୍ଥୀଙ୍କ ନାମରେ ଗୁରୁତର ଅପରାଧିକ ମାମଲା ରହିଛି।
ରିପୋର୍ଟ କହୁଛି ଯେ, ୫ଟି ପ୍ରମୁଖ ରାଜ୍ୟରେ ପ୍ରାୟ ୧୪୦୫ ଜଣ ଏଭଳି ପ୍ରାର୍ଥୀଙ୍କୁ ଟିକେଟ୍ ମିଳିଛି, ଯିଏ ନିଜେ ସ୍ୱୀକାର କରିଛନ୍ତି ଯେ ସେମାନଙ୍କ ନାଁରେ କ୍ରିମିନାଲ୍ କେସ୍ ବା ଅପରାଧିକ ମାମଲା ରହିଛି। ଆମେ କୌଣସି ଗୁଜବ କଥା କହୁନୁ, ଏହା ସେହି ନେତାମାନେ ନିର୍ବାଚନ କମିଶନଙ୍କୁ ଦେଇଥିବା ସ୍ୱ-ଘୋଷିତ ସତ୍ୟପାଠର ହିସାବ।
ଭାବନ୍ତୁ ତ! ଯେଉଁ ବ୍ୟକ୍ତିଙ୍କ ନାଁରେ ହତ୍ୟା, ଡକାୟତି, ଅପହରଣ, ମହିଳାଙ୍କ ପ୍ରତି ଅତ୍ୟାଚାର ବା ସେଭଳି କୌଣସି ଜଘନ୍ୟ ଅପରାଧର ମାମଲା କୋର୍ଟରେ ବିଚାରାଧୀନ ଅଛି, ସେହି ବ୍ୟକ୍ତି ଜଣକ ଯେତେବେଳେ ଆଇନ ତିଆରି କରୁଥିବା ସଂସ୍ଥା ଅର୍ଥାତ୍ ବିଧାନସଭା ବା ସଂସଦକୁ ଯିବେ, ସେତେବେଳେ ସେହି ଦେଶର ଆଇନର ଅବସ୍ଥା କ’ଣ ହେବ?
ସୁପ୍ରିମକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ— ଯଦି କୌଣସି ରାଜନୈତିକ ଦଳ କୌଣସି ଦାଗୀ ବା ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିକୁ ଟିକେଟ୍ ଦିଏ, ତେବେ ସେହି ଦଳକୁ ସର୍ବସାଧାରଣରେ, ଖବରକାଗଜରେ ଏବଂ ଟିଭିରେ ଏହାର କାରଣ ସ୍ପଷ୍ଟ ଭାବେ ବାଧ୍ୟତାମୂଳକ ଭାବେ ଛାପିବାକୁ ପଡ଼ିବ। ସେମାନଙ୍କୁ C-7 ଫର୍ମରେ ଦର୍ଶାଇବାକୁ ପଡ଼ିବ ଯେ, ସେହି ଦଳକୁ ଛାଡ଼ି ଆଉ କୌଣସି ଭଲ କ୍ଲିନଚିଟ୍ ଥିବା ଲୋକ ସେମାନଙ୍କୁ ମିଳିଲା ନାହିଁ କି? କାହିଁକି କେବଳ ସେହି ଅପରାଧିକ ମାମଲା ଥିବା ଲୋକଟିହିଁ ସେମାନଙ୍କ ପାଇଁ ସବୁଠାରୁ ‘ଉପଯୁକ୍ତ’ ପ୍ରାର୍ଥୀ ପାଲଟିଗଲା?
କିନ୍ତୁ ବାସ୍ତବତା କ’ଣ ଜାଣନ୍ତି? ADR ରିପୋର୍ଟ ପ୍ରକାଶ କରିଛି ଯେ, ବଡ଼ବଡ଼ ରାଜନୈତିକ ଦଳଗୁଡ଼ିକ ଏହି ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶକୁ ମଧ୍ୟ କିପରି ଖାତିର କରୁନାହାନ୍ତି।
ରିପୋର୍ଟ ଅନୁସାରେ, ଅନେକ ପ୍ରାର୍ଥୀଙ୍କ କ୍ଷେତ୍ରରେ ଦଳଗୁଡ଼ିକ ସେହି ବାଧ୍ୟତାମୂଳକ C-7 ସୂଚନା ହିଁ ଦେଇନାହାନ୍ତି। ଶହ ଶହ ପ୍ରାର୍ଥୀଙ୍କ କ୍ଷେତ୍ରରେ କୌଣସି ସ୍ପଷ୍ଟକରଣ ଦିଆଯାଇ ନାହିଁ ଯେ, କାହିଁକି ଜଣେ ଦାଗୀ ବ୍ୟକ୍ତିଙ୍କୁ ଜନସେବା ପାଇଁ ବଛାଗଲା।
ଆଉ ଯେଉଁଠି ଦିଆଯାଇଛି, ସେଠାରେ ଆଉ ଏକ ମଜାକିଆ ଓ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ଆପଣ ଯଦି ସେହି କାରଣଗୁଡ଼ିକୁ ପଢ଼ିବେ, ଆପଣଙ୍କୁ ହସ ମଧ୍ୟ ଲାଗିବ ଏବଂ ଦେଶର ରାଜନୈତିକ ସଂସ୍କୃତି ପାଇଁ ଦୁଃଖ ମଧ୍ୟ ହେବ। ଦଳଗୁଡ଼ିକ ସବୁ ପ୍ରାର୍ଥୀଙ୍କ ପାଇଁ ପ୍ରାୟ ଗୋଟିଏ କପି-ପେଷ୍ଟ୍ ଭାଷା ବ୍ୟବହାର କରିଛନ୍ତି। ଯେପରି କି:
- “ସେ ବହୁତ ଲୋକପ୍ରିୟ…”
- “ସେ ସମାଜସେବା କରନ୍ତି…”
- “ତାଙ୍କର ଜନସମର୍ଥନ ବହୁତ ଅଛି…”
- “ତାଙ୍କର ଏହି କ୍ଷେତ୍ରରେ ବହୁତ ଅଭିଜ୍ଞତା ଅଛି…”
ଭାବନ୍ତୁ! ଜଣଙ୍କ ନାଁରେ ହତ୍ୟା ମାମଲା ଅଛି, ଆଉ ଦଳ କହୁଛି ଯେ ସେ ବହୁତ ଭଲ ‘ସମାଜସେବୀ’ ଏବଂ ତାଙ୍କର ଲୋକପ୍ରିୟତା ଅଧିକ ଅଛି! କ’ଣ ଏହା ଜନସାଧାଣଙ୍କୁ ମୂର୍ଖ ବନାଇବା ନୁହେଁ? କ’ଣ ଗଣତନ୍ତ୍ରର ମୂଲ୍ୟବୋଧକୁ ଏହିଭଳି ଭାବରେ ଥଟ୍ଟା କରାଯିବା ଉଚିତ୍? କୌଣସି ଜଣେ ବି ପ୍ରାର୍ଥୀଙ୍କ ଅପରାଧିକ ମାମଲାର ପ୍ରକୃତି କ’ଣ, ସେ କେଉଁ ମାମଲାରେ ଜଡ଼ିତ, କୋର୍ଟରେ ତାର ସ୍ଥିତି କ’ଣ- ଏସବୁ ବିଷୟରେ କୌଣସି ଗମ୍ଭୀର ସ୍ପଷ୍ଟୀକରଣ ନାହିଁ। ବରଂ ଗୋଟିଏ ପ୍ରକାରର ଠାରା ବା ପ୍ରେସକ୍ରିପସ ଭଳି ସବୁଠି ସେହି ଗୋଟିଏ କଥା ଲେଖିଦିଆଯାଉଛି।
ଏହା କୌଣସି ଗୋଟିଏ ଦେଶର ଗୋଟିଏ ଆଞ୍ଚଳିକ ଦଳର କଥା ନୁହେଁ। ତାମିଲନାଡ଼ୁ ହେଉ, ପଶ୍ଚିମବଙ୍ଗ ହେଉ, କେରଳ ହେଉ, ଆସାମ ହେଉ କି ପୁଡୁଚେରୀ— ପ୍ରାୟ ପ୍ରତ୍ୟେକ ରାଜ୍ୟରେ ଏହି ସମାନ ରୋଗ ବ୍ୟାପିଛି। ଶାସକ ଦଳରୁ ଆରମ୍ଭ କରି ବିରୋଧୀ ଦଳ ପର୍ଯ୍ୟନ୍ତ— ସମସ୍ତଙ୍କ କାହାଣୀ ଗୋଟିଏ। ଯେତେବେଳେ ଟିକେଟ୍ ବଣ୍ଟନର ବେଳ ଆସେ, ସେତେବେଳେ ଦଳମାନଙ୍କର ନୈତିକତା, ଆଦର୍ଶ ଓ ସଚ୍ଚୋଟତା କୁଆଡ଼େ ଉଭେଇ ଯାଏ, କେବଳ ଗୋଟିଏ ଜିନିଷ ଦୃଷ୍ଟିକୁ ଆସେ— ‘ଜିତିବାର କ୍ଷମତା’ (Winnability)।
ବର୍ତ୍ତମାନ ଆସନ୍ତୁ ଆଉ ଏକ ବଡ଼ ପ୍ରଶ୍ନ ଉପରେ ବିଚାର କରିବା। ରାଜନୈତିକ ଦଳଗୁଡ଼ିକ ଏଭଳି ଲୋକଙ୍କୁ କାହିଁକି ବାଛୁଛନ୍ତି? ଉତ୍ତର ସରଳ- ଆଜିର ରାଜନୀତିରେ ନୀତି, ଆଦର୍ଶ କିମ୍ବା ବ୍ୟକ୍ତିଗତ ଚରିତ୍ରର କୌଣସି ମୂଲ୍ୟ ନାହିଁ। ମୂଲ୍ୟ କେବଳ ଦୁଇଟି ଜିନିଷର- ‘ଟଙ୍କା’ (Money Power) ଏବଂ ‘ବାହୁବଳ’ (Muscle Power)।
ଯେଉଁ ବ୍ୟକ୍ତି ପାଖରେ ଅପାର ଧନରାଶି ଅଛି, ଯିଏ ନିର୍ବାଚନରେ କୋଟିକୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରିପାରିବେ ଏବଂ ଯାହାଙ୍କ ନାଁରେ ଭୟର ଏକ ବାତାବରଣ ସୃଷ୍ଟି କରିବାର କ୍ଷମତା ଅଛି, ସେହି ବ୍ୟକ୍ତି ରାଜନୈତିକ ଦଳଗୁଡ଼ିକର ପ୍ରଥମ ପସନ୍ଦ ପାଲଟି ଯାଉଛନ୍ତି। ଦଳଗୁଡ଼ିକ ଭାବନ୍ତି ଯେ ଜଣେ ସଚ୍ଚୋଟ, ନିଷ୍ଠାବାନ୍ ଏବଂ ଗରିବ ମଣିଷ ପାଖରେ ହୁଏତ ସମାଜସେବାର ଭଲ ଭାବନା ଥାଇପାରେ, କିନ୍ତୁ ନିର୍ବାଚନ ଜିଣିବା ପାଇଁ ଯେଉଁ ଟଙ୍କା ଏବଂ ପ୍ରଭାବ ଦରକାର, ତାହା ସେ ଦେଇପାରିବେ ନାହିଁ।
ଆଉ ଏହାର ପରିଣାମ କ’ଣ ହେଉଛି? ଆପଣମାନେ ଦେଖିଥିବେ, ବହୁତ ସମୟରେ ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନଙ୍କର ଜିତିବାର ସମ୍ଭାବନା (Winning rate) ସାଧାରଣ ଓ ସଚ୍ଚୋଟ ପ୍ରାର୍ଥୀଙ୍କ ଅପେକ୍ଷା ଅଧିକ ରହୁଛି! ଏହା କୌଣସି କଳ୍ପନା ନୁହେଁ, ବରଂ ବିଗତ ନିର୍ବାଚନଗୁଡ଼ିକର ADR ତଥ୍ୟ ପ୍ରମାଣ କରିଛି ଯେ ଦାଗୀ ପ୍ରାର୍ଥୀମାନେ ଅଧିକ ଭୋଟ୍ ପାଇ ନିର୍ବାଚନ ଜିତି ଆସୁଛନ୍ତି।
ଏହାର କାରଣ କ’ଣ? କାରଣ ଭୟ, ଧମକ, ଜାତିଗତ ସମୀକରଣ ଏବଂ ଟଙ୍କାର ପ୍ରଲେପ ଦେଇ ଭୋଟରଙ୍କୁ ପ୍ରଭାବିତ କରାଯାଉଛି। ସାଧାରଣ ମଣିଷ ଭାବୁଛି- “ଏହି ଲୋକଟି ଶକ୍ତିଶାଳୀ, ଏହାର ପାଖରେ ଗୁଣ୍ଡା ବାହିନୀ ଅଛି, ତେଣୁ ଏହା ବିରୁଦ୍ଧରେ ଗଲେ ଆମର କ୍ଷତି ହୋଇପାରେ।” ଏହି ଭୟ ହିଁ ସେହି ଅପରାଧୀମାନଙ୍କୁ ଗଣତନ୍ତ୍ରର ମନ୍ଦିରକୁ ପହଞ୍ଚାଇବାର ସବୁଠାରୁ ବଡ଼ ସିଡ଼ି ପାଲଟି ଯାଉଛି।
ଏଠାରେ ଆଉ ଗୋଟିଏ ଅତ୍ୟନ୍ତ ଲୋମହର୍ଷକ ଏବଂ ଲଜ୍ଜାଜନକ ସତ୍ୟ ପ୍ରକାଶ କରିବାକୁ ପଡ଼ିବ। ଆଜି ଦେଶରେ ମହିଳା ଏବଂ ନାବାଳିକାଙ୍କ ପ୍ରତି ଅତ୍ୟାଚାର, ଦୁଷ୍କର୍ମ, ଘରେଇ ହିଂସା ଏବଂ ଅପହରଣ ଭଳି ଜଘନ୍ୟ ଅପରାଧ ବିରୁଦ୍ଧରେ ସାରା ଦେଶରେ ପ୍ରତିବାଦର ନିଆଁ ଜଳୁଛି। ଲୋକମାନେ ରାସ୍ତାକୁ ଓହ୍ଲାଉଛନ୍ତି, ନ୍ୟାୟ ଦାବି କରୁଛନ୍ତି।
କିନ୍ତୁ ଦୁର୍ଭାଗ୍ୟର କଥା ଦେଖନ୍ତୁ! ADR ରିପୋର୍ଟ ଏହା ମଧ୍ୟ ଦେଖାଇଛି ଯେ, ଦେଶର ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ଏପରି ଲୋକଙ୍କୁ ମଧ୍ୟ ଟିକେଟ୍ ଦେଇଛନ୍ତି, ଯାହାଙ୍କୁ ବିରୁଦ୍ଧରେ ମହିଳାଙ୍କ ପ୍ରତି ଅତ୍ୟାଚାର ଏବଂ ଆଇପିସିର ଧାରା ୩୭୬ (ଦୁଷ୍କର୍ମ ଭଳି ସଙ୍ଗୀନ ଅପରାଧ) ମାମଲା ରହିଛି। ସେଭଳି କେତେକ ଜଣ ସାଂସଦ ଓ ବିଧାୟକ ମଧ୍ୟ ରହିଛନ୍ତି, ଯିଏ ନିଜେ ଏଭଳି ସଙ୍ଗୀନ ଅପରାଧର ଅଭିଯୁକ୍ତ।
ଯେଉଁ ଦଳଗୁଡ଼ିକ ନିର୍ବାଚନ ମଞ୍ଚରେ ଛିଡ଼ା ହୋଇ ନାରୀ ସୁରକ୍ଷା ଏବଂ ‘ବେଟି ବଚାଓ’ ବା ମହିଳା ସଶକ୍ତିକରଣର ବଡ଼ ବଡ଼ ଭାଷଣ ଦିଅନ୍ତି, ସେହି ସେହି ଦଳଗୁଡ଼ିକର ତାଲିକାରେ ଏଭଳି ଦାଗୀ ନେତାମାନଙ୍କ ନାଁ ରହିବା କ’ଣ ଦ୍ୱିମୁଖୀ ନୀତିର ପରାକାଷ୍ଠା ନୁହେଁ? ଏହା କ’ଣ ଜନସାଧାଣଙ୍କ ସହ ସବୁଠାରୁ ଠକ ମିଶ୍ରଣ ନୁହେଁ? ଆମେ ଯେତେବେଳେ ମହିଳାଙ୍କ ସୁରକ୍ଷା ପାଇଁ କଡ଼ା ଆଇନ ଦାବି କରୁଛେ, ଠିକ୍ ସେହି ସମୟରେ ଆମେ ନିଜେ ନିଜ ହାତରେ ସେହି ଅପରାଧୀମାନଙ୍କୁ କ୍ଷମତାର ଚାବିକାଠି ଧରାଇ ଦେଉଛେ।
ବର୍ତ୍ତମାନ ପ୍ରଶ୍ନ ଉଠୁଛି— ଏହି କଳା ଅଧ୍ୟାୟରୁ ବାହାରିବାର ବାଟ କ’ଣ? କ’ଣ ଆମର ଗଣତନ୍ତ୍ର ସବୁଦିନ ପାଇଁ ଏହି ବାହୁବଳ ଏବଂ ଅପରାଧୀଙ୍କ ହାତରେ ବନ୍ଧକ ହୋଇ ରହିବ?
କୌଣସି ସରକାର କିମ୍ବା କୌଣସି ଗୋଟିଏ ରାଜନୈତିକ ଦଳ ନିଜେ ଇଚ୍ଛାକୃତ ଭାବେ ଏହାକୁ ବନ୍ଦ କରିବେ ନାହିଁ। କାରଣ ସମସ୍ତଙ୍କ ସ୍ୱାର୍ଥ ଏଥିରେ ଜଡ଼ିତ ଅଛି। ତେଣୁ, ଏହି ପରିବର୍ତ୍ତନ କେବଳ ଉପରୁ ଆସିବ ନାହିଁ, ଏହାକୁ ତଳୁ ଅର୍ଥାତ୍ ଜନସାଧାରଣଙ୍କ ସଚେତନତା ମାଧ୍ୟମରେ ଆଣିବାକୁ ପଡ଼ିବ।
ପ୍ରଥମ କଥା ହେଲା— ଭୋଟର ଭାବେ ଆମକୁ ଜାଗ୍ରତ ହେବାକୁ ପଡ଼ିବ। ଯେତେବେଳେ ଭୋଟ୍ ଦେବାକୁ ଯିବେ, ସେତେବେଳେ କେବଳ ଦଳର ଚିହ୍ନ, ଧର୍ମ, ଜାତି କିମ୍ବା ନେତାଙ୍କ ମିଥ୍ୟା ପ୍ରତିଶ୍ରୁତି ଦେଖି ଭୋଟ୍ ଦିଅନ୍ତୁ ନାହିଁ। ପ୍ରାର୍ଥୀଙ୍କ ‘କ୍ରିମିନାଲ୍ ଆଣ୍ଟିସେଡେଣ୍ଟ୍’ ବା ଅପରାଧିକ ପୃଷ୍ଠଭୂମି ବିଷୟରେ ଜାଣନ୍ତୁ। ନିର୍ବାଚନ କମିଶନଙ୍କ ‘Know Your Candidate’ (KYC) ଆପ୍ ଅଛି, ସେଠାରେ ପ୍ରତ୍ୟେକ ପ୍ରାର୍ଥୀଙ୍କ ସମସ୍ତ ତଥ୍ୟ ମିଳିଯାଏ। ଜାଣନ୍ତୁ ଯେ ଆପଣ ଯେଉଁ ବ୍ୟକ୍ତିକୁ ଭୋଟ୍ ଦେଉଛନ୍ତି, ତାଙ୍କ ହାତ ରକ୍ତରଙ୍ଗୀନ ଅଛି କି ନାହିଁ।
ଦ୍ୱିତୀୟ କଥା ହେଲା— ଆଇନଗତ ବ୍ୟବସ୍ଥାରେ କଡ଼ା ସଂସ୍କାର ଆବଶ୍ୟକ। ସୁପ୍ରିମକୋର୍ଟ ଏବଂ ନିର୍ବାଚନ କମିଶନଙ୍କୁ ଆଉରି ଅଧିକ କ୍ଷମତା ଦେବାକୁ ପଡ଼ିବ। ଯେଉଁ ରାଜନୈତିକ ଦଳଗୁଡ଼ିକ ସୁପ୍ରିମକୋର୍ଟଙ୍କ ଆଦେଶକୁ ଅମାନ୍ୟ କରି ବିନା କୌଣସି ଠୋସ୍ କାରଣରେ ଦାଗୀ ପ୍ରାର୍ଥୀଙ୍କୁ ଟିକେଟ୍ ଦେଉଛନ୍ତି, ସେହି ଦଳଗୁଡ଼ିକର ପଞ୍ଜୀକରଣ ରଦ୍ଦ କରିବା ପାଇଁ ବା ସେମାନଙ୍କ ଉପରେ କୋଟି କୋଟି ଟଙ୍କାର ଜରିମାନା ଲଗାଇବା ପାଇଁ କଡ଼ା ଆଇନ ଆସିବା ଜରୁରୀ। କେବଳ C-7 ଫର୍ମରେ ଫର୍ମାଲିଟି ପୂର୍ଣ କଲେ ଚଳିବ ନାହିଁ, ସ୍ପଷ୍ଟ ଭାବେ ଅପରାଧୀଙ୍କୁ ନିର୍ବାଚନ ଲଢ଼ିବାରୁ ସମ୍ପୂର୍ଣ୍ଣ ବାରଣ (Permanent Ban) କରାଯିବା ଉଚିତ୍।
ଗଣତନ୍ତ୍ର ହେଉଛି ଜନସାଧାରଣଙ୍କ ଶାସନ- ଜନଙ୍କ ପାଇଁ, ଜନଙ୍କ ଦ୍ୱାରା ଏବଂ ଜନଙ୍କର। କିନ୍ତୁ ଯେତେବେଳେ ଏହା ଅପରାଧୀଙ୍କ ଶାସନରେ ପରିଣତ ହୋଇଯାଏ, ସେତେବେଳେ ସାଧାରଣ ଜନତାଙ୍କ ଜୀବନ, ସୁରକ୍ଷା ଏବଂ ଅଧିକାର ସବୁଠାରୁ ବେଶୀ ବିପଦରେ ପଡ଼ିଥାଏ।
ADR ର ଏହି ରିପୋର୍ଟ ଆମ ସମସ୍ତଙ୍କ ପାଇଁ ଏକ ଜୋର୍ଦାର୍ ଘଣ୍ଟି। ଏହା ଏକ ଚେତାବନୀ। ଯଦି ଆମେ ଏବେ ବି ନଚେତିବା, ତେବେ ଆଗାମୀ ଦିନରେ ଆମର ଆସନ୍ତା ପିଢ଼ିକୁ ଆମେ ଏକ ଅରାଜକତା ଏବଂ ଅପରାଧ କବ୍ଜାରେ ଥିବା ସମାଜ ଉପହାର ଦେଇଯିବୁ।
ପରିବର୍ତ୍ତନ କୌଣସି ନେତା ଆଣିବେ ନାହିଁ, ପରିବର୍ତ୍ତନ ଆପଣଙ୍କୁ ହିଁ ଆଣିବାକୁ ପଡ଼ିବ। ଆପଣଙ୍କର ଗୋଟିଏ ଭୋଟ୍ କେବଳ ଏକ ମୋହର ନୁହେଁ, ଏହା ଆପଣଙ୍କ ପିଲାମାନଙ୍କ ଭବିଷ୍ୟତର ନିଷ୍ପତ୍ତି। ତେଣୁ, ଆଗାମୀ ଦିନରେ ଯେତେବେଳେ ନିର୍ବାଚନ ଆସିବ, ସାହସର ସହିତ ଏହି ଦାଗୀ ଏବଂ ଅପରାଧୀ ପ୍ରାର୍ଥୀମାନଙ୍କୁ ପ୍ରତ୍ୟାଖ୍ୟାନ କରନ୍ତୁ। ନିଜର ମତଦାନ ଅଧିକାରର ସଠିକ୍ ବ୍ୟବହାର କରନ୍ତୁ, ଯାହାଫଳରେ ରାଜନୈତିକ ଦଳଗୁଡ଼ିକ ବାଧ୍ୟ ହେବେ ସଚ୍ଚୋଟ ଏବଂ ଭଲ ଲୋକଙ୍କୁ ସାମ୍ନାକୁ ଆଣିବା ପାଇଁ।
Also read : https://purvapaksa.com/why-is-america-afraid-of-brics-piyush-and-jaishankar-have-played-a-masterstroke/


