କର୍ମଜୀବୀ ମହିଳାମାନଙ୍କ ଅଧିକାର, ସମ୍ମାନ ଏବଂ କ୍ୟାରିୟର ସୁରକ୍ଷା ଦିଗରେ ଦିଲ୍ଲୀ ହାଇକୋର୍ଟ ଏକ ଯୁଗାନ୍ତକାରୀ ତଥା ଐତିହାସିକ ରାୟ ପ୍ରଦାନ କରିଛନ୍ତି। ମାତୃତ୍ୱ ଛୁଟିରୁ ଫେରିବା ପରେ ଜଣେ ମହିଳାଙ୍କୁ ତାଙ୍କ ପୁରୁଣା ପଦବୀ ଓ ଦାୟିତ୍ୱରୁ ବଞ୍ଚିତ କରି କମ୍ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଲଗାଇବାକୁ ଅଦାଲତ ବେଆଇନ ତଥା ଭେଦଭାବପୂର୍ଣ୍ଣ ବୋଲି ଘୋଷଣା କରିଛନ୍ତି। ଜଷ୍ଟିସ ସଚିନ ଦତ୍ତାଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ କେବଳ ପୂର୍ବ ଭଳି ଦରମା କିମ୍ବା ପଦବୀର ନାମ ବଜାୟ ରଖିଲେ ମାତୃତ୍ୱ ସୁରକ୍ଷା ଆଇନ ପାଳନ ହୋଇଗଲା ବୋଲି ଧରାଯିବ ନାହିଁ। ମାତୃତ୍ୱ ଛୁଟିରୁ ଫେରୁଥିବା ମହିଳାଙ୍କୁ ତାଙ୍କର ସମାନ ପଦ, ପୂର୍ବ କ୍ଷମତା ଏବଂ ପଦୋନ୍ନତିର ସୁଯୋଗ ମିଳିବା ବାଧ୍ୟତାମୂଳକ। ଏହି ମାମଲାରେ କୋର୍ଟ ନିଯୁକ୍ତିଦାତା କମ୍ପାନୀକୁ ପୀଡ଼ିତା ମହିଳାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ୧.୫ ଲକ୍ଷ ଟଙ୍କା ମାମଲା ଖର୍ଚ୍ଚ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
![]()
କ’ଣ ଥିଲା ମାମଲା? ଜାଣନ୍ତୁ ପୂରା ଘଟଣାକ୍ରମ
ଆବେଦନକାରିଣୀ ରାକ୍ଷୀ ବିଷ୍ଟ ନାମ୍ନୀ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ , ଯାହାଙ୍କର ପ୍ରାୟ ୧୪ ବର୍ଷର ପେସାଦାର ଅଭିଜ୍ଞତା ରହିଛି।
ନିଯୁକ୍ତି ଓ ଦାୟିତ୍ୱ :
ସେ ୨୦୨୨ ମସିହାରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ମାସିକ ୨.୬ ଲକ୍ଷ ଟଙ୍କା ଦରମାରେ ‘ମ୍ୟାନେଜର-ଆକାଉଣ୍ଟିଂ’ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ ଏବଂ ଏକ ଟିମ୍ର ନେତୃତ୍ୱ ନେଉଥିଲେ।
ଗର୍ଭଧାରଣ ସୂଚନା ପରେ ଭେଦଭାବ :
ମେ ୨୦୨୩ ରେ ସେ ନିଜ ଗର୍ଭଧାରଣ ବିଷୟରେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ। ଏହାପରେ ତାଙ୍କୁ ଅନ୍ୟ ଟିମ୍କୁ ସ୍ଥାନାନ୍ତର କରାଯାଇଥିଲା। ଡିସେମ୍ବର ୨୦୨୩ ରୁ ଜୁଲାଇ ୨୦୨୪ ପର୍ଯ୍ୟନ୍ତ ସେ ନିୟମାନୁଯାୟୀ ମାତୃତ୍ୱ ଛୁଟିରେ ଯାଇଥିଲେ।
ଫେରିବା ପରେ ହଟହଟା :
ଜୁଲାଇ ୨୦୨୪ ରେ କାର୍ଯ୍ୟରେ ଯୋଗ ଦେବା ପରେ ସେ ଦେଖିବାକୁ ପାଇଥିଲେ ଯେ ତାଙ୍କର ପୁରୁଣା ପଦବୀ ଏବଂ ଟିମ୍ ଅନ୍ୟ କାହାକୁ ଦିଆସରିଛି। ତାଙ୍କୁ ଟ୍ରେଜେରୀ ବିଭାଗରେ ଏକ ନିମ୍ନମାନର (ଜୁନିୟର ସ୍ତରର) କାମ କରିବାକୁ ଦିଆଗଲା, ଯେଉଁଠି ତାଙ୍କ ଅଧୀନରେ କୌଣସି କର୍ମଚାରୀ ନଥିଲେ ଏବଂ ତାଙ୍କୁ ପ୍ରବନ୍ଧକ ବୈଠକରୁ ବାଦ୍ ଦିଆଯାଇଥିଲା।
ପଦୋନ୍ନତିରୁ ବଞ୍ଚିତ ଓ କ୍ରେଚ୍ ଅଭାବ :
ତାଙ୍କ ସହକର୍ମୀ ପୁରୁଷ ଅଧିକାରୀମାନଙ୍କୁ ସିନିୟର ମ୍ୟାନେଜର ପଦବୀକୁ ପଦୋନ୍ନତି ମିଳିଥିବା ବେଳେ ତାଙ୍କୁ ଉପେକ୍ଷା କରାଯାଇଥିଲା। କମ୍ପାନୀରେ ନବଜାତ ଶିଶୁ ପାଇଁ ଆଇନଗତ କ୍ରେଚ୍ ସୁବିଧା ମଧ୍ୟ ନଥିଲା। ଶେଷରେ ମାନସିକ ଭାବେ ହତାଶ ହୋଇ ସେ ଅକ୍ଟୋବର ୨୦୨୪ ରେ ଚାକିରିରୁ ଇସ୍ତଫା ଦେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
କେବଳ ଦରମା ଓ ପଦବୀ ରଖିଲେ ସୁରକ୍ଷା ହୁଏନାହିଁ: ହାଇକୋର୍ଟ
![]()
କମ୍ପାନୀ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ ମହିଳାଙ୍କ ଦରମା ଓ ପଦବୀ ନାମରେ କୌଣସି ପରିବର୍ତ୍ତନ କରାଯାଇନଥିଲା ଏବଂ ତାଙ୍କୁ ବେତନ ବୃଦ୍ଧି ସହ ସମସ୍ତ ମାତୃତ୍ୱ ସୁବିଧା ଦିଆଯାଇଥିଲା। ମାତ୍ର ହାଇକୋର୍ଟ ଏହି ଯୁକ୍ତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଥିଲେ।
ଅନ୍ତର୍ନିହିତ କ୍ଷମତା ଗୁରୁତ୍ୱପୂର୍ଣ୍ଣ : ଅଦାଲତ କହିଛନ୍ତି ଯେ ଦରମା ସମାନ ରଖି ଜଣେ ପ୍ରତିଭାବାନ ମହିଳାଙ୍କଠାରୁ ତାଙ୍କର ପ୍ରଶାସନିକ ଦାୟିତ୍ୱ, ତଦାରଖ କ୍ଷମତା ଓ କାର୍ଯ୍ୟାଳୟ ପ୍ରଭାବ ଛଡ଼ାଇ ନେବା ମାତୃତ୍ୱ ଲାଭ ଅଧିନିୟମ, ୧୯୬୧ (Maternity Benefit Act Section 12) ର ଉଲ୍ଲଂଘନ ଅଟେ।
ମା’ ହେବା କୌଣସି ଅପରାଧ ନୁହେଁ : ଜଣେ ମହିଳା ମା’ ହେବା କାରଣରୁ ତାଙ୍କ କ୍ୟାରିୟରରେ ପଛକୁ ଠେଲି ହୋଇଯିବା ଗ୍ରହଣୀୟ ନୁହେଁ। ମାତୃତ୍ୱ ସୁରକ୍ଷା ଭାରତୀୟ ସମ୍ବିଧାନର ଧାରା ୧୪, ୧୫, ୨୧ ଏବଂ ୪୨ ଅନୁଯାୟୀ ମହିଳାଙ୍କ ସମାନତା ଓ ସମ୍ମାନଜନକ ଜୀବନ ବଞ୍ଚିବାର ମୌଳିକ ଅଧିକାର ସହ ଜଡ଼ିତ।
କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ପାଇଁ କୋର୍ଟଙ୍କ କଡ଼ା ନିର୍ଦ୍ଦେଶାବଳୀ
ଦିଲ୍ଲୀ ହାଇକୋର୍ଟ ସମସ୍ତ ନିଯୁକ୍ତିଦାତାଙ୍କ ପାଇଁ ସ୍ପଷ୍ଟ ନିୟମ ଲାଗୁ କରିଛନ୍ତି:

1. ପୁରୁଣା ପଦବୀରେ ପୁନଃସ୍ଥାପନ ବାଧ୍ୟତାମୂଳକ :
ଛୁଟିରୁ ଫେରିବା ପରେ ମହିଳାଙ୍କୁ ସେହି ସମାନ ପଦ ଓ ଦାୟିତ୍ୱ ଫେରାଇବାକୁ ପଡ଼ିବ। ଯଦି କୌଣସି ଅପରିହାର୍ଯ୍ୟ କାରଣରୁ ତାହା ସମ୍ଭବ ନୁହେଁ, ତେବେ ସମାନ ମର୍ଯ୍ୟାଦା, ସମାନ ବରିଷ୍ଠତା ଓ ନିଷ୍ପତ୍ତି ନେବା କ୍ଷମତା ଥିବା ସମକକ୍ଷ ପଦବୀ ଦିଆଯିବ।
2. ପରିବର୍ତ୍ତନ ପୂର୍ବରୁ ଆଗୁଆ ସୂଚନା :
ଛୁଟି ସମୟରେ ଯଦି ମହିଳାଙ୍କ ବିଭାଗ କିମ୍ବା କାର୍ଯ୍ୟରେ କୌଣସି ବଡ଼ ପରିବର୍ତ୍ତନ କରିବାର ଆବଶ୍ୟକତା ପଡ଼େ, ତେବେ ତାଙ୍କୁ ଆଗୁଆ ଲିଖିତ ସୂଚନା ଦେଇ କାରଣ ସ୍ପଷ୍ଟ କରିବାକୁ ହେବ।
3. ସୁଧ ସହ କ୍ଷତିପୂରଣ ପୈଠ ନିର୍ଦ୍ଦେଶ :
କମ୍ପାନୀକୁ ୮ ସପ୍ତାହ ମଧ୍ୟରେ ସମୁଦାୟ ୧୧.୫ ଲକ୍ଷ ଟଙ୍କା ପୈଠ କରିବାକୁ କୁହାଯାଇଛି, ନଚେତ୍ ବାର୍ଷିକ ୯ ପ୍ରତିଶତ ସୁଧ ଦେବାକୁ ପଡ଼ିବ।
4. କେନ୍ଦ୍ର ସରକାରଙ୍କୁ ନୀତି ପ୍ରଣୟନ ନିର୍ଦ୍ଦେଶ :
କୋଡ୍ ଅନ୍ ସୋସିଆଲ୍ ସିକ୍ୟୁରିଟି, ୨୦୨୦ ଅଧୀନରେ ୬ ମାସ ମଧ୍ୟରେ କାର୍ଯ୍ୟକ୍ଷେତ୍ରରେ ମାତୃତ୍ୱ ସୁରକ୍ଷା, କ୍ରେଚ୍ ନିୟମାବଳୀ ଓ ଅଭିଯୋଗ ନିବାରଣ ପାଇଁ ଏକ ସ୍ପଷ୍ଟ ଜାତୀୟ ରୂପରେଖ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଦିଲ୍ଲୀ ହାଇକୋର୍ଟଙ୍କ ଏହି ଐତିହାସିକ ରାୟ କର୍ପୋରେଟ୍ ଜଗତରେ ମହିଳା କର୍ମଚାରୀଙ୍କ ପ୍ରତି ହେଉଥିବା ଅଦୃଶ୍ୟ ଭେଦଭାବ ଉପରେ ଏକ ଶକ୍ତ ଚାପୁଡ଼ା ସଦୃଶ ହୋଇଛି, ଯାହା କୋଟି କୋଟି କର୍ମଜୀବୀ ମହିଳାଙ୍କୁ ଆତ୍ମବିଶ୍ୱାସ ପ୍ରଦାନ କରିବ।


