ତାରିଖଟି ଥିଲା ୧୯୭୯ ମସିହା ଜାନୁଆରୀ ୨୬। ଯେତେବେଳେ ପୂରା ଦେଶ ୩୦ ତମ ଗଣତନ୍ତ୍ର ଦିବସର ଉତ୍ସବ ପାଳନ କରୁଥିଲା, ଠିକ୍ ସେହି ସମୟରେ ପଶ୍ଚିମବଙ୍ଗର ସୁନ୍ଦରବନରେ ଥିବା ଏକ ଛୋଟ ଦ୍ୱୀପରେ ଚାଲିଥିଲା ସ୍ୱାଧୀନ ଭାରତ ଇତିହାସର ଏକ ଅମାନବୀୟ କଳଙ୍କିତ ଅଧ୍ୟାୟ। ସେହି ଦ୍ୱୀପର ନାମ ଥିଲା—ମରିଚଝାଁପି।
ଦେଶବାସୀ ଯେତେବେଳେ ତ୍ରିରଙ୍ଗା ଉଡ଼ାଇ ଉତ୍ସବ ମନାଉଥିଲେ, ସେତେବେଳେ ପୋଲିସ ଲଞ୍ଚ୍ ଘେରି ରହିଥିଲା ଗୋଟିଏ ପୂରା ଦ୍ୱୀପକୁ। ଜାରି କରାଯାଇଥିଲା ଧାରା ୧୪୪। ପାଣି, ଖାଦ୍ୟ ଏବଂ ଔଷଧର ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା।
କିନ୍ତୁ ସେମାନଙ୍କର ଅପରାଧ କ’ଣ ଥିଲା? ସେମାନେ କେହି ଆତଙ୍କବାଦୀ ନଥିଲେ, କୌଣସି ଶତ୍ରୁ ଦେଶର ସୈନ୍ୟ ନଥିଲେ। ସେମାନେ ଥିଲେ ନିଜ ମାଟିରୁ ବିତାଡ଼ିତ ହୋଇ ଆସିଥିବା ନିରୀହ ବଙ୍ଗାଳୀ ହିନ୍ଦୁ ଶରଣାର୍ଥୀ। ଆଜିର ଏହି ବିଶେଷ ଅଧ୍ୟାୟରେ ଆମେ ଉନ୍ମୋଚନ କରିବା ସେହି ରକ୍ତରଞ୍ଜିତ ସତ୍ୟ, ଯାହାକୁ ଦଶନ୍ଧି ଧରି ଇତିହାସର ପୃଷ୍ଠାରୁ ଲୁଚାଇ ରଖାଯାଇଥିଲା।
କାହାଣୀର ଆରମ୍ଭ ୧୯୪୭ ଦେଶ ଭାଗବଣ୍ଟା ଓ ପରବର୍ତ୍ତୀ ସମୟରେ ପୂର୍ବ ପାକିସ୍ତାନ (ଆଜିର ବାଂଲାଦେଶ) ରୁ ପଳାଇ ଆସିଥିବା ଶରଣାର୍ଥୀମାନଙ୍କ ଠାରୁ। ଉଚ୍ଚବର୍ଗର ଶରଣାର୍ଥୀମାନେ କଲିକତା ଓ ଆଖପାଖ ଅଞ୍ଚଳରେ ଥଇଥାନ ପାଇଲେ, ମାତ୍ର ଦଳିତ ଏବଂ ନମଶୂଦ୍ର ସମ୍ପ୍ରଦାୟର ଗରିବ ଲୋକମାନଙ୍କୁ ପଠାଇ ଦିଆଗଲା ଓଡ଼ିଶା, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶର ଜଙ୍ଗଲ ଘେରା ‘ଦଣ୍ଡକାରଣ୍ୟ’ ଅଞ୍ଚଳକୁ।
ସେଠାରେ ପଥୁରିଆ ମାଟି, ଭିନ୍ନ ଭାଷା ଓ ପରିବେଶ କାରଣରୁ ଏହି ନଦୀ-ମାଟିର ଚାଷୀମାନଙ୍କ ଜୀବନ ଅସହ୍ୟ ହୋଇପଡ଼ିଲା। ୧୯୭୭ ପୂର୍ବରୁ ଯେତେବେଳେ ବାମପନ୍ଥୀ ଦଳ ବିରୋଧୀ ଦଳରେ ଥିଲେ, ସେମାନେ ପ୍ରତିଶ୍ରୁତି ଦେଇଥିଲେ—”ଆମ ସରକାର ଆସିଲେ ଆପଣମାନଙ୍କୁ ପଶ୍ଚିମବଙ୍ଗ ଫେରାଇ ଆଣି ଥଇଥାନ ଦେବୁ।”
୧୯୭୭ ରେ ବାମପ୍ରଣ୍ଟ କ୍ଷମତାକୁ ଆସିଲା, ଜ୍ୟୋତି ବସୁ ମୁଖ୍ୟମନ୍ତ୍ରୀ ହେଲେ। ସେହି ବିଶ୍ୱାସରେ ୧୯୭୮ ମସିହାରେ ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ଶରଣାର୍ଥୀ ଦଣ୍ଡକାରଣ୍ୟ ଛାଡ଼ି ପଶ୍ଚିମବଙ୍ଗ ମୁହାଁ ହେଲେ। ସେଥିମଧ୍ୟରୁ ପ୍ରାୟ ୪୦,୦୦୦ ଲୋକ ସୁନ୍ଦରବନର ଜନଶୂନ୍ୟ ଦ୍ୱୀପ ‘ମରିଚଝାଁପି’ରେ ପହଞ୍ଚି ନିଜ ପରିଶ୍ରମରେ ଘର, ଡାକ୍ତରଖାନା, ମାଛ ଚାଷ ଓ ବିଦ୍ୟାଳୟ ତିଆରି କରି ନୂଆ ଜୀବନ ଗଢ଼ିବା ଆରମ୍ଭ କଲେ।
କିନ୍ତୁ କ୍ଷମତା ପାଇବା ପରେ ଶାସକ ପ୍ରଶାସନର ମନୋଭାବ ବଦଳିଗଲା। ସରକାର କହିଲେ, ଏହି ଦ୍ୱୀପ ଏକ ସଂରକ୍ଷିତ ବନଭୂମି ଏବଂ ଏମାନେ ପରିବେଶ ପାଇଁ ବିପଦ। ସେମାନଙ୍କୁ ସେଠାରୁ ବଳପୂର୍ବକ ହଟାଇବାକୁ ନିଷ୍ପତ୍ତି ନିଆଗଲା।
୧୯୭୯ ଜାନୁଆରୀ ୨୬ ରୁ ଆରମ୍ଭ ହେଲା ଅମାନବୀୟ ଅବରୋଧ। ୩୦ଟି ପୋଲିସ ଲଞ୍ଚ୍ ପୂରା ଦ୍ୱୀପକୁ ଘେରାଉ କଲା।
• ଦ୍ୱୀପର ନଳକୂପ ଗୁଡ଼ିକରେ ବିଷାକ୍ତ ରାସାୟନିକ ପଦାର୍ଥ ମିଶାଇ ଦିଆଗଲା।
• ମାଛ ଧରା ଡଙ୍ଗାଗୁଡ଼ିକୁ ଭାଙ୍ଗି ଚୂରମାର କରାଗଲା।
• ବାହାରୁ ଖାଦ୍ୟ କିମ୍ବା ଔଷଧ ଆସିବାର ସବୁ ବାଟ ବନ୍ଦ।
ପିଲାମାନେ ଖାଦ୍ୟ ଓ ପାଣି ବିନା ଛଟପଟ ହୋଇ ମରିବାକୁ ଲାଗିଲେ। ଲୋକମାନେ ଘାସ, ଗଛପତ୍ର ଓ ନଦୀର ଲୁଣିଆ ପାଣି ପିଇ ଜୀବନ ବଞ୍ଚାଇବାକୁ ଚେଷ୍ଟା କଲେ। ଯେତେବେଳେ ୧୬ ଜଣ ମହିଳା ଓ ଯୁବତୀ ଡଙ୍ଗା ନେଇ ପାଖ ଗାଁରୁ ଖାଦ୍ୟ ଆଣିବାକୁ ଚେଷ୍ଟା କଲେ, ପୋଲିସ ଲଞ୍ଚ୍ ସେମାନଙ୍କ ଡଙ୍ଗାକୁ ବୁଡ଼ାଇ ଦେଲା। ଅନେକ ନଦୀରେ ବୁଡ଼ି ପ୍ରାଣ ହରାଇଲେ।
ସବୁଠାରୁ ଭୟଙ୍କର ଘଟଣା ଘଟିଲା ୧୯୭୯ ମସିହା ମେ ମାସ ୧୪ ରୁ ୧୬ ତାରିଖ ମଧ୍ୟରେ।
ଅବରୋଧ ସତ୍ତ୍ୱେ ଯେତେବେଳେ ଶରଣାର୍ଥୀମାନେ ଜାଗା ଛାଡ଼ିଲେ ନାହିଁ, ସେତେବେଳେ ପ୍ରଶାସନ ଓ ଶାସକ ଦଳର କ୍ୟାଡରମାନେ ମିଳିତ ଭାବେ ଅନ୍ତିମ ଆକ୍ରମଣ କଲେ। ଚାରିପାଖରୁ ଗୁଳିଚାଳନା କରାଗଲା। ଘରଗୁଡ଼ିକରେ ନିଆଁ ଲଗାଇ ଦିଆଗଲା।
ଚିତ୍କାର, କାନ୍ଦଣା ଆଉ ବାରୁଦର ଧୂଆଁରେ ସୁନ୍ଦରବନର ଆକାଶ କଳା ପଡ଼ିଗଲା। ପ୍ରତ୍ୟକ୍ଷଦର୍ଶୀ ଏବଂ ସେତେବେଳର କିଛି ସାମ୍ବାଦିକଙ୍କ ବିବରଣୀ ଅନୁଯାୟୀ, ଶହ ଶହ ମୃତଦେହକୁ ନଦୀ ଗର୍ଭକୁ ଫିଙ୍ଗି ଦିଆଗଲା, ଯାହାକୁ କୁମ୍ଭୀର ଓ ମାଛମାନେ ଖାଇଗଲେ। ପ୍ରମାଣ ନଷ୍ଟ କରିବା ପାଇଁ ଅନେକ ଶବକୁ ଚୂନ ଦେଇ ଗାତରେ ପୋତି ଦିଆଗଲା।
ଏହି ଗଣହତ୍ୟାରେ ପ୍ରକୃତରେ କେତେ ଲୋକଙ୍କ ଜୀବନ ଗଲା?
ସରକାରୀ ରିପୋର୍ଟ କହିଲା ମାତ୍ର ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। କିନ୍ତୁ ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀ, ମାନବାଧିକାର କର୍ମୀ ଏବଂ ଐତିହାସିକମାନଙ୍କ ଆକଳନ ଅନୁସାରେ, ପୋଲିସ ଗୁଳି, ଭୋକ, ମହାମାରୀ ଓ ଅତ୍ୟାଚାରରେ ପ୍ରାୟ ୫୦୦ ରୁ ୧୦୦୦ ରୁ ଅଧିକ ନିରୀହ ଲୋକ ପ୍ରାଣ ହରାଇଥିଲେ।
ସେଦିନ ମିଡିଆକୁ ସେହି ଦ୍ୱୀପ ନିକଟକୁ ଯିବାକୁ ଦିଆଯାଇନଥିଲା। ଯେଉଁ ସାମ୍ବାଦିକମାନେ ରିପୋର୍ଟିଂ କରିବାକୁ ଚେଷ୍ଟା କଲେ, ସେମାନଙ୍କୁ ଗିରଫ କରାଗଲା। ଏହିପରି ଭାବେ ଭାରତୀୟ ଗଣତନ୍ତ୍ରର ଏକ ବଡ଼ ନରସଂହାରକୁ ଫାଇଲ୍ ତଳେ ଚାପି ଦିଆଗଲା।
ମରିଚଝାଁପି କେବଳ ଏକ ଐତିହାସିକ ଘଟଣା ନୁହେଁ, ଏହା ହେଉଛି ରାଜନୈତିକ ପ୍ରତାରଣା ଏବଂ ନିଷ୍ଠୁରତାର ଏକ ଜ୍ୱଳନ୍ତ ଉଦାହରଣ। ଭୋଟ୍ ବ୍ୟାଙ୍କ୍ ପାଇଁ ଶରଣାର୍ଥୀମାନଙ୍କୁ ସ୍ୱପ୍ନ ଦେଖାଇ ଶେଷରେ ସେମାନଙ୍କ ଉପରେ କିଭଳି ଗୁଳି ଚଳାଯାଇଥିଲା, ତାହା ଆଜି ବି ଗଣତନ୍ତ୍ରର ଆତ୍ମାକୁ ପ୍ରଶ୍ନ କରେ। ସେହି ଅସହାୟ ଲୋକମାନେ କେବଳ ଟିକିଏ ମୁଣ୍ଡ ଗୁଞ୍ଜିବାକୁ ଆଶ୍ରୟ ଲୋଡୁଥିଲେ, କିନ୍ତୁ ବଦଳରେ ପାଇଲେ ମୃତ୍ୟୁ।
AlsoRead; https://purvapaksa.com/big-explosion-in-modi-cabinet-cabinet-reshuffle-or-reset/


