ଗ୍ରାହକମାନଙ୍କୁ ଆହୁରି ସହଜ, ସ୍ୱଚ୍ଛ ଏବଂ ଦ୍ରୁତ ସେବା ଯୋଗାଇବା ପାଇଁ ଦେଶର ଅଗ୍ରଣୀ ତୈଳ କମ୍ପାନୀ ‘ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍’ ପକ୍ଷରୁ ଏକ ନୂତନ ଏଲ୍ପିଜି ସିଲିଣ୍ଡର ‘ଇଣ୍ଡେନ୍ ଏକ୍ସଟ୍ରାଲାଇଟ୍’ ବଜାରକୁ ଅଣାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହାକୁ ରାଜଧାନୀ ଦିଲ୍ଲୀରେ ଲଞ୍ଚ କରାଯାଇଥିବା ବେଳେ ଏହା ସହ ୩ ଘଣ୍ଟା ଭିତରେ ସିଲିଣ୍ଡର ଘରେ ପହଞ୍ଚାଇବାର ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ଆରମ୍ଭ କରାଯାଇଛି।
କ’ଣ ରହିଛି ‘ଏକ୍ସଟ୍ରାଲାଇଟ୍’ ସିଲିଣ୍ଡରର ବିଶେଷତ୍ୱ?
ସାଧାରଣ ଏଲ୍ପିଜି ସିଲିଣ୍ଡରଗୁଡ଼ିକ ଅପେକ୍ଷା ଏହି ନୂତନ ‘ଏକ୍ସଟ୍ରାଲାଇଟ୍’ ସିଲିଣ୍ଡର ଅତି ହାଲୁକା ଏବଂ ଅଧିକ ସୁରକ୍ଷିତ।
![]()
- ହାଲୁକା ଓ ଡିଜାଇନ୍ : ଏହାକୁ ଓହ୍ଲାଇବା, ଉଠାଇବା ଏବଂ ରୋଷେଇଘରେ ସ୍ଥାନାନ୍ତର କରିବା ଅତି ସହଜ ହୋଇଥିବାରୁ ଗୃହିଣୀମାନେ ବିଶେଷ ଭାବେ ଉପକୃତ ହେବେ।
- ସ୍ୱଚ୍ଛତା ଓ ନିରାପତ୍ତା : ଏଥିରେ ଗ୍ୟାସ୍ ପରିମାଣ ସଠିକ୍ ଭାବେ ଜାଣି ହେବା ସହ ଅତ୍ୟାଧୁନିକ ସୁରକ୍ଷା ମାନଦଣ୍ଡ ଅନୁସରଣ କରାଯାଇଛି।
୩ ଘଣ୍ଟା ଭିତରେ ହେବ ଗ୍ୟାସ୍ ବୁକିଂ ଏବଂ ଡେଲିଭରି
ଏହି ଲଞ୍ଚ ସହିତ ଇଣ୍ଡିଆନ୍ ଅଏଲ୍ ଦିଲ୍ଲୀବାସୀଙ୍କ ପାଇଁ ଏକ ଅତି ଦ୍ରୁତ ଡେଲିଭରି ସେବା ଆରମ୍ଭ କରିଛି। ଗ୍ରାହକମାନେ ଗ୍ୟାସ୍ ବୁକ୍ କରିବାର ମାତ୍ର ୩ ଘଣ୍ଟା ମଧ୍ୟରେ ସିଲିଣ୍ଡର ସେମାନଙ୍କ ଘରେ ପହଞ୍ଚିବ। ତରବରିଆ ପରିସ୍ଥିତିରେ କିମ୍ବା ଜରୁରୀ ଆବଶ୍ୟକତା ସମୟରେ ଗ୍ରାହକମାନେ ଆଉ ଦିନ ଦିନ ଅପେକ୍ଷା କରିବେ ନାହିଁ। ଆଗାମୀ ଦିନରେ ଏହି ସେବାକୁ ଦେଶର ଅନ୍ୟ ପ୍ରମୁଖ ସହରଗୁଡ଼ିକରେ ମଧ୍ୟ ସମ୍ପ୍ରସାରିତ କରାଯିବାର ଯୋଜନା ରହିଛି।


