ଭାରତୀୟ ହକି ଟିମ୍ର ପାରମ୍ପରିକ ନୀଳ ରଙ୍ଗର ଜର୍ସିକୁ ବଦଳାଇ ‘ଗେରୁଆ’ କରାଯିବାକୁ ନେଇ ଦେଶବ୍ୟାପୀ ବିବାଦ ତୀବ୍ର ହେବାରେ ଲାଗିଛି। ଏହି ପ୍ରସଙ୍ଗରେ ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ କପିଲ ସିବଲ ଶନିବାର କେନ୍ଦ୍ର ସରକାର ଓ କ୍ରୀଡ଼ା ପ୍ରଶାସନକୁ କଡ଼ା ସମାଲୋଚନା କରିଛନ୍ତି। ଏହି ନିଷ୍ପତ୍ତିକୁ “ମାନଦଣ୍ଡ ଓ ନୈତିକତାର ଅବକ୍ଷୟ” ବୋଲି ଅଭିହିତ କରି ସେ କହିଛନ୍ତି ଯେ ବିଗତ ଦିନଗୁଡ଼ିକରେ ଏପରି କେବେ ହୋଇନଥିଲା।

ଆସନ୍ତା ମାସରେ ନେଦରଲ୍ୟାଣ୍ଡସ ଓ ବେଲଜିୟମରେ ଅନୁଷ୍ଠିତ ହେବାକୁ ଥିବା ‘FIH ହକି ବିଶ୍ୱକପ୍’ରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ନିଜର ପାରମ୍ପରିକ ‘ବ୍ଲୁ’ ଜର୍ସି ପରିବର୍ତ୍ତେ ଗେରୁଆ ରଙ୍ଗର ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇବେ।
କପିଲ ସିବଲଙ୍କ କଟାକ୍ଷ
ସାମାଜିକ ଗଣମାଧ୍ୟମ ‘ଏକ୍ସ’ (X)ରେ ଏକ ପୋଷ୍ଟ ଶେୟାର କରି କପିଲ ସିବଲ ଲେଖିଛନ୍ତି, “FIH ହକି ବିଶ୍ୱକପ୍ରେ ଟିମ୍ର ପାରମ୍ପରିକ ନୀଳ ଜର୍ସି ଏବେ ଗେରୁଆ ହୋଇଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏ ସମ୍ପର୍କରେ ନା ହକି ଇଣ୍ଡିଆର ସଭାପତି ଜାଣିଛନ୍ତି ନା କାର୍ଯ୍ୟକାରୀ ବୋର୍ଡ। ସେମାନଙ୍କର ଯୁକ୍ତି ହେଉଛି – ଜର୍ସି କେସରିଆ ହେଲେ ମାନସିକତା ବି ଗେରୁଆ ହୋଇଯିବ। ମାନଦଣ୍ଡ ହ୍ରାସ ପାଇବାର ଏପରି ଉଦାହରଣ ପୂର୍ବରୁ କେବେ ଦେଖାଯାଇ ନଥିଲା।”
ହକି ଇଣ୍ଡିଆରେ ଦ୍ୱନ୍ଦ୍ୱ
ହକି ଇଣ୍ଡିଆ ପକ୍ଷରୁ ନୂଆ ଜର୍ସିର ଉନ୍ମୋଚନ କରି କୁହାଯାଇଥିଲା ଯେ, ଏହାର ଡିଜାଇନ୍ ଓ ରଙ୍ଗ “ଭାରତର ଗୌରବ” ଏବଂ “ଏକ ନୂଆ ଗାଥା” ପ୍ରଦର୍ଶନ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ସହ ଆଲୋଚନା ପରେ ଏହାକୁ ଚୂଡ଼ାନ୍ତ କରାଯାଇଥିବା ଦାବି କରାଯାଇଥିଲା।

ତେବେ ଏହି ନିଷ୍ପତ୍ତିକୁ ନେଇ ହକି ଇଣ୍ଡିଆ ଭିତରେ ବିରୋଧାଭାସ ଦେଖାଦେଇଛି। ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ କହିଛନ୍ତି ଯେ ଏହି ନିଷ୍ପତ୍ତି ତାଙ୍କ ଅଜାଣତରେ ନିଆଯାଇଛି। ଅପରପକ୍ଷରେ, ସାଧାରଣ ସମ୍ପାଦକ ଭୋଲା ନାଥ ସିଂହ ଦାବି କରିଛନ୍ତି ଯେ ଏହି ପରିବର୍ତ୍ତନ ବିଷୟରେ ସମସ୍ତ କର୍ମକର୍ତ୍ତାଙ୍କୁ ଜଣାଥିଲା।
ପୂର୍ବତନ ଖେଳାଳିଙ୍କ କ୍ଷୋଭ
ହକି ଇଣ୍ଡିଆର ଏହି ନିଷ୍ପତ୍ତିକୁ ବାସୁଦେବନ୍ ଭାସ୍କରନ୍, ଭିରେନ୍ ରସ୍କିନ୍ହା, ଅଜିତ୍ ପାଲ୍ ସିଂହ ଏବଂ ପର୍ଗତ ସିଂହଙ୍କ ଭଳି ଅନେକ ଦିଗ୍ଗଜ ପୂର୍ବତନ ଖେଳାଳି କଡ଼ା ସମାଲୋଚନା କରିଛନ୍ତି। ଦଶନ୍ଧି ଦଶନ୍ଧି ଧରି ଗଢ଼ିଉଠିଥିବା ଭାରତୀୟ ହକିର ପରିଚୟକୁ ଏପରି ନିଷ୍ପତ୍ତି ପ୍ରଭାବିତ କରିବ ଏବଂ ଏହି ପରିବର୍ତ୍ତନ ପଛରେ କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ ବୋଲି ସେମାନେ ପ୍ରକାଶ କରିଛନ୍ତି।


