ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ପରଠାରୁ ତୀବ୍ର ଆଭ୍ୟନ୍ତରୀଣ ସଙ୍କଟ ଦେଇ ଗତି କରୁଥିବା ବିଜୁ ଜନତା ଦଳ ବା ବିଜେଡିରେ ଏବେ ଏକ ବଡ଼ଧରଣର ରଣନୀତିକ ପରିବର୍ତ୍ତନର ଆଭାସ ମିଳିଛି।
ଦଳର ଅଘୋଷିତ ସର୍ବେସର୍ବା ତାମିଲନାଡ଼ୁ ନିବାସୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ୍ ବିଜେଡିରେ ଆନୁଷ୍ଠାନିକ ଭାବେ ସାମିଲ ହେବା ପରେ, ଦଳ ନିଜର ସାଂଗଠନିକ ରଣନୀତିକୁ ପୁରା ବଦଳାଇ ଦେଇଛି। ଗୋଟିଏ ପଟେ ତଥାକଥିତ ‘ଓଡ଼ିଆ ଓ କେନ୍ଦ୍ରାପଡ଼ାର ଝିଅ’ କାର୍ଡ ଖେଳି ସୁଜାତାଙ୍କୁ ଦଳର ନେତୃତ୍ୱ ଟେକି ଦେବାର ମାର୍ଗ ପ୍ରଶସ୍ତ କରାଯାଉଛି, ତ ଆଉ ଗୋଟିଏ ପଟେ ଦୀର୍ଘ ଗୋଟିଏ ଦଶନ୍ଧି ପରେ ଦଳର ସାଂଗଠନିକ କ୍ଷମତା କେନ୍ଦ୍ରକୁ ପୁଣି ଫେରିଛନ୍ତି ପୁରୁଣା ‘ତ୍ରିମୂର୍ତ୍ତି’!
ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ ଏବଂ ସଞ୍ଜୟ ଦାସବର୍ମା— ଏହି ତିନି ବରିଷ୍ଠ ନେତାଙ୍କ ସହ ପଶ୍ଚିମ ଓଡ଼ିଶାର ଟାଉଟର ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପୁଣି ସକ୍ରିୟ ସାଂଗଠନିକ ବ୍ୟାପାରରେ ଆଗକୁ ଅଣାଯାଇଛି।
କିନ୍ତୁ ସବୁଠାରୁ ବଡ଼ ଚମକପ୍ରଦ କଥା ହେଉଛି— ଯେଉଁ ନେତାମାନେ ଗତ କିଛି ବର୍ଷ ହେବ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ସମର୍ଥନରେ ବିଜେଡିର ନମ୍ବର-୩ ଏବଂ ସଂଗଠନର କର୍ତ୍ତାଧର୍ତ୍ତା ସାଜିଥିଲେ, ସେହି ପ୍ରଣବ ପ୍ରକାଶ ଦାସ ଓରଫ ବବି ଏବଂ ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ରଙ୍କୁ ସମ୍ପୂର୍ଣ୍ଣ କୋଣଠେସା କରିଦିଆଯାଇଛି!
ପ୍ରଶ୍ନ ଉଠୁଛି— ସୁଜାତା ରାଉତ କାର୍ତ୍ତିକେୟନଙ୍କୁ କି ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ୱାର୍କିଂ ଷ୍ଟାଇଲ୍ କିମ୍ବା ତାଙ୍କ ଟିମ୍ ପସନ୍ଦ ନୁହେଁ? ନବୀନ ନିବାସରୁ କାହିଁକି ବାସନ୍ଦ ହେଲେ ବବି ଓ ଦେବୀ? ଆଜିର ଏହି ବିଶେଷ ବିଶ୍ଳେଷଣରେ ଆମେ ଖୋଲିବା ବିଜେଡି ଆଭ୍ୟନ୍ତରୀଣ ରାଜନୀତିର ସେହି ଗୁପ୍ତ ଅଧ୍ୟାୟ…। ଆପଣମାନେ ଦେଖୁଆଥାଆନ୍ତୁ ପୂର୍ବପକ୍ଷ।
ନବୀନ ନିବାସର ଜରୁରୀ ବୈଠକ: ବସିଲେ ନାହିଁ ବବି-ଦେବୀ!
ସୂଚନା ଅନୁସାରେ, ସୋମବାର ଦିନ ବିଜେଡିର ପୂର୍ବତନ ବିଧାୟକ ସୁଶାନ୍ତ ସିଂଙ୍କୁ ଦଳ ପକ୍ଷରୁ ଶଙ୍ଖ ଭବନରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଚାଲିଥିଲା। ଠିକ୍ ଅପରାହ୍ନ ୧୨ଟାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନବୀନ ନିବାସରେ ଏକ ଜରୁରୀ ବୈଠକ ଡାକିଥିଲେ।
ଏହି ବୈଠକକୁ ଯାଇଥିଲେ ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଏବଂ ବିଧାୟକ ଗୌତମବୁଦ୍ଧ ଦାସ।
କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି— ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରୁ ଗାଏବ ଥିଲେ ଦଳର ଦୁଇ ପ୍ରଭାବଶାଳୀ ନେତା! ନିର୍ବାଚନ ପରଠାରୁ ଦଳୀୟ ସଂଗଠନର ତଦାରଖ କରୁଥିବା ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ଏବଂ ପାଣ୍ଡିଆନଙ୍କ ଅତ୍ୟନ୍ତ ଖାସ୍ ତଥା ଦଳର ନମ୍ବର-୩ ବୋଲାଉଥିବା ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କୁ ଏହି ବୈଠକକୁ ଡକାଯାଇ ନ ଥିଲା!
ନବୀନ ନିବାସରୁ ମିଳୁଥିବା ସୂଚନା ଅନୁସାରେ, ନବୀନ ପଟ୍ଟନାୟକ ବିଗତ କିଛି ବୈଠକରେ ବବି ଦାସଙ୍କ ଉପରେ ଅତ୍ୟନ୍ତ ଖପ୍ପା ଥିବାର ସ୍ପଷ୍ଟ ସନ୍ଦେଶ ଦେଇସାରିଛନ୍ତି। ନବୀନଙ୍କ ମତିଗତି ଦେଖି ଏବେ ଦଳରେ ବବିଙ୍କୁ ଆଉ କେହି ଖୋଜୁନାହାନ୍ତି କି ସେ ନିଜେ ବି ନୀତି ନିର୍ଦ୍ଧାରଣ ବୈଠକକୁ ଆସୁନାହାନ୍ତି।
୨୦୧୬-୧୭ ମସିହାରେ ପାଣ୍ଡିଆନଙ୍କ କୃପାରୁ ‘ତ୍ରିମୂର୍ତ୍ତି’ଙ୍କୁ ସାଇଡ୍ଲାଇନ୍ କରି ଦଳର କର୍ତ୍ତାଧର୍ତ୍ତା ସାଜିଥିବା ବବି, ଆଜି ସେହି ଦଳରେ ସମ୍ପୂର୍ଣ୍ଣ ଅଲୋଡ଼ା ହୋଇପଡ଼ିଛନ୍ତି!
‘ତ୍ରିମୂର୍ତ୍ତି’ଙ୍କ ହାତକୁ ଆକ୍ସନ୍ ପ୍ଲାନ୍: ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି
ତେବେ ନବୀନ ନିବାସ ବୈଠକରେ ନବୀନ ପଟ୍ଟନାୟକ କ’ଣ ନିଷ୍ପତ୍ତି ନେଲେ? ବୈଠକରେ ସ୍କୁଲ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ସରକାରବିରୋଧୀ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ନବୀନ ସିଧାସଳଖ ‘ତ୍ରିମୂର୍ତ୍ତି’ ବା ଅତନୁ, ଅରୁଣ ଓ ସଞ୍ଜୟଙ୍କ ଉପରେ ସମ୍ପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ କରିଛନ୍ତି।
ସେହିପରି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଦୀର୍ଘ ଅଭିଜ୍ଞତା ଓ ବିଚକ୍ଷଣତାକୁ ନବୀନ ଭୁରି ଭୁରି ପ୍ରଶଂସା କରିବା ସହ ତାଙ୍କ ପରାମର୍ଶରେ ହିଁ ସାଂଗଠନିକ କାର୍ଯ୍ୟକ୍ରମ ଆଗକୁ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ନବୀନଙ୍କ ଗ୍ରୀନ୍ ସିଗନାଲ ପାଇବା ମାତ୍ରେ, ଏହି ତ୍ରିମୂର୍ତ୍ତି ସିଧା ଶଙ୍ଖ ଭବନରେ ପହଞ୍ଚି ମହିଳା, ଯୁବ ଓ ଛାତ୍ର ଶାଖାର ନେତୃବୃନ୍ଦଙ୍କ ସହ ଜରୁରୀ ବୈଠକ କରି ସରକାରଙ୍କ ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ ପାଇଁ ଚୂଡ଼ାନ୍ତ ଆକ୍ସନ୍ ପ୍ଲାନ୍ ମଧ୍ୟ ପ୍ରସ୍ତୁତ କରିସାରିଛନ୍ତି।
ଶଙ୍ଖ ଭବନରେ ନବୀନ ପଟ୍ଟନାୟକ ନିଜେ ମଧ୍ୟ ଗଣମାଧ୍ୟମ ଆଗରେ କହିଛନ୍ତି— “ପ୍ରଥମରୁ ଅଷ୍ଟମ ଶ୍ରେଣୀ ପୁସ୍ତକରେ ବହୁତ ଭୁଲ ରହିଛି। ଗଣଶିକ୍ଷା ମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଉଚିତ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରୁ ସେ କିଛି ଶିଖିବା ଦରକାର।”
ସେପଟେ ପ୍ରସନ୍ନ ଆଚାର୍ଯ୍ୟ ବି ସିଧାସଳଖ କହିଛନ୍ତି ଯେ, ପାଠ୍ୟପୁସ୍ତକରେ ତ୍ରୁଟି ଏକ ଅପରାଧ ଏବଂ କ୍ରାଇମବ୍ରାଞ୍ଚ ତଦନ୍ତ କେବଳ ଏକ ପ୍ରହସନ।
ସୁଜାତାଙ୍କ ଏଣ୍ଟ୍ରି ଓ ବିଜେଡିର ନୂଆ ରାଜନୈତିକ ସମୀକରଣ
ଏବେ ଆସନ୍ତୁ ବୁଝିବା ଏହି ସମ୍ପୂର୍ଣ୍ଣ ସମୀକରଣ ପଛର ଅସଲ କାରଣ କ’ଣ? ସୁଜାତା ରାଉତ କାର୍ତ୍ତିକେୟନ୍ ସିଭିଲ୍ ସର୍ଭିସ୍ ଛାଡ଼ି ବିଜେଡି ରାଜନୀତିରେ ପାଦ ଥାପିବା ପଛରେ ‘ତ୍ରିମୂର୍ତ୍ତି’ଙ୍କର ଭୂମିକା କ’ଣ?
ସୂଚନା ଅନୁସାରେ, ୨୦୨୪ ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ପରେ ଅରୁଣ ସାହୁ ନିଜକୁ ସିଙ୍ଗଲ୍ ଲାଇନ୍ରେ କୋଣଠେସା କରି ରଖିଥିଲେ। କିନ୍ତୁ ସୁଜାତା ରାଉତ କାର୍ତ୍ତିକେୟନଙ୍କ ମିଶ୍ରଣ ପର୍ବରେ ଆଗରେ ଛିଡ଼ା ହୋଇ ସେ ନିଜର ଆନୁଗତ୍ୟ ଜାହିର କରିଥିଲେ।
ସେହିପରି ‘କେନ୍ଦ୍ରାପଡ଼ାର ଝିଅ’ କାର୍ଡ ଖେଳି ବେଶ୍ କିଛି ମାସ ହେବ ଦଳୀୟ ସ୍ତରରେ ସୁଜାତା ରାଉତ କାର୍ତ୍ତିକେୟନଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଥିବା ଅତନୁ ସବ୍ୟସାଚୀ ନାୟକଙ୍କ ପ୍ରଭାବ ଏବେ ଦଳରେ ବହୁ ଗୁଣ ବୃଦ୍ଧି ପାଇଛି।
ଅନ୍ୟପଟେ ସଞ୍ଜୟ ଦାସବର୍ମା ମଧ୍ୟ ଏହି ନୂଆ ସମୀକରଣରେ ସୁଜାତା ରାଉତ କାର୍ତ୍ତିକେୟନଙ୍କ ନିକଟତର ହେବାର କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ଗତ ସପ୍ତାହରେ ସାର ସଙ୍କଟ ପ୍ରସଙ୍ଗରେ ଶଙ୍ଖ ଭବନରେ ଏହି ତିନି ନେତା ଏକାଠି ସାମ୍ବାଦିକ ସମ୍ମିଳନୀ କରି “ତ୍ରିମୂର୍ତ୍ତି ରିଟର୍ଣ୍ଣସ୍” ର ସ୍ପଷ୍ଟ ସଙ୍କେତ ଦେଇସାରିଥିଲେ।
ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ— ସୁଜାତା ରାଉତ କାର୍ତ୍ତିକେୟନ ବିଜେଡିକୁ ଆସିବା ପରେ, ପାଣ୍ଡିଆନଙ୍କ ପୁରୁଣା ଟିମ୍ ବା ବବି-ଦେବୀ ଗୋଷ୍ଠୀକୁ ପୁରା ବାସନ୍ଦ କରାଯାଇଛି। ସୁଜାତା ରାଉତ କାର୍ତ୍ତିକେୟନ ନିଜର ନୂଆ ସାଂଗଠନିକ ମୂଳଦୁଆ ପାଇଁ ଅତନୁ, ଅରୁଣ, ସଞ୍ଜୟ ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କ ଭଳି ପୁରୁଣା, ଅଭିଜ୍ଞ ଓ ଜନଭିତ୍ତି ଥିବା ଓଡ଼ିଆ ନେତାଙ୍କୁ ବାଛିଛନ୍ତି।
ମାନସ ମଙ୍ଗରାଜଙ୍କ ପତିଆରା ଓ ଶେଷ କଥା
ଏହି ସମସ୍ତ ଘଟଣାବଳୀ ଭିତରେ ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ ମଧ୍ୟ ନିଜର ଖାସ୍ ଅନୁଗତ ବିଧାୟକ ଗୌତମବୁଦ୍ଧ ଦାସଙ୍କୁ ନବୀନ ନିବାସ ବୈଠକରେ ସାମିଲ କରାଇ ପରୋକ୍ଷରେ ନିଜର ପତିଆରା ପ୍ରଦର୍ଶନ କରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ତେବେ ନିଷ୍କର୍ଷରେ ଏତିକି କୁହାଯାଇପାରେ— ବିଜେଡି ଏବେ ଏକ ବଡ଼ ସନ୍ଧିକ୍ଷଣ ଦେଇ ଗତି କରୁଛି। ଗୋଟିଏ ପଟେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ହାତରୁ କ୍ଷମତା ଖସି ସୁଜାତା ରାଉତ କାର୍ତ୍ତିକେୟନଙ୍କ ହାତକୁ ଯାଉଛି, ଆଉ ଅନ୍ୟପଟେ ଦଳର ପୁରୁଣା ‘ତ୍ରିମୂର୍ତ୍ତି’ ପୁଣି ଥରେ ନିଜର ଗାଦି ଫେରିପାଇଛନ୍ତି।
କିନ୍ତୁ ପ୍ରଶ୍ନ ଉଠୁଛି— ବବି ଦାସ ଓ ଦେବୀ ମିଶ୍ରଙ୍କୁ ସମ୍ପୂର୍ଣ୍ଣ କୋଣଠେସା କରି ବିଜେଡି ଆଗାମୀ ଦିନରେ ନିଜ ସଂଗଠନକୁ ଏକଜୁଟ୍ ରଖିପାରିବ ତ? ସୁଜାତା ରାଉତ କାର୍ତ୍ତିକେୟନ -ତ୍ରିମୂର୍ତ୍ତି ଯୋଡ଼ି ବିଜେଡିକୁ ପୁଣିଥରେ ତୃଣମୂଳ ସ୍ତରରେ ସଜାଡ଼ି ପାରିବେ ତ?
AlsoRead; https://purvapaksa.com/a-great-danger-is-coming-for-mohan/
ମୋହନଙ୍କ ପାଇଁ ଆସୁଛି ବଡ଼ ବିପଦ! || A great danger is coming for Mohan!


