ଭାରତୀୟ ସେନାର ସେହି ଅତ୍ୟାଧୁନିକ ଏବଂ ମାରକ ଅସ୍ତ୍ରଶସ୍ତ୍ର ବିଷୟରେ, ଯାହା ଆଜି ବିଶ୍ୱର ବଡ଼ ବଡ଼ ମହାଶକ୍ତିମାନଙ୍କ ନିଦ ହଜାଇ ଦେଇଛି। ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଜି କେବଳ ଆତ୍ମନିର୍ଭର ହୋଇନାହିଁ, ବରଂ ଶତ୍ରୁପକ୍ଷକୁ ଧୂଳିସାତ୍ କରିବା ପାଇଁ ସବୁଠାରୁ ଘାତକ ପ୍ଲାଟଫର୍ମଗୁଡ଼ିକୁ ମଧ୍ୟ ନିଜ ସେନାରେ ସାମିଲ କରୁଛି।
ଭାରତୀୟ ନୌସେନା ପାଇଁ ଆସୁଥିବା ‘ରାଫେଲ୍-ଏମ୍’ ଯୁଦ୍ଧବିମାନର ପରୀକ୍ଷଣ ଗୋଆର ଆଇଏନ୍ଏସ୍ ହଂସଠାରେ ଆରମ୍ଭ ହୋଇଯାଇଛି। କେବଳ ସେତିକି ନୁହେଁ, ପାକିସ୍ତାନର ଭୂଗୋଳକୁ ସମ୍ପୂର୍ଣ୍ଣ ଭାବେ କଭର୍ କରିବାକୁ ଆସୁଥିବା ୧୫୦୦ କିଲୋମିଟର ରେଞ୍ଜର ‘ବ୍ରହ୍ମୋସ’ କ୍ରୁଜ୍ ମିସାଇଲ୍, ଶତ୍ରୁର ମାଇକ୍ରୋ ଡ୍ରୋନ୍ଗୁଡ଼ିକୁ ଆକାଶରେ ହିଁ ଧ୍ୱଂସ କରିବା ପାଇଁ ଭାରତୀୟ ସେନା ଦ୍ୱାରା କରାଯାଇଥିବା ୭୭୦ କୋଟି ଟଙ୍କାର ନୂତନ ରାଡାର୍ ଡିଲ୍, ଏବଂ ଲଦାଖର ଅତି ଉଚ୍ଚ ପାହାଡ଼ିଆ ଅଞ୍ଚଳରେ ଚୀନ୍ର ମୁକାବିଲା ପାଇଁ ପ୍ରସ୍ତୁତ ହେଉଥିବା ‘ଜୋରାଭର’ ହାଲୁକା ଟ୍ୟାଙ୍କର ଅପଗ୍ରେଡ୍ ସମ୍ପର୍କରେ।
ଗୋଆରୁ ଆରମ୍ଭ ହେଲା ରାଫେଲ୍-ଏମ୍ (Rafale-M) ର ଐତିହାସିକ ଟ୍ରାଏଲ୍

ଭାରତୀୟ ନୌସେନା ପାଇଁ ଫ୍ରାନ୍ସରୁ ଅର୍ଡର କରାଯାଇଥିବା ୨୬ଟି ‘ରାଫେଲ୍ ମେରାଇନ୍’ ଯୁଦ୍ଧବିମାନର ପରୀକ୍ଷଣ ବା ଟ୍ରାଏଲ୍ ଗୋଆସ୍ଥିତ ‘ଆଇଏନ୍ଏସ୍ ହଂସ’ ନାଭାଲ୍ ଏୟାର୍ ଷ୍ଟେସନରେ ଆରମ୍ଭ ହୋଇଯାଇଛି।
ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ବୁଝିବା ଜରୁରୀ। ଏହା ସେହି ରାଫେଲ୍ ନୁହେଁ, ଯାହା ଭାରତୀୟ ବାୟୁସେନା (IAF) ପାଖରେ ପୂର୍ବରୁ ଅଛି । ଏହା ହେଉଛି ନୌସେନାର ଏୟାରକ୍ରାଫ୍ଟ କ୍ୟାରିୟର୍ ଅର୍ଥାତ୍ ଯୁଦ୍ଧପୋତ (ଯଥା ଆଇଏନ୍ଏସ୍ ବିକ୍ରାନ୍ତ ଏବଂ ଆଇଏନ୍ଏସ୍ ବିକ୍ରମାଦିତ୍ୟ) ଉପରୁ ଅପରେଟ୍ କରିବା ପାଇଁ ତିଆରି ହୋଇଥିବା ସ୍ୱତନ୍ତ୍ର ନାଭାଲ୍ ଭର୍ସନ୍। ସମୁଦ୍ର ମଧ୍ୟରେ କାର୍ଯ୍ୟ କରୁଥିବା ଏହି ଯୁଦ୍ଧବିମାନଗୁଡ଼ିକୁ ସାଧାରଣ ଜମିରେ ଉଡ଼ାଣ ଭରୁଥିବା ପ୍ଲେନ୍ଠାରୁ ବହୁତ ଅଧିକ ମଜବୁତ ଏବଂ ଶକ୍ତିଶାଳୀ ହେବାକୁ ପଡ଼େ।
ଏହି ଚୁକ୍ତି ସମ୍ପର୍କରେ କିଛି ଲୋକ କିମ୍ବା ରାଜନୈତିକ । ମହଲରେ ପ୍ରାୟତଃ ଭ୍ରମ ସୃଷ୍ଟି କରାଯାଏ। କିନ୍ତୁ ସ୍ପଷ୍ଟ ଭାବେ ଜାଣିବା ଦରକାର ଯେ, ଏହା ଏକ ‘ସରକାରରୁ ସରକାର’ ଡିଲ୍ ହୁଏ। ଭାରତ ସରକାର ସିଧାସଳଖ ଫ୍ରାନ୍ସ ସରକାରଙ୍କୁ ଟଙ୍କା ପୈଠ କରନ୍ତି ଏବଂ ତା’ପରେ ଡାସଲ୍ଟ ଏଭିଏସନ୍ କମ୍ପାନୀ ଏହି ପ୍ଲେନ୍ଗୁଡ଼ିକୁ ପ୍ରସ୍ତୁତ କରିଥାଏ । ୨୦୨୫ ମସିହା ଏପ୍ରିଲ୍ ୨୮ ତାରିଖରେ ଏହି ୬୩,୦୦୦ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ୨୬ଟି ରାଫେଲ୍ ମଧ୍ୟରୁ ୨୨ଟି ପ୍ଲେନ୍ ସିଙ୍ଗଲ ସିଟ୍ ବିଶିଷ୍ଟ ଏବଂ ୪ଟି ଟ୍ୱିନ୍ ସିଟ୍, ଯାହା ଟ୍ରେନିଂ ପାଇଁ ମଧ୍ୟ ବ୍ୟବହାର ହେବ। ଆଶା କରାଯାଉଛି ଯେ ୨୦୨୮-୨୯ ସୁଦ୍ଧା ଏଗୁଡ଼ିକର ଡେଲିଭରି ସମ୍ପୂର୍ଣ୍ଣ ହୋଇଯିବ। ଭବିଷ୍ୟତରେ ଭାରତୀୟ ନୌସେନାକୁ ଆହୁରି ଅଧିକ ଏୟାରକ୍ରାଫ୍ଟ କ୍ୟାରିୟର୍ ଏବଂ ଏହିଭଳି ରାଫେଲ୍ ଆବଶ୍ୟକ ହେବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ଆକଳନ କରୁଛନ୍ତି ।
ରାଫେଲ୍-ଏମ୍ ର ପ୍ରମୁଖ ବୈଷୟିକ ବିଶେଷତା:
• ଓଜନ ଓ କ୍ଷମତା: ଏହାର ସର୍ବାଧିକ ଟେକ୍-ଅଫ୍ ଓଜନ ହେଉଛି ୨୪ ଟନ୍ (ସମସ୍ତ ଅସ୍ତ୍ରଶସ୍ତ୍ର ଏବଂ ଇନ୍ଧନ ସହିତ)। ଏହାର ଖାଲି ଓଜନ ପ୍ରାୟ ୧୦ ଟନ୍ ।
• ସ୍ପିଡ୍ ଓ ରେଞ୍ଜ: ଉଚ୍ଚ ଆକାଶରେ ଏହାର ସର୍ବୋଚ୍ଚ ଗତି ହେଉଛି ୧.୮ ମାକ୍ । ଏହାର କମ୍ବାଟ୍ ରେଞ୍ଜ ୧୦୦୦ କିଲୋମିଟର ଏବଂ ଫେରୀ ରେଞ୍ଜ ୩୭୦୦ କିଲୋମିଟର।
• ଘାତକ ଅସ୍ତ୍ରଶସ୍ତ୍ର: ଏଥିରେ ୧୦୦ କିଲୋମିଟରରୁ ଅଧିକ ମାରକ କ୍ଷମତା ବିଶିଷ୍ଟ ‘ମେଟୋର୍’ (Meteor) ଏୟାର୍-ଟୁ-ଏୟାର୍ ମିସାଇଲ୍, ‘ମିକା’ (MICA) ମିସାଇଲ୍, ଏବଂ ଜଳପଥରେ ଶତ୍ରୁର ଜାହାଜ ଧ୍ୱଂସ କରିବା ପାଇଁ AM39 ଏକ୍ସୋସେଟ୍ (Exocet) ଆଣ୍ଟି-ସିପ୍ ମିସାଇଲ୍ ରହିଛି।
• ସ୍କାଲ୍ପ ଏବଂ ହାମର୍ (SCALP & Hammer): ଭୂପୃଷ୍ଠରେ ଥିବା ଶତ୍ରୁର ବଙ୍କର କିମ୍ବା ଆଡ୍ଡାକୁ ଧ୍ୱଂସ କରିବା ପାଇଁ ଏଥିରେ ସ୍କାଲ୍ପ କ୍ରୁଜ୍ ମିସାଇଲ୍ (ଯାହାର ରେଞ୍ଜ ୫୬୦ କିଲୋମିଟର) ଏବଂ ପ୍ରିସିସନ୍ ମ୍ୟୁନିସନ୍ ‘ହାମର୍’ ରହିଛି, ଯାହା ପାକିସ୍ତାନ ଭିତରେ ପଶି ଆତଙ୍କ ସୃଷ୍ଟି କରିବାରେ ସକ୍ଷମ।
• ସମ୍ପୂର୍ଣ୍ଣ ସୁରକ୍ଷା ଓ ରାଡାର୍: ଏଥିରେ RBE2 AESA ରାଡାର୍ ରହିଛି, ଯାହା ୨୦୦ କିଲୋମିଟର ଦୂରରୁ ଶତ୍ରୁର ଏରିଆଲ୍ ଟ୍ରେଟ୍ସକୁ ସ୍କାନ୍ କରିପାରେ।
ଏଥିରେ ଇନ୍-ବିଲ୍ଟ IFF ସିଷ୍ଟମ୍ ଅଛି, ଯାହା ସାଙ୍ଗ ଏବଂ ଶତ୍ରୁ ମଧ୍ୟରେ ପାର୍ଥକ୍ୟ ସ୍ପଷ୍ଟ ଜାଣିପାରେ ।
• ସମୁଦ୍ରର ଲୁଣିଆ ପବନର ମୁକାବିଲା: ସମୁଦ୍ର ମଧ୍ୟରେ ଲୁଣିଆ ପବନ ଯୋଗୁଁ ଧାତୁ ଓ ଇଞ୍ଜିନ୍ ଅଂଶ କ୍ଷତିଗ୍ରସ୍ତ ହେବାର ଆଶଂକା ରହିଥାଏ। ତେଣୁ ରାଫେଲ୍-ଏମ୍କୁ ଏପରି ଭାବେ ଡିଜାଇନ୍ କରାଯାଇଛି ଯେ ଏହା ଏହି କଠିନ ଜଳବାୟୁ ଏବଂ କ୍ଷୟକାରୀ ପରିବେଶ ସହ ସହଜରେ ଲଢ଼ିପାରିବ ।
ବ୍ରହ୍ମୋସ (BrahMos): ଏବେ ୧୫୦୦ କିଲୋମିଟର ରେଞ୍ଜ ଏବଂ ହାଇପରସୋନିକ୍ ଦିଗରେ ପଦକ୍ଷେପ
ଭାରତର ବ୍ରହ୍ମୋସ କ୍ରୁଜ୍ ମିସାଇଲ୍ ଆଜି ବିଶ୍ୱର ସବୁଠାରୁ ଭୟାନକ ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ଭାବେ ପରିଗଣିତ। ପ୍ରାରମ୍ଭରେ ଏହାର ରେଞ୍ଜ ପ୍ରାୟ ୨୯୦ ରୁ ୩୦୦ କିଲୋମିଟର ଥିଲା। ପରବର୍ତ୍ତୀ ସମୟରେ ଏହାର ଏକ୍ସଟେଣ୍ଡେଡ୍ ଭର୍ସେନ୍ ଆସିଲା, ଯାହାର ରେଞ୍ଜ ୮୦୦ ରୁ ୯୦୦ କିଲୋମିଟରକୁ ବୃଦ୍ଧି ପାଇଲା।
କିନ୍ତୁ ବର୍ତ୍ତମାନ ଡିଆରଡିଓ (DRDO) ଏବଂ ବ୍ରହ୍ମୋସ ଏରୋସ୍ପେସ୍ ମିଳିତ ଭାବେ ଏହାର ରେଞ୍ଜକୁ ୧୫୦୦ କିଲୋମିଟରକୁ ବୃଦ୍ଧି କରିବା ପାଇଁ କାମ କରୁଛନ୍ତି। ଭୌଗଳିକ ଦୃଷ୍ଟିରୁ ପାକିସ୍ତାନ ହେଉଛି ଏକ ଲମ୍ବା ଏବଂ ସଂକୀର୍ଣ୍ଣ ଦେଶ। ଯଦି ୧୫୦୦ କିଲୋମିଟର ରେଞ୍ଜର ବ୍ରହ୍ମୋସ ମିସାଇଲ୍ ତିଆରି ହୋଇଯାଏ,ତେବେ ପାକିସ୍ତାନର କୌଣସି ବି କୋଣ, ପାହାଡ଼ କିମ୍ବା ଗୁହାରେ ଲୁଚି ରହିଥିବା ଶତ୍ରୁ ଆଉ ବଞ୍ଚିପାରିବେ ନାହିଁ।
ବ୍ରହ୍ମୋସକୁ ଏବେ ହାଇପରସୋନିକ୍ ସ୍ତରକୁ ନେବା ପାଇଁ ଯୋଜନା ଚାଲିଛି । ପୂର୍ବରୁ ଗୋଟିଏ ‘ସୁଖୋଇ-୩୦ ଏମକେଆଇ’ (Su-30MKI) ଯୁଦ୍ଧବିମାନରୁ ଗୋଟିଏ ବ୍ରହ୍ମୋସ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଉଥିବା ବେଳେ, ବର୍ତ୍ତମାନ ଗୋଟିଏ ସୁଖୋଇରୁ ଚାରିଟି ବ୍ରହ୍ମୋସ ଫାୟାର୍ କରିବାର କ୍ଷମତା ବିକଶିତ କରାଯାଉଛି। ଫଳରେ ସୁଖୋଇ ଯୁଦ୍ଧବିମାନର ଫାୟାର୍ ପାୱାର୍ ବହୁଗୁଣିତ ହୋଇଯିବ। ସୂଚନାଯୋଗ୍ୟ ଯେ, ସେନା, ନୌସେନା ଏବଂ ବାୟୁସେନା—ତିନିଟି ଯାକ ସେନାରେ ବ୍ରହ୍ମୋସ ସଫଳତାର ସହ ମୁତୟନ ରହିଛି । ଫିଲିପାଇନ୍ସର, ଇଣ୍ଡୋନେସିଆ, ଭିଏତନାମ ପରି ଦେଶଗୁଡ଼ିକ ମଧ୍ୟ ଆଜି ଭାରତର ଏହି ମିସାଇଲ୍ କିଣିବା ପାଇଁ ଆଗ୍ରହୀ।
ଡ୍ରୋନ୍ ଆକ୍ରମଣର ମୁକାବିଲା: ଭାରତୀୟ ସେନା ପାଇଁ ୭୭୦ କୋଟିର ରାଡାର୍ ଡିଲ୍
ଆଜିର ଆଧୁନିକ ଯୁଦ୍ଧରେ ଡ୍ରୋନ୍ ଏବଂ ମାଇକ୍ରୋ ଡ୍ରୋନ୍ଗୁଡ଼ିକ ଏକ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି। ଶତ୍ରୁପକ୍ଷ ପ୍ରଥମେ ଶହ ଶହ ଖାଲି ଡ୍ରୋନ୍ ପଠାଇ ଆମର ଏୟାର୍ ଡିଫେନ୍ସ ସିଷ୍ଟମକୁ ବ୍ୟସ୍ତ କରିଦିଅନ୍ତି ଏବଂ ପରେ ବିସ୍ଫୋରକ ଭର୍ତ୍ତି କାମିକାଜ୍ ଡ୍ରୋନ୍ କିମ୍ବା କ୍ରୁଜ୍ ମିସାଇଲ୍ ଆକ୍ରମଣ କରନ୍ତି ।
ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ୨୦୨୬ ଅକ୍ଟୋବର ୨୧ ତାରିଖରେ ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ସରକାରୀ ପ୍ରତିରକ୍ଷା ପ୍ରତିଷ୍ଠାନ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ମଧ୍ୟରେ ୭୭୦ କୋଟି ଟଙ୍କାର ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି।
• ଏହି ଅତ୍ୟାଧୁନିକ ଲୋ-ଲେଭେଲ୍ ଲାଇଟ୍ୱେଟ୍ ରାଡାରକୁ ବିଶେଷ ଭାବେ ଛୋଟ ଛୋଟ ଡ୍ରୋନ୍ ଏବଂ ଅତି କମ୍ ଉଚ୍ଚତାରେ ଉଡ଼ୁଥିବା ଏରିଆଲ୍ ଥ୍ରେଟ୍ଗୁଡ଼ିକୁ ଚିହ୍ନଟ କରିବା ପାଇଁ ଡିଜାଇନ୍ କରାଯାଇଛି ।
• ଏହା ସମ୍ପୂର୍ଣ୍ଣ ମ୍ୟାନ୍-ପୋର୍ଟେବଲ୍ ଏବଂ ଟ୍ରାନ୍ସପୋର୍ଟେବଲ୍ ଅଟେ, ଅର୍ଥାତ୍ ଏହାକୁ ଗାଡ଼ିରେ ପକାଇ ସହଜରେ ସମତଳ ଭୂମି, ମରୁଭୂମି ଏବଂ ଅତି ଉଚ୍ଚ ପାହାଡ଼ିଆ ଅଞ୍ଚଳକୁ ନିଆଯାଇ ପାରିବ।
• ଏଥିରେ ୩୬୦-ଡିଗ୍ରୀ କଭରେଜ୍, ଗାଲିୟମ୍ ନାଇଟ୍ରାଇଡ୍ ଆମ୍ପ୍ଲିଫାୟର୍ ଏବଂ ୩ଡି ଟାର୍ଗେଟ୍ ପ୍ରୋସେସିଂ ରହିଛି। ଏହା ଏକସାଙ୍ଗେ ଏକାଧିକ ଲକ୍ଷ୍ୟକୁ ଚିହ୍ନଟ କରି ସେମାନଙ୍କ ମଧ୍ୟରୁ ସବୁଠାରୁ ବିପଜ୍ଜନକ ଥ୍ରେଟ୍କୁ ପ୍ରାଥମିକତା ଭିତ୍ତିରେ ଚିହ୍ନଟ କରିବାରେ ସାହାଯ୍ୟ କରିଥାଏ।
• ପୃଥିବୀର ବକ୍ରତା ଯୋଗୁଁ ରାଡାର୍ର ଯେଉଁ ଅନ୍ଧ ସ୍ପଟ୍ ବା ସର୍ଭିଲାନ୍ସ ଗ୍ୟାପ୍ ରହିଯାଏ, ଏହି ରାଡାର୍ ତାହାକୁ ମଧ୍ୟ ସଫଳତାର ସହ ଦୂର କରିଥାଏ।
ଲଦାଖ ପାଇଁ ସ୍ୱତନ୍ତ୍ର ‘ଜୋରାଭର’ ଟ୍ୟାଙ୍କ: ଆହୁରି ମଜବୁତ ହେଉଛି ସୁରକ୍ଷା କବଚ

ଭାରତର ପ୍ରମୁଖ ଘରୋଇ ପ୍ରତିରକ୍ଷା ନିର୍ମାତା ଏଲ୍ ଆଣ୍ଡ୍ ଟି ଏବଂ ଡିଆରଡିଓ ମିଳିତ ଭାବେ ଭାରତୀୟ ସେନା ପାଇଁ ନିର୍ମାଣ କରୁଛନ୍ତି ଅତ୍ୟାଧୁନିକ ହାଲୁକା ଟ୍ୟାଙ୍କ— ‘ଜୋରାଭର’ ।
ସାଧାରଣତଃ ଟ୍ୟାଙ୍କଗୁଡ଼ିକ ସମତଳ ଭୂମି କିମ୍ବା ମରୁଭୂମି ପାଇଁ ଉପଯୁକ୍ତ ବୋଲି ଧରାଯାଏ। କିନ୍ତୁ ଲଦାଖର ଅତି ଉଚ୍ଚ ପାହାଡ଼ିଆ ଅଞ୍ଚଳରେ ଚୀନ୍ର ‘ଟାଇପ୍-୧୫’ ହାଲୁକା ଟ୍ୟାଙ୍କର ମୁକାବିଲା କରିବା ପାଇଁ ଆମର ପୁରୁଣା T-72 କିମ୍ବା T-90 ଟ୍ୟାଙ୍କଗୁଡ଼ିକ ବହୁତ ଭାରୀ ପଡ଼ୁଥିଲା। ସେଥିପାଇଁ ୨୫ ଟନ୍ ଓଜନ ବିଶିଷ୍ଟ ‘ଜୋରାଭର’ ଟ୍ୟାଙ୍କର ପରିକଳ୍ପନା କରାଯାଇଛି।
ବର୍ତ୍ତମାନ ଏହି ଟ୍ୟାଙ୍କର ସୁରକ୍ଷାକୁ ଆହୁରି ବଢ଼ାଇବା ପାଇଁ ସେନା ପକ୍ଷରୁ ଚିନ୍ତା କରାଯାଉଛି।
• ଯେହେତୁ ଟ୍ୟାଙ୍କର ମୁଖ୍ୟ ଆଧାର ତିନିଟି ପିଲର୍ ଉପରେ ଥାଏ— ମୋବିଲିଟି, ପ୍ରୋଟେକ୍ସନ୍ ଏବଂ ଫାୟାର୍ ପାୱାର୍ -ତେଣୁ ଏହାର ଆମର୍କୁ Stanag Level 4 ରୁ ବଢ଼ାଇ Level 6 କରିବା ପାଇଁ ପ୍ରସ୍ତାବ ରହିଛି।
• ଏହି ଅପଗ୍ରେଡ୍ ଯୋଗୁଁ ଟ୍ୟାଙ୍କର ଓଜନ ପ୍ରାୟ ୨୫ ଟନ୍ରୁ ବୃଦ୍ଧି ପାଇ ୩୦ ରୁ ୩୨ ଟନ୍ ହୋଇପାରେ।
• ଟ୍ୟାଙ୍କର ଓଜନ ବଢ଼ିଲେ ଇଞ୍ଜିନ୍ ଉପରେ ଅଧିକ ଚାପ ପଡ଼ିବ, ତେଣୁ ବର୍ତ୍ତମାନର ୭୬୦ ହର୍ସପାୱାର (HP) ବିଶିଷ୍ଟ କମିନ୍ସ ଡିଜେଲ୍ ଇଞ୍ଜିନ୍ ସ୍ଥାନରେ ଆହୁରି ଅଧିକ ଶକ୍ତିଶାଳୀ ଇଞ୍ଜିନ୍ ଲଗାଇବାକୁ ବିଚାର କରାଯାଉଛି।
• ଏହି ପରିବର୍ତ୍ତନଗୁଡ଼ିକ ଯୋଗୁଁ ସେନାରେ ଏହାର ସାମିଲ ହେବା ସମୟସୀମାକୁ ୨୦୨୭ ବଦଳରେ ୨୦୨୮-୨୯ କୁ ଘୁଞ୍ଚାଇବାକୁ ଚିନ୍ତା ଚାଲିଛି । ମୋଟ ଉପରେ ଭାରତୀୟ ସେନା ପାଇଁ ଏପରି ୩୫୪ଟି ହାଲୁକା ଟ୍ୟାଙ୍କର ଆବଶ୍ୟକତା ରହିଛି ।
ଆଜି ଭାରତ କେବଳ ଅସ୍ତ୍ରଶସ୍ତ୍ର କିଣୁ ନାହିଁ, ବରଂ ନିଜର ଦେଶୀ ପ୍ରଯୁକ୍ତିବିଦ୍ୟା (DRDO ଏବଂ BEL) ଏବଂ ବିଶ୍ୱର ସବୁଠାରୁ ବିଶ୍ୱାସଯୋଗ୍ୟ ଭାବୀ ଭାଗିଦାରୀ (ଯଥା ଫ୍ରାନ୍ସ ସହିତ ରାଫେଲ୍ ଡିଲ୍) ମାଧ୍ୟମରେ ନିଜର ପ୍ରତିରକ୍ଷା ବ୍ୟବସ୍ଥାକୁ ଅଭେଦ୍ୟ କରି ମଜବୁତ କରୁଛି। ଗୋଆରେ ରାଫେଲ୍-ଏମ୍ର ଗର୍ଜନ ହେଉ, ପାକିସ୍ତାନର କୋଣ ଅନୁକୋଣକୁ ଟାର୍ଗେଟ୍ କରୁଥିବା ୧୫୦୦ କିଲୋମିଟର ରେଞ୍ଜର ବ୍ରହ୍ମୋସ ହେଉ, ଡ୍ରୋନ୍ ଆକ୍ରମଣକୁ ମାତ୍ ଦେଉଥିବା ରାଡାର୍ ହେଉ, କିମ୍ବା ଲଦାଖର ଶୀତଳ ପାହାଡ଼ରେ ରାଜ୍ କରିବାକୁ ଆସୁଥିବା ଜୋରାଭର ଟ୍ୟାଙ୍କ ହେଉ— ଏସବୁ ପ୍ରମାଣ କରୁଛି ଯେ ଆଜିର ନୂଆ ଭାରତ ଶତ୍ରୁକୁ ଘରେ ପଶି ମାରିବାର କ୍ଷମତା ରଖେ।
also read
https://purvapaksa.com/are-dharmendra-and-aparajita-not-on-modis-radar/


