ଓଡ଼ିଶା ରାଜନୀତିରେ ଏବେ ଏକ ବଡ଼ ଝଡ଼ ସୃଷ୍ଟି ହୋଇଛି— ‘ଗାୟବ ଫାଇଲ’ ଓ ‘ତଦନ୍ତ ରିପୋର୍ଟ ଚୋରୀ’ ମାମଲା। ରାଜ୍ୟରେ ଶାସନ ବଦଳିବା ପରେ ଗୋଟିଏ ପରେ ଗୋଟିଏ ବିବାଦୀୟ ସତ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲାରୁ ଆରମ୍ଭ କରି କନ୍ଧମାଳର ଚାଞ୍ଚଲ୍ୟକର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡ ପର୍ଯ୍ୟନ୍ତ; ବିଜୁ ଜନତା ଦଳ (ବିଜେଡି) ଶାସନ କାଳର ବହୁ ଗୁରୁତ୍ୱପୂର୍ଣ୍ଣ କମିଶନ ଓ ତଦନ୍ତ ରିପୋର୍ଟ ଗାୟବ ହୋଇଯାଇଥିବା ଅଭିଯୋଗ ହୋଇଛି।
ଏହି ସମ୍ବେଦନଶୀଳ ମାମଲାରେ କ୍ୟାପିଟାଲ ଥାନାରେ ଏତଲା ଦିଆଯିବା ପରେ ପୋଲିସ ତତ୍ପରତା ପ୍ରକାଶ କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ବିଶ୍ୱସ୍ତ ସହଯୋଗୀ ତଥା ପୂର୍ବତନ ୫-ଟି ସଚିବ ଭୈରବ କାର୍ତ୍ତିକେୟନ, ରାଜେଶ ବର୍ମା, ଉପେନ୍ଦ୍ର ନାଥ ବେହେରା ଓ ମନୋଜ ମିଶ୍ରଙ୍କୁ ହାଜର ହେବା ପାଇଁ ଭୁବନେଶ୍ୱର ପୋଲିସ ନୋଟିସ ଜାରି କରିସାରିଛି।
ନ୍ତୁ ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି— ଯେଉଁ ସମୟରେ ଏହିସବୁ ରିପୋର୍ଟ ଗାୟବ ହେଲା, ସେତେବେଳେ ରାଜ୍ୟର ଗୃହ ବିଭାଗ ଓ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ସ୍ୱୟଂ ନବୀନ ପଟ୍ଟନାୟକ। ଯଦି ତାଙ୍କର ନିକଟତର କର୍ମଚାରୀ ଓ ଅଫିସରଙ୍କୁ ନୋଟିସ ଦିଆଯାଇପାରୁଛି, ତେବେ ମୁଖ୍ୟ ଦାୟିତ୍ୱରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୋଲିସ କେବେ ନୋଟିସ ଦେବ? କେବେ ତାଙ୍କୁ ସାମ୍ନାସାମ୍ନି ବସାଇ ଜେରା କରାଯିବ?
ବିଜେଡିର ୨୪ ବର୍ଷର ଶାସନ କାଳରେ ଏପରି ଅନେକ ଘଟଣା ଘଟିଛି ଯାହା ସାରା ଓଡ଼ିଶାର ବିବେକକୁ ଆନ୍ଦୋଳିତ କରିଥିଲା, ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଏହିସବୁ ଘଟଣାର ତଦନ୍ତ ପାଇଁ କମିଶନ ବସିଲା, ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା, କିନ୍ତୁ ରିପୋର୍ଟଗୁଡ଼ିକ କେବେ ସାର୍ବଜନୀନ ହେଲାନାହିଁ।
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡ ଓ କନ୍ଧମାଳ ହିଂସା (୨୦୦୮)
୨୩ ଅଗଷ୍ଟ ୨୦୦୮, ଜନ୍ମାଷ୍ଟମୀ ଦିନ କନ୍ଧମାଳର ଜଲପେଶ୍ୱର ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଏବଂ ତାଙ୍କର ୪ ଜଣ ଶିଷ୍ୟଙ୍କୁ ଅତି ନୃଶଂସଭାବେ ହତ୍ୟା କରାଯାଇଥିଲା। ଏହାପରେ ସାରାରାଜ୍ୟରେ, ବିଶେଷକରି କନ୍ଧମାଳରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଏହି ଘଟଣାର ତଦନ୍ତ ପାଇଁ ତଦନ୍ତ କମିଶନ ଗଠନ କରାଯାଇଥିଲା। କିନ୍ତୁ ସେହି ତଦନ୍ତ ରିପୋର୍ଟରେ କାହାର ନାମ ଥିଲା? ଏହି ହତ୍ୟାକାଣ୍ଡ ପଛର ମାଷ୍ଟରମାଇଣ୍ଡ କିଏ ଥିଲେ? ଏହି ସତ୍ୟ ଆଜି ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ସାମ୍ନାକୁ ଆସିପାରିନାହିଁ। ଆଉ ଏବେ ଶୁଣିବାକୁ ମିଳୁଛି ଯେ ସେହି ତଦନ୍ତ ରିପୋର୍ଟ ସରକାରୀ ଫାଇଲରୁ ଗାୟବ ହୋଇଯାଇଛି!
ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲା (୨୦୧୧-୧୨)
୨୦୧୧-୧୨ ମସିହାରେ ପିପିଲିର ଜଣେ ନାବାଳିକା ଉପରେ ହୋଇଥିବା ଅତ୍ୟାଚାର ଏବଂ ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହି ଘଟଣାରେ ଶାସକ ଦଳର କିଛି ପ୍ରଭାବଶାଳୀ ନେତାଙ୍କୁ ସୁରକ୍ଷା ଦେବାର ଗୁରୁତର ଅଭିଯୋଗ ଉଠିଥିଲା। ରାଜ୍ୟସାରା ଆନ୍ଦୋଳନ ହେଲା, ସରକାର ଚାପରେ ପଡ଼ି ତଦନ୍ତର ନାଟକ କଲେ, କିନ୍ତୁ ଶେଷରେ ପୀଡ଼ିତାଙ୍କ ପରିବାରକୁ ପ୍ରକୃତ ନ୍ୟାୟ ମିଳିଲା କି? ଏହି ରିପୋର୍ଟଗୁଡ଼ିକ ମଧ୍ୟ ସାଧାରଣରେ ପ୍ରକାଶ କରାଗଲା ନାହିଁ।
ଡାକ୍ତର ମାଧବଲତା ପ୍ରଧାନ ହତ୍ୟାକାଣ୍ଡ (୨୦୧୨)
୨୦୧୨ ମସିହାରେ ଘଟିଥିବା ଡାକ୍ତର ମାଧବଲତା ପ୍ରଧାନଙ୍କ ହତ୍ୟାକାଣ୍ଡ ଓଡ଼ିଶା ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ବଡ଼ ପ୍ରଶ୍ନବାଚୀ ଲଗାଇଥିଲା। ଏକ ହସପିଟାଲ ପରିସରରେ ଜଣେ ମହିଳା ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ ହେବା ଏବଂ ବର୍ଷ ବର୍ଷ ଧରି ଏହା ରହସ୍ୟାବୃତ୍ତ ହୋଇ ରହିବା ପଛରେ କେଉଁ ବଡ଼ ହାତ ଥିଲା? ଏହି ମାମଲାର ଫାଇଲ୍ ମଧ୍ୟ ଚାପି ଦିଆଗଲା।
ଅଭିମନ୍ୟୁ ସାହୁ ହତ୍ୟାକାଣ୍ଡ (୨୦୧୩)
୨୦୧୩ ମସିହାରେ ଟିଟିଲାଗଡ଼ର ଯୁବ ବିଜେଡି ନେତା ଅଭିମନ୍ୟୁ ସାହୁଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଥିଲା। ସ୍ଥାନୀୟ ରାଜନୈତିକ ଶତ୍ରୁତା ଓ ବିଜେଡିର ଅନ୍ତରଙ୍ଗ ଗୋଷ୍ଠୀକନ୍ଦଳକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ନିଜ ଦଳର ନେତାଙ୍କ ହତ୍ୟା ମାମଲାରେ ମଧ୍ୟ ପ୍ରକୃତ ସତ୍ୟକୁ ଲୋକଲୋଚନକୁ ଅଣାଗଲା ନାହିଁ।
ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟାକାଣ୍ଡ (୨୦୧୩)
ରାୟଗଡ଼ା ଜିଲ୍ଲା ଟିକିରିର ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନଙ୍କୁ ଜୀବନ୍ତ ଜାଳି ଦିଆଯିବା ଘଟଣା ଓଡ଼ିଶା ଇତିହାସରେ ଏକ କଳଙ୍କିତ ଅଧ୍ୟାୟ। ମୃତ୍ୟୁ ପୂର୍ବରୁ ଇତିଶ୍ରୀ ପ୍ରଧାନ ଦେଇଥିବା ‘ମୃତ୍ୟୁକାଳୀନ ଜବାନବନ୍ଦୀ’ (Dying Declaration) ରେ ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO), ଉଚ୍ଚପଦସ୍ଥ ଅଫିସର ଏବଂ ସ୍ଥାନୀୟ ପ୍ରଶାସନର ଘୋର ଅବହେଳା ଓ ନିଷ୍କ୍ରିୟତା ବାବଦରେ ସ୍ପଷ୍ଟ ଅଭିଯୋଗ ଆଣିଥିଲେ। ସେ ସାହାଯ୍ୟ ପାଇଁ ଗୁହାରି କରିଥିଲେ ସୁଦ୍ଧା ତାଙ୍କୁ ସୁରକ୍ଷା ମିଳିନଥିଲା। ଏହି ମାମଲାରେ କାହାକୁ ବଞ୍ଚାଇବା ପାଇଁ ଚେଷ୍ଟା କରାଯାଉଥିଲା?
ଗୁମୁଡ଼ୁମାହା ଗୁଳିକାଣ୍ଡ (୨୦୧୬)
୨୦୧୬ ମସିହାରେ କନ୍ଧମାଳର ଗୁମୁଡ଼ୁମାହାରେ ନକ୍ସଲ ଦମନ ଅପରେସନ ନାଁରେ ପୋଲିସ ଗୁଳିରେ ୫ ଜଣ ନିରୀହ ଆଦିବାସୀ ପ୍ରାଣ ହରାଇଥିଲେ, ଯାହାଙ୍କ ମଧ୍ୟରେ କୋମଳମତି ଶିଶୁ ମଧ୍ୟ ଥିଲେ। ଏହି ହୃଦୟବିଦାରକ ଘଟଣା ପରେ ସରକାରୀ ସ୍ତରରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ସେହି ଆଦିବାସୀ ପରିବାରଗୁଡ଼ିକୁ ପ୍ରକୃତ ନ୍ୟାୟ ମିଳିଲା କି? ତଦନ୍ତ ରିପୋର୍ଟ ସାଧାରଣରେ କାହିଁକି ପ୍ରକାଶ ପାଇଲା ନାହିଁ?
କୁନ୍ଦୁଲି ଦୁଷ୍କର୍ମ ଓ ପୀଡ଼ିତାଙ୍କ ଆତ୍ମହତ୍ୟା (୨୦୧୭)
କୋରାପୁଟର କୁନ୍ଦୁଲିରେ ନବମ ଶ୍ରେଣୀର ଜଣେ ଆଦିବାସୀ ନାବାଳିକା ସହିତ ହୋଇଥିବା ଗଣଦୁଷ୍କର୍ମ ଅଭିଯୋଗ ଏବଂ ପରବର୍ତ୍ତୀ ସମୟରେ ନ୍ୟାୟ ନମିଳିବାରୁ ପୀଡ଼ିତାଙ୍କ ଆତ୍ମହତ୍ୟା ସାରା ଓଡ଼ିଶାର ବିବେକକୁ ଦୋହଲାଇ ଦେଇଥିଲା। ସରକାର ଓ ପୋଲିସ ମଧ୍ୟରେ ତଥ୍ୟ ଲୁଚାଇବାର ଯେଉଁ ଖେଳ ଚାଲିଥିଲା, ତାହା ପଦାରେ ପଡ଼ିଥିଲା। ଏହି ଘଟଣାରେ ଗଠିତ ତଦନ୍ତ କମିଶନଙ୍କ ରିପୋର୍ଟ ମଧ୍ୟ ବାକ୍ସ ଭିତରେ ବନ୍ଦ ହୋଇ ରହିଗଲା।
ଧର୍ମଶାଳା ପିଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ (୨୦୧୯)
ଯାଜପୁର ଜିଲ୍ଲା ଧର୍ମଶାଳାର ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଶାସକ ଦଳର ଜଣେ ପ୍ରଭାବଶାଳୀ ନେତାଙ୍କ ସଂପୃକ୍ତି ନେଇ ସାରା ରାଜ୍ୟରେ ଚର୍ଚ୍ଚା ହୋଇଥିଲା। ପୋଲିସ ଏହାକୁ ସଟ୍କଟ୍ରେ ଆତ୍ମହତ୍ୟା ଦର୍ଶାଇ ମାମଲା ରଫାଦଫା କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଥିଲା।
ନୟାଗଡ଼ର ଶିଶୁ କନ୍ୟା ‘ପରୀ’ ହତ୍ୟାକାଣ୍ଡ (୨୦୨୦)
ନୟାଗଡ଼ର ୫ ବର୍ଷର ଶିଶୁ କନ୍ୟା ‘ପରୀ’ର ଅପହରଣ ଓ ନୃଶଂସ ହତ୍ୟାକାଣ୍ଡ ସାରା ଓଡ଼ିଶାକୁ ସ୍ତବ୍ଧ କରିଦେଇଥିଲା। ବିଧାନସଭା ସାମ୍ନାରେ ପରୀର ବାପା-ମାଆ ଆତ୍ମାହୁତି ଉଦ୍ୟମ କରିବା ପରେ ନିଦ ଭାଙ୍ଗିଥିଲା ସରକାରଙ୍କର। ଏହି ମାମଲାରେ ତତ୍କାଳୀନ ଜଣେ ଶକ୍ତିଶାଳୀ ମନ୍ତ୍ରୀଙ୍କ ସଂପୃକ୍ତି ଓ ଅଙ୍ଗପ୍ରତ୍ୟଙ୍ଗ କାରବାର ନେଇ ଗୁରୁତର ଅଭିଯୋଗ ଆସିଥିଲା। ଏହି ଘଟଣାରେ ସେତେବେଳର ବିଜେଡି ସରକାର ଅଭିଯୁକ୍ତଙ୍କୁ ବଞ୍ଚାଇବାକୁ ସବୁମନ୍ତ୍ର ପ୍ରୟୋଗ କରିଥିଲେ।
ମାହାଙ୍ଗା ଡବଲ ମର୍ଡ଼ର (୨୦୨୧)
୨୦୨୧ରେ କଟକ ମାହାଙ୍ଗାରେ ବିଜେପି ନେତା କୁଳମଣି ବାରିକ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା କରାଗଲା। ଏଫ୍ଆଇଆର୍ରେ ସ୍ଥାନୀୟ ବିଧାୟକ ତଥା ତତ୍କାଳୀନ ମନ୍ତ୍ରୀଙ୍କ ନାମ ଥିବା ସତ୍ତ୍ୱେ ପୋଲିସ ତାଙ୍କୁ ତଦନ୍ତ ପରିସରରୁ ଦୂରେଇ ରଖିବାକୁ ଚେଷ୍ଟା କରିଥିଲା। ପରବର୍ତ୍ତୀ ସମୟରେ ଏହି ମାମଲାର ଏକ ପ୍ରମୁଖ ସାକ୍ଷୀଙ୍କର ମଧ୍ୟ ସନ୍ଦେହଜନକ ସ୍ଥିତିରେ ମୃତ୍ୟୁ ଘଟିଥିଲା।
ମମତା ମେହେର ହତ୍ୟାକାଣ୍ଡ (୨୦୨୧)
କଳାହାଣ୍ଡି ସନ୍ସାଇନ୍ ସ୍କୁଲର ଶିକ୍ଷୟିତ୍ରୀ ମମତା ମେହେରଙ୍କୁ ହତ୍ୟା କରି ଗୋବିନ୍ଦ ସାହୁ ମାଟି ତଳେ ପୋତି ଦେଇଥିଲା। ଏହି ମାମଲାରେ ତତ୍କାଳୀନ ଗୃହରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ନେଇ ତୀବ୍ର ବିରୋଧ ହୋଇଥିଲା। ଆଶ୍ଚର୍ଯ୍ୟର ବିଷୟ, ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଜେଲ ଭିତରେ ସନ୍ଦେହଜନକ ମୃତ୍ୟୁ ଘଟିଲା! ଏହା ହତ୍ୟା ନା ଆତ୍ମହତ୍ୟା? ସେହି ରହସ୍ୟର ତଦନ୍ତ ରିପୋର୍ଟ କୁଆଡ଼େ ଗଲା?
ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା (୨୦୨୩)
୨୦୨୩ ଜାନୁଆରୀ ୨୯ ତାରିଖରେ ଦିନଦ୍ୱିପ୍ରହରରେ ଝାରସୁଗୁଡ଼ା ବ୍ରଜରାଜନଗରରେ ରାଜ୍ୟର କ୍ୟାବିନେଟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଜଣେ କର୍ତ୍ତବ୍ୟରତ ପୋଲିସ ଏଏସ୍ଆଇ ଗୋପାଳ ଦାସ ଗୁଳି କରି ହତ୍ୟା କଲା। ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ପୋଲିସ ଗୁଳି କରୁଛି, ଆଉ ତଦନ୍ତର ନାଁରେ କେବଳ ସାଇକୋଲୋଜିକାଲ ଟେଷ୍ଟ ଓ କ୍ରାଇମବ୍ରାଞ୍ଚ ନାଟକ ଚାଲିଲା! ଏହି ହତ୍ୟାକାଣ୍ଡ ପଛର ଅସଲ ଷଡ଼ଯନ୍ତ୍ରକାରୀ କିଏ? ସେହି ତଦନ୍ତ ରିପୋର୍ଟ ମଧ୍ୟ ସାର୍ବଜନୀନ ହେଲାନାହିଁ।
ଏହିସବୁ ଘଟଣାକୁ ଯଦି ଆପଣ ଗୋଟିଏ ସୂତାରେ ଗୁନ୍ଥିବେ, ତେବେ ଗୋଟିଏ କଥା ସ୍ପଷ୍ଟ ଜଣାପଡ଼ିବ— ସୂଚନା ଲୁଚାଇବା ଏବଂ ପ୍ରମାଣ ନଷ୍ଟ କରିବା!
ବିଜେଡି ଶାସନ କାଳରେ ଘଟିଥିବା ଏହିସବୁ ହାଇପ୍ରୋଫାଇଲ୍ ମାମଲାରେ ଶାସକ ଦଳର ନେତା, ମନ୍ତ୍ରୀ, ଏବଂ ତାଙ୍କର ପ୍ରିୟ ଅଫିସରମାନଙ୍କ ନାମ ବାରମ୍ବାର ଆସୁଥିଲା। ଏହି କାରଣରୁ ହିଁ ତଦନ୍ତ ରିପୋର୍ଟଗୁଡ଼ିକୁ କେବେ ବି ସାର୍ବଜନୀନ କରାଗଲା ନାହିଁ।
ଆଉ ଏବେ, ଯେତେବେଳେ ରାଜ୍ୟରେ ଶାସନ ପରିବର୍ତ୍ତନ ହୋଇଛି, ସେତେବେଳେ ଜଣାପଡ଼ୁଛି ଯେ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ ଏବଂ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡ ତଦନ୍ତ ରିପୋର୍ଟ ଭଳି ଗୁରୁତ୍ୱପୂର୍ଣ୍ଣ ସରକାରୀ ଫାଇଲ୍ଗୁଡ଼ିକ ଗାୟବ ହୋଇଯାଇଛି!
ସେଥିପାଇଁ କ୍ୟାପିଟାଲ ଥାନାରେ ଏତଲା ହେବା ପରେ ଭୁବନେଶ୍ୱର ପୋଲିସ ତଦନ୍ତ ଆରମ୍ଭ କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ ଅଫିସର ଭୈରବ କାର୍ତ୍ତିକେୟନ, ରାଜେଶ ବର୍ମା, ଏବଂ ମନୋଜ ମିଶ୍ରଙ୍କୁ ନୋଟିସ ଦିଆଯାଇଛି।
କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି:
1. ଅଫିସରମାନେ ତ କେବଳ ନିର୍ଦ୍ଦେଶ ପାଳନ କରୁଥିଲେ। ସେମାନଙ୍କ ଉପରେ କାହାର ନିର୍ଦ୍ଦେଶ ଥିଲା?
2. ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷ ଧରି ଦାୟିତ୍ୱରେ ଥିଲେ। ଗୃହ ବିଭାଗରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଗାୟବ ହେବା ପାଇଁ ସେ କ’ଣ ସିଧାସଳଖ ଦାୟୀ ନୁହଁନ୍ତି?
3. ପୋଲିସ କେବଳ ଚାକିରିଆ ଅଫିସରଙ୍କୁ ନୋଟିସ ଦେଇ ନିଜ ଦାୟିତ୍ୱ ଶେଷ କରିଦେବ, ନା ଏହି ସଂଘାତିକ ଫାଇଲ ଚୋରୀ ଓ ଗାୟବ ମାମଲାରେ ସିଧାସଳଖ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୋଟିସ ଜାରି କରି ଜେରା କରିବ?
ଓଡ଼ିଶାର ଜନସାଧାରଣ ଆଜି ନ୍ୟାୟ ଚାହୁଁଛନ୍ତି। ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜିବା ପଛର ସତ୍ୟ ହେଉ କିମ୍ବା ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡର ତଦନ୍ତ ରିପୋର୍ଟ— ସବୁକିଛି ସାମ୍ନାକୁ ଆସିବା ଦରକାର। ଯଦି ଫାଇଲ୍ ଚୋରୀ ହୋଇଛି, ତେବେ ସେହି ଚୋରୀ ପଛରେ ଥିବା ବଡ଼ ବଡ଼ ଚେହେରାଗୁଡ଼ିକୁ ପଦାକୁ ଆଣିବାକୁ ପଡ଼ିବ।


