ମାନବ ସଭ୍ୟତାର କ୍ରମବିକାଶ ଓ ଇତିହାସକୁ ନେଇ ଦୀର୍ଘ ଦଶନ୍ଧି ଧରି ଚାଲିଆସିଥିବା ପାଶ୍ଚାତ୍ୟ ଐତିହାସିକମାନଙ୍କ ଦାବି ଉପରେ ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରାଚୀନ ସଭ୍ୟତାର ଆଦିପୀଠ କେବଳ ମେସୋପୋଟାମିଆ (ଆଧୁନିକ ଇରାକ) ଥିଲା ବୋଲି ପାଶ୍ଚାତ୍ୟ ବିଶାରଦମାନେ କରିଆସୁଥିବା ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି ବିଶିଷ୍ଟ ସାମୁଦ୍ରିକ ଐତିହାସିକ ନିକ୍ କଲିନ୍ସ। ନିଜର ଦୀର୍ଘ ବର୍ଷର ଗବେଷଣା, ସାଟେଲାଇଟ୍ ତଥ୍ୟ ଏବଂ ପ୍ରାଚୀନ ସାମୁଦ୍ରିକ ବାଣିଜ୍ୟ ପଥର ଅନୁସନ୍ଧାନ ଆଧାରରେ ସେ ସ୍ପଷ୍ଟ କରିଛନ୍ତି ଯେ, ବିଶ୍ୱର ସବୁଠାରୁ ପ୍ରାଚୀନ, ସମୃଦ୍ଧ ଓ ବିକଶିତ ସଭ୍ୟତାର ଜନ୍ମ ଭାରତୀୟ ଉପମହାଦ୍ୱୀପରୁ ହିଁ ହୋଇଥିଲା।
ମେସୋପୋଟାମିଆ ନୁହେଁ, ଭାରତ ଥିଲା ସଭ୍ୟତାର ପ୍ରକୃତ ଆଦିପୀଠ
ସାମାଜିକ ଗଣମାଧ୍ୟମ ଏବଂ ନିଜ ଗବେଷଣାତ୍ମକ ଲେଖା ‘ସବ୍ଷ୍ଟାକ୍’ କଲମରେ ନିକ୍ କଲିନ୍ସ ସ୍ପଷ୍ଟ ଭାବେ ଲିପିବଦ୍ଧ କରିଛନ୍ତି ଯେ, “ମେସୋପୋଟାମିଆ କଦାପି ବିଶ୍ୱ ସଭ୍ୟତାର ଆଦିପୀଠ କିମ୍ବା କ୍ରାଡଲ୍ ନଥିଲା, ବରଂ ଏହାର ପ୍ରକୃତ କେନ୍ଦ୍ରବିନ୍ଦୁ ଥିଲା ଭାରତ।” ତାଙ୍କ ମତରେ, ୟୁରୋପୀୟ ଐତିହାସିକମାନେ ଯେଉଁ ସମୟରେ ଭାରତୀୟ ସଭ୍ୟତାର ଗୁରୁତ୍ୱକୁ ଅବହେଳା କରୁଥିଲେ, ସେହି ସମୟର ବହୁ ପୂର୍ବରୁ ଭାରତରେ ନଗର ପରିକଳ୍ପନା, ଗଣିତ, ଉତ୍ପାଦନ ଶିଳ୍ପ ଏବଂ ସୁଦୃଢ଼ ସାମୁଦ୍ରିକ ବାଣିଜ୍ୟିକ ନେଟୱାର୍କ ଅତ୍ୟନ୍ତ ସମୃଦ୍ଧ ସ୍ତରରେ ପହଞ୍ଚିସାରିଥିଲା। ପ୍ରାଚୀନ ଯୁଗରେ ସାଂସ୍କୃତିକ, ବୈଷୟିକ ଓ ବାଣିଜ୍ୟିକ ପ୍ରବାହ ପଶ୍ଚିମରୁ ପୂର୍ବକୁ ନୁହେଁ, ବରଂ ପୂର୍ବ (ଭାରତ) ରୁ ପଶ୍ଚିମ ଦିଗକୁ ଗତି କରିଥିଲା।
ଲୋଥାଲ୍: ୪ ହଜାର ବର୍ଷ ପୁରୁଣା ବିଶ୍ୱର ପ୍ରଥମ ସୁସଜ୍ଜିତ ବନ୍ଦର
ଗୁଜରାଟର ପ୍ରାଚୀନ ସିନ୍ଧୁ-ସରସ୍ୱତୀ ସଭ୍ୟତାର ପ୍ରସିଦ୍ଧ ସହର ‘ଲୋଥାଲ୍’ କୁ ନିକ୍ କଲିନ୍ସ ନିଜ ଦାବିର ସବୁଠାରୁ ବଡ଼ ପ୍ରମାଣ ଭାବେ ଉପସ୍ଥାପିତ କରିଛନ୍ତି। ଲୋଥାଲ୍ରେ ପୋଡ଼ା ଇଟାରେ ନିର୍ମିତ ବିଶାଳ ଜଳାଶୟ କୌଣସି ସାଧାରଣ ପୁଷ୍କରିଣୀ କିମ୍ବା ସ୍ନାନାଗାର ନଥିଲା, ବରଂ ଏହା ଥିଲା ବିଶ୍ୱର ପ୍ରଥମ ଏବଂ ଅତ୍ୟାଧୁନିକ ଜାହାଜ ବାନ୍ଧିବା ସ୍ଥାନ ବା ଡକ୍ୟାର୍ଡ।

କଲିନ୍ସ ଦର୍ଶାଇଛନ୍ତି ଯେ, ଏହିପରି ଉନ୍ନତ ସାମୁଦ୍ରିକ ବନ୍ଦର ନିର୍ମାଣର ପ୍ରଯୁକ୍ତିବିଦ୍ୟା ୟୁରୋପରେ ପରବର୍ତ୍ତୀ ୪,୦୦୦ ବର୍ଷ ପର୍ଯ୍ୟନ୍ତ ମଧ୍ୟ ଉପଲବ୍ଧ ନଥିଲା। ୧୯୫୪ ମସିହାରେ ଭାରତୀୟ ପ୍ରତ୍ନତତ୍ତ୍ୱବିତ୍ ଏସ୍.ଆର୍. ରାଓଙ୍କ ଦ୍ୱାରା ଆବିଷ୍କୃତ ଏହି ବନ୍ଦର ମାଧ୍ୟମରେ ସାବରମତୀ ନଦୀର ପ୍ରାଚୀନ ପ୍ରବାହ ଦେଇ ହରପ୍ପା, ସୌରାଷ୍ଟ୍ର, ମେସୋପୋଟାମିଆ ଏବଂ ପଶ୍ଚିମ ଏସିଆ ପର୍ଯ୍ୟନ୍ତ ମୁକ୍ତା, ମାଣିକ, ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀର ବିଶାଳ ସାମୁଦ୍ରିକ ବାଣିଜ୍ୟ ସମ୍ପାଦିତ ହେଉଥିଲା।
ପାଶ୍ଚାତ୍ୟ ପକ୍ଷପାତିତା ଓ ଐତିହାସିକ ଭ୍ରାନ୍ତି
ଆନ୍ତର୍ଜାତୀୟ ନୌପରିବହନ କ୍ଷେତ୍ରରେ ୪୦ ବର୍ଷରୁ ଅଧିକ ସମୟର ଅଭିଜ୍ଞତା ରଖିଥିବା କଲିନ୍ସ କହିଛନ୍ତି ଯେ, ସେ କୌଣସି ପୂର୍ବନିର୍ଦ୍ଧାରିତ ଧାରଣାକୁ ସମର୍ଥନ କରିବା ପାଇଁ ଏହି ଗବେଷଣା କରିନାହାନ୍ତି। ପ୍ରାଚୀନ ଜାହାଜ, ବାଣିଜ୍ୟିକ ମାର୍ଗ ଏବଂ ସାମଗ୍ରୀର ଆଦାନପ୍ରଦାନର ତଥ୍ୟକୁ ଅନୁସରଣ କରିବା ପରେ ସମସ୍ତ ପ୍ରମାଣ ଭାରତୀୟ ଉପମହାଦ୍ୱୀପ ଆଡ଼କୁ ହିଁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲା।

ପାଶ୍ଚାତ୍ୟ ଐତିହାସିକମାନେ ମେସୋପୋଟାମିଆକୁ ପ୍ରଥମ ସଭ୍ୟତାର ମାନ୍ୟତା ଦେବାର ମୁଖ୍ୟ କାରଣ ହେଉଛି ୟୁରୋପୀୟ ପ୍ରତ୍ନତତ୍ତ୍ୱବିତ୍ମାନେ ପ୍ରଥମେ ସେହି ଅଞ୍ଛଳରେ ଖନନ କରିଥିଲେ। ସେଠାକାର ଶୁଷ୍କ ଜଳବାୟୁ ଯୋଗୁଁ ମାଟିପାତ୍ର, ଇଟା ଓ ପ୍ରତ୍ନତାତ୍ତ୍ୱିକ ଅବଶେଷ ସୁରକ୍ଷିତ ରହିପାରିଥିଲା। ଅପରପକ୍ଷରେ, ଭାରତୀୟ ସଭ୍ୟତାର ପ୍ରାଚୀନତା, ବ୍ୟାପକତା ଓ ବିଶାଳତାକୁ ଇଚ୍ଛାକୃତ କିମ୍ବା ପକ୍ଷପାତମୂଳକ ମାନସିକତା ଯୋଗୁଁ ଯଥାଯଥ ଗୁରୁତ୍ୱ ଦିଆଯାଇନଥିଲା।
‘ଆର୍ଯ୍ୟ ଆକ୍ରମଣ ତତ୍ତ୍ୱ’ର ସତ୍ୟତା
ଏହି ଗବେଷଣାତ୍ମକ ଆଲୋଚନାରେ କଲିନ୍ସ ୧୯ଶ ଶତାବ୍ଦୀରେ ୟୁରୋପୀୟ ବିଶାରଦମାନଙ୍କ ଦ୍ୱାରା ପ୍ରଚାରିତ ‘ଆର୍ଯ୍ୟ ଆକ୍ରମଣ ତତ୍ତ୍ୱ’ କୁ ସମ୍ପୂର୍ଣ୍ଣ ଭ୍ରାନ୍ତ ଏବଂ କାଳ୍ପନିକ ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ, ୧୯ଶ ଶତାବ୍ଦୀର ୟୁରୋପୀୟ ମାନସିକତା ଏହା ସ୍ୱୀକାର କରିବାକୁ ପ୍ରସ୍ତୁତ ନଥିଲା ଯେ ୟୁରୋପୀୟ କାକେସୀୟ ଗୋଷ୍ଠୀର କୌଣସି ସମ୍ପର୍କ ବିନା ଭାରତରେ ଏତେ ଉନ୍ନତ, ନଗରକୈନ୍ଦ୍ରିକ ଓ ସମୃଦ୍ଧ ସଭ୍ୟତା ଗଢ଼ିଉଠିପାରେ। ସେଥିପାଇଁ ସେମାନେ ଆର୍ଯ୍ୟମାନେ ବାହାରୁ ଆସି ସଂସ୍କୃତ, ବେଦ ଓ ସଭ୍ୟତା ଆଣିଥିଲେ ବୋଲି ଏକ କାଳ୍ପନିକ କାହାଣୀ ପ୍ରସ୍ତୁତ କରିଥିଲେ, ଯାହା ବାସ୍ତବ ପ୍ରମାଣ ସହ ଆଦୌ ମେଳ ଖାଉନାହିଁ।

ନଗର ପରିକଳ୍ପନା ଓ ବୈଜ୍ଞାନିକ ଉତ୍କର୍ଷ
ସିନ୍ଧୁ-ସରସ୍ୱତୀ ସଭ୍ୟତାର ଶତାଧିକ ଅଞ୍ଛଳରେ ଏକସମାନ ଆକାର ଓ ମାପର ଇଟା, ଗ୍ରିଡ୍-ପ୍ୟାଟର୍ନ ରାସ୍ତାଘାଟ, ଘୋଡ଼ାଯାଇଥିବା ସୁସଜ୍ଜିତ ନାଳ-ନର୍ଦ୍ଦମା, ସ୍ନାନାଗାର, ସୁନିୟୋଜିତ ନଗର ଓ ବିଶାଳ ଶିଳ୍ପ କାରଖାନା ପ୍ରମାଣିତ କରେ ଯେ, ସେତେବେଳେ ଭାରତରେ ବୈଜ୍ଞାନିକ ଓ ପ୍ରଯୁକ୍ତିବିଦ୍ୟାର ଚିନ୍ତାଧାରା କେତେ ଆଗରେ ଥିଲା।
ନିକ୍ କଲିନ୍ସଙ୍କ ଏହି ନୂତନ ଖୁଲାସା ଏବେ ସମଗ୍ର ବିଶ୍ୱର ଐତିହାସିକ ଓ ଗବେଷକମାନଙ୍କ ମଧ୍ୟରେ ଏକ ନୂତନ ବିଚାରମନ୍ଥନ ସୃଷ୍ଟି କରିଛି। ଏହା ପ୍ରମାଣ କରୁଛି ଯେ ପ୍ରାଚୀନ ଭାରତ କେବଳ ଆଧ୍ୟାତ୍ମିକତାର କେନ୍ଦ୍ର ନଥିଲା, ବରଂ ବିଶ୍ୱ ସଭ୍ୟତା, ଗଣିତ, ବିଜ୍ଞାନ, ଆନ୍ତର୍ଜାତୀୟ ବାଣିଜ୍ୟ ଏବଂ ସାମୁଦ୍ରିକ ନୌପରିବହନର ମୂଳ ଜନନୀ ଥିଲା।


